Unknown

 

 

 

 

 

 

 

 

 

 

ରସ କଲ୍ଲୋଳ

ଭକ୍ତକବି ଦୀନକୃଷ୍ଣ ଦାସ

 

ପ୍ରଥମ ଛାନ୍ଦ - ବନ୍ଦନା

ରାଗ - ସଙ୍ଗମତି ଆହାରୀ

 

କର ସାଧୁଜନମାନେ ମନକୁ ଏକ ।

କର ଧୀରେ ଧ୍ୟାନ ନୀଳାଚଳ ନାୟକ ।୧।

 

କମନୀୟ ଶ୍ରୀମୁଖ ଚନ୍ଦ୍ରରୁ ଅଧିକ ।

କଲେ ଦର୍ଶନ ନରହେ କଳୁଷଶୋକ ।୨।

 

କମଳ ନୟନ କୋଟି ସୁଖଦାୟକ ।

କଳାଡୋଳା ଚୁମ୍ୱିଲା ଭ୍ରମର ପ୍ରାୟକ ।୩।

 

କପାଳେ ସୁବର୍ଣ୍ଣରାହୁ ରେଖା ଝଳକ ।

କେଉଁ ଲୋକ ଅଙ୍ଗ ନ କରଇ ପୁଲକ ।୪।

 

କହି ନୁହଇ ସୁରଙ୍ଗ ଅଧର ଟେକ ।

କବି ଜଡ଼ ହୋଏ ଯାହା କରି ବିଲୋକ ।୫।

 

କର୍ଣ୍ଣେ ମକର କୁଣ୍ଡଳ ଭାଲେ ତିଳକ ।

କରେ କଚଟି ବାହୁଟି ହୃଦେ ପଦକ ।୬।

 

କମ୍ଭୁକଣ୍ଠେ କଉସ୍ତୁଭମଣି ନାୟକ ।

କଳୁଷ ଅନ୍ଧକାରକୁ ଦିନ- ନାୟକ ।୭।

 

କଳିତ ଲଳିତ ଫୁଲମାଳ ଅନେକ ।

କରଇ ଅବଶ୍ୟ ବଶ ତ୍ରୈଲୋକ ଲୋକ ।୮।

 

କଳ୍ପବୃକ୍ଷେ ନାନା ରତ୍ନ ଫଳ ପ୍ରାୟକ ।

କଳାପି- କଳାପେ ଶୋଭା ଶ୍ରୀଅଙ୍ଗଯାକ ।୯।

 

କରେ ଶଙ୍ଖ ଚକ୍ର କଷ୍ଟ ଦୁଷ୍ଟମାରକ ।

କର୍ପୂର ଚନ୍ଦନୁ ଆହାଲଦ କାରକ ।୧୦।

 

କନକ କିଙ୍କିଣୀ ପୀତାମ୍ବର ଧାରକ ।

କରୁଣା କଟାକ୍ଷେ ସୁର ନର ତାରକ ।୧୧।

 

କମ୍ୱୁ କଟକ ମଧ୍ୟରେ ନାଗର ଏକ ।

କଉତୁକ କଥାମାନଙ୍କରେ ରସିକ ।୧୨।

 

କମଳ-ନେତ୍ର କମଳା – ପ୍ରାଣନାୟକ ।

କଳା ପର୍ବତରେ ଲୀଳା କର ଅନେକ ।୧୩।

 

କଲେ ଇଚ୍ଛା ମନ୍ଦେ ହେବା କଂସଅନ୍ତକ ।

କରିବା ଉଶ୍ୱାସ ମହୀଭରା ଅନେକ ।୧୪।

 

କପଟେ ହୋଇବା ନନ୍ଦ ବ୍ରଜବାଳକ ।

କଉତୁକେ ବୋଲାଇବା ପଶୁପାଳକ ।୧୫।

 

କରି ଏ ବିଚାର କଇବଲ୍ୟ ଦାୟକ ।

କଂସ ଆଦି ମାରିବାକୁ ହେଲେ ଉତ୍ସୁକ ।୧୬।

 

କଚ୍ଛପ ଆଦି ମତ୍ସ୍ୟ ଅବତାରଯାକ ।

କରିବାକୁ ଜାତ ଜଗନ୍ନାଥ ଜନକ ।୧୭।

 

କହି ନୋହେ ତାହାଙ୍କ ମହିମା ଯେତେକ ।

କରିନ୍ତି କୃତାର୍ଥ ଜୀବ ହରି ପାତକ ।୧୮।

 

କମଳସମ୍ଭବ ଭବ ସୁରନାୟକ ।

କଉଣପ ଆଦି ଲୋକ ଯାହାର ଲୋକ ।୧୯।

 

କରୁଣା ସାଗର ସାଗରଜା-ନାୟକ ।

କର ଅଭୟ ଅଭୟକର ଦାୟକ ।୨୦।

 

କଷ୍ଟ ମହୀଧର – କଣ୍ଟକ ।

କଳମଷ ବାରଣ ବାରଣ ଅନ୍ତକ ।୨୧।

 

କର ଆଜ୍ଞା ସୁର –ସୁର ପ୍ରଭୁ ଏତେକ ।

କହୁ ଦୀନକୃଷ୍ଣ କୃଷ୍ଣକଥା ଅନେକ ।୨୨।

 

ଦ୍ୱିତୀୟ ଛାନ୍ଦ - ଶ୍ରୀକୃଷ୍ଣ ଜନ୍ମ

ରାଗ - ଚୋଖି

 

କର ଆହେ ସାଧୁଜନମାନେ ମନେ ଏକ ଧ୍ୟାନ,

କର୍ଣ୍ଣ ଦେଇ କମଳନୟନ କଥାକୁ ।

କଳିକଳୁଷ ସଂଘାତ ଉପରେ କରିସଂଘାତ ସଂଶୟ ନଥାଉ କାଳଦଣ୍ଡ ବ୍ୟଥାକୁ ।

କଳାକରେ ଅନ୍ଧାର ପ୍ରାୟ।

କୃଷ୍ଣକଥା ଶ୍ରବଣରେ ଦୂରିତ କ୍ଷୟ ।୧।

 

କଉଣପକୁଳେ ଭାରୀ ହୋଇ ଧରଣୀସୁନ୍ଦରୀ ବିନୟୀ ହୋଇ ବ୍ରହ୍ମାଣ୍ଡ ଆଗେ କହିଲା ।

କଂସ ପ୍ରତାପରେ ଦେହ ହୋଇଲା

ଅତିଦୁଃସହ କି କରିବି ଏବେ କହ ବୋଲି କହିଲା କୁଶକେତୁ ଶୁଣି ଏ କଥା ।

କହିଲେ ଜଗନ୍ନାଥଙ୍କୁ ଅବନୀ ବ୍ୟଥା।୨।

 

କମଳମୁଖୀ କମଳା କଣ୍ଠ ମରକତମାଳା,

ଆଜ୍ଞାଦେଲେ କରୁଣା କଟାକ୍ଷେ ଅନାଇଁ ।

କିଛି ନ ବିଚାର ତୁମ୍ଭେ, ଯଦୁକୁଳେ ଯାଇ ଆମ୍ଭେ,

ଜାତ ହେବୁ କଂସ ପ୍ରାଣ ଘେନିବା ପାଇଁ ।

କର ତୁମ୍ଭେ ଏବେ ଗଗନ ।

କରିବାକୁ ଗୋପକେଳି ଆମ୍ଭର ମନ ।୩।

 

କୃପାସିନ୍ଧୁ ଆଜ୍ଞାପାଇ, ପରମ ଆନନ୍ଦ ହୋଇ, ପଦ୍ମଯୋନି ପରବେଶ ହୋଇଲେ ପୁରେ ।

କିଛିଦିନ ଅନ୍ତେ ହରି, କୋଟିକାମ ରୂପ ଧରି,

ରହିଲେ ଯାଇ ଦେବକୀ ଦେବୀ ଗର୍ଭରେ ।

କେତେଦିନ ହୋଇଲେ ଜାତ ।

କେ ଅବା କହିବ ତାହାଙ୍କର ଚରିତ ।୪।

 

କରେ ଶଙ୍ଖ ଚକ୍ର ଧରି, କଂସଠାରେ କ୍ରୋଧକରି, ବାଳକାଳୁ ବୀରବେଶ କଲେ ପ୍ରକାଶ ।

କଣ୍ଠେ କଉସ୍ତୁଭମଣି, କୋଟି ଶଶଧର ଜିଣି,

କରିଣ ପ୍ରକାଶ ପାପ ଅନ୍ଧାର ନାଶ ।

କଟିତଟେ, ପୀତବାସନ ।

କଳାମେଘ କୋଳରେ ବିଜୁଳି ଯେସନ ।୫।

 

କର୍ଣ୍ଣେ ମକର କୁଣ୍ଡଳ, ଝଟକେ ଗଣ୍ଡମଣ୍ଡଳ,

ମସ୍ତକରେ ମଣିୟମ ମୁକୁଟ ଶୋହେ ।

କଳିତ ଲଳିତ ହୃଦ ଦେଶରେ ।

ଶ୍ରୀବତ୍ସପଦେ ଭାବଗ୍ରାହୀ ନାଥ ଭକ୍ତ ଭାବରେ ।

ବହେ କୋଟିକାମ ନିନ୍ଦେ ଶ୍ରୀଅଙ୍ଗ ।

କରେ କଙ୍କଣ ଚରଣେ ନୂପୁର ସଙ୍ଗ ।୬।

 

କରି ଏରୂପ ଦର୍ଶନ, କଲେ ସ୍ତୁତି ନିବେଦନ,

ଜନକ ଜନନୀ ଅତି ଆଶ୍ଚର୍ଯ୍ୟ ହୋଇ ।

କହୁଁ କହୁଁ ମାୟା କରି, ସେରୂପ ସଂହାରି କହି, ବାଳମୁକୁନ୍ଦ ସ୍ୱରୁପ ହେଲେ ଗୋସାଇଁ ।

କଂସର ଯେତେକ ପ୍ରହରୀ ।

କାଳନିଦ୍ରାରେ ଚେତନା ନାହିଁ କାହାରି ।୭।

 

କଲା କାଳେ କନ୍ୟାଦାନ, ବସୁଦେବ ଉଗ୍ରସେନ,

କଉତୁକେ କଂସରଥ ବାହୁ ଯେ ଥିଲା ।

କୋମଳ ଗଭୀର ବାଣୀ, ଆକାଶମଣ୍ଡଳୁ ଶୁଣି,

ଭଗ୍ନୀ ଭିଣୋଇଙ୍କୁ ନେଇ ଶାଙ୍କୋଳି ଦେଲା ।

କାଳେ ସେ ଚରଣୁ ଫିଟିଲା । କରିବାକୁ ବିଜେ ଶୁଭଲଗ୍ନ ଖଟିଲା ।୮।

 

କରେ ଧରି ପୁତ୍ର ଧୀରେ, ଗମନ କରନ୍ତେ ଖରେ,

ଉଗ୍ରସେନ ଆସି ଓଗାଳିଲା ଆଗରେ ।

କରେ ଶଙ୍ଖଚକ୍ର ଧରି, ଦରଶନ ଦେଇ ହରି,

ପ୍ରବେଶ ହୋଇଲେ ଗୋପେ ନନ୍ଦ ମନ୍ଦରେ ।

କି କି ହୋଇ ଦଇବଯୋଗେ ।

କୁମାରୀ ହୋଇଲା ନନ୍ଦଙ୍କର ସେ ଲାଗେ ।୯।

 

କରି ତାହା ପ୍ରତିଦାନ ସତ୍ୱରେ କରି ଗମନ

ପ୍ରବେଶ ହୋଇଲେ ବସୁଦେବ ମନ୍ଦିରେ ।

କୁଆଁ କୁଆଁ ବାଣୀ ଶୁଣି ଉଠିଲେ ରକ୍ଷକଶ୍ରେଣୀ,

କହିଲେ କଂସକୁ ଯାଇ ନିଶି ଶେଷରେ ।

କଠୋର ହୃଦୟ ଦଇତ ।

କରିବାକୁ ନାଶ ତା ଅଇଲା ତ୍ୱରିତ ।୧୦।

 

କ୍ରୋଧଭରେ ବୋଲେ ବାଣୀ,

ଦିଅ ସେ ବାଳକ ଆଣି,

କାଳ ମୋର ଜନମିଛି ତୁମ୍ଭ କୋଳରେ ।

କହିଛନ୍ତି ଦେବଗଣ, ଅବଶ୍ୟ ତୁମ୍ଭର ପ୍ରାଣ,

ନେବ ଏହାର ଅଷ୍ଟମ ଗର୍ଭ ବଳରେ ।

କରଇ ମୁଁ ତାହାକୁ ନାଶ ।

କଲେ ହେଳା ଶତ୍ରୁନାଶ ନ ପାଇ ଯଶ।୧୧।

 

କରଯୋଡ଼ି ବସୁଦେବ ବୋଲଇ ଶୁଣ ହେ ଦେବ,

କୁମର ନୁହଇ ସେ ହୋଇଛି କୁମାରୀ ।

କରୁଣା ହୃଦୟ ହୁଅ, ମୋତେ ସେ ଦୁହିତା ଦିଅ ବିଚାରିଲେ ତୁମ୍ଭର ଏ ନୋହେ ବଇରୀ ।

କଲେହେଁ ଅନେକ ଯତନ । କଳା ଧଳା କରିବାକୁ କେବଳ ଭାଜନ ।୧୨।

 

କର୍ପୂର ଚନ୍ଦନ ଦେଇ ଲଶୁନ ରୋପିଲେ ନେଇ

କେତେବେଳେ ନ ଛାଡ଼େ କୁତ୍ସିତ ବାସନା ।

କୁଟିଳ, ଦୁଷ୍ଟ, ନାସ୍ତିକ , ମହାପାପୀ,

ଅବିବେକ ଲୋକଙ୍କ ସ୍ୱାଭାବ ସେହି ପ୍ରକାର ସିନା ।

କୋକିଳ ବଚନ ମଧୁର । କରଇ ବିଯୋଗୀଜନ ମନ ବିଧୁର ।୧୩।

 

କଲା ମନରେ ବିଚାର ବିଷ୍ଣୁ ମାୟା ଆଗୋଚର,

କାମିନୀ ରୂପେ ମାରିଛି ବଇଲୋଚନ ।

କରିଛି ଶିବଙ୍କୁ ଯାହା, କର୍ଣ୍ଣେ ଶୁଣି ଅଛି ତାହା,

କେମନ୍ତେ ମୁଁ ଏହାକୁ କରିବି ମୋଚନ ।

କତ୍ୟାୟିନୀ ଯୁବତୀ ହୋଇ ।

କଉଣପ କୁଳକୁ ସେ କି କରି ନାହିଁ । ୧୪।

 

କରେ ଧରି କୁମାରୀକି କଚାଡ଼ନ୍ତେ ଶିଳେ ଟେକି,

ଆକାଶମଣ୍ଡଳେ ଦେବୀ ଯାଇ ରହିଲେ ।

କାରଣ ନଥାଇ ମୋତେ, କୋପ ଯେ କଲୁ ତୁ ଚିତ୍ତେ,

କାଳେ କାଳକୁ ଦେଖିବୁ ଏତେ ବୋଇଲେ ।

କହିଦେଲେ ଅନ୍ତହରିତ ।

କୁରାଳଚକ୍ର ପ୍ରାୟେକ ଭ୍ରମିଲା ଚିତ୍ତ ।୧୫।

 

କଲା ଶୁଣି ସୁବିଚାର, କେଶୀ, ଅଘା,ବକାସୁର,

ଶକଟା, ତୃଣାବତ୍ତକ, ପୂତନା ଡ଼ାକି ।

କରିବ ତୁମ୍ଭେ ଏତେକ, କଅଁଳା ପୁଅ ଯେତେକ,

ମାରିବାକୁ ଯେ ଯାହାରେ ରହିବ ଟାକି ।

କଂସ ଆଜ୍ଞା ପାଇଣ ଦୂତେ ।

କଲେ ବାଳକ ନାଶନ ଉପାୟ ଚିତ୍ତେ ।୧୬।

 

କମଳ ନୟନ ହରି, ଗୋପପୁରେ ବିଜେ କରି,

କଲେ ନାନା ଉତ୍ସବ ଆନନ୍ଦ ଭିଆଣ ।

କେତେଠାରେ କେତେ ଗୀତ, କେତେରୂପେ ହୋଏ ନଅତ୍ୟ,

କହିବାକୁ ବଚନେ କେ ଅବା ସିଆଣ ।

କଲେ ସୁତଗୃହ ବିଧାନ ।

କେ କହିବ ନନ୍ଦ ଦେଲେ ଯେତେକ ଦାନ ।୧୭।

 

କନକଦୀପ ଆବଳୀ, ବେନିପାରୁଶରେ ଜାଳି,

ଗୁରୁ ଚନ୍ଦ୍ରାତପମାନ ନେଇ ମଣ୍ଡିଲେ ।

କର୍ପୂର ଚନ୍ଦନ ଛରା, ପକାଇ ସେ ପୁର ତୋରା,

କରାଇ ଅଳକାପୁର ପରା ମଣ୍ଡିଲେ ।

କନ୍ୟାସ୍ତମ୍ଭେ ଖଯାଇ ଦୋଳୀ ।

କୁମରକୁ ଶୁଆଇ ଦେଲେ ହୁଳହୁଳି ।୧୮।

 

କାମପାଳ ଆଗହୋଇ, ଜନମି ଯେ ଥିଲେ ତହିଁ,

କ୍ରମେ ବେନି ଭାଇଯାଇ ହୋଇଲେ ସଙ୍ଗ ।

କାଳନ୍ଦୀ ସୁର ସରିତ, ହୋଇଲା ପ୍ରାୟ ଏକତ୍ୱ,

କମନୀୟ ଦିଶେ କଳା ଧଳା ଶ୍ରୀଅଙ୍ଗ ।

କରିବାକୁ କଳୁଷ ନାଶ ।

କଲା ବିହି ମଣେ ବେନି ତୀର୍ଥ ପ୍ରକାଶ ।୧୯।

 

କରଇ ପବିତ୍ର ସ୍ଥାନ, ତୀର୍ଥଜଳେ କଲେ ସ୍ନାନ,

ଏ ତୀର୍ଥ ନାମରେ ନାନା ଦୂରିତ ନାଶ ।

କଇବଲ୍ୟ ଲଭି ହେଳେ, ନ ପଡ଼ି ଜଠରଜଳେ,

ବଇକୁଣ୍ଠେ ବସି କଇକୁଣ୍ଠ ସଦୃଶ ।

କରି ଏହି କଥା କୀତ୍ତନ ।

କରୁଥାଇ ଦୀନକୃଷ୍ଣ ଦିନ କତ୍ତନ ।୨୦।

 

ତୃତୀୟ ଛାନ୍ଦ - କୃଷ୍ଣ ରୂପ ମାଧୁରୀ

ରାଗ କେଦାର - ଚକ୍ରକେଳି

 

କର୍ଣ୍ଣେ ନନ୍ଦସୁତ ହେବା ଶୁଣିଲେ ।

କଳାକାରମୁଖୀ ଗୋପୀ ଧାଇଁଲେ ।୧।

 

କୋଟିନିଧି ପାଇଲା ପ୍ରାୟ ହୋଇ ।

କେଉଁ ଗୋପୀ ଆନନ୍ଦରେ ଗମଇ ।୨।

 

କରୁଥିଲା ଯେ ଗୃହକର୍ମମାନ ।

କଲା ଶ୍ରବଣ ମାତ୍ରକରେ ଆନ ।୩।

 

କଲା ଭୂଷଣ କେହୁ ବିପରୀତ ।

କରାଇଲା ବିଭ୍ରମ ସ୍ନେହ ଚିତ୍ତ ।୪।

 

କରୁଥିଲା କେ କୁନ୍ତଳ ମାଜନ ।

କରାଇଲା ଉଚ୍ଚାଟ ତା ବର୍ଜନ ।୫।

 

କେଶରଞ୍ଜନୀ କରେ ଧରି କରି ।

କରୀବର ଗତି ଦେଲା ବିସ୍ତାରି ।୬।

 

କାନ୍ତକୋଳ ବିଷ ହେଲା କାହାକୁ ।

କରିବାରୁ ଆଶ୍ରୟ ଉତ୍ସାହକୁ ।୭।

 

କରୁଥିଲେ କେ କାନ୍ତ ସଙ୍ଗେ ଲୀଳା ।

କଳା ମାତ୍ରକେ ତାହା କଲା ହେଳା ।୮।

 

କେତେରୂପେ ଧାଇଁଲେ ଗୋପବାଳୀ ।

କେ କହିବ ଅବା ତା ମନେ ଭାଳି ।୯।

 

କାଦମ୍ୱିନୀ କୋଳେ ଯେହ୍ନେ ବିଜୁଳି ।

କରେ ଝଟକ ସବୁ ଦିଗେ ମିଳି ।୧୦।

 

କଳଧଉତ ଲତା ବାତେ ଯେହ୍ନେ ।

କାମିନୀଙ୍କ ଗଗନ ଅଙ୍ଗ ତେହ୍ନେ ।୧୧।

 

କାହା କବରୀରୁ ଫୁଲ ଖସଇ ।

କବି ମନେ ଏମନ୍ତ ଆଭାସଇ ।୧୨।

 

କଳାକାର କି ରାହୁ କବଳରୁ ।

କ୍ରମେ ଗଳି ପଡ଼ୁଅଛି ଗଳାରୁ ।୧୩।

 

କଳାମେଘୁଁ ଚନ୍ଦ୍ର ହୋୟେ ବାହାର ।

କରେ ଚରମରେ କିବା ବିହାର ।୧୪।

 

କାହା ନିତମ୍ବ ବିମ୍ବ ଅତି ଗରୁ ।

କଟି ସରୁ କେଶରୀ ମଧ୍ୟଠାରୁ ।୧୫।

 

କଳହଂସ ପ୍ରାୟେ କରେ ଗମନ ।

କରେ ହଂସକ ହରଷରେ ସ୍ୱନ ।୧୬।

 

କବି ମନକୁ ଏମନ୍ତ ଆସଇ ।

କି ସେ ନେଉଛି ପହଣ୍ଡ ମଣାଇ ।୧୭।

 

କେହୁ କରନ୍ତେ ସତ୍ୱରେ ଗଗନ ।

କୁଚିକୁମ୍ଭ ହୁଅଇ କମ୍ପମାନ ।୧୮।

 

କୃଷ୍ଣ ଜନମ ଜାଣି ଆନନ୍ଦରେ ।

କୃତ୍ତବାସ ନାଚେ ଶମ୍ଭୁ ରୂପରେ ।୧୯।

 

କାବ୍ୟ କଟିରେ ଡାକି କାଞ୍ଚମାଳା ।

କହୁଅଛି ଧୀରେ ଆରେ ଅବଳା ।୨୧।

 

କାମମଦ ମତ୍ତେ ତୁ ହୋଇ ଭୋଳା ।

କରୁ ମଧ୍ୟମଠାରେ ଏଡ଼େ ହେଳା ।୨୨।

 

କି ତୁ ଜାଣି ନାହୁଁ ଏ ଯେଡ଼େ ସରୁ ।

କୁଚ ଯୁଗଳ ତୋର ଯେଡ଼େ ଗୁରୁ ।୨୩।

 

କରୁଅଛୁ ଯାହା ଦ୍ରୁତଗମନ ।

କାଳେ ଏହାକୁ ହୋଉଛୁ ଶମନ ।୨୪।

 

କି ତୋ ସାହସ ଜାୟାଜୀବ ପ୍ରାୟେ ।

କିବା ଏହାଠାରେ ଏଡ଼େ ନିର୍ଦ୍ଦୟେ ।୨୫।

 

କି କି ହୋଇ ଏ ଯେବେ ଯିବ ଭାଙ୍ଗି ।

କାଳେ ତୁହି ମରିବୁ ଏହା ଲାଗି ।୨୬।

 

କାଞ୍ଚମାଳା ମଧ୍ୟରେ ଡାକିବାର ।

କଲା କବି ମନକୁ ଅଧ୍ୟାହାର ।୨୭।

 

କେତେ ରୂପେ ଧାଇଁଲେ କେତେ ନାରୀ ।

କହିବାକୁ ତା ବଚନ ନ ପାରି ।୨୮।

 

କାନ୍ତା କଦମ୍ବ ହୋଇ ଏକମେଳ ।

କଲେ ଦର୍ଶନ ଯାଇଁ ନନ୍ଦବାଳ ।୨୯।

 

କଳାମେଘ ପାଶରେ ଚନ୍ଦ୍ର ପ୍ରାୟେ ।

କୁମାରଙ୍କ ଶ୍ରୀଅଙ୍ଗେ ଶୋପାଭାଏ ।୩୦।

 

କଉଁ ଗୋପୀ ଅନାଇ ସୁଚକିତ ।

କେହୁ ହୋଇଲା ଚିତ୍ରନାରୀ ମତ ।୩୧।

 

କାହା ଅଙ୍ଗ ହୋଇଲା ପୁଲକିତ ।

କଲା ଆନନ୍ଦେ ଅଶ୍ରୁଜଳ ଜାତ ।୩୨।

 

କେ ବୋଲଇ ଯଶୋଦା ଭାଗ୍ୟବନ୍ତ ।

କୋଳେ ଧଇଲା ପ୍ରତ୍ୟକ୍ଷେ ଅନନ୍ତ ।୩୩।

 

କେ ବୋଲଇ ନନ୍ଦ କି ତପ କଲା ।

କେତେ ପ୍ରକାରେ କେତେ ଦାନ ଦେଲା ।୩୪।

 

କେ ବୋଲଇ କଳ୍ପତରୁ ଅଙ୍କୁର

କେ ବୋଲଇ କନ୍ଦର୍ପ ଅବତାର ।୩୫।

 

କରିଥିଲେ ଯେ କପର୍ଦୀ ଅନଙ୍ଗ ।

କ୍ରମେ ଧଇଲା ଏତେକାଳେ ଅଙ୍ଗ ।୩୬।

 

କେ ବୋଲଇ ଚାହଁ ସଖି ନିଶ୍ଚଳେ ।

କେତେ ଲକ୍ଷଣ ଅଛି ପାଦତଳେ ।୩୭।

 

କମ୍ବୁ ଚକ୍ର ମୀନ ପଦ୍ମ କୁଳିଶ ।

କଲଶାଦି କାର୍ମୁକ ଅଷ୍ଟାଦଶ ।୩୮।

 

କେହୁ ବୋଲଇ କିଶୋର ହୋଇଲେ ।

କେଉଁ ସ୍ତିରୀ ନ ମୋହିବ ଚାହିଁଲେ ।୩୯।

 

କୁଳ ଯୁବତୀଙ୍କ କୁଳ ବୁଡ଼ିବ ।

କ୍ରମେ ପବିତ୍ରତା ବ୍ରତ ଛାଡ଼ିବ ।୪୦।

 

କେ ବୋଲଇ କବି ବାଟ ପଡ଼ିଲା ।

କ୍ରମେ ବିଧାତା ତାହାଙ୍କୁ ଛାଡ଼ିଲା ।୪୧।

 

କରୁଥିଲେ ଯହିଁକି ଯାହା ଲକ୍ଷ୍ୟ ।

କାଳେ ସବୁ ସେ ଆସି ହେଲା ମିଛ ।୪୨।

 

କରୁଥିବାର ଜଳରେ ତପସ୍ୟା ।

କେତେ ଥିବ ପଦ୍ମର ପ୍ରତିଆଶା ।୪୩।

 

କଳାନିଧି ମହେଶଙ୍କୁ ସେବିଛି ।

କିଛି ହୋଇବ ଅବା ସେହୁ ଲକ୍ଷି ।୪୪।

 

କଣ୍ଠୀରବ ଭଜିଅଛି ଶିବାଙ୍କୁ ।

କର୍ମେ ଥିଲେ ପାଇବ ଉପମାକୁ ।୪୫ ।

 

କଳା କମଳ କଜ୍ଜ୍ୱଳ ତମାଳ ।

କଳାମେଘେ ମଘବା ମଣିମାଳ ।୪୬।

 

କଳିନ୍ଦକନ୍ୟା କମଳ ଅତସୀ ।

କୁହୁନିଶୀ ନିବିଡ଼ ତମରାଶି ।୪୭।

 

କଳା ମଧ୍ୟେ ଏ ହୋଇଥିଲେ ଗୁରୁ ।

କୁମାର ରୂପ ଦେଖି ନବାରୁ ।୪୮।

 

କୁନ୍ଦ କୁମୁଦ କର୍ପୂର ଗୋକ୍ଷୀର ।

କମ୍ଭୁ ଶମ୍ଭୁ ପର୍ବତ ଗଙ୍ଗାନୀର ।୪୯।

 

କଳ ଧଉତ ସ୍ଫଟିକ ତୁଷାର ।

କାଶ ସାଗର ଫେନ ଶଶଧର ।୫୦।

 

କିଏ ଏ ପୁତ୍ରରୂପ ବିଲୋକନ ।

କହୁଁ କହୁଁ ଏ ଦିଶିଲେ ନିଊନ ।୫୧।

 

କହି ଏହାଙ୍କୁ ଏମନ୍ତ କାନ୍ତିକି ।

କଲେ ଲକ୍ଷ୍ୟ ବୋଲିବା ଅବିବେକୀ ।୫୨।

 

କାଚ କାଞ୍ଚନେ ତୁଳିବା ପରାଏ ।

କବି ବାଣୀ ନିକିତିରେ ସେ ହୋଏ ।୫୩।

 

କାଇଁଞ୍ଚକୁ ସେ ସୁନା ସଙ୍ଗେ ତୁଳି ।

କ୍ରମେ ମୂଲ ବେଳକୁ ପଡ଼େ ବଳି ।୫୪।

 

କବି ବଚନେ କରେ ତାରତମ ।

କୁବେରକୁ ବୋଲନ୍ତି କୋଟିକାମ ।୫୫।

 

କଉଁଠାରେ କନ୍ଦର୍ପ ହୋଏ ନିନ୍ଦା ।

କେତେ କହିବି ତାଙ୍କ ମିଛଫନ୍ଦା ।୫୬।

 

କହୁଁ କହୁଁ କୁମାର ଯେ ରୋଦନ୍ତି ।

କଳକଣ୍ଠ-କଣ୍ଠ ହେଳେ ନିନ୍ଦନ୍ତି ।୫୭।

 

କରଚରଣ ଚାଲିବାର ଭାବ ।

କାମିନୀଙ୍କି ସେ କୋଟି କୋଟି ହାବ ।୫୮।

 

କହି ଶେଷ କେ କରିବ ସେ ସୁଖ ।

କବି ହୋଇଲେ ଦଶଶତ ମୁଖ ।୫୯।

 

କହି ଯାହାର ମହିମା ଅନନ୍ତ ।

କରି ନାହାନ୍ତି ଆଜି ଯାଏ ଅନ୍ତ ।୬୦।

 

କୁମାରଙ୍କ ଶୋଭାକୁ ମନେ ଘେନି ।

କଷ୍ଟେ ଗମିଲେ ବରଜ – କାମିନୀ ।୬୧।

 

କମନୀୟ କୃଷ୍ଣ କଥା ପ୍ରସଙ୍ଗ ।

କାଳ ସର୍ପକୁ ସେ କଥା ପ୍ରସଙ୍ଗ ।୬୨।

 

କାଳ କାନ୍ତାରକୁ ଯେ ସୁନାଶର ।

କରେ ଯାହାକୁ ଚିନ୍ତା ସୁନାସୀର ।୬୩।

 

କଲେ ଜାତ ଯେ ସର୍ବତୋମୁଖକୁ ।

କଲେ ଭ୍ରମ ଯେ ସର୍ବତୋମୁଖକୁ ।୬୪।

 

କଷ୍ଟ ସରିତକୁ ଯେ ପାଥ ରଥ ।

କାଳେ ଯେ ବାହୁଥିଲେ ପାର୍ଥ ରଥ ।୬୫।

 

କୁମ୍ଭୀର ଯେ ମାରିବାକୁ ବାରଣ ।

କଷ୍ଟ କଲେ ଯେ କୃପାରେ ବାରଣ ।୬୬।

 

କଲେ କୀତ୍ତନ ଯା ନାମ ସଙ୍ଘାତ ।

କାଳେ ପାପୀ ନ ଦେଖନ୍ତି ସଂଘାତ ।୬୭।

 

କରୁଣାରେ ଯେ ବରୁଣ ଶରଣ ।

କରେ ଅଶରଣ ଜନ ଶରଣ  ।୬୮।

 

କାମୀ ଲୋକର ଯେ ପାରିଜାତକ ।

କଲେ ହରଣ ଯେ ପାରିଜାତକ ।୬୯।

 

କରି ଫଣିମଣିବର ଶୟନ ।

କରିଅଛନ୍ତି ସୁଖେ ଯେ ଶୟନ ।୭୦।

 

କରେ ଶୋଭିତ ଯାହାର ଶଙ୍ଖାରି ।

କୃଷ୍ଣ କଷ୍ଟ ହରିବେ ସେ ଶଙ୍ଖାରି ।୭୧।

 

ଚତୁର୍ଥ ଛାନ୍ଦ - ପୂତନା ବଧ

ରାଗ - ଆହାରୀ

 

କର୍ଣ୍ଣ ଦେଇ ଶୁଣ ଆହେ ସାଧୁଜନେ ।

କୁମାରଙ୍କ ଜନମିଲା କେତେଦିନେ ।୧।

 

କୁଚକୁମ୍ଭେ ଦେଇ କାଳକୂଟ ବିଷ ।

କ୍ରୂରକର୍ମିଣୀ ପୂତନା ପରବେଶ ।୨।

 

କଳା କୁଟିଳ କୁନ୍ତଳ ଖୋସା ଖୋସି ।

କମନୀୟ ଫୁଲମାନେ ଅଛି ମିଶି ।୩।

 

କପାଳରେ ସିନ୍ଦୂର ମଣ୍ଡଳ ଚିତା ।

କଟାକ୍ଷରେ ମୋହୁଅଛି ଉର୍ଦ୍ଧ୍ୱରେତା ।୪।

 

କର୍ଣ୍ଣେ ତାଟଙ୍କ ଭ୍ରମରୀଫୁଲ ଶୋହେ ।

କଣ୍ଠେ କଣ୍ଠ- ଆଭରଣମାନ ବହେ ।୫।

 

କରି ତାମ୍ବୁଳ ବୋଳରେ ଓଷ୍ଠ ରଙ୍ଗ ।

କରୁଅଛି ପୁରୁଷଙ୍କ ଧୈର୍ଯ୍ୟ ଭଙ୍ଗ ।୬।

 

କରି ନାସା – ଆଭରଣ ନାସାପୁଟେ ।

କଜ୍ଜ୍ୱଳ ପରିପୂରିତ ନେତ୍ର ତଟେ ।୭।

 

କଣ୍ଠସରିଯାଏ ଯାଇଅଛି ଲାଞ୍ଜୀ ।

କାମୀ ଦେଖିଲେ କାମରେ ହୋଏ ଗଞ୍ଜୀ ।୮।

 

କରେ ତାଡ଼ ଚଡ଼ୀ କଡ଼ିଆଳୀ ରାଜେ ।

କ୍ୱଣକିତ ପାହୁଡ଼ ଚରଣେ ବାଜେ ।୯।

 

କରତଟେ ଡେଉଁରିଆମାଳି ବାନ୍ଧି ।

କଳାମେଘୀ ଶାଢୀ ଏକ ଅଛି ପିନ୍ଧି ।୧୦।

 

କରୀବର ଗତିପ୍ରାୟ ଗତି ଭଙ୍ଗୀ ।

କି ସେ ମନମଥ ମହାନଦୀ ଡଙ୍ଗୀ ।୧୧।

 

କେତେବେଳେ କଣିଆଇଁ ଚାହେଁ ଢଳି ।

କାଖେ ଅଛି ଭିନ୍ନେ ବିଷଲଡୁ ଥାଳି ।୧୨।

 

କେହୁ କାହାକୁ ପଚାରଇ ଡ଼ାକିକରି ।

କାହାର ଏ ଅପୂରୁବ ଯୁବା ନାରୀ ।୧୩।

 

କେ ବୋଲଇ ହୋଇବ ଏ ଅପସରା ।

କଉଁ ଯୁବତୀ ନୋହିଲେ ଏଡ଼େ ତୋରା ।୧୪।

 

କେ ବୋଲଇ ଧନ୍ୟ ଏକା ରୂପରାଶି ।

କଉଁ ବିହି ଏହା ଗଢୁଥିଲା ବସି ।୧୫।

 

କି ଏ ସ୍ତବନ ମୋହନ ବଶମନ୍ତ୍ର ।

କଇତବରେ ହୋଇଛି ମୂତ୍ତବନ୍ତ ।୧୬।

 

କହୁଁ କହୁଁ ନନ୍ଦପୁରେ ପରବେଶ ।

କୁମାରକୁ ଦେଖି ହୋଏ ହସ ହସ ।୧୭।

 

କାଖୁଁ ବିଷଲଡ଼ୁ ଥାଳି ଥୋଇ ତଳେ ।

କଥା ହୋଏ ନନ୍ଦ ଯୁବତୀଙ୍କ ମେଳେ ।୧୮।

 

କର୍ଣ୍ଣେ ଶୁରିଲା ଦିନୁ ପୁଅଙ୍କ ଜନ୍ମ ।

କରୁଥାଇ ଆସିବାକୁ ନିତି ମନ ।୧୯।

 

କଲା ଏତେଦିନେ ଯୋଗ ଆସିବାକୁ ।

କୁମାରକୁ ଦେଖି ଫୁଲୁଅଛି ବୁକୁ ।୨୦।

 

କରାଇବି ଏହାଙ୍କୁ ମୁଁ କ୍ଷୀରପାନ ।

କଲେ ସନ୍ତୋଷରେ ତୁମ୍ଭେ ଅବଧାନ ।୨୧।

 

କଉତୁକ କଥା ଶୁଣି ନନ୍ଦରାଣୀ ।

କୋଳେ ଦେଲା ନବଘନରୂପ ଆଣି ।୨୨।

 

କରିଥାଇଁ ପୂର୍ବରେ ଯେ ଯେଉଁ କର୍ମ ।

କାଳେ ତାକୁ ତା ଭୋଗ କରଇ ଧର୍ମ ।୨୩।

 

କରାଇ ଯେ ଥିଲେ ଶିବେ ବିଷପାନ ।

କେତେବେଳେ ସେ କଥା ନୋହିଲା ଆନ ।୨୪।

 

କଉଁ କଥା ଅବା ତାଙ୍କୁ ଅପ୍ରତ୍ୟକ୍ଷ ।

କଲେ ଜାଣୁ ଜାଣୁ ବିଷସ୍ତନ ଭକ୍ଷ ।୨୫।

 

କଳା ବଦନେ ଦିଅନ୍ତେ ପୟ ନେଇ ।

କକଳ ମାତ୍ରକେ ପ୍ରାଣ ଦେଲେ ପିଇ ।୨୬।

 

କହୁଁ କହୁଁ ନିଜରୂପ ପ୍ରକାଶିଲା ।

କାୟା ବିସ୍ତାର କରି ଅସୁରୀ ମଲା ।୨୭।

 

କୃତାର୍ଥ ହୋଇ ବିଷ୍ଣୁ ଲୋକକୁ ଗଲା ।

କାଳଦଣ୍ଡ ଘାତରେ ସେ ନ ପଡ଼ିଲା ।୨୮।

 

କୃପାନିଧି ଯାହାଠାରେ କୃପା କରେ ।

କୁମ୍ଭକାର ପୀଟପ୍ରାୟେ ମାରି ତାରେ ।୨୯।

 

କଣ୍ଠାଗ୍ରତ ପ୍ରାଣ ହେଲେ ବଡ଼ ଲୋକ ।

କେତେବେଳେ ନ ଛାଡ଼ଇ ନିଜ ଟେକ ।୩୦।

 

କାଟିବାକୁ ବୃକ୍ଷ ଯଉଁ ଲୋକଯାଏ ।

କି କି କରି ସେ ତାହାର ଛାଇ ପାଏ ।୩୧।

 

କଲା ଅତି ଅପକାର ଦଇତୁଣୀ ।

କଲେ ଉପକାର ତାକୁ ଯଦୁମଣି ।୩୨।

 

କୁଚ ଉପରେ ସୁନ୍ଦର ଶିରୀରଙ୍ଗ ।

କଳାମେଘ ଖଣ୍ଡି ଯେହ୍ନେ ମେରୁ ଶୃଙ୍ଗ ।୩୩।

 

କରେ ଧରି ଯଶୋବନ୍ତୀ ଘେନିଗଲେ ।

କୋଟି କୋଟି ଦାନ ପୁଣ୍ୟମାନ କଲେ ।୩୪।

 

କରମ୍ୱିତ ହୋଇକରି  ଗୋପେମିଳି ।

କଉତୁକେ ଅସୁରୀକି ଦେଲେ ଜାଳି ।୩୫।

 

କିଛିଦିନେ ଶକଟକା ନାଶକରେ ।

କଣ୍ଠଚିପି ତୃଣାବତ୍ତ ପ୍ରାଣ ନେଲେ ।୩୬।

 

କେତେ ପ୍ରକାରେ ଅଇଲେ ଦ୍ୱଜବର ।

କେତେରୂପେ ନୃତ୍ୟ କଲେ ନୃତ୍ୟକାର ।୩୭।

 

କେତେଦିନ ଅନ୍ତେ ଗର୍ଗଋଷି ଆସି ।

କୃଷ୍ଣ ରାମ ନାମ ଦେଇହେଲେ ତୋଷି ।୩୮।

 

କବି କୃତାର୍ଥ ହୋଇଲା ଏତେବେଳେ ।

କୃଷ୍ଣ ଶବଦ ରହିଲା କର୍ଣ୍ଣବିଳେ ।୩୯।

 

କେତେ କୟେବାର କଲେ ବନ୍ଦୀଗଣ ।

କେତେ ଦେଲେ ନନ୍ଦ ଦାନ ଆଭରଣ ।୪୦।

 

କହିବାକୁ ସେ ଅତି ହିଁ ଅଗୋଚର ।

କେତେ ଉତ୍ସବ ହୋଇଲା ଗୋପପୁର ।୪୧।

 

କୃଷ୍ଣ ନାମକରଣରେ ହୋଇ ତୋଷ ।

କାହୁଁ କାତ୍ୟାୟନୀ ହୋଏ ପରବେଶ ।୪୨।

 

କେଶ ଗଙ୍ଗା ଯମୁନା ଚାମର ପ୍ରାଏ ।

କୁଚ ଲମ୍ବି ପଡ଼ିଅଛି ନାଭିଯାଏ ।୪୩।

 

କଙ୍କତିକା ପ୍ରାୟେ ଦିଶେ ଦନ୍ତପନ୍ତି ।

କୁହୁତିଥି ନିଶି ସମ ରୂପକାନ୍ତି ।୪୪।

 

କରେ ଧରିଛି ସପତ ଫୁଲଲଙ୍କା ।

କାହାକୁହିଁ ନାହିଁ ମନେ କରି ଶଙ୍କା ।୪୫।

 

କରେ ଥରେ ଥରେ ଅଙ୍ଗଭଙ୍ଗିଛଟା ।

କୋଣିଆଇ ଚାହିଁ ବାରେ ଆଖିଲଟା ।୪୬।

 

କେତେବେଳେ ବୋଲେ କୁଚ ତୋଳିଧରି ।

କଳେ ଖାଅରେ କୁମରେ ଆସି କରି । ୪୭।

 

କେ ବୋଲଇ ପୂତନା ବହିଣୀକି ।

କରୁଅଛି ତ ଶରଧା କହୁଣିକି ।୪୮।

 

କିଛି ବିଚାର ତହିଁ କି ନାହିଁ ତା’ର ।

କୃଷ୍ଣ ଉତ୍ସବେ ହୋଇଛି ତତପର ।୪୯।

 

କଲା ଅନେକ ପ୍ରକାରେ ଗୀତ ନାଟ ।

କୁତୁକେ ନନ୍ଦ ତାକୁ ଦେଲେ ପାଟ ।୫୦।

 

କୃଷ୍ଣ ନାମ ସବୁଆଡ଼େ ବାଜିଗଲା ।

କେତେ ଭକ୍ତିରେ କେ କେତେ ପୂଜାକଲା ।୫୧।

 

କଳା ପୂର୍ଣ୍ଣ ହେଲେ ଯେହ୍ନେ କଳାକାର ।

କର ବିସ୍ତାରି ନାଶଇ ଅନ୍ଧକାର ।୫୨।

 

କାର ଅଙ୍ଗରୁ ଆଜନ୍ମ ପାତକାହିଁ ।

କହି ନଯାଏ ରହିଲେ କାହିଁ କାହିଁ ।୫୩।

 

କାହିଁ ପାଇଁ ଚିନ୍ତୁ ନାହିଁ ହୃଷୀକେଶ ।

କେଶ ଧଇଲେ କାଳକି ଅବକାଶ ।୫୪।

 

କାଶ କୁସୁମ ପରାୟେ ମନ କର ।

କର ଭାବନା ବାଳମୁକୁନ୍ଦଙ୍କର ।୫୫।

 

କର ଅରବିନ୍ଦେ ଧରି ପାଦ କଞ୍ଜ ।

କଞ୍ଜନେତ୍ର ମଣ୍ଡିଛନ୍ତି ମୁଖକଞ୍ଜ ।୫୬।

 

କଞ୍ଜ ଶିବ ଆଦି ଭଜେ ଯେଉଁ କୃଷ୍ଣ ।

କୃଷ୍ଣ ଚିନ୍ତି ସେ କୃଷ୍ଣଙ୍କୁ ମହାତୃଷ୍ଣ ।୫୭।

 

ପଞ୍ଚମ ଛାନ୍ଦ - ଶ୍ରୀକୃଷ୍ଣଙ୍କ ବଲ୍ୟଲୀଳା

ରାଗ - ଗୁଜ୍ଜରୀ ପଡ଼ିତାଳ

 

କୃଷ୍ଣ ବାଳକ ଲୀଳା ଏକମନେ ।

କର୍ଣ୍ଣ ନିବେଶି ଶୁଣ ସାଧୁଜନେ ।।

କଳି କଳୁଷ ମାନ କ୍ଷୟ ଯାଉ ।

କାଳ ଦଣ୍ଡିବାକୁ ଭୟ ନ ଥାଉ ।।

କୃତାର୍ଥ, କର ମାନବ ଜନ୍ମ ।

କଣ୍ଠରେ ନିରନ୍ତର ଧରି ନାମ ।୧।

 

କଳାକର କଳା ବଢିଲା ପ୍ରାୟେ ।

କ୍ରମେ ବଢିଲେ ଯଶୋଦାଙ୍କ ପୋଏ ।।

କର ଜାନୁରେ କରନ୍ତେ ଗମନ ।

କଟିତଟେ କରେ କିଙ୍କିଣୀ ସ୍ୱନ ।।

କୁଟିଳ, ନୀଳ କୁନ୍ତଳ ଲୁଳେ ।

କମଳେ ଯେମନ୍ତେ ଭ୍ରମରମାନେ ।୨।

 

କମ୍ୱୁ କଣ୍ଠେ କଣ୍ଠ ଭୂଷଣ ଶୋହେ ।

କରେ କଙ୍କଣ ଜଗଜ୍ଜନ ମୋହେ ।।

କଜ୍ଜ୍ୱଳେ ପୂରିତ ପଦ୍ମ ଲୋଚନ ।

କୋତଳକୁ ବଳି କଳ ବଚନ। ।।

କୁଙ୍କୁମେ, ଶୋଭା କଲା ଶ୍ରୀଅଙ୍ଗ ।

କରେ ଉପହାସ କୋଟି ଅନଙ୍ଗ ।୩।

 

କେତେବେଳେ ନନ୍ଦ ପ୍ରାଙ୍ଗଣେ ବୁଲି ।

କରୀକଲଭ ପ୍ରାୟେ ହୋଇ ଝୁଲି ।।

କେତେବେଳେ ଧୂଳି ହୁଅନ୍ତି ବୋଳି ।

କରେ ଧରି ମାଏ ହୋଅନ୍ତି ଚଳି ।।

କାନ୍ଦନ୍ତି, ବାଣୀ କର୍କଶ ପାଇଁ ।

କପଟେ ଯଶୋଦା ଶାନ୍ତି କରାଇ ।୪।

 

କେତେବେଳେ ପଙ୍କେ ପଡ଼ନ୍ତି ଯାଇ ।

କର ହୃଦେ ମାରି ଯଶୋଦା ଧାଇଁ ।।।

କରକର ହୋଇ ଗୋପୀ ହସନ୍ତି ।

କରେ ତୋଳି ଯଶୋଦାଙ୍କୁ ଦିଅନ୍ତି ।।

କରାନ୍ତି ; କ୍ଷୀରପାନ ଜନନୀ ।

କଉତୁକରେ କେ ଯାଆନ୍ତି ଘେନି ।୫।

 

କରନ୍ତି ଗେଲ ନାନା ସୁଖ ପାଇ ।

କେ ବୋଲଇ ମୋହର ବାପ ଭାଇ ।।

କଞ୍ଜଲୋଚନୀୟା କଳା କହ୍ନାଇ ।

କଳା ମୁଖକୁ ଲୁଛି ଯାଉଥାଇଁ ।।

କାହିଁକି, କାନ୍ଦୁଥାଅ ମୋ ଧନ ।

କେ ଏତେ ତୁମ୍ଭଙ୍କୁ କରାଇ ମାନ ।୬।

 

କେ ବୋଲେ ନବଘନ ଶାମଳିୟା ।

କୁଟିଳ – ନୀଳ ଚୁର୍ଣ୍ଣ କୁନ୍ତଳିଆ ।।

କଣ୍ଠର ଅମୂଲ୍ୟ ମର୍କତ ମାଳୀ ।

କୋଟି ଦୁଃଖହରା ସୁଖ ସଙ୍ଖାଳୀ ।।

କପଟୀ, ଧାଈ ପରାଣ ଖିଆ ।

କୂଟ ମନ୍ଦିର ମୋ ବାଘନଖିଆ ।୭।

 

କେ ବୋଲେ ମୋହର କୁସୁମ ଗଭା ।

କଜ୍ଜ୍ୱଳରେଖା ନୟନର ଶୋଭା ।।

କପାଳର ଚାରୁ କସ୍ତୁରୀ ଚିତା ।

କୁଳ ଉଦ୍ଧାରଣ ଯଶୋଦା ମାତା ।।

କାହିଁରେ, ନନ୍ଦ କଲେ କି ତପ ।

କଉଁ ଭାଗ୍ୟରୁ ପାଇଲେ ଏ ରୂପ ।୮।

 

କାହା କାଖରୁ କେଛଡ଼ାଇ ନେଇ ।

କୋଳେ ଧରି ମୁଖେ ଚୁମ୍ୱନ ଦେଇ ।।

କରେ ତୋଳି କୁଚ ଶିରେ ଲଗାଇ ।

କମଳ ଚରଣ ଶୀତଳ ପାଇ ।।

କରଇ, ନିନ୍ଦା ଚନ୍ଦ୍ର ଚନ୍ଦନ ।

କି ଗୁଣକୁ ଏହା କରି ବନ୍ଦନ। ।୯।

 

କରନ୍ତି ଏହିରୂପେ ଭାବ କେତେ ।

କହିବାକୁ ସେ ଅଗୋଚର ମୋତେ ।।

କହି ନୁହଇ ସମୁଦ୍ର ତରଙ୍ଗ ।

କମଳ ନେତ୍ର ବାଳ ଲୀଳା ରଙ୍ଗ ।।

କଲେ ସେ, ଦିନ କି ରୂପେ ଗୋଳ ।

କ୍ରୋଧେ ଯଶୋଦା ଖଟାଇଲେ ରୋଳ ।୧୦।

 

କମଳ କୁମାର-କୁମାର ଶାପେ ।

କୁବେର ପୋଏ ଥିଲେ ବୃକ୍ଷରୂପେ ।।

କେତେହେଁ, ଦିନେ ଚାଳିଲେ ହରି ।

କରି ଆନନ୍ଦ ଜାତ ଗୋପପୁରି ।୧୧।

 

କ୍ରମେ କରି ସଖାମାନଙ୍କୁ ସଙ୍ଗ ।

କଉତୁକେ ଦିନ ନେଲେ ଶ୍ରୀରଙ୍ଗ ।।

କଉଁ ପୁରେ ପଶି ଲବଣୀ ହରି ।

କାହିଁ ଦହି ଦୁଧ ଏକତ୍ୱ କରି ।।

କେ ଯାଇଁ, ଯଶୋଦାଙ୍କୁ କହନ୍ତି ।

କେ ଅବା ସ୍ନେହ ଭାବରୁ ସହନ୍ତି ।୧୨।

 

କଉଁଗୋପୀ ଶୋକେ ବେଲଇ କୋପେ ।

କେମନ୍ତେ ଆଉ ରହିବା ଏ ଗୋପେ ।।

କୃଷ୍ଣ ପ୍ରତାପ ତ ନୋହିଲା ସହି ।

କେ ଅବା ଶୁଣିବ କହିବା କାହିଁ ।।

କଂସକୁ, ଯେବେ ନୋହିଲା ଭୟ ।

କଉଁ ଲୋକ ତହିଁ ପାଇବ ଥୟ ।୧୩।

 

କାଳଯାକ ହେଲା ଗୋପରେ ଡକା ।

କଅଁଳା ପୁଅର ଚୋରୀ ଜୀବିକା ।।

କଉଁ ଛଟକେ ମନ୍ଦିରେ ପଶଇ ।

କି କରି ସର ଲବଣୀ ଭକ୍ଷଇ ।।

କାହିଁ ମୁଁ, ଦେଖି ନାହିଁ ଏ ପୁଅ ।

କ୍ରୋଧରେ ହସାଇ ଆରମ୍ଭି ଛୁଅ ।୧୪।

 

କନ୍ଦାଇ ହସାଇ ବିନା କାରଣେ ।

କି କି କରି ଚାହେଁ ନୟନ କୋଣେ ।।

କିଳ କିଞ୍ଚତ ଭାବକୁ ବଢାଇ ।

କହୁଁ କହୁଁ ମୋଟ୍ଟାୟିତକୁ ପାଇ ।।

କାଲି ତ, ଆମ୍ଭ ଆଗରେ ଜାତ ।

କାହୁଁ ଶିଖିଲା ଏ ଏତେ ଚରିତ ।୧୫।

 

କେ ବୋଲେ ଦିନେ ମୁଁ କହିଲି ଧୀରେ ।

କାହିଁକି ଗୋଲକର ଗୋପପୁରେ ।।

କିମ୍ପା ମୋ ପୁରକୁ ବିଜେ ନ କର ।

କେତେ ଖାଇବ ଦଧି ଦୁଧ ସର ।।

କେଶବ, ଶୁଣି ବୋଇଲେ ହସି ।

କେତେ ପାଣି ତୋ ଦୁଗ୍‌ଧ ଅଛି ମିଶି ।୧୬।

 

କଥା ଛଳରେ ନନ୍ଦୁସତ ବନ୍ଧ ।

କଲେ ମୋତେ ମନମଥରେ ଅନ୍ଧ ।।

କିଛି ହିଁ ନରହିଲା ଧୈର୍ଯ୍ୟ ବନ୍ଧ ।

କବନ୍ଧ – ବଳରେ ଯେମନ୍ତ ବନ୍ଧ ।।

କହିବି, କେତେ ସେ ପୁଅ କଥା ।

କହିଲେ ଛାଡ଼ଇ ସମସ୍ତ ବ୍ୟଥା ।୧୭।

 

କେ ବୋଲେ ଦିନେ ପଶିଲେ ମୋପୁରେ ।

କି କି ହୋଇ ପଡ଼ିଗଲେ ଆଗରେ ।।

କଲି ଅନେକ ପ୍ରକାରେ ଆକ୍ଷେପ ।

କି ତୁମ୍ଭେ ଗୋପରେ ହୋଇଲ ଭୂପ ।।

କଟାକ୍ଷ ଭଙ୍ଗୀକଲେ କି କରି ।

କାମଶର ମୋ ଅଙ୍ଗେ ଗଲା ପୁରି ।୧୮।

 

କର ଚରଣ ନ ଚଳିଲା ମୋର ।

କମ୍ପ ପୁଲକ ଚୁମ୍ୱଲା ଶରୀର ।।

କହିବାକୁ ଆଉ ନଇଲା ଭାଷା ।

କି ଭାଗ୍ୟେ ଢଳି ନପଡ଼ିଲା ରସା ।।

କଲେ ସେ, ମୋତେ ଚିତ୍ରପ୍ରତିମା ।

କେତେ କହିବି ସେ କୃଷ୍ଣ ମହିମା ।୧୯।

 

କରୁଥାଇ ସେହି ଦିନୁ ବିଚାର ।

କରିବେ ଏ ଯୁବେବେଳେ ଅସାର ।।

କୁଳବତୀ କୁଳବତୀ ନୋହିବେ ।

କୁଳଟା ହୋଇ ବନେ ବିହରିବେ ।।

କହୁଛି, ଏହା ଥିବଟି ଜାଣି ।

କାମିନୀ କୁଳର ଭାଙ୍ଗିବେ ଠାଣି ।୨୦।

 

କେ ବୋଲେ ସଖି ! ମୋହଠାରୁ ଶୁଣ ।

କାମର ଏ ନୀଳଉତ୍ପଳ ବାଣ ।।

କପଟେ ହୋଇଛି ମାନବ ରୂପ ।

କରିବ ପବିତ୍ରତା ବ୍ରତ ଲୋପ ।।

କରୁଛ, ଚିନ୍ତା ଦୁଧ ସରକୁ ।

କାଳେ ଯାଚିଦେବ ପରୟାଧରକୁ ।୨୧।

 

କେ ବୋଲେ କିଛି ନ ବୋଲିବା ଆଉ ।

କୃଷ୍ଣ ଭୋଗରେ ସବୁ ପଛେ ଯାଉ ।।

କରିଥାଇ ଯେ ଅନେକ ସୁକୃତ ।

କେଶବ କାର୍ଯ୍ୟେ ଲାଗଇ ତା ଚିତ୍ତ ।।

କୃତାର୍ଥ, ବାଟ ନନ୍ଦନନ୍ଦନ ।

କରିବା ତାଙ୍କୁ ସମସ୍ତେ ବନ୍ଦନ ।୨୧।

 

କହୁଁ କହୁଁ ଗୋପୀ ଏହି ପ୍ରସଙ୍ଗ ।

କି କି ହୋଇ ମିଳି ଗଲେ ଶ୍ରୀଅଙ୍ଗ ।।

କରେ ଧରି ନବନୀତ ସମ୍ବଳ ।

କରୁଛନ୍ତି କଳେ ବଳେ କବଳ ।।

କପାଳେ, ନୀଳ ଅଳକା ଲୁଳେ ।

କମଳ ଶୋଭା ଯେହ୍ନେ ଶଇବାଳେ ।୨୩।

 

କଳା କଳେବର ଧୂଳିଧୂସର ।

କଟିରେ କିଙ୍କିଣୀ ନାହିଁ ଅମ୍ବର ।।

କାକର ପ୍ରାୟେ ଝାଳ ବିନ୍ଦୁ ବିନ୍ଦୁ ।

କଳିତ କରିଛି ଶ୍ରୀମୁଖ ଇନ୍ଦୁ ।।

କମଳେ, ଭୃଙ୍ଗ ଖେଳିଲା ପ୍ରାୟେ ।

କଳାଡ଼ୋଳା ଚଳେ ଅପାଙ୍ଗ ଯାଏ ।୨୪।

 

କୃଷ୍ଣଙ୍କୁ ଦେଖି ଡ଼ାକିଲେ ଯୁବତୀ ।

କେବୋଲେ ଆସ ହେ ସୁଖ ସମ୍ପତ୍ତି ।।

କଞ୍ଜନୟନ ଅଳକା ବଳୀୟା ।

କୁମୁଦଦାନୀ ଘନଶ୍ୟାମଳୀୟା ।।

କଣ୍ଠର, ଦିବ୍ୟ ମର୍କତ ମଣି ।

ବର ନାଟ ଆମ୍ଭେ ଦେବୁ ଲବଣୀ ।୨୫।

 

କରେ ପୋପୀମାନେ ଧଇଲେ ତାଳି ।

କମଳନୟନ ନାଚନ୍ତି ଢଳି ।।

କଟି କିଙ୍କୀଣୀ କିଣି କିଣି ବାଜେ ।

କନକ ନୂପୁର ଚରଣେ ରାଜେ ।।

କହିବି, କେତେ ସେ ନାଟ ଛବି ।

କବି ଜଡ଼ ହୋଇ ରହେ ଯା ଭାବି ।୨୬।

 

କେ ନେଇ ଶ୍ରଦ୍ଧାରେ ଦିଅନ୍ତି ସର ।

କରନ୍ତି ମଣୋହି ଶ୍ରୀ ଦାମୋଦର ।।

କେ ବୋଲଇ ମୁଁ ଲୁଚିଯାଇ କିନା ।

କେ ବୋଲେ ଶ୍ରୀଅଙ୍ଗ ଫୁଟିବ ସିନା ।।

କର ଯା, ବିଜେ ପୁରକୁ ଏବେ ।

କାତର ହୋଇ ମାଏ ଲୋଡ଼ୁଥିବେ ।୨୭।

 

କଉଁ ଗୋପୀ କରେ ଲବଣୀ ଦେଇ ।

କାଖରେ ବସାଇ ପୁରକୁ ନେଇ ।।

କଲା ଯଶୋଦାଙ୍କୁ ଆଗରେ ଉଭା ।

କେ କହିବା ଅବା ସେ କାଳ ଶୋଭା ।।

କୋଳରେ ମାଏ ଧଇଲେ ନେଇ ।

କାହିଁଥିଲୁ ବୋଲି ଚୁମ୍ୱନ ଦେଇ ।୨୮।

 

କରି ଶ୍ରୀଅଙ୍ଗ ତଇଳ ମର୍ଦ୍ଦନ ।

କଲେ ତା ଝୀନ ବସନେ ମାର୍ଜ୍ଜନ ।।

କଉଷେୟ କାଚ୍ଛେ ପିନ୍ଧାଇ ଦେଇ ।

କରପଦ୍ମେ ଦିବ୍ୟ ଅନ୍ନ ଭୁଞ୍ଜାଇ ।।

କରାଇ, ଆଚମନ ସଧୀରେ ।

କଲେ ଶ୍ରୀମୁଖ ପୋଛା ବସନରେ ।୨୯।

 

କେତେ କହିବି ବାଳଲୀଳା ଭାବ ।

କହିଲେ ପଦ ବହୁତ ହୋଇବ ।।

କଳପେ ବସି କଳପିଲେ ଯାହା ।

କହି ନ ପାରିବେ ଗିରିଜା ନାହା ।।

କୋଟିଏ, କୋଟି କୀଟେ ମୁଁ ଏକ ।

କେତେ ମୋର ବୁଦ୍ଧି କେତେ ବିବେକ ।୩୦।

 

କେ ଅବା ଲେଖିବ ଗଗନ ତାରା ।

କେତେ ମୋର ବୁଦ୍ଧି କେତେ ବିବେକ ।।

କେ ଅବା ଗଣିବ ସିନ୍ଧୁ ଲହରୀ ।

କେ ପାରିବ ପୟୋନିଧି ପହଁରି ।।

କେ ଅବା, ଏହା କରିପାରିବ ।

କୃଷ୍ଣ ମହିମା କହି ନ ପାରିବ ।୩୧।

 

କୃଷ୍ଣ ନାମରେ ପପ କ୍ଷୟ ଯେତେ ।

କରି ନ ପାରେ ପାପୀ ପାପ ତତେ ।।

ବୁଧର ପ୍ରମାଣେ ତୁଳାକୁ ଶିଖୀ ।

କଣ ମାତ୍ରକେ ନ ଦିଅଇ ରଖି ।।

କର ହେ, ଜନେ କୃଷ୍ଣ କୀତ୍ତନ ।

କର୍ଣ୍ଣରେ ଶୁଣ କୃଷ୍ଣ କଥାମାନ ।୩୨।

କୃଷ୍ଣ ବିଚିତ୍ର ମହିମା ଏମନ୍ତ ।

କରି ଅମୃତ ବିନ୍ଦୁ ମୂତ୍ତବନ୍ତ ।।

କମ୍ବୁ ଚକ୍ର ଧରି ହୃଦେ ବିହରି ।

କରନ୍ତି ଜଠର ଜ୍ଜ୍ୱାଳାରୁ ପାରି ।।

କରଇ, ନାହିଁ ଯେ ତାହାଙ୍କୁ ସେବା ।

କୃତଘ୍ନ ସେହି ଲୋକକୁ ବୋଲିବା ।୩୩।

କୃଷ୍ଣ କଥାରେ ଯାର ସ୍ନେହ ନାହିଁ ।

କାଳେ ସଂଘାତକୁ ଦେଖିବ ସେହି ।।

କାଳଦଣ୍ଡେ ସଂଘାତ ସେ ହୋଇବ ।

କଷ୍ଟ ସଂଘାତକୁ ନିଶ୍ଚେ ପାଇବ ।।

କହଇ, ଦୀନକୃଷ୍ଣ କଥା ।

କେବେହେଁ ହୋଇବ ନାହିଁ ଅନ୍ୟଥା ।୩୪।

 

ଷଷ୍ଠ ଛାନ୍ଦ

(ଲୀଳା ଛଳରେ ଅସୁର ନିଧନ ଓ ଗୋପଗୋପୀ ଆନନ୍ଦ )

ରାଗ - କୌଶିକ

 

କର୍ଣ୍ଣ ମନ ଦେଇ ଶ୍ରଦ୍ଧାବନ୍ତ ହୋଇ ଶୁଣ ଜନେ କୃଷ୍ଣଚରିତ ।

କଳାକରକରେ, ଅନ୍ଧାର ପରାଏ, ନାଶ ଯାଉ ସର୍ବ ଦୁରିତ ।

କଞ୍ଜନୟନ, ଅଞ୍ଜନ ବରନ କେଶବ ।

କାମପାଳ ସଙ୍ଗେ, ଘେନି ନାନା ରଙ୍ଗେ, କରନ୍ତି ବାଳଲୀଳାଭାବ ।୧।

 

କେତେ ବଳେ ବଳେ ଗୋପସୁତ ମେଳେ ନବନୀତ ଘେନି ପଳାନ୍ତି ।

କେତେବେଳେ ଗୃହ କର୍ମରୁ ବିଗ୍ରହ କରି ଜନନୀଙ୍କି ଚଳାନ୍ତି ।

କେତେବେଳେ ସେ, କୋକିଳ ଗୋଳ କରି ରାଗେ ।

କେତେବେଳେ କାନ୍ଦି କଣ୍ଠେ କଣ୍ଠ ଛନ୍ଦି କାଖରେ ବସନ୍ତି ସରାଗେ ।୨।

 

କେତେବେଳେ ନନ୍ଦ କାନ୍ଧେ ବସି ଚାନ୍ଦ ମାଗନ୍ତି ରଜନୀ ସମୟେ ।

କରି ମନ ତୋଷ, ଜହ୍ନମାମୁଁ ଆସ, ଆସ ବୋଲନ୍ତି ନନ୍ଦରାଏ ।

କେତେବେଳେ ଯେ କଉତୁକେ ହୋଇ ଉତ୍ସାହ ।

କାମି କାମଦୁହା ଗୋଧନ ସୋରେହା ହୋଇ ଶିଖନ୍ତି ଗାଈଦୁହଁ ।୩।

 

କମଳନୟନ ନୟନମଣ୍ଡଳ କ୍ରମେ ପାରିଲେ ବତ୍ସା ରଖି ।

କଳାକରମୁଖୀ ଗୋପୀମାନେ ଦେଖି ମନେ ହୋଅନ୍ତି ମହାସୁଖୀ ।

କଉଁ ଗୋପୀକା, କାରୁଣ ରସକୁ ବହଇ ।

କୃଷ୍ଣ ସ୍ନେହ ଘେନି, ଯଶୋଦାଙ୍କୁ ମାନୀ ହୋଇ ସଖା ଆଗେ କହଇ ।୪।

 

କଉଁ ସୁଖ ନାହିଁ ନନ୍ଦଘରେ ଏହି ପୁଅ ଯାଏ ବୃନ୍ଦାବନକୁ ।

କରୁଣା ହୃଦୟ ନୁହନ୍ତି ନିର୍ଦ୍ଦୟ ଧିକ ଏହାଙ୍କର ଧନକୁ ।

କଉଁ ବିଧାତା, କଲା ଏମନ୍ତ ଅବିଚାର ।

କୋଟି ଲକ୍ଷ୍ମୀ ଯାହା ସେବାକୁ ଉତ୍ସାହା ସେ କରେ ବନକୁ ସଞ୍ଚାର ।୫।

 

କମଳ ଚରଣ ଅତ୍ୟନ୍ତ ଅରୁଣ କେତେ ଲକ୍ଷଣ ଅଛି ଦେଖ ।

କେମନ୍ତ ଉଜ୍ଜ୍ୱଳ ନକ୍ଷତ୍ରମଣ୍ଡଳ ପରାୟେ ତାରତର ନଖ ।

କଉଁ ଉପମା, କରି ଜାନୁ ଜଙ୍ଘ ଶୋଭାକୁ ।

କରୀ କଳଭର କରକୁ ଧିକ୍‌କାର ଶିଶୁ ମରକତ ରମ୍ଭାକୁ ।୬।

 

କେମନ୍ତେ ମଧ୍ୟମ ଅତି ମନୋରମ ଦିଶେ ବିପୁଳ ବକ୍ଷସ୍ଥଳ ।

କୁବଳୟମାଳେ କୋକନଦ ଝାମ୍ପା ପ୍ରାୟେ ଶୋଭା ବାହୁଯୁଗଳ ।

କଥନୀୟ ତ, ନୋହଇ କଣ୍ଠ କର୍ଣ୍ଣ ନାସା ।

କବି କବି ହୋଇ କହିବି ବୋଇଲେ ମୁଖରୁ ନ ଆସିବ ଭାଷା ।୭।

 

କଳଙ୍କ ରହିତ କଳାକରଜିତ ଶ୍ରୀମୁଖ ସୁଖ ନିକେତନ ।

କେତେକାଳ ବିହି କଉତୁକ ବହି ଗଢିଲା ଏ ରୂପ ରତନ

କରି ଥାନ୍ତାକି, ଦଇବ ଏ ପୁଅ ଆମ୍ଭର ।

କରନ୍ତାଇଁ କଷ୍ଟ ଦେବତାରୁ ଶ୍ରେଷ୍ଠ ବସାଇ ପଲ୍ୟଙ୍କ ଉପର । ୮।

 

କେମନ୍ତ ସୁନ୍ଦର କଳାକଳେବର, କେମନ୍ତେ ସୁରଙ୍ଗ ଅଧର ।

କେମନ୍ତ ନୟନ କଟାକ୍ଷର ଧନ୍ୟ ଲଲାଟ ପାଟୀ ମନୋହର ।

କେମନ୍ତ ମନ୍ଦ ହସି କହିବା ଚତୁରତା ।

କେମନ୍ତ ପ୍ରକାରେ ନାଚଇ ସଧୀରେ କାମଧନୁ ଜିଣି ଭ୍ରୂଲତା ।୯।

 

କମଳ ସମ୍ଭବ ଭବ ଆଦି ଦେବ ସ୍ତୁତି ଯାହାକୁ ତୁଚ୍ଛାମାତ୍ର ।

କମଳୀ ଧବଳୀ ନୀଳୀ କୁଞ୍ଜଗଳୀ ଗାଈ ଡାକିବାକୁ ସେ ପାତ୍ର ।

କାଳବଳ ୟେ, କାହାରି ଆୟତ ନୋହଇ ।

କେମନ୍ତେ ନୋହିଲେ ଶ୍ରୀବନ୍ତ ହୋଇଲେ କନ୍ଧେ ପଶୁରଜ୍ଜୁ ବହଇ ।୧୦।

 

କେ ବୋଲଇ ବଡ଼ ହେଲେ ହେଁ ଗଉଡ଼ – ଘରେ ପଡ଼ିଲେ ଯେତେବେଳୁ ।

କଠାଉ ଦଉଡ଼ି ଶିକାଭାର ବାଡ଼ି ଆସ୍ଥା ହେଲାଣି ତତେ ବେଳୁଁ ।

କାହୁଁ ଖାଇବେ, ନ ରଖିବେ ଯେବେ ଗୋଧନ ।

କେ ବୋଲେ ଯେ ଯାହା ଜୀବିକା ସେ ତାହା ନ କଲେ କେହି ଯିବ ଦିନ ।୧୧।

 

କମଳ ନୟନ ବନକୁ ଗମନ କରନ୍ତେ ପଡ଼େ ଏହି କଥା ।

କେ ହୋଏ ହରଷ, କେ ହୋଏ ବିରସ, କେ ଏଭେ ମନେ ମହା ବ୍ୟଥା ।

କାମପାଳଙ୍କୁ, କେଶବ ଘେନି ସଙ୍ଗତରେ ।

କଉତୁକେ ବତ୍ସା ରଖୁଁ ରଖୁଁ ବତ୍ସାସୁରକୁ ମାଇଲେ ବୃକ୍ଷରେ ।୧୨।

 

କେତେଦିନେ ହରି ବକ ଥଣ୍ଟ ଚିରି କାଳସଦନ ଦେଖାଇଲେ ।

କରି ଗୋପସୁତମାନଙ୍କୁ ଚକିତ ବିଚିତ୍ର ମନେ ରଖାଇଲେ ।

କ୍ରମେ ବିନାଶ, କଲେ ସେ ଅର୍ଘା ଅସୁରକୁ ।

କଳୁଷ ପକାଇ ସୁରପୁରେ ଯାଇ ସମାନ ହୋଇଲା ସୁରକୁ ।୧୩।

 

କଳାଗୋରା ବେନିଭାଇ ବଡ଼ ଦାନୀ ଧାର୍ମିକ ବିବେକୀ ସୁଶୀଳ ।

କାଳକୁ କବଳ କରିଦେଲେ ତାଳ ପରାଏ ତାଳବନପାଳ ।

କରି ଅସୁର, କୁଳକୁ ନିର୍ମୂଳ କେଶବ ।

କୁଞ୍ଜକାନନରେ ବରଜ ସଙ୍ଗରେ କରନ୍ତି ନାନାରୂପେ ଭାବ ।୧୪।

 

କେ କେକୀ ପରାୟେ ନାଚି ନାଚି ଯାଏ କେ ବଳ ପରାୟେ ବସନ୍ତି ।

କେ ଭୃଙ୍ଗ ଝଙ୍କାର ଶୁଣି ଅହଙ୍କାର କରି ହୁଙ୍କାର ବିସ୍ତାରନ୍ତି ।

କେକୀଶଶିଶୁ, ମାନଙ୍କୁ ଗୋଡ଼ାଇ ଧରନ୍ତି ।

କେ କାହା କରରେ କର ମାରି ଖରେ ପଳାକି ପ୍ରତିଜ୍ଞା କରନ୍ତି ।୧୫।

 

କେତେବେଳେ ବାହୁଯୁଦ୍ଧ କରି କେହୁ ଭାବେ ହୋଅନ୍ତି ଧରାଧରି ।

କେତେବେଳେ ଫଳ ସମରେ ଚଞ୍ଚଳ କେତେବେଳେ ଆଖି ବୁଜାଳି ।

କେତେବେଳରେ, କୃଷ୍ଣ ହୋଅନ୍ତି ନରପତି ।

କରେ ଫୁଲଛତି ଧରି ସଖାପନ୍ତି, ମଣିମା ମଣିମା ବୋଲନ୍ତି ।୧୬।

 

କଉତୁକେ ଖେଳ ଖେଳୁଁ ଖେଳୁଁ ବଳଦେବଙ୍କୁ ନିଅନ୍ତେ ପ୍ରଳମ୍ୱ ।

କି କି କରି ଜାଣି ଭାଙ୍ଗି ତାର ଆଣି ପରାଣ କଲେ ଅବିଲମ୍ବ ।

କୁଞ୍ଜବିହାରୀ, ପୁଣି ଅଦ୍ଭୁତ କଥା କଲେ ।

କରାଳୁଁ କରାଳ ଅତ୍ୟନ୍ତ ପ୍ରବଳ ମହା ଦାବାନଳ ପିଇଲେ ।୧୭।

 

କୁଶକେତୁ ମନ ଭ୍ରମାଇଲେ ବନଭୋଜନ ବତ୍ସାହରଣରେ ।

କଲେ ଅତି ଖର୍ବ ଦେବରାଜ ଗର୍ବ ଗୋମତ ଗିରି ଧାରଣାରେ ।

କରି ଉଶ୍ୱାସ, ଜଞ୍ଜାଳଜାଲ ନନ୍ଦବାଳ ।

କଉତୁକେ ବନ ବିହରି ଗୋଧନ ରଖନ୍ତି ଘେନି କାମପାଳ ।୧୮।

 

କୁମୁଦ ପ୍ରମୋଦ କମଳଙ୍କ ନିଦ ସମୟେ ଗୋପକୁ ଆସନ୍ତି ।

କମନୀୟ ବେଶ ଧରି ପୀତବାସ ସୁନ୍ଦର ସୁନ୍ଦର ଦିଶନ୍ତି ।

କେକୀ କଳାପ, କଳାପେ ରଞ୍ଚତ ମୁକୁଟ ।

କାଦମ୍ବିନୀ କାଳେ କଳାମେଘ କୋଳେ ଇନ୍ଦ୍ରଧନୁ ଯେହ୍ନେ ପ୍ରକଟ ।୧୯।

 

କଳାକାର ଅର୍ଦ୍ଧ କପାଳରେ ଉର୍ଦ୍ଧ୍ୱ କସ୍ତୁରୀ ତିଳକ ବିରାଜେ ।

କାମିନୀଙ୍କି କାମ କରବାଳ ସମ ଚାହିଁଲେ କର୍ମଦେଶେ ବାଜେ ।

କପାଳପଟ, ତଳେ ଗୁଞ୍ଜାରା ମୁଣ୍ଡମାଳି ।

କିବା ଅରବିନ୍ଦ ପାଖେ ଅଳିବୃନ୍ଦ ରହେ ଅଙ୍ଗକୁ ଅଙ୍ଗ ଝଳି ।୨୦।

 

କର୍ଣ୍ଣେ କମନୀୟ ମହାମଣିମୟ ମକର କୁଣ୍ଡଳ ଚଳନ୍ତି ।

କମଳ ଉଭୟ ପାଶେ ସୁଖୋଦୟ ଯୁଗଳ ମିତ୍ର କି ଖେଳନ୍ତି ।

କାବ୍ୟ ତାରରୁଁ ତାର- ମୋତି ନାସେ ଲଳଇ ।

କରିବାର ସଙ୍ଗ ଅଧର ସୁରଙ୍ଗ ଲୋହିତ ଅଙ୍ଗକୁ ବଳଇ ।୨୧।

 

କଣ୍ଠେ ତାର ହାର କାଳିନ୍ଦୀ – ବିହାର କରେ କି ରାଜ ହଂସପନ୍ତୀ ।

କାଳକା କୋଳରେ ନାଦ ରହିତ୍ୱରେ ବଳାକାବଳି କି ଚଳନ୍ତି ।

କଟି ତଟରେ, ପରିଧାନ ପୀତବସନ ।

କନକ କିଙ୍କିଣୀ ଶ୍ରେଣୀ ତହିଁ ପୁଣି କରନ୍ତି ମଧୁର ନିଃସ୍ୱନ ।୨୨।

 

କରେ ସୁବଳୟ ଫୁଲ କୁବଳୟ ଅଙ୍ଗେ ମଣ୍ଡିତ ଗୋରୁଧୂଳି ।

କଦମ୍ବ କୁସୁମ ଶୋଭାକୁ ସୁଷମ ଦିଶଇ ରଙ୍ଗ ଜାମୁଡ଼ାଳି ।

କନ୍ଧ ଉତ୍ତରୀ- ଛନ୍ଦେ ବନମାଳା – ଲମ୍ୱିତ ।

କୁସୁମରସରେ ମାତି ମଧୁକରେ ମହାସୁଖଭରେ ଚୁମ୍ୱିତ ।୨୩।

 

କେ ବେଣୁ ଶୃଙ୍ଗରେ ବିବିଧ ରଙ୍ଗରେ ଗୀତ ଶବଦମାନ କରେ ।

କେ କାହାକୁ ବଳି ପତର କାହାଳୀ ବଜାନ୍ତି ମହା ମନୋହରେ ।

କଉତୁକେ କେ, କରେ କରତାଳି ମଜାଇ ।

କରେ କେ ଗଉଡ଼ ନାଟ କେ ଗଉଡ଼ ଗୀତ ଆନନ୍ଦ ମନେ ଗାଇ ।୨୪।

 

କରି ଅଗ୍ରସର ସୁରଭି ନିକର ପଛେ ବିଜେ ଯଦୁଚନ୍ଦ୍ରମା ।

କରି ଏହି ଲୟେ ବରଯେତନୟେ ଗ୍ରହଗଣ ପ୍ରାୟେ ଉପମା ।

କଳାନିଧାନୀ, ଗୋପିକା ତୃଷିତ ଚକୋରୀ ।

କରନ୍ତି ନୟନ ଚଞ୍ଚୁଦ୍ୱାରେ ପାନ ଶୋଭା ଅମୃତ ପୂର୍ଣ୍ଣ କରି ।୨୫।

 

କେ ଡାଳେ ଧବଳୀ କମଳୀ କେ ଡ଼ାଳେ ନୀଳୀ, ପରିମଳୀ ।

କେ ବୋଲଇ ହଂସା, କେ ବୋଲଇ ବଂଶୀ ପ୍ରିୟ ବଉଳୀ, କୁଞ୍ଜଗଳୀ ।

କେତେ ପ୍ରକାରେ, ଡ଼ାକେ କେ କେତେ ନାମ ଧରି ।

କେ କହିବ ଶୋଭେ ଜନମନ ଲୋଭା ଯେମନ୍ତ ସମୁଦ୍ର ଲହରୀ ।୨୬।

 

କାମଶାଣ- ବାଣ ପରାୟେ ଅରୁଣ କଟାକ୍ଷ ପଡ଼େ ବେନିପାଶେ ।

କି ସବ୍ୟସାଚିତ୍ୱ ସାଧୁଅଛି ଚିତ୍ତ ଜାତ ଜଗତ ଜୟ ଆଶେ ?

କହି ନୋହଇ, କଳିତ ମୃଦୁ ମନ୍ଦ ହାସ ।

କାମିନୀ ମୋହିନୀ କେତେ କଥା ଅବା କାମ ଦେଖିଲେ ହେବ ଦାସ ।୨୭।

 

କଉଁ ଗୋପୀ ଦେଖି ଧଇର୍ଯ୍ୟ ନ ରଖି କଲେ ମଧୁର ଅଙ୍ଗଭଙ୍ଗ ।

କର୍ଣ୍ଣକଣ୍ଡୁ ଛଳେ କର ଟେକି ହେଳେ ବଶ କରଇ ଶିରୀଅଙ୍ଗ ।

କଉଁ ଯୁବତୀ, କରି କରୀବର ଗତି ।

କୁଚରୁ ଅଞ୍ଚଳ ଖସାଇ ଯଦୁପତି ମତି ।୨୮।

 

କଉଁ ଗୋପୀ ବିଷ ସମ ସରି ବେଶ ପ୍ରବେଶ କୃଷ୍ଣ ଦର୍ଶନକୁ ।

କମଳ - କୁମାର – କୁମାର - କୁମାର ଯାନକୁ ଦେଇ ପ୍ରସନ୍ନକୁ ।

କଉଁ ଗୋପିକା, ଜାନୁ କଦଳୀ ବୃକ୍ଷ ରୂପି ।

କନକ - କଳଶ କମନୀୟ ବେଶ କୁଚ ମଣ୍ଡଳ କୁମ୍ଭ ସ୍ଥାପି ।୨୯।

 

କରିଛି ଧବଳ ଗନ୍ଧସାର ଛଳ ଆସେ ବେଢାଇ ପୀତବାସ ।*

କୁବଳୟ ଫଳ ଆସନ ମଣ୍ଡଳ ପତ୍ରାବଳୀ ପତ୍ର ବିଶେଷ ।

କରୁଅଛି ସେ, ମନ୍ଦ ହାସରେ ପୁଷ୍ପବୃଷ୍ଟି ।

କାନ୍ତିରେ ଉଜ୍ଜ୍ୱଳ ଶ୍ରୀମୁଖ ମଣ୍ଡଳ ଦର୍ପଣ ନେତ୍ର ଜୀବ ପ୍ରୋଷ୍ଠୀ ।୩୦।

 

କହି କେ ପାରିବ ସେକାଳ ଉତ୍ସବ ଯେତେ ହାବ ଭାବ ବିଭାବ ।

କଟାକ୍ଷେ କଟାକ୍ଷ ଭେଟରେ ପ୍ରତ୍ୟକ୍ଷ ହୋଇଛି ଯହିଁ ମନୋଭାବ ।

କଉଁ ଗୋପିକା, କୁଚ ଶ୍ରୀଫଳ ଘେନି କର ।

କଲା ନିମନ୍ତ୍ରଣ ଆଝୁଁ ମୋର ପ୍ରାଣ- ନାଥ ତୁମ୍ଭେ ହେ ବେଣୁଧାରୀ ।୩୧।

 

କେ ବାହୁ ଯୁଗଳ କରି ଫୁଲମାଳ ମାନସିକେ କଲା ବରଣ ।

କେ ମନ ବଚନ କଉବ୍ୟରେ ଲୀନ କରି କୃଷ୍ଣେ ହେଲା ଶରଣ ।

କେତେ କହିବି, ଜଣ ଜଣକେ ଏହି ରୂପେ ।

କଲେ ସ୍ୱୟମ୍ବର ହରିତ ଅମ୍ୱର, ଅନଙ୍ଗ ଦେଇ ଫୁଲଚାପେ ।୩୨।

 

କାମ ଏକ ଦଶଠାରୁ ପ୍ରତି ଆଶା ରହିଲା ନବମ ସରି କି ।

କେ କେତେ ହେଁ ଭୋଗ କରିବାକୁ ଯୋଗ ଅଛି ତାହା କରି ପାରି କି ।

କହି ବସିଲେ ହେବ ଏ ଲୁତା ସୁତା ପ୍ରାୟେ ।

କହୁ ଯାହା ଶେଷ ନ କରିବେ ଲେଶ କଳ୍ପାନ୍ତେ ନେତ୍ର କର୍ଣ୍ଣରାୟେ ।୩୩।

 

କରୁଣ କଟାକ୍ଷ କଟାକ୍ଷ ଅଲକ୍ଷ ଘେନାଘେନି ଭାବ ଦେଖାଇ ।

କଳାକର କରେ କୁମୁଦୁନୀ କରେ ଯେସନ ହଂସକୁ ରଖାଇ ।

କଉତୁକରେ ପୁରରେ ପ୍ରବେଶ ହୋଇଲେ ।

କର୍ମମାନ ସାରି କାମପାଳ ହରି ମଣୋହି ବଢାଇ ଶୋଇଲେ ।୩୪।

 

କଳାପୀ କଳାପ କଳାପେ-କଳାପ କମନୀୟ ବେଶ ଯାହାର ।

କରି ଅଘାଶିରେ ଅବିଧି ଦୁଆରେ ଗୋପସୁତେ କଲେ ବାହାର ।

କଉତୁକରେ, ଅତିଶୟ ମନ ହରଷେ ।

କଲା ତାଙ୍କୁ ଦୀନକୃଷ୍ଣ ଦରଶନ କପାଟ ଫିଟା ଅବକାଶେ ।୩୫।

 

ସପ୍ତମ ଛାନ୍ଦ

ରାଗ ପଞ୍ଚମବରାଡ଼ି କଳଶାବଣୀ

 

କମଳ ନୟନ କୃଷ୍ଣ ଶ୍ରୀନନ୍ଦନନ୍ଦନ ।

କିଶୋରୀ ଗୋପୀଙ୍କ କୁଚ କର୍ପୂର ଚନ୍ଦନ ।

କୋଟିକାମରୂପଧାରୀ ତ୍ରୈଲୋକ୍ୟ ବନ୍ଦନ ।

କାମୀଜନମାନଙ୍କର ଶ୍ରୀହରିଚନ୍ଦନ ।୧।

 

କାଳିନ୍ଦୀଜଳ କଲୋଳ କଉତୁକକାରୀ

କଦମ୍ବତଳବିହାରୀ କଳ ବେଣୁଧରୀ ।

କେକୀ ପୁଚ୍ଛମଣ୍ଡନ କନକନିଭ ବାସ

କାମକେଳି କରିବାକୁ କଲେ ଅଭିଲାଷ ।୨।

 

କଲେ ଦୂତୀ ରଜକୀ ନତ୍ତକୀ ବେଶକାରୀ

କୁସୁମମାଳା କାରିକା ଶିଳ୍ପୀ ବିଦ୍ୟାଧାରୀ ।

କୁଞ୍ଜକାନନ କୁସୁକ ତୋଟା ନଦୀତଟ ।

କମଳହୀନ ପରିଖ ଆଦି ପାଣିକୁଟ ୩।

 

କଉତୁକେ ଏ ସଙ୍କେତ ସ୍ଥାନକୁ ସମ୍ପାଦି

କରିଥାନ୍ତି ସଞ୍ଚାର କୁଳଟାମନଭେଦି ।

କୁଜ୍‌ଝଟୀ ହିମରଜନୀ ମହାଅନ୍ଧକାର

କୋଳାହଳ ପୁରଦାହ ପବନ ପ୍ରଖର ।୪।

 

କଳାକାର ଉଦୟ ମହାଉତ୍ସବ କାଳ

କଟକ ଗହଳ ସନ୍ଧ୍ୟାପରବେଶ ବେଳ ।

କାମୀକାମିନୀଙ୍କୁ କର୍ମସମୟ ଏ ଯେଣୁ

କରୁଥାନ୍ତି ଏହିକାଳେ ମନୋବାଞ୍ଛାତେଣୁ ୫।

 

କପଟ କୁଶଳ କାମରୂପୀ ଯଦୁପତି

କେତେବେଳେ ଧରିଥାନ୍ତି କେମନ୍ତ ମୂରତି ।

କେତେବେଳେ କାଚରା, ଶଙ୍ଖାରୀ, କଇବର୍ତ୍ତ

କେତେବେଳେ ମାଳା କେତେବେଳେ କଳାଭୂତ

 

କେତେବେଳେ ଘଟୁଆଳ ଘଟସ୍ଥାପି ବାଟେ

କାମିନୀଙ୍କି ରତିଦାନ ମାଗିଲା କପଟେ ।

କେତେବେଳେ ବଂଶୀରେ ଗଉଡ଼ ଗୀତଗାଇ

କୁଞ୍ଜବନକୁ ନିଅନ୍ତି ଉଚ୍ଚାଟ କରାଇ ।୭

 

କେତେବେଳେ ହୋଇଥାନ୍ତି କଳାମେଘ ପ୍ରାଏ

କଳାପମୁକୁଟଇନ୍ଦ୍ରକୋଦଣ୍ଡ ଉଦୟେ

କାବ୍ୟତାର ମୋତିହାର ବଳାକା ମଣ୍ଡଳୀ

କନକନିଭ ବସନ ଜଟକ ବିଜୁଳି ।୮।

 

କିଙ୍କିଣୀ ମଞ୍ଜୁର ରବ ମଧୁର ନିର୍ଘୋସ

କହିବା ଚାତୁରୀ ବରଷଇ ଘନରସ ।

କାହାର ନୟନ ଚାତକକୁ ନ ରୁଚଇ

କଉଁ ଗୋପୀ ମନମତ୍ତ କେକୀ ନ ନାଚଇ ।୯

 

କଉଁଦିନ ହୋଇଥାନ୍ତ ନଟବର ବେଶ

କପାଳେ ଗଉରୀ ଚିତା କର୍ଣ୍ଣ ଅବତଂସ ।

କଟାକ୍ଷେ ସ୍ତମ୍ଭନ ବଶ ଉଚ୍ଚାଟକୁ ରଖି

କଥା ପ୍ରସଙ୍ଗେ ମୋହନ୍ତି କଳାକରମୁଖୀ ।୧୦।

 

କେଉଁଦିନ ସର୍ବାଙ୍ଗେ ଚନ୍ଦନ ପୀତବାସ

କସ୍ତୁରୀ ତିଳକ ଗଜ କପାଳେ ପ୍ରକାଶ ।

କୃକାଟିକା ନିକଟକୁ କମନୀୟଜଡ଼ା

କେତକୀ ପାଖୁଡ଼ା ଝରା ନାରୀଘରବୁଡ଼ା ।୧୧।

 

କେତେବେଳେ ବିହରି ଚନ୍ଦ୍ରମା ରଜନୀରେ

କରନ୍ତି ଜଗତ ବଶ ପାରାବତୀ ଦ୍ୱାରେ ।

କର୍ଣ୍ଣେ ଶୁଣି ଗୋପସୁତ ହୋଅନ୍ତି ବାହାର

କରଇ ନାଗକୁଯେହ୍ନେ ନାଗ ଧନିଶ୍ୱର ।୧୨

 

କେଉଁ ଗୋପୀକିଅନାଇ ପରିହାସ କରି

କୁଚକୁମ୍ଭେ ଜୀବନ ତ ନେଉଅଛି ହରି ।

କହଇ କୁରଙ୍ଗ ଦୃଶା ଯାହାର ଯେ କର୍ମ

କଲେ ସେ ତାହାର ଧର୍ମ ନକଲେ ଅଧର୍ମ ।୧୩

 

କାହାକୁ ବୋଲନ୍ତି ତୋର କଟି ଅତିସରୁ

କୁଚ ତୋ ମେରୁ ପର୍ବତଠାରୁ ଅତି ଗରୁ

କରୀବର ପ୍ରାୟେ ଏଥି ଗମନ ତୁ କରୁ

କେଉଁ ଲୋକ ଏଥିତୋତେ ବୋଲୁଥାଇ ଭୀରୁ ।୧୪

 

କୁବଳୟଦୃଶୀ ହସି ବୋଲଇ ହେ ହରି

କେତେବେଳେ ଫଳକି ଲତାକୁ ହୋଏଭରି ।

କରେ ଧଇଲ ପର୍ବତ ନୋହିଲା ସେ ଚିତ୍ର

କହୁଥାଅ କିକରି କଥା ହେ ପଦ୍ମନେତ୍ର ।୧୫

 

କେହି ଅଛି କି ବିବେକ ଏ ଗୋପନଗରେ

କରନ୍ତାଇ ପ୍ରତ୍ୟକ୍ଷ ପରୀକ୍ଷା ଏହିଠାରେ

କୁଚକୁଟୀରେ ବସାଇ ନିଅନ୍ତି ତୁମ୍ଭକୁ

କହୁଥାଅ ଚତୁରାଇପଣ ତ ଆମ୍ଭଙ୍କୁ ।୧୬।

 

କୃଷ୍ଣ ହସୀ ବୋଇଲେ ମୁଁ ପାଇଲି ପାଇଲି

କି କହିବି ଅଧିକ ତୋ କୋୟର ହୋଇଲି

କାମିନୀବୋଇଲା ମୁଁ ତୁମ୍ଭର ଦାସୀ ସିନା

କରିଥିବ କୃପା ମୋତେ ଲୁଚିଯା କିନା ।୧୭

 

କାହାକୁ ବୋଲନ୍ତି ତୋତେ କେ ବୋଲେ ଅବଳା

କଥା ଗୋଟିକ ଗୋଟିକେ ବିଚିତ୍ର ତୋର ଲୀଳା ।

କରୀବର ବସାଇଛୁ କେଶରୀ ଉପରେ

କେହି ତ ଏକଥା କରି ନାହିଁ ଏ ସଂସାରେ ।୧୮

 

କଟାକ୍ଷରେ ଆଜ୍ଞାକାରୀ କରାଇ ମାରକୁ

କରୁ ବଶ ବ୍ରହ୍ମାଦି ଶଙ୍କର ଅମରଙ୍କୁ ।

କହୁଁ କହୁଁ ମୋର ଅଙ୍ଗ ଯାଉଅଛି ଗ୍ରାସି

କୃଷ୍ଣବୋଲେ ମନ୍ଦ ହସି କହେ ମଦାଳସୀ୧୯

 

କରଣୀ ଆମ୍ଭର ଧରଣୀରେ ଅଛି ଏଡ଼େ

କଟାକ୍ଷ ମାତ୍ରକେ କାମକରେ ବ୍ରହ୍ମପଡ଼େ

କରିବ ନାହିଁ ଅବଳା ଶବଦକୁ ହେଳା

କାମସିନ୍ଧୁପାରକୁଟି ଆମ୍ଭେମାନେ ଭେଳା ୨୦

 

କୃଷ୍ଣ ହସି ବୋଲନ୍ତି ମୋହରି କାର୍ଯ୍ୟ ଏତେ

କହିବାର ଅଧିକ କୃତାର୍ଥ କଲୁ ମୋତେ ।

କାମଦୁହା ହୋଇଲୁ ମୋହର ଆଜିଠାରୁ

କରିଥିବାରୁ କୃପା ଏକା କନକ – ରମ୍ଭୋରୁ ୨୧

 

କାହାକୁ ହରଷରେ ବୋଲନ୍ତି ମଗୋ ଗୋପି

କହ କହ କୁଚ କି ତୋହର କାମରୂପୀ

କାଳେ ହୋଇଥିଲା ଏତ କୁବଳ ପରାୟେ

କଦମ୍ବକୋରକ ସମ ଦିଶିଲା ସମୟେ ।୨୨।

 

କ୍ରମେ କନକ କନ୍ଦୁକ ଛବକି ପାଇଲା

କାମ କୁତୁକୀ କାମୀ ଅଙ୍ଗକୁ ମାଇଲା ।

କଠିନ କର୍ତ୍ତୁଳ ହେଲା ଶ୍ରୀଫଳ ସୋଦର

କି କରିବି କେତେ ରୂପେ ହେଲା ମୋ ଆଦର ।୨୩।

 

କାନ୍ତିବନ୍ତ ମାତୁଳଙ୍ଗ ପ୍ରାୟେ ଯେବେ ହେଲା

କନ୍ଦର୍ପଜ୍ୱରରେ ମନ ଏଥିରେ ରହିଲା

କରୀକୁମ୍ଭ ରୂପରେ ଭାଙ୍ଗିଲା ମୋର ଦମ୍ଭ

କେତେ ପ୍ରକାରେ ବଢୁଛି ଏହାର ଆରମ୍ଭ ୨୪

 

କୁଶଳରସାଳ ସମ ହେବାରୁ ତାଳକୁ

କେତେ ଅବା ପାଇନାହିଁ ମନଉତ୍ତାଳକୁ ।

କଲା ଯେବେ ନିନ୍ଦାକଳ ଧଉତ ଫରୁଆ

କେତେଅବା ହୋଇନାହିଁ ହୃଦୟ ହରୁଆ ।୨୫।

 

କ୍ରମଶରେ ଯେବେ ତୁମ୍ଭୀପରାୟେ ଦିଶିଲା

କରିବାକୁ ବାଣୀ ମୋର ମାନସ ରଖିଲା ।

କେତେ କହିବି ତୋହର କୁଚର ଉପମା

କୃପଣ କାମଭଣ୍ଡାର ନୋହିବ ଏ ସୀମା ।୨୬

 

କମଳା ବୋଲେ କନ୍ଦର୍ପ କିକରିବ ଅବା

କହ ଯାହାଇଚ୍ଛେ କରିଅଛ ତାହା ଦେବା ।

କୃଷ୍ଣବୋଇଲେ ରଙ୍କର ଇଚ୍ଛାଏ ଭୋଜନ

କେବଳ ଲୋଭରୁ କରି ସବୁଠାରୁ ମନ ।୨୭

 

କର୍କଶୀ ତେଜସ୍ୱୀ ଏ ସହଜ ମହାରାଜା

କେବଳ ଏହାଙ୍କତଳେ ହେବି ମୁଁ ପରଜା ।

କରଦେଇ ନିରନ୍ତରେ କରିଥିବି ସେବା

କିଛି ମାଗୁନାହିଁ ମୋର ଏତେହେଁ କହିବା ।୨୮

 

କହଇ ଗୋପୀକା ବ୍ରଜରାଜ ହୋଇକରି

କରିବା କେମନ୍ତେ ସେବା କହତ ବିଚାରି ।

କୁହାଇ ଏମନ୍ତ କରି ପ୍ରୀତି ସ୍ନେହବାଣୀ

କିମ୍ପା ନୋହିଲା ତୁମ୍ଭେ ପୁରୁଷ ଶିରୋମଣି ।୨୯

 

କୁସୁମକୀଟ କଠିନ କାଠକୁ କଟାଇ

କୋମଳ ଭାବରୁଁ କରି ଫୁଲକୁ ଖଟଇ ।

କରଇ ଯେ ନାରିଙ୍କି ଏ ରୂପେ ଆଶ୍ୱାସନା

କୋଟି ବ୍ରହ୍ମାଣ୍ଡେ ନାଗରବର ସେହି ସିନା ୩୦

 

କୃଷ୍ଣ ଗୋପୀଙ୍କର ଯେଉଁ ଘେନାଘେନି ବାଣୀ

କହି ଶେଷ କରିବାକୁ କେଅଛି ଧରଣୀ ।

କଠୋର ରସିକେ ଏଥି ଭାବ ନଜାଣନ୍ତି

କମଳ ମଣ୍ଡୁକ ପ୍ରାୟେ ତାହାଙ୍କର ରୀତି ।୩୧

 

କଳାକର ଉଦେ ହେଲେ ଚନ୍ଦ୍ରମଣି ଦ୍ରବେ

କେତେବେଳେ ଅକର୍ମଶୀଳାରୁ ନୀର ସ୍ରବେ

କୋମଳ କରି ଗାଇଲେ ପଦ୍ମତୋଳା ଗୀତ

କରେ ମାଟିମାର୍ଜାର ଫଣି ଫଣା ଉନ୍ନତ ।୩୨।

 

କାହାକୁ ବୋଲନ୍ତି ହରି କି ଭାଗ୍ୟ ତୋହର

କୁଚଝଳେ ବାହୁମୂଳେ ରଖିଛୁ ଶଙ୍କର

କାବ୍ୟତାର ମୋତିହାର ଗଙ୍ଗଧାରେ କରି

କି ଶୋଭା ଦିଶନ୍ତି ଆହା ଅନଙ୍ଗବଇରୀ ୩୩

 

କମଳପାରଇ ଲାଗିହୁଅନ୍ତି ଟିକି ନିତି

କହ କହ ରସବତୀ ବରଜ ଯୁବତୀ ।

କେବଳ କଥାଏ ମୁଁ ଦେଖିଲି ବିପରୀତ

କରେ ନାହିଁ ଅର୍ଦ୍ଧଇନ୍ଦୁ ଅମ୍ବରେଶୋଭିତ ୩୪

 

କଳ୍ପନା କରିଛି ନାଭି ସୋମସୂତ୍ରପ୍ରାୟେ  

କଉଁ ମହେଶ୍ୱର ଏତ ଆଗରେ ନ ଥାଏ ।

କେବଳ ଏ ଦିନେ ମୋତେ ନୋହିଲେ ପ୍ରସନ୍ନ  

କରନ୍ତି ମୁଁ ପାଣିଲାଗି ହେଲେ ତୋଷମନ ।୩୫।

 

କନ୍ଦର୍ପ ପରୀକ୍ଷା ଆଗେ କହି କରି ମୋତେ  

କରୁ କିନା ନୂଆମାଳି କୃପା ଥିଲେ ଚିତ୍ତେ ।

କେଶରୀ –ମଧ୍ୟମା ବୋଲେ କରାଇବା ସେବା  

କଲ ଯେବେ ମନୋରଥ ସ୍ୱୟମ୍ଭୁ ସେବିବା ।୩୬।

 

କନ୍ଦର୍ପକଳା କୁଶଳା ହେଇଥିବ ବାଳା  

କରୁଥିବ ବକ୍ରବାଣୀ ଅଳପ ଗେଲାଇ ।

କର୍ଣ୍ଣ ତାହା ଶୁଣୁଥିବ ଦେଖୁଥିବ ନେତ୍ର  

କଲେ ତାରତମ ସ୍ୱର୍ଗମୁଖ କେତେ ମାତ୍ର । ୩୭

 

କେବଳ ହିଁ ନୋହିଥିବ ଅତ୍ୟନ୍ତ ଉଦ୍ଧତ  

କେତେବେଳେ ନୋହିଥିବ ଅଜି ଲଜ୍ଜାବନ୍ତ ।

କହିବାକୁ କହୁଥିବ ସ୍ନେହପୂର୍ଣ୍ଣ ବାଣୀ  

କି କରିବି ଇନ୍ଦ୍ରସୁଖ କର୍ଣ୍ଣେ ତାହା ଶୁଣି ।୩୮

 

କବି ହୋଇ କରୁଥିବ ନିର୍ମଳ କବିତ୍ୱ  

କର୍ଣ୍ଣ ଦେଇ ଶୁଣୁଥିବ ରସିକ ପଣ୍ଡିତ ।

କିଞ୍ଚିତକରି ଆସ୍ୱାଦ କରୁଥିବ ତାହା   

କହେ କୃଷ୍ଣ କି ମଧୁର ଲେଖିବି ମୁଁ ଏହା ୩୯

 

Unknown

ଅଷ୍ଟମ ଛାନ୍ଦ

(କୃଷ୍ଣ ଓ ଗୋପୀଙ୍କ ଉତ୍ତର ପ୍ରତ୍ୟୁତ୍ତର)

ରାଗ - କଲ୍ୟାଣ ଆହାରୀ

 

କରୁଥିବ ହଂସ ପରାୟେ ଗମନ କଉଁ କଳହଂସ ଗମନା ।

କରୁଥିବ ହଂସ ପରାୟେ ନିଃସ୍ୱନ ହଂସକହାଟକବରନା ।

କନ୍ଦର୍ପ,ମଦରେ ହୋଇଥିବ ଅନ୍ଧ ।

କରୁଥିବ କାମ ଅବାମେ କଟାକ୍ଷ ଦେଖି ହରିବ ଧୈର୍ଯ୍ୟବନ୍ଧ ।୧।

 

କରୁଥିବ ଦୃଷ୍ଟି ସୁଧାପ୍ରାୟେ ଦୃଷ୍ଟି ଦୂରରୁ ପକାଇ ଅବଳା ।

କୁଚମୂଳ ବାସ ଅଳପ ଉଶ୍ୱାସ କରି ଦେଖାଉଥିବା ଲୀଳା ।

କି ଅବା, କୁଉତୁକେ କର ତୋଳିବ ।

କାମ-କଳ୍ପ-ବୃକ୍ଷେ ସେହିଟି ପ୍ରତ୍ୟକ୍ଷେ ଅତିଶୟ ଫଳ ଫଳିବ ।୨।

 

କରି ମନ୍ଦହାସ ନୟନ ପ୍ରକାଶ କରି କରୁଥିବ ଅନ୍ତର ।

କାମୁଳ ଅଙ୍ଗରେ ସେହିଟି ଅନଙ୍ଗ ଭୂତ ଲଗାଇବା ମନ୍ତର ।।

କେତେ ବା, କହିବି ଅନୁଭବ କଥା ।

କହୁଥିଲେ ପଦେ ପଦେ ସୁଖ ଉଦେ କେବଳ ଗୁଆଁରକୁ ବ୍ୟଥା ।୩।

 

କୃଷ୍ଣ ଗୋପୀ ବିନୁ ସହଜେହେଁ ଅନୁଭବ ଜାଣନ୍ତା ନାହିଁ କେହି ।

କହିବା ଚାହିଁବା ମୋହିବା ହସିବା ରସିବା ତୋଷିବାକୁ ସେହି ।

କଥାରେ ଯେଉଁ ଭାବରେ ସେ ଛଳନ୍ତି ।

କଉଁ ରସିକ ରସିକିନୀ ଜାଣିବ କବି ତା ମନେ ନ କଳନ୍ତି ।୪।

 

କଉଁ ରମଣୀମଣି ଏଣୀନୟନୀ ସୁବେଣୀ ସୁବେଣୀ ଅନାଇଁ ।

କହନ୍ତି ସୁବାଣୀ-ସୁବାଣୀ ତୋତେ ତ କେବେହେଁ ବିଶ୍ୱାସ ନ ଯାଇ ।

କନ୍ଦର୍ପ, ଗୁପତ ଶାଣ ସେହି ଦେଇ ।

କାହା ମର୍ମକୁ ମାରିବାକୁ ରଖିଛୁ ଅମୋହ ବିଷରେ ବିଷାଇ ।୫ ।

 

କାହାକୁ ବୋଲନ୍ତି ଆରେ କୁନ୍ଦଦନ୍ତୀ ତୁ ମୋର ପଞ୍ଚଭୂତ ପ୍ରାଣ ।

କାମ ପଞ୍ଚବାଣ ମୁଖୁଁ ପରିତ୍ରାଣ କରିବାକୁ ତୁହି କାରଣ ।

କିଶୋରୀ, କଲୁ ତୁ ଏବେ ସବୁ ବଧ ।

କାମ ମଣ୍ଡଳାର୍ଦ୍ଧ ମଣ୍ଡନ କରି ଯେ ସାରିଲା ତାର ସବୁ ସଧ  ।୬।

 

କରୁଣାଜଳଧି ନାମ ଅପ୍ରସିଦ୍ଧି କଲୁ ଏଠାରେ ପ୍ରାଣବନ୍ଧୁ ।

କଟାକ୍ଷେ ନ ଚାହିଁ ବଚନ ନ କହି ଗଲୁ ଯା କାମ ବିନ୍ଧୁ ବିନ୍ଧୁ ।

କିଶୋରୀ, କାହାକୁ କରିବି ଗୁହାରି ।

କାଲ ନୃପେ ଭାଟ ଅନ୍ଧ ଅଗ୍ରେ ନାଟ ପ୍ରାୟେ ମରୁଛି ଝୁରି ଝୁରି ।୭।

 

କରେ ବାସମୁଖ ମୁଖେ ଦେଇ ତଳକୁ ମୁଖ କଲା ଲାଜବତୀ

କଥା କହି କରି କଉଁ ସୁଖଶିରୀ ଦିଅନ୍ତା କହ ହେ ସୁମତି ।

କଞ୍ଚିତ, କରି କଲା ଯା କୋଣ ଦୃଷ୍ଟି ।

କୃଷ୍ଣ ହୃଦୟ ଧଇର୍ଯ୍ୟ – କୁଞ୍ଜକୁ ସେ ହେଲା ନୀହାରବାର ବୃଷ୍ଟି ।୮।

 

କାହାକୁ ଅନାଇଁ ହୃଦୟ ଘେନାଇଁ କହନ୍ତି ସଖି ତୋ ଶ୍ରୀଅଙ୍ଗ ।

କେତକୀ ପରାୟେ ହେଲେ କାନ୍ତିମୟେ ଭୋଗ ନ କଲା କୃଷ୍ଣ – ଭୃଙ୍ଗ ।

କାଳକ, ଏ ଶୋଭାଶିରୀ ନିକି ଥିବ

କହଈ କମଳର କଳାଭୃଙ୍ଗ ଲୀଳା ଚୁମ୍ବିଲାମାତ୍ରେ ସିନା ଯିବ ।୯।

 

କଲେ ଦରଶନ ବିନାୟକ ଜନ୍ମ ତିଥି-ଚନ୍ଦ୍ରମା ପରମାଦ

କେବଳ ଦୁଲଭ ସୁଖଦୁଃଖ ଲାଭ ବହୁତ କାଳ ଅପବାଦ ।

କୃଷ୍ଣ ହେ, ଅକାଳ ଫଳ ଯେ ଦେଖଇ ।

କାମ ଉତପାତ ନୁହଇ ସାକ୍ଷାତ କାହା ଭଲ ସେ ରଖଇ ।୧୦।

 

କେଉଁ କାମିନୀ ଯାମିନୀକରମୁଖୀ ସଉଦାମିନୀ ହେମଗୋରୀ ।

କିଞ୍ଚିତ ଲାଜରେ ବାସ ଦେଇ ଶିରେ ସଧୀରେ ଗମନ୍ତେ ସୁନ୍ଦରୀ ।

କୋମଳ, କହନ୍ତି ତାଙ୍କୁ ପଦ୍ମମୁଖୀ ।

କେତେବେଳେ ଅନ୍ତ-ପଟ ଅନ୍ନ –ନୃତ୍ୟକାରୀ କି ନ ଦିଶଇ ମୁଖ ।୧୧।

 

କାଚ ଘଟ ଜଳ ଦିଶେ ଢଳ ଢଳ ପ୍ରତି ଚକ୍ଷୁରେ ବର୍ଣ୍ଣ ପ୍ରାୟେ ।

କଲେ ଝୀନବାସ ଅନ୍ତର ପ୍ରକାଶ ହୋଇଛି ଚମ୍ପାଫୁଲ ପ୍ରାୟେ ।

କମଳା, କାନନ ଅନ୍ତର କୁସୁମ ।

କେବଳ ନ ଦେଖିଲେ ହେଁ ସୁବାସରୁ ବଳି ହୁଅଇ ମନୋରମ ।୧୨।

 

କାଚ କୁଚଶିର ଦେଶେ ମୋତିହାର ଦେଖି ବୋଲନ୍ତି ପ୍ରାଣଧନ ।

କର୍ଣ୍ଣେ ଶୁଣୁଥିଲି ପୟୋଧର ବୋଲି ଏବେ ତ ହୋଇଲା ସେ ଆନ ।

କମଳା, କିମ୍ପା ଏ ପୟକୁ ଛାଡ଼ୁଛି ।

କଲାରୁଁ ଦର୍ଶନ ହୋଇ ସୁପ୍ରସନ୍ନ କାମ ମୋ ହୃଦୟ ତାଡ଼ୁଛି ।୧୩।

 

କାହା ଜାନୁ ଚାହିଁ ବୋଲନ୍ତିରେ ସହି କି ଚିତ୍ର ଦେଖିଲ ଏ ତୋର ।

କରୀକର ବୃକ୍ଷ କରଇ ବିନାଶ ଏ କଥା ହୋଇଛି ଗୋଚର ।

କମଳା, ଏବେ ଦେଖିଲା ମୁଁ ପ୍ରତ୍ୟକ୍ଷେ ।

କରୁଅଛୁ ମନହସ୍ତୀକି ବନ୍ଧନ ଜାନୁ ତରୁଣ ରମ୍ଭାବୃକ୍ଷେ ।୧୪।

 

କଳାକରକରେ ଅନ୍ଧକାର ନାଶେ ବିଧାନ ଏ’ତ ବିଧାତାର ।

କଲେ ଯେ ବଦନ- ଚନ୍ଦ୍ର ଦରଶନ କିମ୍ବା ଘୋଟେ କାମ ଅନ୍ଧାର ।

କମଳା, କହ ମୋତେ ଏଥି ଚରିତ ।

କଥା କଥାରେ ତ ଦେଖିଲେ ରେ ମିତ ତୋହରିଠାରେ ବିପରୀତ ।୧୫।

 

କନକ ଲତାରେ କମଳକୋଳରେ ବିକାଶେ ବେନି ଇନ୍ଦୀବର ।

କୁନ୍ଦକଳି ସଙ୍ଗେ ଫୁଟିଅଛି ରଙ୍ଗେ ବନ୍ଧୁ ଜୀବକ ମନୋହର ।

କମଳା, କୋକନଦରେ ଗନ୍ଧଫଳୀ ।

କି କରି ବିଧାତା କରିଛି ଏ ଲତା ଚିତ୍ରକୁ ପଡ଼ିଅଛି ବଳି ।୧୬।

 

କାମ ଦିଗବିଜେ ରଥ ପ୍ରାୟ ରାଜେ ବନ୍ଧୁ ତୋହର କଳେବର ।

କଳିତ ନିତମ୍ବ ଚକ୍ର ଅବଲମ୍ବ କରିଛି ଉତ୍ତମ ଅମ୍ୱର ।

କମଳା, କି ତପ କରିଛି ଅନଙ୍ଗ ।

କରି ମନୋରଥ ସମ୍ପୂର୍ଣ୍ଣ ଏ ରଥ ଆରୋହୀ ମନ୍ଥେ ସର୍ବ ଅଙ୍ଗ ।୧୭।

 

କରୁଥାଇ ମନ ଏ ରଥେ ଗଗନ କରିବାକୁ ନିତି ଶରଧା ।

କୃପଣକୁ ଲୋଭୀ ଆଶା କଲା ପ୍ରାୟେ କେବଳ ପାଉଥାଉ ବାଧା ।

କମଳା କହିଲେ କୋମଳ ବଚନ ।

କେବଳ ସ୍ୱାଧୀନ ଭର୍ତ୍ତୃକା ପରାୟେ ତୁହିତ ନୋହୁ- ପରସନ୍ନ ।୧୮।

 

କୁନ୍ଦ ଇନ୍ଦୁ କାଶ କର୍ପୂର ବିକାଶ ମନ୍ଦହାସ କରି ପ୍ରକାଶ

କଳାଡୋଳା ନେଇ ଅପାଙ୍ଗରେ ଥୋଇ କହେ ଗୋପୀ ବାଣୀ ପୀୟୂଷ ।।

କୃଷ୍ଣ ହେ, କୁସୁମ ଭ୍ରମର ପୀରତି ।

କଳାମେଘ କୋଳେ ବିଜୁଳି ଚଞ୍ଚଳ ପରାୟେ ପୁରୁଷଙ୍କ ରୀତି ।୧୯।

 

କଉଁ ଗୋପୀ ମୂର୍ତ୍ତି ଅନାଇ ବୋଲନ୍ତି ତୋ ଅଙ୍ଗ କାମସରୋବର ।

କାନ୍ତି ସ୍ୱଚ୍ଛଜଳ କେଶ ଶଇବାଳ ବଦନ କମଳ ପ୍ରକାର ।

କମଳା, ନୟନ ଯୁଗଳ ଶଫରୀ ।

କୁଚ ଚକ୍ରବାକ ନଖ କହ୍ଲାରକ ସକଳଜନ ମନୋହାରୀ ।୨୦।

 

କର୍ମବିଫଳରେ ଏଡ଼େ ସରୋବରେ ନୋହିଲା ମୋର ଅବଗାହ ।

କାହାକୁ କହିବି କେମନ୍ତେ ସହିବି ମଦନସନ୍ତାପ – ସନ୍ଦେହ ।

କମଳା, କରନ୍ତି ଦିନେ ଜଳକ୍ରୀଡ଼ା ।

କୃପଣର ଧନ ପରାୟେ ତୋ ଧନ ଲେଶେହେ ନ ତେଜିଲା ବ୍ରୀଡ଼ା ।୨୦।

 

କେଉଁ ସୁଶ୍ରୋଣୀକି ବୋଲନ୍ତି ଏଣିକି ଚାହାଁରେ କଳକଣ୍ଠବାଣୀ ।

କାମତରଙ୍ଗିଣୀ ମଧ୍ୟେ ମୋ ତରଣୀ ଭାସିଲଟି ପ୍ରାଣମିତଣି ।

କିଶୋରୀ, ରତନ କର୍ଣ୍ଣଧାର ହୋଇ ।

କରୁ କିନା ପାରି ପରମସୁନ୍ଦରୀ ଜାନୁଉଡ଼ପରେ ବସାଇ ।୨୨।

 

କଉଁ ସୁରସିକା ବରଜ ନାୟିକା କାମକେଳି ଜୟପତାକା ।

କରନ୍ତେ କାଳିକାବେଳେ ଗତି ଏକା କୃଷ୍ଣ ବୋଲନ୍ତିରେ ବାଳିକା

କାହିଁକି, କରୁଥାଅ ମୋତେ ନିରାଶ ।

କଣ୍ଟକୀ ଫଳରୁ ସ୍ୱାଦୁ ବହୁଳରୁ ତୋତେ ମୁଁ କରିଥାଇ ଆଶ ।୨୩।

 

କେତେବେଳେ ପୟପେଟୀକି ହୃଦୟ ଘନରସ କରେ ଅନ୍ତର ।

କେବଳ ବାହାର କର୍କଶ ତାହାର ହେଲେ ପ୍ରିୟ ନୋହେ କାହାର ।

କୁନ୍ତଳା, କରକା ପ୍ରାୟେ ତୋର ଚିତ୍ତ ।

କଠିନ ଆଦ୍ୟରେ ହେଲେ କ୍ରମଶରେ ପଛକୁ ହୋଏ ଦ୍ରବୀଭୂତ ।୨୪।

 

କାହାକୁ ବୋଲନ୍ତି ଆରେ ରସବତୀ ରତିପତିଭୟମୋଚନା ।

କାହିଁକି ହେଲୁ ତୁ ସୁମନସଋତୁ କଳକଣ୍ଠ – କଣ୍ଠବଚନା ।

କର୍ଣ୍ଣରେ , ନ ଶୁଣିଲେ ଦିନେ ସୁବାଣୀ

କରମ ଅବଳ ଅମ୍ବୁଧର କାଗଳ ନାଶ କରୁଛି ସବୁ ଆଣି ।୨୫।

 

କୃପଣ ମାଗଣଠାରେ ଆଚରଣ କଲା ପ୍ରାୟ ନୋହୁ ପ୍ରସନ୍ନ ।

କଞ୍ଜ ଦରଶନ କମଳ ସମାନ ଦେଖି ମୁଦିଯାଉ ଆନନ ।

କୁନ୍ତଳା, କର୍ମକୁ ବୋଲିବି ମୋହର ।

କଳା ବୋଲି ଅବା କଟାକ୍ଷ କରିବା ଆଦର ନୋହିଲା ତୋହର ।୨୬।

 

କୁଟିଳ କୁନ୍ତଳ ଭ୍ରୂଲତାଯୁଗଳ କଳାମେଘ ମିତ୍ର ଅମ୍ୱର ।

କନକ କେତକ ଅଙ୍ଗକୁ ଏତକ ନୋହିଅଛି କି ଆଡ଼ମ୍ୱର ?

କୁନ୍ତଳା, କର ତୁ ମନରେ ବିଚାର ।

କଜ୍ୱଳ କୁରଙ୍ଗ ମଦରୁ ମୋ ଅଙ୍ଗ ହେଲାନି କି ଏଡ଼େ ଅସାର ।୨୭।

 

କୃଷ୍ଣ – ମସୀବିନ୍ଦୁ ଏତେବେଳେ ଇନ୍ଦୁ ଅର୍ଦ୍ଧ ଚିବୁକକୁ ମଣ୍ଡିଛି ।

କପର୍ଦ୍ଦି ବଇରୀ ଏହା ଘେନିକରି କାହା ଧଇର୍ଯ୍ୟ ନ ଖଣ୍ଡିଛି ।

କୁନ୍ତଳା, କଳାରେ ନ କରିବୁ ହେଳା ।

କଳାବତୀ ହୋଇ କଳାବନ୍ତ ଠାଇଁ ଅବଶ୍ୟ ବଳାଇବୁ ଲୀଳା ।୨୮।

 

କାହାକୁ ବୋଲନ୍ତି ଆରେ ଶ୍ରଦ୍ଧାବତି କର କୁରୁଣ୍ଟକ ଦୋହଦ ।

କଦମ୍ୱ ଦୋହଦ କରି ମୋ ମନରୁ ଛଡ଼ାଅ ମନମଳ ଖେଦ ।

କାମିନୀ, ମଞ୍ଜିଷ୍ଠା ଅନୁରାଗ କରି ।

କେବେହେଁ, କରୁଣା ନ କରିବୁ ଊଣା କହୁଛି ତୋର କର ଧରି ।୨୯।

 

କେତେହେଁ କହିବି ହୃଦୟରେ ଭାବି କୃଷ୍ଣ ଗୋପୀ ସ୍ନେହ ଉତ୍ତର।

କଳା ଜଳଧର ବୃଷ୍ଟି ନଭ ପରାୟ ନୋହେ ସେ ଗୋଚର ।

କନ୍ଦର୍ପ, କଉତୁକେ ଦିନ ରହନ୍ତି ।

କବି ସେ ଚରିତ ମନୋହର ଗୀତ କରି ଭବସିନ୍ଧୁ ତରନ୍ତି ।୩୦।

 

କମଳ କୁମୁଦ – ବନକୁ ପ୍ରମୁଦ କରେ ପୁଷ୍ପବନ୍ତ ଯେମନ୍ତ ।

କୈବଲ୍ୟଦାୟକ ଦକ୍ଷିଣ ନାୟକ କୃଷ୍ଣ ଗୋପୀଙ୍କର ତେମନ୍ତ ।

କହଇ, ଦୀନକୃଷ୍ଣ ରସକଲ୍ଲୋକ ।

କର୍ଣ୍ଣଦେଇ ଶୁଣ ରସିକ ସିହାଣ ବିଷୟରେ ନୋହି ଚଞ୍ଚଳ ।୩୧।

 

ନବମ ଛାନ୍ଦ - କାଳୀୟ ଦଳନ

ରାଗ - ଭୈରବ

 

କର ସାଧୁଜନମାନେ ଏକ ମନକର୍ଣ୍ଣ ଦେଇ କୃଷ୍ଣ କଥାକୁ ।

କାଳକୁ ସଂଶୟ ନ ଥାଉ ଏ ଭବଭୟ କାଳଦଣ୍ଡ ବ୍ୟଥାକୁ ।

କୁଞ୍ଜବିହାରୀ ବହରନ୍ତେ ଗୋପନଗର ।

କଂସ ଆଜ୍ଞା ଆସି ଲାଗିଲା ନନ୍ଦକୁ ଦେବ କମଳ ଶତେଭାର ।୧।

 

କଲେ ନନ୍ଦ ଭୟ ନ ଦିଶେ ଉପାୟ କେ ଯିବ ପଦ୍ମଫୁଲ ତୋଳି ।

କର୍ଣ୍ଣେ ଶୁଣିକରି ଭୟ ପରିହରି ଆଗ ହୋଇଲେ ବନମାଳୀ ।

କାଳୀ ଭୟରେ, କେହି ନ ପଶେ କାଳିନ୍ଦୀରେ ।

କୃଷ୍ଣ ଆନନ୍ଦରେ ପ୍ରବେଶ ହୋଇଲେ ନଟ ଯେହ୍ନେ ନାଟମନ୍ଦିରେ ।୨।

 

କମଳନୟନ କମଳ କରରେ କମଳ ତୋଳନ୍ତେ ସଧୀରେ ।

କାଳୀ-ଫଣୀ ଆସି ଦଂଶିଲା କମଳ ପାଦରେ କୁଟିଳବୁଦ୍ଧିରେ ।

କ୍ରମେ ଅଙ୍ଗକୁ, ଛନ୍ଦିଲା ଅଙ୍ଗ ଆବଳୀରେ ।

କଲା ବିଧାତା ମର୍କତ ଶମ୍ଭୁକୁ କି ଶୋଭା ଇନ୍ଦୀବର ମାଳିଲେ ।୩।

 

କଜ୍ଜ୍ୱଳ ପର୍ବତେ କଳାମେଘ ପ୍ରାୟେ ଶୋଭା ପାଇଲା ବେନି ଅଙ୍ଗ ।

କି ହୁଅନ୍ତା ଅବା ନୟନେ ଦେଖିଲେ କର୍ଣ୍ଣେ ଶୁଣିବାକୁ ଏ ରଙ୍ଗ ।

କାଳ ବଳରେ, ଉଠି ତା ଉତ୍ତମ ଅଙ୍ଗରେ

କଲେ ନଟବର ପରାୟେ ତାଣ୍ଡବ ଶ୍ରୀରଙ୍ଗ ଭଙ୍ଗୀରେ ।୪।

 

କିବା କାଳୀ – ହତକାଳେ ଉତପାତ ଇନ୍ଦ୍ରଧନୁ ଉଦେ ଜଳରେ ।

କାଦମ୍ୱିନୀ କୋଳେ କି ନବତମାଳେ କେକୀ ନାଚେ ମତ୍ତଭୋଳରେ ।

କାଳୀ ଉପରେ, ସେହି ରୂପରେ ବନମାଳୀ ।

କରନ୍ତେ ମର୍ଦ୍ଦନ କାଳିନ୍ଦୀ ମର୍ଦ୍ଦନ କଲେ ଗୋପାଳ- ପୋଏ ମିଳି ।୫।

 

କର୍ଣ୍ଣେ ଶୁଣିକରି କଉଁ ଗୋପନାରୀ ଡାକି କହେ ପ୍ରିୟ ଆଳୀଳି ।

କଳିନ୍ଦୀରେ ପଦ୍ମଫୁଲ ତୋଳୁଁ କୃଷ୍ଣ ଦଳିଲେ ଯେମନ୍ତ କାଳୀକି ।

କର ଗମନ, ଦେଖିଯିବା ବନମାଳୀକି ।

କୁଶଳେ ଆସନ୍ତୁ ବୋଲି ଆରତରେ ଧର୍ମକୁ ହୁଅନ୍ତି ଓଳିକି ।୬।

 

କହେ କମଳା ବିମଳା ପରିମଳା ଆଦି ଯେତେ ସର୍ବ ବାଳୀକି ।

କରିବାକୁ ଆଗେ ବନ୍ଦାପନା ବେଗେ ସଜାଡ଼ ସୁବର୍ଣ୍ଣ ଥାଳୀକି ।

କଉଁ ଗୋପିକା, ବୋଲେ କହ ଚନ୍ଦ୍ରାବଳୀକି ।

କନକକୁସୁମ ବେଲପତ୍ରି ମାନ ମାନନ୍ତୁ ସେ ଆଗ ଶୂଳିଙ୍କି ।୭।

 

କେ ବୋଲେ ଆମ୍ଭଙ୍କୁ ଆଜିଠାରୁ ଭଲ ହୋଇଲାଟି ଜଳକେଳିକି ।

କୃଷ୍ଣ ପାଦପଦ୍ମ ଧୂଳି ଲାଗିଥାଉ ଆମ୍ଭ ସବୁରି ମଉଳିକି ।

କଉଁ ଗୋପିକା, ବୋଲେ ତାକୁ କାହିଁ ତୁଳିକି ।

କରିବାକୁ ପ୍ରଜା ଦେବେ ରହିଥାନ୍ତି ଘେନି କୁସୁମ ଅଞ୍ଜଳିକି । ୮।

 

କେ ବୋଲଇ ବାଳୀ – ମସ୍ତକ ଉପରେ ନାଚୁଛନ୍ତି କର ତୋଳିକି ।

କେ ବୋଲଇ ସଖି ପାତ୍ର ସେ ଜୀବନ ମନ ନେତ୍ର ନିଉଛାଳିକି ।

କଉଁ ଗୋପିକା, ବୋଲେ ତହୁଁ ଅଛି ବଳି କି ।

କରାଳୁଁ କରାଳ ମହାଦାବାନଳ ଆନବଳେ ହୋଏ ଗିଳି କି ।୯।

 

କେ ବୋଲେ କାଳୀଦନ୍ତଘାତ ଯେମନ୍ତ ବାଧଛି ପାଦ ଅଙ୍ଗୁଳିକି ।

କେ ବୋଲେ କିଛି ନ ବିଚାରି ଆମ୍ଭର ନାହାନ୍ତି ଚନ୍ଦ୍ରମଉଳିକି ।

କଉଁ ଗୋପିକା, ବୋଲେ ସେ ସିହାଣ କାଳୀକି ।

କାହ୍ନ ନ ଥିଲେ ଆନବେଳେ ଗୋମତ ପର୍ବତ ହୁଅନ୍ତା ତୋଳିକି ।୧୦।

 

କେ ବୋଲେ ବିହି କି କରୁଥିଲା ମୋ କଣ୍ଠ ମରକତ ମାଳିକି ।

କେ ବୋଲଇ ମୋତେ ଅନ୍ଧକରି ନେଉଥିଲା କେ ନେତ୍ରପିତୁଳିକି ।

କଉଁ ଗୋପିକା, ବୋଲେ ସେବିଥାଇଁ କାଳୀଙ୍କି ।

କୃପାକଟାକ୍ଷୀ କୃପାରେ ସିନା ଦେଇ ଅଛନ୍ତି ସୁଖସଙ୍ଖାଳିକି ।୧୧।

 

କେ ବୋଲଇ ପ୍ରତେ ନାହିଁ ତ ଦେଖିବାଯାଏ ମକର କୁଣ୍ଡଳିକି ।

କେ ବୋଲଇ ସଖି ତାଙ୍କଠାରେ ଏହି କଥା ଛାରପାଇଁ ଭାଳିକି ।

କଉଁ କଥା ଏ , କେତେ କେତେ କଥା ଗଲାଣି ।

କଅଁଳା ପୁଅ ଦିନରୁ ଆମ୍ଭ କାହ୍ନୁ କଉଁ ବିଚିତ୍ର ନ କଲାକି ।୧୨।

 

କର୍ଣ୍ଣେ ଶୁଣି ଗୀତ ବୋଧ ନୋହେ ଚିତ୍ତ ଯେମନ୍ତେ ଗୁଆଁର ମୁର୍ଖର ।

କେଶବ ଚରିତ ପ୍ରତ୍ୟକ୍ଷେ ଦେଖି ତ ହୋଉଥାଅ ଏଡ଼େ ଅଧର ।

କହୁଅଛି ମୁଁ, ଶୁଣ ସମସ୍ତ ସଖୀଜନ ।

କାଳୀମର୍ଦ୍ଦନ ନାମଧରି ପ୍ରବେଶ ହୋଇବେ କଳାମେଘ କର୍ଣ୍ଣ ।୧୩।

 

କାଳୀୟ ରମଣୀ ସ୍ତୁତି ବାଣୀ ଶୁଣି କରୁଣାନିଧି କରୁଣାରେ ।

କଲେ ଅଭୟ ମହାସୁଖେ ରହିଲା ବରୁଣଦେବ ଶରଣରେ ।

କଲେ ବିଜୟ, ଗୋପକୁ କମଳ ନୟନ ।

କଲେ ନନ୍ଦରାୟେ ଆନନ୍ଦ ହୃଦୟେ ଅନେକ ଦାନ ପୁଣ୍ୟମାନ ।୧୪।

 

କଳିନ୍ଦକନ୍ୟା ମହାବିଷଜ୍ୱାଳାରୁ ସେହିଦିନୁ ହେଲା ମୁକତ ।

କ୍ରୀଡ଼ା କଲେ ହଂସ କବ କାରଣ୍ଡବ କୋକ ହଂସରାଳୀ ସନ୍ତତ ।

କୁଞ୍ଜ କୁମୁଦ, କୁବଳୟ ଶୋଭା ଦିଶିଲେ ।

କମଳା ମୁଖ ହ୍ରାସ ନେତ୍ର ପରାୟେ ମନ ନୟନକୁ ତୋଷିଲେ ।୧୫।

 

କନ୍ଦର୍ପ ସଙ୍ଗାତ- ମନ୍ଦିର ପରାୟେ ତଟ ନିକଟ ବୃନ୍ଦାବନ ।

କମ୍ପିତ ପବନେ କୁସୁମିତ ଲତା ନତ୍ତକୀ କରନ୍ତି ନତ୍ତନ ।

କୁହୁ କଣ୍ଠର, ପଞ୍ଚମସ୍ୱର ଗୀତଗାନ ।

କାଳକଣ୍ଠରବ ମର୍ଦ୍ଦଳ ବାଜଇ ମୋହଇ ସର୍ବଜନ ମନ ।୧୬।

 

କୁଟିଳକୁନ୍ତଳା କାମକେଳି କଳା କୁଶଳା କମଳବଦନା ।

କରୀନ୍ଦ୍ର ଗଗନା କରୀକୁମ୍ଭସ୍ତନା କନ୍ଦକଳିଜିତ ରଦନା ।

କମ୍ବୁକଣ୍ଠିନୀ, ବଧଲୀ ଦଶନବସନା ।

କେଶରୀମଧ୍ୟମା ମହାସୁଖସୀମା କଉଷେୟ ଝୀନବସନା ।୧୭।

 

କୁରଙ୍ଗଲୋଚନା କୋକିଳବଚନା କଉତୁକକଥା ରଚନା ।

କୁଟିଳକଟାକ୍ଷା ରସିକିନୀ ମେକ୍ଷା କନ୍ଦର୍ପଦର୍ପ ବିମୋଚନା ।

କୁଞ୍ଜବିହାରୀ, ହୃଦୟ- ହାରିଣୀ ଗୋପିକା ।

କାଳିନ୍ଦୀରେ ସ୍ନାନ କରିବାକୁ ମନ କରି ହୋଇଲେ ଯେ ଉତ୍ସୁକା ।୧୮।

 

କୁଙ୍କୁମ ଅଁୟେଳା ଧରି ଗୋପବାଳା ରାଧିକା ପାଶରେ ପ୍ରବେଶ

କହନ୍ତି ସେନେହ ଭରେ ଅବଗାହ କରିବା ଯମୁନାର ରସ ।

କଉତୁକରେ, ହସରସରେ ବୋଲେ ରାଧା ।

କହୁଛି ମିତଣୀ କୃଷ୍ଣବର୍ଣ୍ଣ ପାଣି ଠାରେ ମୋର ବଡ଼ ଶରଧା ।୧୯।

 

କରୁଥାଇ ମନ କାଳୀକି ମର୍ଦ୍ଦନ କଲାଦିନୁ ଦେଖିଯିବାକୁ ।

କି, କି କରି ସଙ୍ଗ ନପାଇ ଶ୍ରୀରଙ୍ଗ ଭୟତ ଥାଇ ଆସିବାକୁ ।

କଉଁ ଗୋପିକା, ବୋଲେ ଆମ୍ଭର ସେହି ଭୟେ ।

କଉଁଠାରେ ବାଟ ଚାଲିବାକୁ ଘାଟ ଏହି ଯେ ବିପରୀତମୟେ ।୨୦।

 

କୁଚ ଲେଖା ହୋଏ ସୁବର୍ଣ୍ଣ କୁମ୍ଭରେ ଗତି ଲେଖା ହୁଏ କରୀରେ ।

କଣ୍ଠ ଲେଖା ହୋଏ ଶଙ୍ଖ ସଙ୍ଗତରେ କେଶ ଲେଖା କୃଷ୍ଣଚାମରେ ।

କେତେ କହିବି, ନନ୍ଦରାଜାଙ୍କ ପୁଅ ହଟ ।

ର୍କାପୁରବୋଲି ହାସକୁ ମୋତି ବୋଲି ଦନ୍ତକୁ ଯେଉଁଟାରେ ଲଟ ।୨୧।

 

କେ ବୋଲଇ ଚାଲ ଗୋଳ କଲେ ଭଲ କରିଦେଇ ସିନା ସେ ବୋଧ

କରମ୍ୱିତ ହେଇ କୁଞ୍ଜବନେ ନେଇ କରିବା ବାହୁପାଶ ବଦ୍ଧ ।

କଲେ ଏମନ୍ତ, ଶଙ୍କା ଥିବ ସବୁକାଳକୁ ।

କେ ବୋଲେ କି ବୋଲ ମଧୁକର ଗେଲ ବଢେ ନିଦ୍ରା ପଦ୍ମକୋଳକୁ ।୨୨।

 

କେ ବୋଲଇ ଉଚ୍ଚ ସଞ୍ଚ ଘଞ୍ଚ କୁଚ ପର୍ବତ ଉପରେ ଲଦିବା

କରରୁହ ମୁନ କୁନ୍ତଘାତ ଦାନ ମାଗିବା ବଡ଼ାଇ  ମୁଦିବା ।

କଉଁ ଗୋପିକା, ବୋଲଇ ଛାଡ଼ ଏ ବିଚାର ।

କରୀ ଇକ୍ଷୁରସ ପାଇଲେ ଅବଶ୍ୟ ନିତି କରଇ ସେ ସଞ୍ଚାର ।୨୩।

 

କଉତୁକେ ଏହି କଥାମାନ କହି ମଦନେ ଉନ୍ମତ୍ତ ହୁଅନ୍ତି ।

କୃଷ୍ଣଠାରେ ମନ ବଚନ କର୍ତ୍ତବ୍ୟ ଭଗତି ଭାବରେ ଦିଅନ୍ତି ।

କହେ ଆନନ୍ଦ, ମନେ ଦୀନକୃଷ୍ଣ ଏ ରସ ।

କରି ସାଧୁଜନମାନେ ଏକମନ ରସକଲ୍ଲୋଳ ଗୀତ ରସ ।୨୪।

 

ଦଶମ ଛାନ୍ଦ –ଜଳକେଳି

ରାଗ - ବଙ୍ଗଳାଶ୍ରୀ

 

କୁମୁଦନନ୍ଦିନୀ ସଖିଗଣ ଘେନି ଗଗନ କରନ୍ତି ରଙ୍ଗେ ।

କମଳ ସୁବାସ ଅଙ୍ଗ ଚାରିପାଶ ବେଢି ଉଡୁଛନ୍ତି ଭୃଙ୍ଗେ ।୧।

 

କି ଦେବା ଉପମା ସହଜେ ତ ବାମା ତ୍ରିଭୁବନେ ନିରୂପମା ।

କମଳ ନୟନ ମଦନ ମୋହନ ପ୍ରିୟତମା ସୁଖସୀମା ।୨।

 

କଳାରେ କଜ୍ଜ୍ୱଳ ସୂକ୍ଷ୍ମେ ଶଇବାଳ ତରଙ୍ଗ ପ୍ରାୟେ କୁଟିଳ ।

କଟିସରି ଲମ୍ୱ ମହାମନୋରମ କୁସୁମ ବାସ କୁନ୍ତଳ ।୩।

 

କଞ୍ଜୁ ପରିମଳ ଦର୍ପଣୁ ନିର୍ମଳ ଚନ୍ଦ୍ରକ୍ରାନ୍ତି ପ୍ରାୟେ ମୁଖ ।

କେ କହିବ ତାହା ଅନାଇଲେ ଯାହା ଜାତ ହୁଏ ମହାସୁଖ ।୪।

 

କୁରଙ୍ଗୁ ଚଞ୍ଚଳ ସୁରଙ୍ଗ ଅଞ୍ଚଳ ଶଫରୀ ଆକୃତି ଆଖି ।

କନ୍ଦର୍ପ ବିଶିଖ ଠାରୁ ମହା ତୀକ୍ଷ୍‌ଣ ହୃଦୟେ ରହଇ ଲାଖି ।୫।

 

କାମକୋଦଣ୍ଡରୁ ବକ୍ର ମୃଦୁ ସରୁ ନୀଳ ଭ୍ରୂଲତା ସୁନ୍ଦର ।

କାମଜୟ ପାଦ ପରାୟେ ପ୍ରକାଶ କର୍ଣ୍ଣ ଅତି ମନୋହର ।୬।

 

କମନୀୟ ତିଳ ଫୁଲରୁ ମଞ୍ଜୁଳ ଅତୁଲ୍ୟ ନାସା ।

କବି ବଚନରେ ଉପମା ଦେବାରେ ନାହିଁ ଆଉ ପ୍ରତିଆଶା ।୭।

 

କୁନ୍ଦରୁ ଉଜ୍ଜ୍ୱଳ ମୋତିରୁ ବର୍ତ୍ତୃଳ ଡାଳିମ୍ୱକୁ ବଳି ଜ୍ୟୋତି ।

କୁନ୍ଦି ହୀରାସାର ବସାଇଲା ପ୍ରାୟ ଘଞ୍ଚ ଦନ୍ତପନ୍ତି ।୮।

 

କିଶଳୟ ବିମ୍ୱ ବଧୂକ ବିଡ଼ମ୍ୱ କରଇ ଯେଉଁ ଅଧର ।

କୃଷ୍ଣ ମୁଖବିମ୍ୱେ କ୍ରୀଡ଼ାରସ ଚୁମ୍ବେ ତହିଁକି କି ପଟାନ୍ତର ।୯।

 

କେତକୀରୁ ଗୋରା ଦେହ କାନ୍ତି ତୋରା କୋମଳେ ଶିରୀଷ ପରା ।

କେ କହିବ ରାଧା ଚନ୍ଦ୍ରମୁଖୀ ରୂପ କୃଷ୍ଣ ମନ ଯହିଁ ଧରା ।୧୦।

 

କୋକିଳୁଁ ସୁସ୍ୱର ବୀଣାରୁ ମଧୁର ପଢା ଶାରୀ କଥା ଜିଣି ।

କର୍ଣ୍ଣ ସୁଖକର କୃଷ୍ଣ ଚିତ୍ତହର କୋମଳ ବିଚିତ୍ର ବାଣୀ ।୧୧।

 

କମ୍ବୁ ଆକୃତିରୁ କର୍ଣ୍ଣ ଦିଶେ ଚାରୁ ମୃଣାଳ ବଳିଣ ଭୁଜ ।

କରପତ୍ର ଶତପତ୍ରକୁ ନିନ୍ଦଇ କୁସୁମକାନ୍ତି ବରଜ ।୧୨।

 

କର୍କଶରେ କରୀକୁମ୍ଭ ସମ ସରି ରୂପେ ହେବ – ସଂପୁଟକ ।

କି କହିବା ତାଳ ଫଳରୁ ରସାଳ ଯେଉଁ କୁଚକୁମ୍ଭ ଟେକ ।୧୩।

 

କାମ କର କାଳୀ ବର୍ଣ୍ଣାବଳୀ ବଳି ବିରାଜଇ ରୋମାବଳୀ ।

କେଶରୀ ଡମ୍ୱରୁ ମଧ୍ୟୁଁ ମଧ୍ୟ ସରୁ ପୁଳିନଁ ଜଘନ ବଳି ।୧୪।

 

କନକକଦଳୀ ଜାନୁସଙ୍ଗେ ତୁଳିବାକୁ ନ ବଳଇ ମନ ।

କାମଉଦ୍ଦୀପକା ବଢାଇ ବହନ ତହିଁକି କେବା ସମାନ ।୧୫।

 

କମଳୁ ଅରୁଣ କୋମଳ ଚରଣ ନଖ ମଣିଗଣ ପ୍ରାୟେ ।

କରନ୍ତେ ଗଗନ ଗଜପତି ମନ ମହାମନ୍ଦାଷକୁ ପାଏ ।୧୬।

 

କାଳିନ୍ଦୀକୂଳରେ ପ୍ରବେଶ ହୋଇଲେ ସକଳ ଗୋପବନିତା ।

କଳେବରମାନ ଦିଶଇ ଶୋଭନ ଯତନେ କନକଲତା ।

କଳେବରମାନ ଦିଶଇ ଶୋଭନ ଯତନେ କନକଲତା ।୧୭।

 

କଜ୍ଜ୍ୱଳ ପରାଏ ନେତ୍ରକୁ ସୁନ୍ଦର ଦିଶଇ ଯମୁନା ଜଳ ।

କୁଳବତୀ ପ୍ରାୟେ ପରତେ ହୁଅଇ କୁଳକୁ କରି କଜ୍ଜ୍ୱଳ ।୧୮।

 

କୃଷ୍ଣପ୍ରିୟ ଲୋକ ହୃଦୟ ପ୍ରାୟେକ – କୋମଳ ମହାନିର୍ମଳ ।

କର୍ପୂର ଚନ୍ଦନ ଚନ୍ଦ୍ରମା ସମାନ ସନ୍ତାପହର ଶୀତଳ ।୧୯।

 

କୃଷ୍ଣ ହୃଦସ୍ଥଳ ପରାୟେ କମଳ ମାଳାରେ ମଣ୍ଡିତ ହୋଇ ।

କରଞ୍ଜରଜନୀ ସମାନକୁ ପାଇ ପୁନର୍ଭବନକୁ ଛେଦଇ ।୨୦।

 

କରିଣୀ ପରାୟେ ପଦ୍ମ ଧରିବା ଏ କାଳୀପ୍ରାୟେ ଚକ୍ର ଧରି ।

କି ଅବା ନଗରୀ ଫୁଲବେଶ ଧରି ଘନରସକୁ ବିସ୍ତାରି ।୨୧।

 

କି ଅବା ପକ୍ଷିଣୀ ବେନି ତଟ ପାଣି ଦୁଇଦିନ ଏକ ରାତି ।

କି ସୁରସରଣୀ ଉଡୁପ ତରଣି ହୋଇବାରୁ ଗତାଗତି ।୨୨।

 

କେ ବୋଲେ ପ୍ରୋଷିତ ପ୍ରିୟତମା ପ୍ରାୟେ ହୋଇଥିଳା ମଳିନତା ।

କୃଷ୍ଣ ଅଙ୍ଗ ସଙ୍ଗ ଲାଗିବାରୁ ଅଙ୍ଗ ହେଲା ଏଡ଼େ ନିର୍ମଳତା ୨୩।

 

କେ ବୋଲେ ବାସକସଜ୍ଜା ପରାୟେକ ହୋଇଅଛି ଏବେ ଦେଖ।

କେ ବୋଲେ ବାସକସଜ୍ଜା ପରାୟକେ ହୋଇଅଛି ପଦ୍ମମୁଖ ୨୪

 

କଉତୁକେ ଏହି କଥାମାନ କହି ପଶିଲେ ଯାଇଁ ଜଳରେ ।

କନକ ରସାଳ ହେଲା ସୁରରାଣ ନୀଳରତନ ସ୍ଥଳରେ ।୨୫।

 

କୃଷ୍ଣ ଅଙ୍ଗ ସଙ୍ଗ ନୋହିବଟି ଭଙ୍ଗ ଏହି କାମ ହୃଦେ ଥୋଇ ।

କିଶୋରୀମାନେ କୁଚ ଶମ୍ଭୁମାନଙ୍କୁ କରାଇଲେ ଜଳଶାୟୀ ।୨୬।

 

କରି ଅବଗାହ ଗୋପିକା ସମୂହ ଜଳରୁ ବାହାର ହୋଇ

କରି ଅଙ୍ଗପୋଛା ଯାହାର ଯେ ଇଚ୍ଛା ବସନ ପିନ୍ଧିଲେ ଯାଇଁ ।୨୭।

 

କଲେ ଧୀରଗତି ଗୋକୁଳ ଯୁବତୀ ହସ ରସ କଉତୁକେ ।

କଳହଂସପନ୍ତି ଯେମନ୍ତେ ଗମନ୍ତି ମହାମଦକଳ ଡାକେ ।୨୮।

 

କେ ରହିବ ଗୋପଯୁବତୀଙ୍କ ତପ ମାନବଶରୀର ବହି ।

କୃଷ୍ଣ ଭଗତିରେ ଭୋଗ ନିରନ୍ତରେ କୃଷ୍ଣ କଥାମାନ କହି ।୨୯।

 

କମଳନେତ୍ରରେ କଟାକ୍ଷ ସୂତ୍ରରେ ଲଗାଇ ପ୍ରେମ- ବଡ଼ିଶ ।

କମଳନୟନ କୃଷ୍ଣ ମନମୀନ ବେଗେ କରନ୍ତି ଆକର୍ଷ ।୩୦।

 

କେତେବେଳେ କଣ୍ଠଦେଶେ କଇକୁଣ୍ଠ ଲଗାଇ ହାର ପରାୟେ ।

କେତେବେଳେ କରେ ଫିଙ୍ଗିଦେଇ କରେ ରଖନ୍ତି ସାରଣି ପ୍ରାୟେ ।୩୧

 

କମଳଚରଣ ଚିହ୍ନରେ ଭୂଷଣ ହୋଇଥାଇ ପୁରଯାକ ।

କେ ପାଦ ପରାଗ ଦେଖି ବଇରାଗ ପାଇ ଚଳନ୍ତି ଅନେକ ।୩୨।

 

କାଳ୍ପାନ୍ତରେ ଯୋଗୀ ଯୋଗ ବାଟ ଜଗି ପାଇବାକୁ ଯା ଦୁର୍ଲ୍ଲଭ ।

କି ଭାଗ୍ୟବଳରେ ଗୋପୀ ଗୋପାଳର ସବୁକାଳେ ସେ ସୁଲଭ ।୩୩।

 

କଲେ ବେଦପତି ଯେତେରୂପେ ସ୍ତୁତି ବଶ ନୁହନ୍ତି ତାହାକୁ ।

କର୍ଣ୍ଣ ଡ଼େରିଥାନ୍ତି ବରଜଯୁବତୀ କଉତୁକେ ଡ଼ାକିବାକୁ ।୩୪।

 

କହେ ଦୀନକୃଷ୍ଣ ହୋଇ ମହାତୃଷ୍ଣ ଗୋପୀନାଥ କଥା ।

କରିବାକୁ ହତ ଅଶେଷ ଦୂରିତ ଦଣ୍ଡଧର – ଦଣ୍ଡ – ବ୍ୟଥା ।୩୫।

 

ଏକାଦଶ ଛାନ୍ଦ

(ଶୀତ ଋତୁ ଘେନି କୃଷ୍ଣ ଗୋପୀଙ୍କ ବକ୍ରୋକ୍ତି)

ରାଗ - କେଦାର ଚକ୍ରକେଳି

 

କର୍ଣ୍ଣେ ଶୁଣ ସୁଜନେ କୃଷ୍ଣ କଥା

କାଳେ ନ ପାଅ ଦଣ୍ଡଧର ବ୍ୟଥା ୧।

 

କ୍ରୀଡ଼ା କରନ୍ତେ ଗୋପ ପୀତବାସ

କ୍ରମେ ହୀମଋତୁ ହୋଏ ପ୍ରବେଶ ୨।

 

କଲା ଦିବସରୁ ଅତି ନିଊନ

କହୁଁ କହୁଁ ପୋଡ଼ିଲା ପଦ୍ମବନ ୩।

 

କର୍ମେ ଯାହାର ଯେଉଁ ଦଶା ଥାଇ

କାହାବଳେ ଆନକରି ନୋହଇ ୪।

 

କୁଶକେତୁ ଆସନ ଶ୍ରୀନିବାସ

କୃଷ୍ଣ କରେ ଥାଇ ନାଥ ଦୀନେଶ ୫।

 

କେଡ଼େ କେଡ଼େ ବଡ଼ ପ୍ରଭୁ ଏମାନେ

କରିପାରନ୍ତି ଅଭୟ ବଚନେ ୬।

 

କେହି ରଖି ନ ପାରିଲେ ସକାଳେ

କଲା ଭୋଗ ଯାହାଥିଲା କପାଳେ ୭।

 

କୁଶଳରେ ସମସ୍ତେହେଁ ସୁମୁଖ

କଷ୍ଟ କାଳରେ ହୋଅନ୍ତି ବିମୁଖ ୮।

 

କେତେ ଶୀତଳ କର୍ପୂର ଚନ୍ଦନ

କାନ୍ତ କାନ୍ତା ଯୋଗେ ହୋଏ ବନ୍ଦନ ୯।

 

କଲେ ଦଇବ ସଙ୍ଗ ଆନ ଆନ

କଉଁ ଅଗ୍ନିକି ନୋହଇ ସମାନ ୧୦।

 

କଳାକାର ନୋହଇ କଉଁ ବିଷ

କଇଁ ପବନ ନ କରଇ କିସ ୧୧।

 

କିଛି ପ୍ରୀତି ଅଛି ପୟ ପୟରେ

କରେ ପ୍ରାଣତ୍ୟାଗ ମିତ୍ର ସଙ୍ଗରେ ୧୨।

 

କେତେ କହିବି ଏଥିରେ ଚରିତ

କହି ବସିଲେ ହୋଇବ ବହୁତ ୧୩।

 

କଞ୍ଜନୟନ କଞ୍ଜ ବିକର୍ତ୍ତନ

କି ରଖିବେ ଏ ଅବା ପଦ୍ମବନ ୧୪।

 

କେହି ରହି ନ ପାରିଲେ ଶୀତରେ

କଲେ ଯେ ଯାହା ଉପାୟ ସତ୍ୱରେ ୧୫।

 

କଞ୍ଜ – ନେତ୍ରୀ କି କୋଳରେ ବସାଇ

କେତେ ରୂପେ ଅମ୍ବର ଲାଗି ହୋଇ ୧୬।

 

କୋଟି ବ୍ରହ୍ମାଣ୍ଡନାଥ ସୁଖେ ରହି

କରେ କମ୍ବୁ ସୁଦରଶନ ବହି ୧୭।

 

କିଛି ଘେନି କରି ତେଜ ସମ୍ପତ୍ତି

କଲେ ସୂର୍ଯ୍ୟ ଦକ୍ଷିଣଦିଗେ ଗତି ୧୮।

 

କଲେ ଶୀତକୁ ଅଗ୍ନି ମହାଭୟେ

କଲେ ପୁରେ କାନ୍ତି ଉଦୟେ ୧୯।

 

କଲେ ଆନନ୍ଦେ ଲୋକେ ତାଙ୍କୁ ସେବା

କେ ବୋଲଇ ଶୀତକୁ କି କରିବା ୨୦।

 

କହୁଁ କହୁଁ ଜାଡ଼ ମାଡ଼ି ପଡ଼ିଲା

କମ୍ପି କାତରେ କେ କର ଯୋଡ଼ିଲା ୨୧।

 

କେହୁ ହୃଦରେ କରଯୁଗ ଛନ୍ଦେ

କଷ୍ଟେ ଶୀତକୁ ବଡ଼କରି ନିନ୍ଦେ ୨୨।

 

କେହି ଶୀତରେ ନତ କଲା ତନୁ

କେହି ବିକଳେ ଲୋଡ଼େ ଚିତ୍ରଭାନୁ ୨୩।

 

କେହି କାମୀ ଶୀତେ ହୋଇ ଆକୁଳ

କଲା ଆଶ୍ରେ କାମିନୀ କାନ୍ତ କୋଳ ୨୪।

 

କଉଁ କାମୁକ ନ ପାଇ ଯୁବତୀ

କୋଟି ଯୁଗ ମଣଇ ଶୀତ ରାତି ୨୫।

 

କଉଁ ପୁରୁଷ ଅତି ରତିରଙ୍କ

କରି ଆପଣା ହୃଦୟ ପଲଙ୍କ ୨୬।

 

କାନ୍ତାମଣିକି ତହିଁରେ ଶୁଆଇ

କହେ ବିନୟ ବିପରୀତ ପାଇ ୨୭।

 

କଉଁ ଦମ୍ପତି କାମେ ହୋଇ ଭୋଳ

କରି ଅଙ୍ଗେ ଅଙ୍ଗ ତିଳତଣ୍ଡୁଳ ୨୮।

 

କାମେ ମାତି ଛାତିରେ ଛାତି ଦେଇ

କର ଜାନୁ ଛନ୍ଦି କେ ରାତି ନେଇ ୨୯।

 

କେହୁ ନବ ନିଶାର ସଜାଡ଼ିଲା

କେତେ ମନୁ ଶୀତ ଭୟ ଛାଡ଼ିଲା ୩୦।

 

କେହୁ ମଞ୍ଜିଷ୍ଠା ରଙ୍ଗେ କରି ରଙ୍ଗ

କଲା ତୁଳୀ ସୁପାତି ଅଙ୍ଗେ ସଙ୍ଗ ୩୧।

 

କରି ତପତ ଜଳରେ ପୀରତି

କଲେ ଶୀତଳ ଜଳେ ମହା ଭୀତି ୩୨।

 

କେହି ମନ୍ଦିରେ- ଭେଦ ନିରୋଧିଲା

କାକର ଯହୁଁ ବହୁତ ବାଧିଲା ୩୩।

 

କ୍ରମେ ଚନ୍ଦ୍ର ଚନ୍ଦନ ସ୍ନେହ ଗଲା

କାହା ଆଗରେ ହସନ୍ତ- ହସିଲା ୩୪।

 

କେହୁ ଅଗୁରୁ ଧୂପ- ପୁରେ ପଶି

କୃଷ୍ଣଚରିତ ଗୀତେ ହୋଏ ତୋଷି ୩୫।

 

କେହୁ ଜାନୁ ଭାନୁ ହୁତାଶନରେ

କାଳ ବଞ୍ଚିଲା ବିନା ବସନରେ ୩୬।

 

କେ ବୋଲଇ କାଲି କଲା କି ଜାଡ଼

କେବେ ଯିବ ଏ ପୋଡ଼ା କଷ୍ଟଛାଡ଼ ୩୭।

 

କେକିପୁଚ୍ଛମଣ୍ଡନ ବନମାଳୀ

କଲେ ହିମଋତୁରେ ନାନା କେଳି ୩୮।

 

କଉଷେୟ କଉପ ଅଙ୍ଗେ ଦେଇ

କମନୀୟ ଶିରସ୍ତ୍ରାଣ ଲଗାଇ ୩୯।

 

କଉତୁକରେ ବୁଲନ୍ତି ରାତିରେ

କଳାବତିମାନଙ୍କ ପୀରତିରେ ୪୦।

 

କଉଁ ଗୋପୀ ପାଶେ ହୋଇ ପ୍ରବେଶ

କଉତୁକେ କରନ୍ତି ପରିହାସ ୪୧।

 

କୋଳେ ରଖିଅଛୁ ତୁ ଉଷୁମକୁ

କହୁଅଛିନି ଯାଇଁ ମୁଁ ହିମକୁ ୪୨।

 

କହିଁ ଗଲା ସେ ବୋଲି ଲୋଡୁଅଛି

କୁଚକୁନ୍ଦରେ ଆସି ଏ ପଶିଛି ୪୩।

 

କୃଷ୍ଣ ବଚନେ ଗୋପୀ ବୋଲେ ବାଣୀ

କାହିଁ ସମ୍ପାଦି ଥିଲ ଏହି ପୁଣି ୪୪।

 

କମ୍ପୁଅଛ ଯେବେ ଶୀତ ବଳରେ

କିମ୍ପା ନ ପଶ ଆସି ମୋ କୋଳରେ ୪୫।

 

କୃଷ୍ଣ ବୋଇଲେ କାହିଁଛି ସେ ଯୋଗ

କରିବାକୁ ତୋ ଉଚ୍ଚକୁଦ ଭୋଗ ୪୬।

 

କହିନାହିଁ ମୁଁ ପୂର୍ବେ କିଛି ତପ

କଉଁ ପୀଠରେ କରିନାହିଁ ଜପ ୪୭।

 

କିଛି କିମ୍ପା ଦେଇ ନାହିଁ ଶିବଙ୍କୁ

କଉଁରୂପେ ପାଇବି ତୋ ଭାବକୁ ୪୮।

 

କହେ ଗୋପୀ ଗୋପରେ ଯେତେ ପୀଠ ।

କରିନାହିଁ କାହାକୁ ତୁମ୍ଭେ କୋଠ ୪୯।

 

କଉଁ କୁଚଶମ୍ଭୁରେ ପଦ୍ମପାଣି

କେତେ ଦେଇନାହିଁ ହେ ଗୁଣମଣି ୫୦।

 

କୃଷ୍ଣ ବୋଇଲେ କଲେ ଏ ସେବାକୁ

କେହି ନୋହିଲେ ଯେ ବର ଦେବାକୁ ୫୧।

 

କୁହାକୁହି ହୋଇ ରସ ପ୍ରସଙ୍ଗ

କଲେ ସେଠାରୁ ବିଜେ ଶିରୀରଙ୍ଗ ୫୨।

 

କଉଁ ଗୋପୀକି ବକ୍ରବାଣୀ କହି

କି ତୋହର ଶୀତକୁ ଭୟ ନାହିଁ ୫୩।

 

କରୁଅଛି ମନରେ ଏ ବିଚାର

କଲା ବିହି ତୋତେ ଋତୁ କାହାର ୫୪।

 

କାନ୍ତ ହୋଇଛି ବଦନ କମଳ

କିଛି ହେବ ଏଠାରେ ମୋର ଫଳ ୫୫।

 

କମ୍ପୁଅଛି ମୋହର କଳେବର

କରେ ତୋ ତନୁକୁ ନବ ନିଶାର ୫୬।

 

କହେ ଗୋପୀ ବଚନ ବକ୍ର କରି

କେତେ ନାହିଁ ତୁମ୍ଭର ଶୀତହାରୀ ୫୭।

 

କି କରିବା ଏ ତନୁ ନିଷାରକୁ

କହି ନୋହଇ କୃଷ୍ଣ ଭ୍ରମରକୁ ୫୮।

 

କେତେଠାରୁ ତୁମ୍ଭ ମନ ନ ରସେ

କେତେ କେତେ କୁସୁମେ ସେ ନ ବସେ ।୫୯।

 

କାଳେ ହୁଅଇ ଯେବେ ରସ ଶେଷ

କେହି ବାହୁନି ନୋହ ପରବେଶ ୬୦।

 

କେହି କାହିଁ ନ କର ସ୍ଥିରମନ

କାହାର କେଉଁଗୁଣ ତା ତ ଘେନ ୬୧।

 

କରିଥାଅ ସେନେହ ଭୋଗଯାଏ

କୃଷ୍ଣ ଭ୍ରମରକୁ ନାହିଁ ଉପାୟେ ୬୨।

 

କବି ଲେଖନ୍ତି ଦକ୍ଷିଣ ନାୟକେ

କାଳ ନିଅ ସେଠାରେ ଏକେ ଏକେ ୬୩।

 

କୃଷ୍ଣ ବୋଇଲେ ଆରେ ପ୍ରାଣଧନ

କେତେବେଳେ କେ ଛାଡ଼ଇ ଜୀବନ ୬୪।

 

କଣ୍ଠ ମୁକୁତା ମାଳି ତୁ ମୋହର

କଉଁ ସୁଖଦାତା ନୋହୁ ଦେହର ୬୫।

 

କଳା ଡୋଳା ପ୍ରତମା ପ୍ରାଣମଣି

କାମ ମହାନଦୀକୁ ତୁ ତରଣୀ ୬୬।

 

କିଛି ବିଚାରିବୁ ନାହିଁ ମନରେ

କରିଥିବୁ କରୁଣା ମୋହଠାରେ ୬୭।

 

କୁଚ ଅଇରାବତ ପ୍ରାୟେ ଯେବେ

କହିନାହୁଁ ବଚନ କଉଁଭାବେ ୬୮।

 

କିଣିଅଛୁ ଅଦୃଷ୍ଟରଜା ଦିନୁ

କଉଁ ଗତି ମୋହର ତୋହବିନୁ ୬୯।

 

କହି ନାନାରୂପେ ଚାଟୁ ବଚନ

କଲେ ଗୋପୀଙ୍କି ଧୀରେ ଆଲିଙ୍ଗନ ୭୦।

 

କୁଚ କଳଶ ହୃଦରେ ଲଗାଇ

କଳାକାର ବଦନେ ଚୁମ୍ବ ଦେଇ ୭୧।

 

କନ୍ଧଦେଶେ ପକାଇ ଗୋପୀପାଣି

କଉତୁକେ ମାଗି ଚୁମ୍ବ ମେଲାଣି ୭୨।

 

କରିବାକୁ ଗମନ ମନ ଥିଲା

କାମ କାମିନୀ କରେ ବନ୍ଧାଇଲା ୭୩।

 

କିଛି ଆୟତ୍ତ ନୋହିଲା ତାଙ୍କର

କରେ ସ୍ନେହ କିଙ୍କରରୁ କିଙ୍କର ୭୪।

 

କୀଟୁଁ ବ୍ରହ୍ମ ପରିଯନ୍ତେ ଯେତେକେ

କାହିଁ କାହିଁ କନ୍ଦର୍ପ କୁଉତୁକ ୭୫।

 

କାମ କାହାକୁ କରିନାହିଁ କାହା

କହିବସିବି ଅବା କେତେ ତାହା ୭୬।

 

କୀଟ ସିନା ଦେଖୁଁ ଫୁଲଲିଟକୁ

କାଟିପକାଏ ମହତ କାଠକୁ ୭୭।

 

କରେ କୁସୁମଠାରେ କି ଆସନ

କୋମଳରେ କୋମଳ ସନମାନ ୭୮।

 

କଲେ ସ୍ନେହରେ ବନ୍ଦୀର ଅରବିନ୍ଦ

କରେ ମନକୁ ପରମ ଆନନ୍ଦ ୭୯।

 

କୃଷ୍ଣକଥାହିଁ ସେହି ପରକାରେ

କର୍କଶରେ କଠୋରତା ବିଚାରେ ୮୦।

 

କର ସଜନ ମନରେ ବିଚାର

କଉଁ ପୁରୁଷ କରେ ଏ ଆଚାର ୮୧।

 

କାମ ସ୍ନେହେ ପରାଭାବ ସହନ୍ତି

କଲେ ଭକ୍ତି ଭକ୍ତପାଦ ବହନ୍ତି ୮୨।

 

କାନ୍ତା ଦେବତା ପୁଣି ସ୍ନେହେ ଆସି

କେହି ସ୍ନେହବାହାରେ ନୋହେ ତୋଷି ୮୩।

 

କଲେ ଗୋପୀଙ୍କି ଘେନି ଯେତେ ଭାବ

କହିବାକୁ ସେ କଥା ଅସମ୍ଭବ ୮୪।

 

କିଛି କହନ୍ତି ଅବା ଚେତି ଚିତ୍ତେ

କାମଶାସ୍ତ୍ରରେ ଲେଖାନାହିଁ ତେତେ ୮୫।

 

କରି ରଜନୀ ଶେଷ ରତି ରସେ

କଲେ ଗମନ ହୃଦୟ ହରଷେ ୮୬।

 

କରୁଥାନ୍ତି ଏହିରୂପେ ବିହାର

କମ୍ଭୁକଣ୍ଠୀ ଗୋପୀଙ୍କ କଣ୍ଠହାର ୮୭।

 

କ୍ରମେ ଶିଶିର ଋତୁ ଏହିରୂପେ

କୁହୁଡ଼ିରେ ସେ ବୁଲୁଥାନ୍ତି ଗୋପେ ୮୮।

 

କଉଁ ଗୋପୀଙ୍କି କୁଞ୍ଜଙ୍କୁ ନିଅନ୍ତି

କାହା ମନ୍ଦିରେ ରାତ୍ରିରେ ଶୁଅନ୍ତି ୮୯

 

କାହା କୁଚ କରନ୍ତି ଅବଲମ୍ବ

କାହା ବଦନେ ଦେଉଥାନ୍ତି ଚୁମ୍ବ ୯୦।

 

କାହା ନୀବୀ ଚୋରରୂପେ ଫିଟାନ୍ତି

କାହାଠାରେ ଅର୍ଦ୍ଧଚନ୍ଦ୍ର ଦିଅନ୍ତି ୯୧।

 

କୁସୁମରେ ଯେମନ୍ତ ମଧୁକର

କରୁଥାଇ ନିରନ୍ତରେ ସଞ୍ଚାର ୯୨।

 

କୃଷ୍ଣ ସେହିରୂପେ ଗୋପ ନଗରେ

କ୍ରୀଡ଼ା କରନ୍ତି ଗୋପୀଙ୍କ ସଙ୍ଗରେ ୯୩।

 

କହେ ଦୀନକୃଷ୍ଣ ରସକଲ୍ଲୋଳ

କର ଜନେ ମନ ଏଥି ନିଶ୍ଚଳ ୯୪।

 

କିଛି ନୋହେ ଏ ଅନିତ୍ୟ ସଂସାର

କଥା ଏତେ ମାତ୍ରକ ଏଥି ସାର ୯୫।

 

କୃଷ୍ଣ ରୂପ କରୁଥିବ ଧିଆ

କୃଷ୍ଣ ଚରିତ କରୁଥିବ ଗାନ ୯୬।

 

କୃଷ୍ଣ କଥା ଶ୍ରବଣରେ ଶୁଣିବ

କୃଷ୍ଣ ବୋଲି ଜଗତକୁ ଜାଣିବ ୯୭।

 

କୃଷ୍ଣ କାର୍ଯ୍ୟେ ତତପର ହୋଇବ

କୃଷ୍ଣପାଇଁ ଭଲ ଦ୍ରବ୍ୟ ଥୋଇବ ୯୮।

 

କୃଷ୍ଣ ଗୀତ ଶରଧାରେ ଗାଇବ

କୃଷ୍ଣ ଦାସକୁ ପ୍ରସନ୍ନ ହୋଇବ ୯୯।

 

ଦ୍ୱାଦଶ ଛାନ୍ଦ

(ବସନ୍ତ ଋତୁରେ ଗୋପୀଙ୍କ ଖେଦ)

ରାଗ - କଲ୍ୟାଣ ଆହାରୀ

 

କୁସୁମ ସମୟ ହୋଇଲା ଉଦୟ ଦକ୍ଷିଣା ପବନ ବହିଲା

କାମଦେବ ଦୂତ ହୋଇ ମହାମତ୍ତ ପଞ୍ଚମସ୍ୱରରେ କହିଲା ।

କନ୍ଦର୍ପ, ଦର୍ପ ହୋଇଲା ଅତିଶୟ

କୁସୁମ ବିଶିଖ କରିବାକୁ ଲାଖ କାମିନୀ କଲେ ଭୟ ।୧।

 

କମଳ, ରସାଳ ନୀଳଉତପଳ, ନିଆଳୀ, ଅଶୋକ ବିଳାଶ

କାମ ପଞ୍ଚବାଣ କାମୀ ପଞ୍ଚପ୍ରାଣ ଘେନିବାକୁ ହେଲେ ପ୍ରକାଶ

କେତକୀ, କୁନ୍ତ କି ହୋଇଲା ପ୍ରକଟ

କାନ୍ତା କାନ୍ତ ଭେଟ ହୋଇଲା ଅଭେଟ ଜୀବ ଯିବା ହେଲା ନିକଟ ।୨।

 

କୁସୁମବନ୍ତ ମାଧବୀ ଧନୁ ଶୋଭା ଭ୍ରମର କଦମ୍ୱ ଗୁଣରେ

କଉତୁକ କରି କାମକୁ ବସନ୍ତ ଦେଇଅଛି ସଖା ପଣରେ ।

କିଂଶୁକ, ପାଟକରବାଳ ତାହାର,

କରିବାକୁ ରଙ୍ଗକୋଷେ ତାହା ସଙ୍ଗ ସୁଖ ନୋହୁଅଛି କାହାର ।୩।

 

କେଶର କୁସୁମ ଅତି ମନୋହର କାମ ନୃପତି ଶ୍ୱେତଛତ୍ର

କିଶଳୟପତି ପତାକା ଉଡନ୍ତି ବଶ କରନ୍ତି ମନନେତ୍ର ।

କରୁଣା, କେଶର ମଲ୍ଲୀ ଗନ୍ଧ ଧୂପ,

କେଳିକଦମ୍ୱେ ଶଙ୍ଖଧ୍ୱନି କରନ୍ତି ସଧୀରେ ଶଙ୍ଖୁଆ ମଧୁପ ।୪।

 

କୋକିଳ କୁହୁ କୁହୁ ଭାବ ସଜାଉଁ ବାଜିଲା ଅତ୍ୟନ୍ତ ପ୍ରବଳେ

କଲେ ପ୍ରୟାଣ କୁସୁମବାଣରାୟ ବସନ୍ତ ପ୍ରାଣସଖା ମେଳେ ।

କହିବ, କେ ଅବା ସେକାଳ ସମ୍ପତ୍ତି,

କରି ମହାଭୟେ କିଙ୍କର ପରାୟେ କାମବଶ ଯୁବା ଯୁବତୀ ।୫।

 

କନ୍ଦର୍ପ ପ୍ରତାପେ ମନୁଁ ଆପେ ଆପେ ମାନବତୀ ମାନ ଛାଡ଼ିଲେ ।

କାମୀ ସେହି ଭୟେ ଅତ୍ୟନ୍ତ ତୋରାଏ ଯୁବତୀଙ୍କ ପାଦେ ପଡ଼ିଲେ ।

କେତେ ଏ, ମଦନ ମହିର୍ମାକୁ ଅବା,

କଳେବର ଜାଳି ଦେଲେହେଁ କପାଳୀ ଅର୍ଦ୍ଧାଙ୍ଗେ ବୁହାଇଲେ ଶିବା ।୬।

 

କେଡ଼େ ତେଜୋବନ୍ତ ଛାୟାଦେବୀ କାନ୍ତ ତାଙ୍କ କର ଅଛି କଟାଇ

କମଳ ପତ୍ରାକ୍ଷ କୃଷ୍ଣଙ୍କୁ ଦେଖୁଛ, ଗୋପସ୍ତିରୀ ପାଦେ ଲୋଟାଇ ।

କହିଲେ, ନ ସରେ ତାହାର ବଡ଼ାଇ,

କାହାକୁ ଅବା ସେ କାହା କରିନାହିଁ ଫୁଲଶରେ ଧୈର୍ଯ୍ୟ ଛଡ଼ାଇ ।୭।

 

କରିବାରୁ ଅଙ୍ଗ ପ୍ରତାପୀ ଅନଙ୍ଗ ପ୍ରବଳ ବସନ୍ତ ସଖାକୁ

କେ ଅଛି ମୋ ସମ ବୋଲି ସେହୁ ବ୍ରହ୍ମଲୋକେ ଲଗାଇଛି ଶିଖାକୁ ।

କରିଛି, ବିହି ଯାହାକୁ ଭୂତବାଇ,

କୁଟିଳ ବୁଦ୍ଧିରେ କଉଁ ଅବିଧିରେ ସଖା ଦେଇଛି ପଲ୍ଲବାଇ ।୮।

 

କାନ୍ତ କଉତୁକୀ ବିଯୋଗୀ ଘାତକୀ ବରନ ବସନ୍ତ

କାନ୍ତକୁ କାନ୍ତାରେ କାନ୍ତାକୁ କାନ୍ତରେ କରାଇଲେ ସେ ରସବନ୍ତ ।

କୁଞ୍ଜର, ଗମନୀ ଗୋପୀ ତା ଦେଖିଲେ,

କିଶୋରବୟସୀ କ୍ରୀଡ଼ା ଅଭିଳାଷୀ ଧଇର୍ଯ୍ୟ ଅଙ୍ଗେ ନରଖିଲେ ।୯।

 

କରିକୁମ୍ଭସ୍ତନା କୃଷ୍ଣ ଦମ୍ଭଘେନା କୁଟିଳ ଚଞ୍ଚଳ କଟାକ୍ଷା

କେଶରୀ ମଧ୍ୟମା କାମକେଳି ସୀମା କୁନ୍ଦଦଶନା ପକ୍ଷ୍ମଳାକ୍ଷା ।

କରୁଣା, ବତୀ ଫୁରୁଣା କରି ମନ

କେ କାହାକୁ ଦେଖି ବୋଲଇ ଗୋ ସଖି ଦେଖିବା ଚାଲ ବୃନ୍ଦାବନ ।୧୦।

 

କେମନ୍ତେ କୁସୁମବନ୍ତ ହୋଇଅଛି ବସନ୍ତ ସମୟ ପ୍ରବେଶେ ।

କାନ୍ତ ବିଦେଶରୁ ଅଇଲେ ରମ୍ଭୋରୁ ଅବଶ୍ୟ ଶୋଭା ପାଇବ ସେ ।

କରିବା, ଆମ୍ଭେ ଚାଲ ବନ ବିହାରି ।

କୁହା କୁହି ହୋଇ କୃଷ୍ଣ ସୁଖଦାୟୀ ସତ୍ୱରେ ହୋଇଲା ବାହାର ।୧୧।

 

କେବଳ ଆକାଶ ପରାଏ ପ୍ରକାଶ ନୟନେ ମାତ୍ର ଦେଖିବାକୁ ।

କେ କେଉଁ ବେଶେ ଗମନ କରନ୍ତି ସେ ନ ଆସେ କବି ଲେଖିବାକୁ ।

କି ଅବା, ବୋଲନ୍ତି ସ୍ୱର୍ଗ ଅପସରା ।

କ୍ରୀଡ଼ା ଅର୍ଥରେ ନନ୍ଦନକୁ ଗମନ୍ତି ତାଙ୍କର କାହିଁ ଏଡ଼େ ତୋରା ।୧୨।

 

କବି କଳିବାରେ ତୁଳେ ତୁଳିବାରେ ତୁଳା ପ୍ରାୟ ହେଲେ ଉଶ୍ୱାସ ।

କଳାକକେ ସମାନ ନୋହି ନୃତ୍ୟଗାନ କରି ସ୍ୱର୍ଗେ କଲେ ନିବାସ ।

କେମନ୍ତେ, ବୋଲିବା ତାହାଙ୍କ ପରାୟେ ।

କୃତାର୍ଥ ହୋଇଛି ରମ୍ଭା ପରା ନାରୀ ଯାହାଙ୍କ ଜାନୁ ଉପମାଏ ।୧୩।

 

କିଛି ପ୍ରତିଆଶ ଥିବାରୁ ସୁରେଶ ଆସନ ହେଲା ଗଜରାୟେ ।

କଳହଂସ ଏହି କାରଣରେ ବିହି ବାହନ ହୋଇ ପୂଜା ପାଏ ।

କେତେହେଁ, ଥିବାରୁ ଚନ୍ଦ୍ରମୁଖ ଅଂଶ ।

କପର୍ଦ୍ଦୀକରେ ଡ଼ାକି ଧୀରେ ନାଚନ୍ତି ମସ୍ତକେ କରି ଅବତଂସ ।୧୪।

 

କୁଚ ସଦୃଶରୁ ଦେବତାଏ ମେରୁ ପର୍ବତ କଳଷ ନିକେତନ ।

କଣ୍ଠକୁ ଅନାଇ ମହାତୋଷ ହୋଇ ବିଷ୍ଣୁ ବାହିଲେ ପାଞ୍ଚଜନ୍ୟ ।

କାହିଁକି, ଦେବେ କରନ୍ତି ସୁଧାପାନ ।

କୁଟିଳକେଶୀ ଚଟୁଳବେଶୀ ଗୋପୀ କଥାକୁ ଯହୁଁ ସେ ସମାନ ।୧୫।

 

କାହିଁ ପାଇଁ ଅଙ୍ଗେ ମଣ୍ଡି ହୁଅଇ ସେ ପାରିଜାତକ କୁସୁମକୁ ।

କେତେ ତପକରି ପାଇଛି ଯହୁଁ ସେ ମନୋହର ହାସ ସମକୁ ।

କାନ୍ତିକି, ସମାନ ନୋହି କ୍ଷଣକାନ୍ତି ।

କାଦମ୍ୱିନୀ କୋଳେ ଥାଇ ସେ ତରଳେ ଦେଖାଇ ନ ଦେଖାଇ ଜ୍ୟୋତି ।୧୬।

 

କଳଧଉତ ଅନେକ ଲାଜପାଇ ଅନେଳ ଅଙ୍ଗକୁ ଦହିଲା

କି ବିଚାରି ପୁଣି ଅମର- ଧରଣୀ- ଧରେ ନଦୀ ହୋଇ ବହିଲା ।

କରଜ, ସମାନ ନୋହି ତାରାଗଣ ।

କଲେ ଶୂନ୍ୟଗତି ଦିବସରେ ଜ୍ୟୋତି ନ ଦେଖାଇ ଲାଜ ପାଇଣ ।୧୭।

 

କହିଲି ଯେତେକ ସ୍ୱର୍ଗବାସୀଯାକ ତୁଳରେ ସମସ୍ତେ ଉଶ୍ୱାସ

କୃଷ୍ଣ ପ୍ରିୟତମା ଗୋପୀଙ୍କ ଉପମା କଲେ ହୋଇବ କଉଁ ଯଶ ।

କେବଳ, କବିତା ବନିତା ବ୍ରତତୀ ।

କରିଅଛି ବିହି ବିରଚିତ କେହି ପାଶେ ନ ଥିଲେ ନ ବର୍ତ୍ତନ୍ତି ।୧୮।

 

କନକ ବଲ୍ଲରୀ ନାନା ଫୁଲଧରି ଚଳନ୍ତେ ଯେମନ୍ତେ ବିଚିତ୍ର

କାମକଳାବତୀ ଗୋପୀ ସେହିମତି ଚାଲନ୍ତେ ମୋହେ ମନନେତ୍ର ।

କ୍ରମେ ସେ, ବୃନ୍ଦାବନେ ହୋଇ ପ୍ରବେଶ

କଲେ ସେ ଶ୍ରବର ନାନାପକ୍ଷୀ ଗଣ ନାଦେ କୁରିଛି ଦଶ ଦିଶ ।୧୯।

 

କାଳିନ୍ଦୀ ଶୀତଳ ଫୁଲ ପରିମଳ ଘେନି ବହେ ମନ୍ଦ ପବନ ।

କୁରଙ୍ଗମଦ ସଉରଭ କରନ୍ତେ ବଢେ କନ୍ଦର୍ପ ଉଦ୍ଦୀପନ

କୁସୁମ ଚୁମ୍ବି ଭୃଙ୍ଗ କରେ ଝଙ୍କାର

କନ୍ଦର୍ପ ଧନୁ ଟଙ୍କାପରି ପରାଏ ପ୍ରତେ ହୁଅଇ ଗୋପୀଙ୍କର ।୨୦।

 

କପୋତ ହୁଙ୍କାର କାମ ଅହଙ୍କାର ତର୍ଜନ ପରାଏ ମଣନ୍ତି

କେ ରତି କୁଜିତ କଥା ଚେତି ଚିତ୍ତ ଚଞ୍ଚଳ କରିଣ ଗୁଣନ୍ତି ।

କୁଞ୍ଜର, ଗମନୀ କୁଞ୍ଜମାନ ଦେଖି ।

କଞ୍ଜନୟନ କେଳି କଥା ସୁମରି ଧଇର୍ଯ୍ୟ ନ ପାରନ୍ତି ରଖି ।୨୧।

 

କିଂଶୁକ, ଅଶୋକ, ଚମ୍ପା କୁରୁବକ, କରୁଣା କୋର କେଶର

କୃବେଲ୍ଲୀ , ମଲ୍ଲୀ, ମାଧବୀ, ଛୁରୀଅନା, ହେମ, କେତକୀ, କରବୀର ।

କରକ, ଆଦି କଅତମାଳ ତମାଳ ।

କୁସୁମ ଭରେ ମନୋହର ମନ୍ଦାର ବକୁଳ, ରସାଳ ରସାଳ ।୨୨।

 

କଉଁ ଗୋପୀ ଦେଖି ବୋଲଇ ଗୋ ସଖି ! ଦେଖ ସେଖ ଏ ନାଗେଶ୍ୱର

କାନ୍ତ ବିଚ୍ଛେଦରେ ବିରହିଣୀଠାରେ କେବଳ ହୋଏ ନାଗେଶ୍ୱର ।

କନ୍ଦର୍ପ, କରତଟି ଏହି କେତକୀ ।

କରତି ବିରହୀ ଅଙ୍ଗ ପ୍ରାଣ ନେବା କଥାହିଁ ଏହାକୁ କେତେ କି ? ।୨୩।

 

କୁସୁମ ଉତ୍ତମ ବାସ ମନୋରମ ନାମ ମାତ୍ରକ ଛୁରୀଅନା

କର୍ଣ୍ଣପଥେ ଶୁଣି ପ୍ରବାସି- ରମଣୀମାନେ ହୁଅନ୍ତି କ୍ଷୁଦ୍ରମନା ।

କୃଷ୍ଣରେ, କୃଷ୍ଣ ସମ ଦେଖ ତମାଳ

କାନ୍ତ ବିଯୋଗରେ ବିରହ ଭୋଗରେ ପ୍ରତେ ହୋଏ କାମ ତମାଳ ।୨୪।

 

କିଂଶୁକ କୁସୁମ ନୁହଇ ଏ କାମ ଅର୍ଦ୍ଧଚନ୍ଦ୍ର ବାଣ ପରାୟେ ।

କାନ୍ତାର୍ଥିନୀ ନାରୀ ଅଙ୍ଗକୁ ବିଦାରି ହୋଇଛି ମହାରଙ୍ଗମୟେ ।

କରଇ, ଯହୁଁ ବିଯୋଗିନୀ ପଳାଶ ।

କହିଲି ଗୋ ସହି ! ଜାଣିଥାଅ ସେହି ଘେନି ଏହା ନାମ ପଳାଶ ।୨୫।

 

କନକ କୁସୁମ ବୋଲି ଏହା ନାମ ବିଧାନ କରିଅଛି ବିହି ।

କଉଁ ଅବିଗୁଣେ ଅବିବେକ ପଣେ ଭୃଙ୍ଗ ଏହାକୁ କଲା ଦ୍ରୋହୀ ।

କୋମଳେ, ଶୁଣାଇଲେ ସୁଧା ଆଳାପ ।

କାଳ ଅପ୍ରାପତ ହୋଉଥିଲେ ଜାତ କରଇ କୁସୁମ କଳାପ ।୨୬।

 

କେମନ୍ତେ ବିଶାଳ ନେତ୍ର ମୁଖଶାଳ ସଖି , ପ୍ରମାଣ ରସାଳ ।

କାନ୍ତ କୋଳଗତ ନୋହିଲେ ସାକ୍ଷାତ ହୁଅଇ ଏକା ଏ ରସାଳ ।

କୋକିଳ, ଠାରୁ ସବୁରି ସ୍ନେହପାତ୍ର ।

କାମକରେ ପତ୍ରୀ ହେଲେ ବାମନେତ୍ରୀମାନଙ୍କ ବାମ ହୁଏ ମାତ୍ର ।୨୭।

 

କରୁଣା କଟାକ୍ଷେ ଅନାଇ ଫୁରୁଣା ହୋଇ ବୋଳଇ ଏ କରୁଣା ।

କରୁଣାକର କରୁଣା ବାହାରେ ଏ ହୁଅଇ ଅପୂର୍ବ କରୁଣା ।

କେ ବୋଲେ, ଦେଖ ଦେଖ ସଖି ମାଧବୀ ।

କେତେହେଁ ସ୍ନେହ ଏହାଠାରେ କରନ୍ତି ମିତ୍ର ଭାବ ଘେନି ମାଧବୀ ।୨୮।

 

କଉଁ ଗୋପୀ ହସି ବକ୍ରବାଣୀ ଭାଷି ବୋଲେ ଦେଖ, କାମଦୂତୀ

କାମ କାର୍ଯ୍ୟ ସିଦ୍ଧ କରିବାରୁ ବୁଧମାନେ ବୋଲନ୍ତି କାମଦୂତୀ ।

କେ ବୋଲେ, ଶୁଣ ଗୋ ସମସ୍ତ ସୁନାରୀ

କୃତମାଳ ନାମ ଥିବାରୁ ଏ କାମ ଅବନୀପତିର ସୁନାରୀ ।୨୯।

 

କରିଛି କୁସୁମ କପଟେ ସୁଷମ ତପନୀୟ କଣ୍ଠମାଳକୁ ।

କନ୍ଦର୍ପକୁ ଭୟ ନଥିଲେ ଥୋକାଏ ନେଇଯାଅ ଯେଝା ଗଳାକୁ ।

କେ ବୋଲେ, ସୁଖଲୋଭେ ଦୁଃଖ ପାଇବ ।

କେତୁ ମୁଣ୍ଡ ପ୍ରାୟେ ତୁଣ୍ଡ ସୁଆଦରୁ କାଳେ ଦଣ୍ଡସିନା ହୋଇବ ।୩୦।

 

କୃଷ୍ଣ କରୁଣାରେ ମର ଫୁରୁଣାରେ ଆମ୍ଭେ ବୋଲୁଥାଇଁ ନିଆଳୀ ।

କେ ବୋଲେ, ଦେଖ ଦେଖ ସଖି ଅଶୋକ

କଉଁ ରସିକିନୀ କାନ୍ତ ବିଯୋଗିନୀ ହେଲେ ନ କରାଇ ଅଶୋକ ।୩୧।

 

କେଶବ ପ୍ରସାଦେ କାମ ଅପ୍ରମାଦେ ଆମ୍ଭକୁ ହୋଇଛି ପୁନ୍ନାଗ ।

କାନ୍ତ- ସଙ୍ଗ-ଛଡ଼ା କାମ ଶର ପୀଡ଼ା ହୋଇଲେ ହୁଏ ଏ ପୁନ୍ନାଗ ।

କେବଳ, ଭଲକାଳେ ଭଲ ସଭିଏଁ ।

କେ ଅବା ଅଭଲେ ଅଭଲ ନୋହିଛି ବିଚାରି କହିଲି ସଭିଏଁ ।୩୨।

 

କଉଁ ଗୋପୀ ଦେଖି କରକୀ ତରକି ବୋଲଇ ସଖୀ ଦେଖ ଦେଖ ।

କିପାଁ ବୁଦ୍ଧନାରୀ –ସ୍ତନ ପ୍ରାୟ କରି ତଳକୁ କରିଅଛି ମୁଖ ।

କେବଳ, ମନକୁ ଏମନ୍ତ ଖଟିଲା ।

କମନୀୟ ଦନ୍ତପନ୍ତି ଦେଖି ଅନ୍ତସରିକି ହୃଦୟ ଫାଟିଲା ।୩୩।

 

କେ ବୋଲି କୁଚ ଅନାଇ ସଙ୍କୋଚ ପାଇଁ ମୁଖ କରି ତଳକୁ ।

କରି ତପସ୍ୟା କରି ପ୍ରତିଆଶ ଲଗାଇ ସମାନ ତଳକୁ ।

କେ କାହା, କୁଚେ କରଦେଇ ଆଞ୍ଚିଲା ।

କାହୁଁ ଏହାପରା ହୋଇବ ଏ ତୋରା ବୋଲି ମନ୍ଦହସ ମୁଞ୍ଚିଲା ।୩୪।

 

କହିଲେ ବହୁତ ହେବ ଏ ଚରିତ ଶୁଣ ହେ ରସିକନାଗର ।

କେବଳ ଅମୃତ ଖାଇଲେ ବହୁତ ମନକୁ ନୋହେ ସୁଖକର ।

କହଇ, ଦୀନକୃଷ୍ଣ ବନଭ୍ରମଣି ।

କର୍ଣ୍ଣେ ଏହା ଶୁଣି ସୁକୃତ ପରାଣୀ ତାର ସଂସାର – ତରଙ୍ଗିଣୀ ।୩୫।

 

ତ୍ରୟୋଦଶ ଛାନ୍ଦ

ବସନ୍ତ ଋତୁରେ ଗୋପୀ ଓ କୃଷ୍ଣଙ୍କ ମନୋଭାବ

ରାଗ - କେଦାର ଗୌଡ଼ା

 

କଳଙ୍କ ରହିତ କଳାକରଜଜିତ-ବଦନୀ ଗୋପଯୁବତୀ ।

କନ୍ଦର୍ପ ରସରେ ପୁରି ପରସ୍ପରେ ବକ୍ରବନ ଭାଷନ୍ତି ସେ । କାନ୍ତା ।

କୃଷ୍ଣ କୃପାରେ ସୁରସବନ୍ତା ସେ ।

କାହାରିହିଁ କିଛି ନାହିଁ ଚିନ୍ତା ସେ ।

କ୍ରୀଡ଼ା କଳାପ ଜାତ କରନ୍ତା ସେ ।୧।

 

କେ ବୋଲେ ବସନ୍ତ ରାଜ ଭାଗ୍ୟବନ୍ତ ରହିଲା ବୃନ୍ଦାବନରେ ।

କେତେକ ଜାତିରେ କେତେ କେତେ ବର୍ଣ୍ଣରେ ରହିଛନ୍ତି ସୁମନରେ ସେ ।

କେତେ । କାମ ବାଢିଛନ୍ତି ଯେଝାମତେ ସେ ।

କାହିଁ ଦେଖିଲା ତ ନାହିଁ ଏତେ ସେ । କେତେ ।

କାମ ବାଢିଛନ୍ତି ଯେଝାମତେ ସେ ।

କାହିଁ ଦେଖିଲା ତ ନାହିଁ ଏତେ ସେ । କଉଁ ସୁଖ ନୋହୁଅଛି ଚିତ୍ତେ ସେ ।୨।

 

କୃତମାଳ କଢି ମଲ୍ଲୀକଢି ଫୁଲ ରଙ୍ଗଣୀ ମାଣିକ୍ୟ ଫୁଲ ।

କେମନ୍ତେ ଶୋଭା କର୍ଣ୍ଣିକାରେ କର୍ଣ୍ଣିକା କେ କରିବ ଏହା ମୂଲ ସେ । କାନ୍ତି ।

କେତେ ତାରତର ଦିଶୁଛନ୍ତି ସେ ।

କେଉଁ ବିନ୍ଧାଣୀର ହୋଇଛନ୍ତି ସେ ।

କାହା ନାମକୁ ହରୁ ନାହାନ୍ତି ସେ ।୩।

 

କମନୀୟ ମଲ୍ଲୀ କଢ ମୋତିମଣି ନାସା ଆଭରଣ ଦେଖ ।

କୁରୁବକତୋରା କି ତୋରା ନୋହିଛି ଦେଉନାହିଁ କେତେ ସୁଖ ଗୋ । କହ ।

କଲେ ମଣ୍ଡନ ହେବ ଦେହ ଗୋ ।

କି ବିଚାରିବ ମନେ ଅଦେହ ଗୋ ।

କୃଷ୍ଣ କରିବେ କେତେ ସେନେହ ଗୋ । ୪।

 

କରି ଏ ବିଚାର କଲେ ଫୁଲସାର ଆଭରଣ ଅଙ୍ଗେ ଶୋଭା ।

କଉଁ ସୁର ନର ଗନ୍ଧର୍ବ କିନ୍ନର ଦେଖିଲେ ନୋହିବେ ଲୋଭା ସେ । କାଳେ ।

କାଳୀରମଣ ଦେଖିଲେ ଡ଼ୋଳେ ସେ ।

କାମିନୀକି ତକାଇବେ ତାଳେ ସେ ।

କୁଞ୍ଜବିହାରୀ ଧରିବେ ବଳେ ସେ ।୫।

 

କୁସୁମ ସୁବେଶ ହୋଇ ଗୋପୀବଂଶ କରନ୍ତେ ସୁଖେବିହାର ।

କଜ୍ଜ୍ୱଳ ବରନି କଳାମେଘ ବର୍ଣ୍ଣ ବୃନ୍ଦାବନରୁ ବାହାର ସେ । କରେ ।

କୁଳଛଡ଼ା ବଂଶୀ ଧରି ଧୀରେ ସେ ।

କଉଁ ଦୁର୍ଜ୍ଜନ ନାଶ ନ କରେ ସେ ।

କଉଁ ସଜ୍ଜନ ଅବା ନ ତାରେ ସେ ।୬।

 

କୋଟି କୋଟି କାମ ପ୍ରାୟେ ଅଭିରାମ କର୍ଣ୍ଣେ ମକର କୁଣ୍ଡଳ ।

କେକୀପୁଚ୍ଛ ଚୂଳ କଣ୍ଠେ ବନମାଳ ଶ୍ରୀମୁଖ ଚନ୍ଦ୍ରମଣ୍ଡଳ ସେ । କାହ୍ନୁ ।

କାମୀମାନଙ୍କର କାମଧେନୁ ସେ ।

କାମିନୀକୁଳ କୁସୁମ- ଧନୁ ସେ ।

କଷ୍ଟ ତିମିର ପୀୟୁଷ – ଭାନୁ ସେ ।୭।

 

କଳାକରକୁ ନକ୍ଷତ୍ର ପନ୍ତି ପ୍ରାୟେ ବେଢିଛନ୍ତି ଗୋପବାଳେ ।

କେ ବେଣୁ ଶୃଙ୍ଗ କେ ପତର କାହାଳୀ ବଜାବନ୍ତି କୁତୂହଳେ ସେ । କେହି ।

କରେ ଫୁଲ- ଛତ ଛନ୍ତି ବହି ସେ ।

କୁତୁକେ ଡ଼ାକେ ରହି ରହି ସେ ।

କର୍ଣ୍ଣେ ଲାଗି କି କି କଥା କହି ସେ ।୮।

 

କେ ଫୁଲ ଧନୁରେ ଫୁଲଶର ସନ୍ଧି କୁସୁମ ବୃଷ୍ଟି କରଇ ।

କେ ଫୁଲଆଲଟେ କୃବେଲି ଚାମରେ ଶ୍ରୀଅଙ୍ଗ ଶ୍ରମ ହରଇ ସେ । କୃଷ୍ଣ ।

କୃପାକଟାକ୍ଷେ ଗୋପୀ ସତୃଷ୍ଣ ସେ ।

କପଟରେ ବଢାଇଲେ ଉଷ୍ଣ ସେ ।

କଲେ ସରାଗେ ତାହାଙ୍କୁ ପ୍ରଶ୍ନ ସେ ।୯।

 

କି ଗୋ ବାମନେତ୍ରୀମାନେ କାମଛତ୍ରୀ ପୁଲ ପତ୍ରୀ ତ ତୋଳିଲ ।

କଉଁ ଅବଚାରେ ଆପଣା ଦେହରେ କଣ୍ଡୁର ଆଣି ବୋଳିଲ ଗୋ ।

କହ କାମ କାଣ୍ଡେ ତ ମଣ୍ଡିଲ ଦେହ ଗୋ ।

ଜାଳେ ହୋଇବ ଅତି ଦୁଃସହ ଗୋ ।

କାହିଁପାଇଁ ହେଲେ ଏଡ଼େ ମୋହ ଗୋ ।୧୦।

 

କୁଳଦେବତାଙ୍କୁ ଲାଗି କରିବାକୁ କରିଥିଲି ମୁଁ ଯତନ ।

କଉଁ ବଡ଼ପଣେ ତାହା ଜଣେ ଜଣେ କଳ ଏଡ଼େ ଅଯତନେ ଗୋ । କହ ।

କିମ୍ପା କରାଇଲ ଅନ୍ତଦାହ ଗୋ ।

କେହି ସହିବଟି ଏହା ଦେହ ଗୋ ।

କାହିଁ ଯିବ ଆଜ ରହ ରହ ଗୋ ।୧୧।

 

କଉଁ ଗୋପୀ ବୋଲେ ତୁମ୍ଭେ ଶୁଭେ ଥିଲେ କନ୍ଦର୍ପ କରିବ କିସ ।

କେବେହେଁ ପୀୟୂଷ ଖାଇଲେ ବିନାଶ କରିପାରେ ଛାର ବିଷ ହେ ।

କାନ୍ତ। କାହିଁପାଇଁ ହେଉଛି ଏମନ୍ତ ହେ ।

କିଛି ଲାଞ୍ଚ ଦେବା ହୁଅ ଶାନ୍ତ ହେ ।

କିମ୍ପା ମାରୁଛ କଟାକ୍ଷ କୁନ୍ତ ହେ ।୧୨।

 

କେଶବ ବୋଲନ୍ତି କେବେହେଁ ମୁଁ ଶାନ୍ତି ନୋହିବି ଏ ମୋ ପ୍ରମାଣ ।

କୁଚଶମ୍ଭୁଶିରେ ଦେଉଅଛି କର ମୋତେ କଂସ ମାମୁଁ ରାଣ ଗୋ ।

କେହି । କୁଞ୍ଜବନୁ ଆଜ ଯିବନାହିଁ ଗୋ ।

କାମଦେବଙ୍କୁ ଡରିଲା ନାହିଁ ଗୋ ।

କଟାକ୍ଷରେ ମୋତେ ଚାହିଁ ଗୋ ।୧୩।

 

କୃଷ୍ଣ ବାଣୀ ଶୁଣି ବରଜରମଣୀ ଫୁଲମାଳେ ମାଳେ ନେଇ ।

କରୁଛୁ ବରଣ ତୁମ୍ଭେ ଆମ୍ଭ ପ୍ରାଣ ବୋଲି ଗଳାରେ ଲମ୍ବାଇ ସେ । କେହି ।

କଟାକ୍ଷରେ ବକ୍ରକରି ଚାହିଁ ସେ ।

କଉତୁକେ ଗଲେ ରହି ରହି ସେ, କଞ୍ଜନୟନ ହୃଦୟ ମୋହି ସେ ।୧୪।

 

କନକବରନୀ କୁମ୍ଭୀ-କୁମ୍ଭସ୍ତନୀ ଗୋପେ ପ୍ରବେଶ ହୋଇଲେ ।

କମଳ ହରଷ ଘେନି ସାତଅଶ୍ୱ ଚରମ ଚଳ ଛୁଇଁଲେ ସେ । କାଳ ।

କଲା କନ୍ଦର୍ପେ ମନ ଚଞ୍ଚଳ ସେ ।

କିଛି ତୁଟାଇଲା ଲଜ୍ଜା ବଳ ସେ ।

କିବା କନ୍ୟା ଯୁବା ସନ୍ଧି ବେଳ ସେ ।୧୫।

 

କଳାକର କଳା ପ୍ରକାଶି ଆସଇ ନୟନକୁ ସୁଖଦାୟୀ ।

କୁସୁମ ବିକାଶ ବେଳ ପରବେଶ ବହୁତ ଦୂରରେ ନାହିଁ ସେ । କାଳ ।

କହୁଁ କହୁଁ ଦିଶିଲା ମଞ୍ଜୁଳ ସେ ।

କରାଇଲା ଦ୍ୱିଜଙ୍କୁ ତରଳ ସେ ।

କୋକ ଶୋକ ଦେବାରେ କୁଶଳ ସେ ।୧୬।

 

କିବା ବାରବଧୂ ନିଧୂବନ ଆଶେ ହୋଇ ଅନୁରାଗବତୀ ।

କରି ଅଙ୍ଗଶୋଭା ଉଭା ହେଲା ପ୍ରାୟ ଦିଶେ ନିଶାମୁଖ ଜ୍ୟୋତି ସେ । କାଳେ ।

କମ୍ଭୁଘୋଷ ଶୁଭେ ଦେବଆଳେ ସେ ।

କଲେ ଧେନୁ ଦୋହନ ଗୋପାଳେ ସେ ।

କାମୀ ପ୍ରବେଶ ସଙ୍କେତ ସ୍ଥଳେ ସେ ।୧୭।

 

କହୁଁ କହୁଁ ଅନ୍ଧକାର କଲା ଅନ୍ଧ ଲିଭିବାରୁ ରବି ଦୀପ ।

କୃପଣଙ୍କ ଧନ ପ୍ରାୟ ହେଲା ଜନମାନଙ୍କର ଦେବଦୀପ ସେ । କଳା ।

କଉଁ ଲୋକଙ୍କୁ ହେଲା ଶୃଙ୍ଖଳା ସେ ।

କୁଳଟାଙ୍କୁ କରାଇଲା ଲୀଳା ସେ ।

କିବା ଚୋର ନେତ୍ର ସୁଖମାଳା ସେ ।୧୮।

 

କଉଶିକ ସୁଖ ଜାତ କରିବାକୁ ରଘୁତିଳକ ପରାୟେ ।

କି ଅବା ବିଷ୍ଣୁ ସମାନ ସର୍ବବ୍ୟାପୀ ଅଛିଦ୍ର ନିବିଡ଼ମୟେ ସେ । କାଳ ।

କାଳପ୍ରାୟ ଦିଶେ ବିକରାଳ ସେ ।

କୃଷ୍ଣ ଅଭିସାରୀ ନେତ୍ର ଫଳ ସେ ।

କାଳ। କାଳପ୍ରାୟ ଦିଶେ ବିକରାଳ ସେ ।

କୃଷ୍ଣ ଅଭିସାରୀ ନେତ୍ର ଫଳ ସେ । କଲା ନିଶାଚରକୁ ପ୍ରବଳ ସେ ।୧୯।

 

କିବା ପୁଷ୍ପବନ୍ତେ ହରିବା ନିମନ୍ତେ ତମକୁ ଛନ୍ତି ଗୋଡ଼ାଇ ।

କି ଅବା ତାହାକୁ ଗ୍ରାସ କରିବାକୁ ତମ ଅଛି ଘଉଡ଼ାଇ ସେ ।

କଥା କହିବାକୁ କେବା ସାମରଥ ସେ ।

କହି ବସିଲେ ହୋଇବ ପୋଥା ସେ ।

କବି ତୁଣ୍ଡ କରାଇବ ବ୍ୟଥା ସେ ।୨୦।

 

କିଛିକାଳେ ରାଜା ରାଜା ପ୍ରାୟେ ହୋଇ ଉଦୟ ହୋଇଲେ ଆସି ।

କୁମୁଦ ବିକାଶି ଲୋକେ ହେଲେ ତୋଷି ଦୁଷ୍ଟ ତମ ଗଲା ଖସି ସେ । କାନ୍ତି ।

କଲା ଦୀନଲୋକେ ତାପ ଶାନ୍ତି ସେ ।

କରାଇଲା ବିଟପୀଙ୍କି ଭ୍ରାନ୍ତି ସେ ।

କଲା ନିବର୍ତ୍ତ ଚୋରଙ୍କ ଗତି ସେ ।୨୧।

 

କୃଷ୍ଣ ହୃଦରେ କଉସ୍ତୁଭ ପରାୟେ ବିଷ୍ଣୁ ପଦେ ଶଶୀ ଦିଶେ ।

କଳଙ୍କ କପଟେ ଯାମିନୀ କାମିନୀ କୋଳରେ ଧରିଛି କି ସେ । କିବା ।

କଳଧଉତ ଫଳକ ଅବା ସେ ।କରି ବିଚାର କାମୀ ବଧିବା ସେ ।

କରୁଁ ଥୋଇଅଛି କାମଦେବା ସେ । ୨୨।

 

କଳା କିତପା ଚନ୍ଦ୍ରାତପ ମଧ୍ୟେ କି ରଜତ ଗିରି ନାୟକ ।

ଜଉତୁକରେ ତାର ଚାନ୍ଦି ଦର୍ପଣ ଖଞ୍ଜାଇ ଅଛି ଅନେକ ତା । କହି ।

କବି ପାରକୁ ପାଇଲା ନାହିଁ ତା ।

କଳେବର ଦ୍ରବିଗଲା ବହି ତା ।

କଉଁଭାଗ୍ୟେ ପ୍ରାଣଅଛି ରହି ତା ।୨୩।

 

କଳାନିଧି ଶୋଭା ଦେଖି ମହାସୁଖୀ ହୋଇଲେ ଚକୋର ପନ୍ତି ।

କ୍ରୀଡ଼ା କଲେ ବ୍ରୀଡ଼ା ଛଡ଼ାଇ ମନରୁ କେଉଁ ରସିକ ଦମ୍ପତି ସେ । କେହି ।

କାନ୍ତ ବିଚ୍ଛେଦ ଦଶାକୁ ବହି ସେ ।

କାମ- କାଣ୍ଡ କାଣ୍ଡେ ହେଲା ଦହି ସେ ।

କଳାକରକୁ ଚାହିଁଲା ନାହିଁ ସେ ।୨୪।

 

କସମେ ସମୟେ ମହାସୁଖମୟେ ତହିଁ ପୁଣି ଚାନ୍ଦରାତି ।

କୋକିଳ ଭାରତୀ କାମ ଗତାଗତି ସ୍ଥିର ହେବ କାହା ଛାତି ସେ ।

କାମ ରସିକ ଗୁଆଁର ତୁଲେ ସେ ।

କାମୀ ନଥିଲେ କାମିନୀ କୋଳେ ସେ ।

କରେ ଖଣ୍ଡ ଖଣ୍ଡ କରବାଳେ ସେ ।୨୫।

 

କେ ବସି ଏକାନ୍ତେ ଲେଖା ଲେଖି କାନ୍ତେ କେତକୀ ଦଳ ମଧ୍ୟରେ ।

କଉଁ ସୁବିଚାରେ ରହିଅଛ ଦୂରେ ଏଡ଼େ ବସନ୍ତ ଋତୁରେ ହେ । କହ ।

କିବା ପାଷାଣ ତୁମ୍ଭ ବିଗ୍ରହ ହେ ।

କି ଏ କଳାକରକୁ ନ ଚାହଁ ହେ ।

କାହା ଅଙ୍କ କରିଅଛି ମୋହ ହେ ।୨୬।

 

କୋକିଳ ଭାରତୀ ନ ଶୁଭଇ ଶ୍ରୁତି ନ ଲାଗେ ମନପବନ ।

କୁସୁମ ସୁବାସ ନ ଘେନଇ ଶ୍ୱାସ କି ତୁମ୍ଭେ ଏଡ଼େ ଅଜ୍ଞାନ ହେ । କାନ୍ତ ।

କି ସେ ଦେଶରେ ନାହିଁ ବସନ୍ତ ହେ ।

କିମ୍ବା ନୁହ ତୁମ୍ଭେ ଗୁଣବନ୍ତ ହେ ।

କହ କହ ମୋତେ ଏ ଉଦନ୍ତ ହେ ।୨୭।

 

କଉଁ ନାଗର ଦୂତୀ ଆଗେ କହି କହିବୁ ପ୍ରାଣଧନକୁ ।

କାଲିପରି ପ୍ରେମଦାସ ଭେଟୁଅଛି ଦୁଃଖ ନଦେବୁ ମନକୁରେ । କାନ୍ତା ।

କାନ୍ତ ହରିବେ ସମସ୍ତ ଚିନ୍ତା ରେ ।

କରି ହୃଦୟରେ ତୋତେ ଚିନ୍ତାରେ । କିମ୍ପା ରଖିବ କାମ ଅହନ୍ତାରେ ।୨୮।

 

କାହା ଦୂତୀ ଯାଇଁ କାନ୍ତକୁ କହଇ କଲ ଉତ୍ତମ ବିଚାର ।

କାଳଯାକ ପ୍ରୀତି କରି ଗଲ ଯାହା କୁସୁମକାଳେ ଅନ୍ତର ହେ । କାନ୍ତ ।

କର୍ମେ ଥିଲା ତୁମ୍ଭର ଏମନ୍ତ ହେ ।

କାଳେ ହେବ କାମିନୀ କୃତାନ୍ତ ହେ ।

କି ନୋହିଲେ ତୁମ୍ଭେ ଗୁଣବନ୍ତ ହେ ।୨୯।

 

କେତେବେଳେହେଁ କଳା ଧଳା ନୁହଇଁ କହିଲେ କିହେବ ତାହା ।

କଲତ ଦଇତ ଚରିତ ବଧୂ ବଧ କଲା ଯାହା ସେ । କଥା ।

କାନ୍ତ ଶୁଣି ନତ କଲା ମଥା ସେ ।

କୁଳିଶକୁ ହିଁ ବଳିଲା ବ୍ୟଥା ସେ ।

କ୍ରମେ ହୋଇଲା କାମ ଗଳଥା ସେ । ୩୦।

 

କହଇ ନାୟକ ସଖୀ ତୁ ଯେତେକ କହିଲୁ ଏଥି ମୁଁ ମଲି ।

କହ ମୋ ଧନୀକି ମନମୋହିନୀକି ତୋହ ପଛେ ପଛେ କଲି ହେ । କାଳ ।

କେତେବେଳରେ ହୋଇବ ମେଳ ସେ ।

କାମ ତାପ କରିବ ଶୀତଳ ସେ ।

କଉଁ ରୂପରେ ନୁହଇ ବଳ ସେ ।୩୧।

 

କଲେ ଯେତେ ଯେତେ କ୍ରୀଡ଼ା ଏ ବସନ୍ତେ କୁଞ୍ଜବିନୋଦିୟା ହରି ।

କୋଟି କୋଟି ତପେ ଜନ୍ମି କବିରୂପେ ସେ ସୁଖ କହି ନପାରି ସେ । କେଳି ।

କଣ୍ଠ ମଣ୍ଡନ କୁମୁତାମାଳି ସେ ।

କହୁଥିଲେ କଳୁଷକୁ ଦଳି ସେ ।

କେତେ ଜାଣନ୍ତି ବରଜବାଳୀ ସେ।୩୨।

 

କେତେବେଳେ ଗୋପେ ନାଗର ସ୍ୱରୂପେ ବସନ୍ତ ପତନୀ ପିନ୍ଧି ।

କର୍ପୂର ଚନ୍ଦନ ଅଙ୍ଗେ ବିଲେପନ କମନୀୟ ଗଭା ବାନ୍ଧି ସେ । କାହିଁ ।

କଉତୁକ କଥାମାନ କହି ସେ ।

କଳାକର ପ୍ରିୟାଯାକ ରହି ସେ ।

କାମ ପ୍ରିୟତମା ସୁଖ ବହି ସେ । ୩୩।

 

କଳିନ୍ଦୀ କୂଳିଆ କଦମ୍ୱମୂଳିଆ କାଇଁଚମାଳିଆ ପାଦେ ।

କୃଷ୍ଣଦାସ ମନ ବଚନ କର୍ତ୍ତବ୍ୟ ରଖିଅଛି ଅପ୍ରମାଦେ ସେ । କାଳେ ।

କାଳଭୟ ବିନାଶିବ ହେଳେ ସେ ।

କଷ୍ଟ ନ ପାଇବ ଭବଜଳେ ସେ ।

କିଛି ନ କରିବ ଅମଙ୍ଗଳେ ସେ ।୩୪।

 

ଚତୁର୍ଦ୍ଦଶ ଛାନ୍ଦ - ବସନ୍ତ - ବିହାର

ରାଗ - କାଳୀ

 

କୁସୁମକାଳ କାହାକୁ କାଳ ପ୍ରାୟ ହୋଇଲା ପ୍ରତେ ।

କୃଷ୍ଣ ଯାହାର ହୃଦରେ ହାର ନୋହିଲେ କଦାଚିତେ ।

କେ ଅବା ତାହା କହିବ ଯାହା ହେଲା ସେ ବିରହରେ ।

କେବଳ ଅଙ୍ଗହେଲା ଅନଙ୍ଗ ଅନଳ ସେନେହେରେ ।୧।

 

କଉ ସୁତନୁ ଦୟିତ ବିନୁ କଲା ତନୁକୁ ତନୁ ।

କେବେ ତାହାର କରୁ ବାହାର ନ କଲା ଆଉ ହନୁ ।

କର କଙ୍କଣ ଛାଡ଼ି କଙ୍କର ମୁଞ୍ଚିଲା ନିମନ୍ତରେ ।

କୁସୁମବାଣ ବିନ୍ଧିଲା ବାଣ ବସି ତାହା ଅନ୍ତରେ ।୨।

 

କଉଁ ସୁକେଶୀ ଦୂତୀଙ୍କି ପେଷ କାନ୍ତ ଆସିବା ଆଶେ ।

କରି ସୁବେଶ ଶ୍ରୀଅଙ୍ଗ ଦେଶ ଅନାଇ ସେହି ଆଶେ ।

କି କି ହୋଇ ସେ ଦଇବ ବଶେ ନଇଲା ତାର ପାଶେ।

କିଞ୍ଚିତେ କାମ ପୂରୋଇ କାମ ବନ୍ଧନ କଲା ପାଶେ ।୩।

 

କେ ଅଙ୍ଗ ସଜ ବଢାଇ ଶେଯ ଶେଯାଇ ରତି ଆଶେ ।

କୃଷ୍ଣ ଗଗନକାଳକୁ ମନ ଦେଇ ମନ୍ଦିରେ ବସେ ।

କଲା ସେ ଦୃଷ୍ଟି କରେ ଚାତକୀପ୍ରାୟେ ।

କେବଳ ସଙ୍ଗେ ରହିଲା ରଙ୍ଗେ ଧନୁକୀ କାମରାୟେ ।୪।

 

କଳହ କରି କଉଁ ସୁନ୍ଦରୀ କୃଷ୍ଣ ପାଶରୁ ଆସି ।

କର-କମଳ ତଳେ କପୋଳେ ଦେଇ ଦୁଃଖରେ ବସି ।

କରେ କାରଣା କ୍ରୋଧେ ଅରୁଣା ଦିଶେ ବଦନଶଶୀ ।

କରଜେ ମହୀ ଲେଖଇ ମହୀମଣ୍ଡନୀ ମୃଗଦଶୀ ।୫।

 

କଉଁ ସୁଖୀ ତା ଦେଖି ବକ୍ରତା କରି ବୋଲଇ ବାଣୀ ।

କି ମାନବଲ୍ଲୀ ବଢିବ ବୋଲି ଦେଉଛୁ ସଖି ପାଣି ।

କଉଁ ଦଇବ ଏ ପରାଭବ ଦେବାକୁ ଥିଲା ବସି ।

କେଡ଼େ ଉତ୍ସବ ପାଇଁ କେଶବଠାରୁ ଅଇଲୁ ଋଷି ।୬।

 

କୃଷ୍ଣ ବିରହଜ୍ୱରେ କେ ଦେହ କେଶ ପାଣ୍ଡୁର କରି ।

କେଶ ବସନ ମଳିନ ଦୀନେ ମନରେ ଅଛି ଧରି ।

କରି ଭୂଷଣ ଅଙ୍ଗ ଭୂଷଣ ବହଇ ନାହିଁ ଅଙ୍ଗେ।

କୁରବୀ ପ୍ରାୟେ ଝୁରଇ ପାଇବାରୁ ଅନଙ୍ଗେ ।୭।

 

କୃଷ୍ଣ ଆସିବାବେଳେ ବଳିବା ବିଚାରି କଉଁ ଗୋପୀ ।

କୁସୁମଶର ଶରେ ଜର୍ଜର ହୋଇ ସନ୍ତତେ ତାପୀ ।

କାମ ତୁରଙ୍ଗ ପ୍ରାୟେ ତରଙ୍ଗ କରଇ ନେତ୍ର ଗତି ।

କୃଷ୍ଣ ଦର୍ଶନ ଭାବି ଉଚ୍ଛନ୍ନ ରସିକ ଗୁଣବତୀ ।୮।

 

କେଉଁ ଯୁବତୀ ମଦନେ ମାତି ପୀତପତନୀ ପିନ୍ଧି ।

କର୍ପୂର ଧୂଳି ଅଙ୍ଗରେ ବୋଳି କୁସୁମ ଗଭା ବାନ୍ଧି ।

କ୍ରୀଡ଼ାକୁ ପାଇ ବ୍ରୀଡ଼ା ପକାଇ କୃଷ୍ଣରେ ଦେଇ ମତି

କରଇ ଗଜଗାମିନୀ ଗଜପତି ପରାୟେ ଗତି ।୯।

 

କାହା ଅଧୀନ ହୋଇ ମୋହନ ଫୁଲ ଚନ୍ଦନ ଦେଇ ।

କହି ବଚନ ଚୁମ୍ବାଲିଙ୍ଗନ ଦୂତୀକି ପଠିଆଇ ।

କୁସୁମ ଶେଯ କରାଇ ସଜ ହୋଇ ହରଷେ ବସେ।

କୁସୁମ ଧନୁ କୁସୁମ ଧନୁ ଧରି ରହିଛି ପାଶେ ।୧୦।

 

କଉଁ ଗୋପିକା ନିଶାରେ ଏକା ହୋଇ ରହିବା ଜାଣି ।

କୁସୁମକାଣ୍ଡ କୁସୁମ କାଣ୍ଡ କାଣ୍ଡ ଭାଙ୍ଗିଲା ଆଣି ।

କୃଷ୍ଣଙ୍କୁ ଭାବି କାହାର ନୀବୀ ବନ୍ଧନ ଗଲା ଫିଟି ।

କର କଙ୍କଣ କଣ୍ଠ ଭୂଷଣ କାଞ୍ଚି ହୋଇଲା କାଟି ।୧୧।

 

କେହୁ ଉଜ୍ଜ୍ୱଳ ରସେ ଉଜ୍ଜ୍ୱଳେ ଦେଖ ଉଜ୍ଜ୍ୱଳ ରାତି ।

କାମମଦରେ ମାତି ମୋଦରେ କଲା ବିବିଧ ରତି ।

କୃଷ୍ଣ ମାନସ ତୋଷି ମାନସ ସଦନେ ମନ୍ଦଗତି ।

କଲା ଅଜୟ ମଦନ ଜୟ ରସିକା ଗୁଣବତୀ ।୧୨।

 

କେ କାନ୍ତତନୁ କରରେ ଧନୁ ବଲ୍ଲୀ ଆକାର କରି ।

କଲା ସ୍ମରଣ ରଣକରଣ ପୁରୁଷ ଭାବ ଧରି ।

କେ କାମଅନ୍ଧେ ବିବିଧ ବନ୍ଧେ ଦେଲା ସୁରତି ଦାନ ।

କହିଲେ ଶେଷ ନୋହିବ ଲେଶ ବାସନ୍ତୀ କ୍ରୀଡ଼ାମାନ ।୧୩।

 

କରେ କୁମୁଦ –ବନକୁ ମୁଦ ଯେମନ୍ତ କଳାନିଧି କଳାନିଧି ।

କାୟାକୁ ହରି ବହୁତ କରି ଗେୀପୀଙ୍କି ତେହ୍ନେ ବୋଧି ।

କାହାକୁ ଚୁମ୍ବଦେଇ ରୋଳମ୍ବ ପ୍ରାୟେ କରନତି ଭୋଗ ।

କାହା ଦୁକୁଳ ହରି ଉଜ୍ଜ୍ୱଳ ରସେ ହୁଅନ୍ତି ଯୋଗ ।୧୪।

 

କଉଁ ଗୋପୀକି ପାଶକୁ ଡ଼ାକି ବୋଲନ୍ତି ଆଗୋ ସଖି ।

କାମ ବନିତା ସୁରସଲତା କାହିଁ ଅଛୁ କି ଦେଖି ।

କାଲି ସେ ଋଷି ରହିଛି ଆସି କାହା ମନ୍ଦିରେ ଯାଇଁ ।

କନ୍ଦର୍ପ ମୋତେ କହିଛି କେତେ ସମ୍ପାଦି ଦେବାପାଇଁ ।୧୫।

 

କହୁଛି କର ଧରି ତୋହର କରିବୁ ତୁହି ଏତେ ।

କାମ ଉପ୍ରୋଧେ ମନ ସଂଶ୍ରଦ୍ଧେ ଦେବୁ ତାହାକୁ ମୋତେ ।

କହେ ଚତୁରୀ ଚାତୁରୀ କରି ତାକୁ ପାଇବ କାହିଁ ।

କେବେ ଆକାଶ-କୁସୁମ ରସ ଭ୍ରମର ପାଇ ନାହିଁ ।୧୬।

 

କ୍ରମରେ ରାତି ହେଲା ପାହାନ୍ତି କରନ୍ତେ ଏହି ଲୀଳା ।

କୁକ୍‌କୁଟ ଧ୍ୱନି ପରି ଅବନୀ କଲା ଲୋକଙ୍କୁ ଲୋଳା ।

କୋକିଳ କଳ ଡ଼ାଳ ଚହଳ ଶୁଭିଲା ସବୁଆଡ଼େ ।

କୋକ ମିଥୁନ ମନୁଁ ବହନ ବିରହ ଦୁଃଖ ଛାଡ଼େ ।୧୭।

 

କମ୍ବୁ ଶବଦ ଶୁଭିଲା ।

ଦେବମାନଙ୍କ ନିକେତନ ।

କଲେ ବ୍ରାହ୍ମଣମାନେ ପ୍ରୟାଣ ସ୍ନାନକୁ ତୋଷମନେ ।

କୁଙ୍କୁମବର୍ଣ୍ଣେ ଦିଶିଲା ଘନ-ବାହନ ଦିଗଯାକ ।

କଲେ ବିଜୟେ ଆସି ଉଦୟେ ଛାୟା- ପ୍ରାଣ ନାୟକ ।୧୮।

 

କୁସୁମ ଗନ୍ଧ ଘେନି ସୁଗନ୍ଧବହ ସଧୀରେ ବହେ ।

କଲେ ଶୀତଳ ହୃଦୟସ୍ଥଳ ମୋତିମାଳ ନିବହେ ।

କଳକୂଜିତ କଲେ କପୋତ ରତି କୂଜିତ ପ୍ରାୟେ ।

କାକକୁ ଡରି କାକ ବଇରୀ କ୍ରୋଧେ ପ୍ରବେଶ ହୋଏ ।୧୯।

 

କଲେ ଗୋଧନଦୁହଁ ।

ଗୋଧନ- ପ୍ରତିପାଳକମାନେ ।

କରନ୍ତେ ଦଧି ମନ୍ଥନ ବିଧି ଶୁଭେ ଶିଞ୍ଜିତ ତାନେ ।

କଉଁ ସୁଜନ ଛାଡ଼ି ଶୟନ ସୁମରେ ସୁଖଧାମ ।

କୀର ସାରିକା ପଢିଲେ ଏହା ଶ୍ରୀ ରାଧାକୃଷ୍ଣ ନାମ ।୨୦।

 

କଟୁଆଳଙ୍କ ତସକରଙ୍କ ପ୍ରଭା ପ୍ରଭାତ ହେଲା ।

କୁଳଟା ନାରୀ ନିଶାଭିସାରୀ ସଞ୍ଚାର ଭାଜିଗଲା ।

କଉଁ ପୁରୁଷ ସଙ୍କେତବାସ ଜଗି କାନ୍ତାକୁ ଭାଳେ ।

କାମ ପ୍ରବଳେ ମନ ଆକୁଳେ ସୁରସୂତକୁ ଚଳେ ।୨୧।

 

କଲେ ତୋ ଅଙ୍ଗ ଦଇବ ଭଙ୍ଗ ଭାଜିଲା ନାହିଁ ଗର୍ବ ।

କଲୁ ମୋହର ସୁଖ ତୋହର କରରେ ଏଡ଼େ ଖର୍ବ ।

କଠୋର ମାତା ଏଡ଼େ ଅବସ୍ଥା ଦେଲା ଏହି ହେତୁରୁ ।

କଲା ଅସାର ନ ଭାଙ୍ଗି ଭାଙ୍ଗିଲା ଯାହା ଊରୁ ।୨୨।

 

କେ ବାରନାରୀ ପୁରୁଁ ପ୍ରସରି ଚଉକତିକି ଚାହିଁ ।

କରି ଗତି କମ୍ପଇ ଛାତି ରାତି ଯିବାରୁ ପାହି ।

କଉଁ ରସିକ ଧୂପମଶକ ପରାୟେ ପଳାଇଲା ।

କାତରତରେ ବେନି ପାଖରେ କଟାକ୍ଷ ଖେଳାଇଲା । ୨୩।

 

କଉଁ ଶଠର ଆକୃତି ବରବେଶ ପରାୟେ ଦିଶେ

କୁଙ୍କୁମ ଅଙ୍ଗ ତାମ୍ବୁଳ ରଙ୍ଗ ପ୍ରକାଶେ ଗଣ୍ଡ ଦେଶେ ।

କପାଳେ ଚିତା ପ୍ରାୟେ ଅଳତା ଓଷ୍ଠେ କଜ୍ଜ୍ୱଳ କାଳି ।

କଉଁ ସୁକେଶୀ ଦେଖି ତା ହସି କରେ ଧଇଲା ତାଳି ।୨୪।

 

କୁଟିଳ କରି ବୋଲେ ଚାତୁରୀ ବିଭା ହେଲ କି କାଲି ।

କାହାରି ଚିତ୍ତେ ନଥିଲା ପ୍ରତେ ଏମନ୍ତ ହେବ ବୋଲି ।

କଉତୁକରେ ଦର୍ପଣ କରେ ଧରି ବୋଲଇ ଚାହଁ ।

କେମନ୍ତ ଚିତ୍ର ଦିଶେ ବଳତ୍ର କେମନ୍ତ ଶୋଭା ଦେହ ।୨୫।

 

କେବଳ ଏହିବେଶ ମୋ ସହି ଆଗେ ଦେଖାଅ କି ନା ।

କରେ ସେ ଦୀପ ଘେନ ଏ ରୂପ କରନ୍ତୁ ବନ୍ଦାପନା ।

କଲି ମୁଁ ଆଖି ସଫଳ ଦେଖି ସେହି ହୁଅନ୍ତୁ ସୁଖୀ ।

କୁଟିଳବାଣୀ କଣ୍ଠରେ ଶୁଣି ସଙ୍କୋଚ – ପଙ୍କେ ଲାଖି । ୨୬।

 

କଉ ଖଣ୍ଡିତା ରତି ପଣ୍ଡିତା ଦେଖି ନାୟକ ବେଶ ।

କ୍ରୋଧ ହରଷେ ବାହିକି ରସେ ବୋଲଇ ଆସ ଆସ ।

କାଲି କାହାର ସଙ୍ଗେ ବିହାର କଲ ତା କହ କହ ।

କେତେ ଦଶନ କରଜ ଚିହ୍ନ ମଣ୍ଡି ହୋଇଛି ଦେହ ।୨୭।

 

କାକବଇରୀ କାକକୁ ଡରି ଭାଜିଲା ପ୍ରାୟେ ହୋଇ ।

କଉଁ ଭୟରେ ଧାଇଁଛ ଖରେ କ୍ରୋଧେ ପଶିବା ପାଇଁ ।

କରି ଦୂଷଣ କଥା ଭୂଷଣ ତୁମ୍ଭେ ନ ପାଅ ଲାଜ ।

କିଞ୍ଚିତ ଶ୍ରମ ପାଇ ବିଶ୍ରାମ ହେବାରୁ କେଉଁ କାର୍ଯ୍ୟ ।୨୮।

 

କାଳକ ଏହି କଥାକୁ ବିହି କଲା ତୁମ୍ଭଙ୍କୁ ଜାତ ।

କର ଯା ଗତି ଯେଉଁ ଯୁବତୀ ସଙ୍ଗେ ମଦନେ ମାତ ।

କଜ୍ଜ୍ୱଳକଳା ଚନ୍ଦନ ଧଳା ମୁଖ ମଣ୍ଡଳେ ମଣ୍ଡେ କି କି ହୋଇ

ଯେ ବିକୃତି ଦିଶେ ଲାଗିଲା ମାତ୍ରେ ଗଣ୍ଡେ ।୨୯।

 

କଉଁ ସୁନ୍ଦରୀ ସୁରତି ସାରି ଜାର ପାଶରୁ ଆସେ ।

କରୀ ମର୍ଦ୍ଦନ ପଦ୍ମସମାନ ଅଙ୍ଗ ନୀରସ ଦିଶେ ।

କବରୀ ଭାର ଖସି ତାହାର ଚୁମ୍ବିଛି କୃକାଟିକା ।

କପାଳୁ କିଛି ଲିଭିଯାଇଛି ଚାରୁ ଚନ୍ଦନ ଟୀକା ।୩୦।

 

କରଜ ଘାତ ଦଶନକ୍ଷତ୍ର କୁଚମଣ୍ଡଳେ ଦିଶେ

କୀରଦଂଶନ ବିମ୍ବସମାନ ଅଧର ପରକାଶେ ।

କଟିବସନ ପିନ୍ଧା ବିଧାନ ଶିଥିଳ ହୋଇ ହସେ ।

କେଶରୀ ଭୟେ କୁରଙ୍ଗୀ ପ୍ରାୟେ ଚାହୁଁଛି ଚଉପାଶେ ।୩୧।

 

କୁସୁମ ଶର ଘୋର ସମର ସଞ୍ଚାର ଶ୍ରମ ଭରୁ ।

କରନ୍ତେ ଗତି ଚରଣ ସ୍ଥିତ ନୁହଇ ଅବଶରୁ ।

କନକଲତା ପବନ ସତ୍ତା ଲାଗିଲା ପ୍ରାୟେ ଚଳେ ।

କୁଟିଳଭାଷୀ ସଜନୀ ଆସି ଦେଖିଲା ଏହିକାଳେ ।୩୨।

 

କହିଲା ଧୀରେ କାମ ସମରେ ଥିଲୁ କି ସଖି ଆଜ ।

କାହାର ଜୟେ କେ ପରାଜୟେ ପାଇ ପାଇଲା ଲାଜ ।

କରୁଛି ପ୍ରତେ ମନରେ ଏତେ ଏ ଚାଲି ଅନୁମାନ।

କର୍କଶ ଗଦା ପୂର୍ବରୁ ମୁଦା ଗଲା ଏ ଜଙ୍ଗ ଜାନୁ ।୩୩।

 

କାହିଁ କି ପାଇଁ ଅଛୁ ପଳାଇ ଗଲିନି ସବୁ ଜାଣି ।

କହୁ ବଡ଼ାଇ ଆଜ ଛଡ଼ାଇ ଘେନିଲି ତୋର ଆଣି ।

କପଟ ଏତେ ଥାଇ ତୋ ଚିତ୍ତେ ଭଲାରେ ଚନ୍ଦ୍ରମୁଖୀ !

କେହି ନ ଦେଖିଥିଲେ ତୋ ଆଖି ତୋହ କଥାକୁ ସାକ୍ଷୀ । ୩୪।

 

କରଜଗାର ଦେହେ ଅପାର କଳା ପ୍ରସ୍ତର ପ୍ରାୟେ ।

କରଣୀ ବନ୍ଧଠାରୁ କି ବନ୍ଧ ଗଲା ମାର୍ଜାର ଯାଏ ।

କହିବି କେତେ ଏରୂପେ ଯେତେ ସୁରତି ଅନ୍ତର୍ଗତି ।

କାମ ସାଗର ଲହରୀ ପାର ପାଇବା ଦୂର ଅତି ।୩୫।

 

କୁଳପାଳିକା କାନ୍ତକୁ ଏକା କରି ଅନ୍ତର ହେଲେ ।

କ୍ରମରେ ନିଶିତାରକ ଶଶୀ ଅସ୍ତ ଦଶାକୁ ଗଲେ ।

କୁମୁଦ ବନ କଲେ ଶୟନ ହସିଲେ ପଦ୍ମମାନେ ।

କୃଷ୍ଣ ଚରିତ ଗୀତ ବହୁତ ଶୁଭିଲା ସ୍ଥାନେ ସ୍ଥାନେ ।୩୬।

 

କୁମୁଦ କୋଷ ଛାଡ଼ି ସାରସ ପାଶେ ଭ୍ରମର ମିଳି ।

କଲେ ଅଲମ୍ବ ବିଭାବ ଚୁମ୍ବ ଦାନ ରଙ୍ଗରେ କେଳି ।

କମଳନାଥ ଅମର ପଥ ମଣ୍ଡି ତୋଷିଲେ ମନ ।

କଲେ ଯେ ଯାହାମତେ ଉତ୍ସାହା ହୋଇ ବ୍ୟାପାରମାନ ।୩୭।

 

କଳାପର୍ବତ ନାୟକ ନିତ୍ୟକୃତ୍ୟରେ ପରବେଶ ।

କରି ଦର୍ଶନ ସମସ୍ତ ଜନମାନେ ହୋଇଲେ ତୋଷ ।

କାଠିଲାଗିରୁ ମାଜଣା ଠାରୁ ସୁବେଶ ଶୋଭା ଦେଖି ।

କୁମତି ଦୀନକୃଷ୍ଣର ମନ ହେଲା ପରମ ସୁଖୀ ।୩୮।

 

ପଞ୍ଚଦଶ ଛାନ୍ଦ

ଗ୍ରୀଷ୍ମ ଋତୁ ବର୍ଣ୍ଣନା - ଜଳକେଳି ଓ ବସ୍ତ୍ରହରଣ

ରାଗ - ଆହାରି

 

କ୍ରମେ ମଧୁଶେଷ ହୋଇଲା ପ୍ରବେଶ ହୋଇଲା ଗ୍ରୀଷମ ସମୟେ ।

କରମାଳିକର ମହା ଖରତର କମଳକୁମାର ପରାୟେ । ସୁଜନେ ।

କି କହିବା ମହା ତପତ ।

କରାଇଲା ନୃତ୍ୟ ପଥିକ ପଦକୁ ସଂଗ୍ରାମ ଭୂମି ଅଶ୍ୱମତ ।୧।

 

କୁଶଳନର୍ତ୍ତକୀ ଭ୍ରମରୀ ପରାୟେ ଭ୍ରମିଲେ ବାତଚକ୍ରମାନେ ।

କୁଟୁମ୍ବୀ- ଦୀନଜନ ମନ ପରାୟେ ସନ୍ତାପି ହେଲେ ଏକାଦିନେ । ସୁଜନେ ।

କୃଶ ହୋଇଲା ନଦିଜଳ ।

କାନ୍ତ ଘନରସ ବିହୀନେ ଯେମନ୍ତ ଦିଶନ୍ତି ବିରହିଣୀ ତୁଳ ।୨।

 

କୁରଙ୍ଗ-ନୟନା ନୟନ-ତରଙ୍ଗ ବଳି ମୃଗତୃଷ୍ଣା ଦିଶିଲେ ।

କଳାମେଘ କୋଳେ ବିଜୁଳି ପରାୟେ ବନେ ବନଅଗ୍ନି ହସିଲେ ।

ସୁଜନେ । କାହିଁ ତୃଣରାଜେ ଫୁଟନ୍ତି ।

କାମିନୀ –ସୁରତକାଳେ ମନମନ ଶବଦ ପରାୟେ ଘଟନ୍ତି ।୩।

 

କୃପଣ ସାମନ୍ତ-ସେବକ ପରାୟେ ତୋପେ ତଜ୍ଜର ସୂର୍ଯ୍ୟକାନ୍ତ ।

କାନ୍ତହରିତ କାନ୍ତା ପ୍ରାୟେ ହୋଇଲେ ସରସୀମାନେ ବେଶବନ୍ତ । ସୁଜନେ ।

କେବଳ ଭକ୍ତ ରଙ୍କ ପ୍ରାୟେ ।

କଚ୍ଛପାମତ୍ସ୍ୟ ମଣ୍ଡୁଳମାନଙ୍କର ଦୁର୍ବଳ ହୋଇଗଲା କାୟେ ।୪।

 

ବିମଳ ବିରହେ କରିବର ରହେ ମହାଗମନ ଆଶ୍ରେ କରି ।

କର୍ଦ୍ଦମରେ ପଡ଼ି ଫେନମୁଖେ ରଡ଼ି ଛାଡ଼ନ୍ତି ଗଦ୍ଧର୍ବ ବଇରୀ। ସୁଜନେ ।

କୁଞ୍ଜ ଭିତରେ ପକ୍ଷୀମାନେ ।

କେବଳ ଯୋଗୀ ଧ୍ୟାନ କଲା ପରାୟେ ନିଶ୍ଚଳେ ରହିଲେ ମଉନେ ।୫।

 

କରିବାକୁ ପ୍ରାଣରକ୍ଷା ନିଜ ପ୍ରାଣ ପଣକୁ ଦେଲା ପ୍ରାୟ ହୋଇ ।

କୋଳ ମୃଗ ଯାଇ ଭୟରେ ପଳାଇ ସିଂହ ଛାୟାରେ ହେଲେ ଛାଇ ।

କୋବିଦେ। କୁଣ୍ଡଳୀ କୁଳ ଏହି ରୂପେ ।

କଳାପି କଳାପ ତଳରେ ରହିଲେ ପାଇ ବିପତ୍ତିକି ଆତପେ ।୬।

 

କାହିଁଗଲା ବନଲତା ଶୋଭାବନ କାନ୍ତହତ କାନ୍ତା ପରାୟେ ।

କରିଥିଲା ସିନା ବସନ୍ତ ତାହାକୁ ନବପଲ୍ଲବେ ତୋରାମୟେ । ଗୋବିନ୍ଦେ ।

କାଳେ ସେ ସେ ଅନ୍ତର ହୋଇଲା । କନ୍ଦର୍ପ ଦର୍ପର ହିତ ହୋଇ ସଖା ଅଭାବେ ହଅଦରେ ଶୋଇଲା ।୭।

 

କୁଞ୍ଜେ କୁଞ୍ଜେ ବସି ଝିଙ୍କାରୀ ଡ଼ାକିଲେ କାମକେଳି ବାଟ ପଡ଼ିଲା ।

କୁସୁମକାଣ୍ଡ ମଣ୍ଡି ହୋଇ ଅର୍ଜ୍ଜୁନ ବିଯୋଗୀ ହୃଦୟେ ତାଡ଼ିଲା । କୋବିଦେ ।

କେଉଁ ପଥିକ ତାପବଳେ ।

କରନ୍ତେ ଗଗନ ଶ୍ରମ ପାଇ ଯାଇଁ ବସନ୍ତି ବହୁ- ପାଦତଳେ । ୮।

 

କୃପଣ ଧନ ସଞ୍ଚିଲା ପ୍ରାୟେ ମଧୁ ସଞ୍ଚିଲେ ମଧୁକରମାନେ ।

କେ ଜଳଛତ୍ର ପବିତ୍ରବାନ ଦେଲେ ବ୍ରାହ୍ମଣ କରେ ସ୍ଥାନେ ସ୍ଥାନେ । ସୁଜନେ ।

କେଉଁ ଇଶ୍ୱର ଅନୁଗ୍ରାହୀ ।

କର୍ପୂର ଚନ୍ଦନ ଅଙ୍ଗେ ବୋଳି ହୋଇ ଧାରାମଣ୍ଡିତ ପୁରେ ରହି ।୯।

 

କେ ଗୀତ କବିତ୍ୱ ବେଣୁ ବୀରା ନୃତ୍ୟରଙ୍ଗେ ଦିନମାନ ହରନ୍ତି ।

କେ ବସି ଏକାନ୍ତେ କାମିନୀ ସଙ୍ଗତେ ନନ୍ଦନ ପିଚିକା ମାରନ୍ତି । ସୁଜନେ।

କେ କରେ ନଉକା ବିହାର ।

କେ ସ୍ୱେଦ ଭୟରେ କରତଳୁ ତାଳବୃନ୍ତ ନ କରଇ ବାହାର ।୧୦।

 

କେତେ କହିବି ଏ ପ୍ରସଙ୍ଗ ।

କେବଳ ଶୀତକାରକ ଦ୍ରବ୍ୟ ବିନୁ ଆନ ଲୋଡ଼ିଲା ନାହିଁ ଅଙ୍ଗ ।୧୧।

 

କାନ୍ତ ପ୍ରବଳ ଗ୍ରୀଷ୍ମରେ ବିକଳ ହୋଇ ସକଳ ଗୋପାଙ୍ଗନା ।

କରିବେ ବୋଲି ଜଳକ୍ରୀଡ଼ା ଚଞ୍ଚଳ ହୋଇଲେ ଚଞ୍ଚଳା ନୟନା । ସୁଜନେ।

କମଳା କୁଟିଳ କୁନ୍ତଳା ।

କାମକେଳି କଳା-କୁଶଳା, ସୁଶୀଳା, କେତକୀ, ଗୌରୀ, ପ୍ରେମ-ଶୀଳ ।୧୨।

 

କରୀ-କୁମ୍ଭସ୍ତନା କୋକିଳ-ବଚନା, କୁନ୍ଦ କଳି-ଚାରୁ ଦଶନା ।

କୁଟିଳ ଦଶନା ।

ପ୍ରସନ୍ନବଦନା ଶ୍ରୀକୃଷ୍ଣଚନ୍ଦ୍ର – ସ୍ନେହଘେନା । ସୁଜନେ।

କୂପକ-ନିତମ୍ବ- ଶୋଭନା ।

କେଶରୀ ମଧ୍ୟମା, କଉତୁକସୀମା, କୁଞ୍ଜବନ କେଳି-ଲୋଭନା ।୧୩।

 

କଳାକରହାସୀ, କମଳ ସୁବାସୀ, କ୍ରୀଡ଼ା – ମାନସ କଳହଂସୀ ।

କୃଷ୍ଣ –ମନ ମୀନ-ଆକର୍ଷି-ବଡ଼ଶୀ କନ୍ଦର୍ପ ଦର୍ପ- ତମ ଶଶୀ । ସୁଜନେ।

କାମତରଙ୍ଗିଣୀ ତରଣୀ କରନ୍ତେ ଗଗନ ଅତି ଶୋଭାବନ ଦିଶଇ ଧରଣୀ ସରଣୀ ।୧୪।

 

କଳରବ କରେ କନାକ କିଙ୍କିଣୀ ବାଜଇ ବାଜେଣୀ ନୂପୁର ।

କାମ ପହଣ୍ଡ ମଣ୍ଡାଇ ନେଲା ପ୍ରାୟେ ଶୁଭଇ ଅତ୍ୟନ୍ତ ସୁସ୍ୱର । ସୁଜନେ ।

କମଳ ବିଞ୍ଚିଲା ପରାୟେ । କିଶଳୟ ପାଦ ପନ୍ତି ବିକାଶନ୍ତି ପଦ ପଦକେ ସୁଖମୟେ ।୧୫।

 

କାଳିନ୍ଦୀ କୂଳରେ ପ୍ରବେଶ ହୋଇଲେ ସକଳ ବରଜ ବାଳିକା ।

କଲେ ଅବଲୋକ କଳାରେ ନିନ୍ଦୁଛି ଦଳିତ କଜ୍ଜ୍ୱଳ କାଳିକା । କାମିନୀ ।

କଟାକ୍ଷପରାୟେ – ତରଙ୍ଗ ।

କବରୀ ପରାୟେ ମହା ମନୋହର କୁସୁମମାନଙ୍କର ସଙ୍ଗ ।୧୬।

 

କଳହଂସ ସ୍ୱନ କରୁଛନ୍ତି ହଂସକ ନିସ୍ୱନ ପରାୟେ ।

କାନ୍ତ ଉଚ୍ଚକୁଚ ପ୍ରାୟେ ବସିଛନ୍ତି କୋକମିଥୁନ ଏକଠାୟେ । କେବଳ ।

ବ୍ରହ୍ମଧ୍ୟାନ ଯୋଗୀ ପରାୟେ ।

କଳେବର ସ୍ଥିର କରି ବକମାନେ ମୀନକୁ କରିଛନ୍ତି ଲୟେ ।୧୭।

 

କମଳେ କମଳବଦନୀ ପଶନ୍ତେ କମଳ ହୋଇଲେ ଚଞ୍ଚଳ ।

କୁବଳୟ ଆଦି କହ୍ଲାର ସହିତେ କେ ତହିଁ ନୋହିଲେ ନିଶ୍ଚଳ । କେବଳ ।

ଯେ ଯାହାକୁ ଗୁଣେ ବଳଇ ।

କି କି କରି ପାଶେ ଦେଖିଲେ ତାକୁ ସେ ଅଧୈର୍ଯ୍ୟ ହୋଇ ତରଳଇ ।୧୮।

 

କମନୀୟ ମୁଖ ସୁନେତ୍ର ସୁନଖ ଶୋଭାକୁ ସମ ନୋହିବାରୁ ।

କମ୍ପିଲା ସବୁରୀ ଶରୀର ସୁମରି ମରିବା ଭଲ ଲାଜଠାରୁ । କାଦମ୍ବ ।

କୁଳ ପାଶରେ ନ ରହିଲେ ।

କରିବାରୁ ଚୋରି ଗମନ ଚାତୁରୀ ମନରେ ଭୟକୁ ବହିଲେ ।୧୯।

 

କନକଲତା ନୀଳମଣି ସ୍ଥଳରେ ପବନେ ଢଳିଲା ପରାୟେ ।

କେ କାହାକୁ ପାଣି ପାଣିରେ ପୂରାଇ ଆନନକୁ ମାରି ପଳାୟେ । କେ ଜଳ ।

କରଟ ପରାୟେ ବୁଡ଼ଇ ।

କାହିଁଯିବୁ ବୋଲି କରି କେ ପାଣିରେ ପାଣି ଘେନିକରି ଲୋଡ଼ଇ ।୨୦।

 

କରେ କରଦେଇ ଚକ୍ରବାକ ହୋଇ କମଳୁ କମଳ ତୋଳନ୍ତି ।

କେ କର କମଳେ କମଳ କୁସୁମତୋଳି କାହା କୁଚେ ଢାଳନ୍ତି । କେ ବୋଲେ ।

ସଖିକୁ ଚପନ୍ତି ପଙ୍କର ।

କରି ଏହାଙ୍କୁ ଜଳଶାୟୀ ସମସ୍ତେ ହେଲାଇଁ ଏହାଙ୍କ କିଙ୍କର ।୨୧।

 

କି ବର ମାଗିବ ମାଗୁଥାଅ ଏବେ ଯେ ଯାହାର ଦୁଃଖ ଜଣାଇ ।

କେ ବୋଲେ କୃଷ୍ଣଙ୍କୁ ଏ କାଳରେ ଯେବେ ଦେବେ ଆମ୍ଭ ପାଶେ ଅଣାଇ । କରିବା ।

ତାଙ୍କୁ ଘେନି ଜଳବିହାର ।

କହୁଁ କହୁଁ ଏହାର କମଳନୟନ ବୃନ୍ଦାବନକୁ ହେଲେ ବାହାର ।୨୨।

 

କଲେ ବିଚାର ଗୋପିକା ନମୁନାରେ କରୁଅଛନ୍ତି ଜଳକ୍ରୀଡ଼ା ।

କରି ଅନ୍ତର କଦମ୍ବ ବୃକ୍ଷରେ ଦୋଳିକରି ବସି କରିବା କଉତୁକି ପଣ ।୨୩।

 

କେଶବ ମନେ ଏମନ୍ତ ବିଚାର ସୁମରି ଜଗତପ୍ରାଣକୁ ।

କଲେ ଆଦେଶ ଅମ୍ବର ଘେନି ଆସ କେଳି କଦମ୍ବ ପାଦପକୁ । କେଶବ।

ଆଜ୍ଞାରେ ପବନ ବହିଲା ।

କୁରଙ୍ଗୀନେତ୍ରୀଙ୍କ ଅମ୍ବର ଅମ୍ବରେ ଉଡ଼ାଇ ନଗରେ ଥୋଇଲା ।୨୪।

 

କୁଞ୍ଜବିନୋଦିୟା, ବଂଶୀବଦନିୟା ବସିଲେ କଦମ୍ବ ଉପରେ ।

କେବଳ ନୟନ ସଖାସଙ୍ଗେ ଘେନି ରହିଲା ଗୋପୀଙ୍କ ଉପରେ ।

କାମିନୀମାନେ ଜଳକ୍ରୀଡ଼ା ବଢାଇ ।

କୂଳକୁ ଯାଇ ସମସ୍ତେ ଅନାଇଲେ କାହାରି ପିନ୍ଧାବାସ ନାହିଁ । ୨୫।

 

କେ ଚକିତ ହୋଇ ରହିଲା ଚଞ୍ଚଳ କୁରଙ୍ଗୀ ପ୍ରାୟେ କେ ଚାହିଁଲା ।

କେ ବୋଲେ ଆମ୍ଭ ସମ୍ବର କ୍ରୀଡ଼ା ସୁଖ ଅମ୍ବର କିମ୍ପା ନ ସହିଲା ।

କେ ବୋଲେ । କେ କଲା ଏଡ଼େ ଅବିଚାର ।

କେ ଅଛି କାହାକୁ ପଚାରିବା ଏହା କାହାରି ତ ନାହିଁ ସଞ୍ଚାର ।୨୬।

 

କେ ବୋଲେ ପବନ ଘେନିଗଲା ଅବା କେ ବୋଲେ ହେବ ନନ୍ଦସୂତ ।

କେ ବୋଲଇ ମୋ ମନକୁ ଅଇଲା ଆନର ନୋହେ ଏ ଚରିତ । କହନ୍ତେ ।

କଉଁ ଗୋପୀ ଦେଲା ଅନାଇ ।

କଦମ୍ବ ବୃକ୍ଷରେ ଦୋଳିକରି ବସି ଅଛନ୍ତି ନାଗର କହ୍ନାଇ ।୨୭।

 

କୋଟିଏ ଶରଦଜନ୍ଦ୍ର ଜିଣି ମୁଖ ଶ୍ରୀଅଙ୍ଗ ଅଭିନବ ଘନ ।

କଟିତଟେ ପୀତବସନ ବିରାଜେ ବଳାହକବଲ୍ଲୀ ସମାନ ।

କଣ୍ଠରେ ମୁକୁତାମାନ ବକପନ୍ତି ।

କଳାପିକଳାପ ମୁକୁଟ ଇନ୍ଦ୍ରଧନୁ ସମଦିଶନ୍ତି ।୨୮।

 

କୃଷ୍ଣଙ୍କୁ ଅନାଇ ମନ୍ଦାକ୍ଷକୁ ପାଇ ଯେ ଯାହା ମତେ ହୋରା ହୋଇ ।

କଳହଂସୀ କୁଳ ପରାୟେ ସକଳ ଗୋପୀ ପଶିଲେ ଜଳେ ଯାଇଁ । କେ ବୋଲେ ।

କି କରିବା କହ ସଙ୍ଗାତ ।

କୁଟୁଣୀ ପ୍ରତିମା ପ୍ରାୟେ କରି ଆଜ ଆମ୍ଭଙ୍କୁ କଲେ ନନ୍ଦସୁତ ।୨୯।

 

କର ଉର୍ଦ୍ଧ୍ୱକରି ବରଜସୁନ୍ଦରୀ ଡ଼ାକିଲେ ହେ ହଟନାଗର ।

କିମ୍ପା ଆମ୍ଭ ନାଟ ନେଇ ଏଡ଼େ ହଟ କରିଛ ରସିକ ସାଗର । କୃଷ୍ଣ ହେ ।

କରୁଣାହୃଦ ଏବେ ହୁଅ ।

କରୁଛୁଁ ବିନତି ଗୋକୁଳଯୁବତୀ ଆମ୍ଭ ଅମ୍ବରମାନ ଦିଅ ।୩୦।

 

କେଶବ ବୋଲନ୍ତି ଆଗୋ ଗୋପୀମାନେ ଏ ତୁମ୍ଭର କଉଁ ବଡ଼ାଇ ।

କନ୍ଦର୍ପ ଘର ବୁଡ଼ାଇ ବସିଅଛ ମୋତେ ଦେବ ବୋଲି ଉଡାଇ । କରିବା ।

ତୁମ୍ଭ ଆମ୍ଭର ଆଜ ନ୍ୟାୟେ ।

କଉଁ ବଡ଼ପଣେ ଚୋର ଦୋଷ ଦେଲ ଯାଉ ଏ କଥା କଂସ ଯାଏ ।୩୧।

 

କରିଅଛ ଯଉବନ ଏ ଗରବ ଜଳରେ ଉଲଙ୍ଖ ହୋଇଲ ।

କଂସ ପରା ମାମୁଁ ଥାଉଁ ଥାଉଁ ଏବେ ମୋତେ ଚୋରବୋଲି ବୋଇଲ । କେ ବୋଲେ ।

ସବୁ ଅଛୁନି ଆମ୍ଭେ ଜାଣି ।

କଅଁଳା ପୁଅ ଦିନରୁ ପ୍ରତି ଘରେ ନ ରହଇ ସର ଲବଣୀ ।୩୨।

 

କଉଁ ଅରଣ୍ୟରେ କଉଁ ଗୋପୀଠାରେ ନୋହିଛି ଡକାଇତ ପଣ ।

କେବଳ ଆଜ ପରିଯନ୍ତେ ନଥିଲା ପିନ୍ଧିଲା ବସନ ହରଣ । କୃଷ୍ଣ ହୋ ।

କଲ ଏବେ ଭଲ ଉପାୟ ।

କେମନ୍ତ ହୋଇ ଗୋପେ ଆଉ ରହିବା ସ୍ନାନଠାବରେ ଚୋରଭୟ । ୩୩।

 

କଦମ୍ବ ବୃକ୍ଷେ ପବନ ପକାଇଲା କିମ୍ପା ଆମ୍ଭଙ୍କୁ ଦୋଷଦିଅ ।

କଉତୁକେ ଆମ୍ଭେ ସୁଖେ ବସିଅଛୁଁ ଯେ ଯାହା ବାସ ଚିହ୍ନି ଦିଅ । କରାଇ ।

ଅଣଆୟତ୍ତ ସବୁ ନାଟ ।

କଷ୍ଟେ କଷ୍ଟେ ଜଳୁଁ ବାହାର ହୋଇଲେ ଅବାଟମାନ କରି ବାଟ । ୩୪।

 

କହନ୍ତି ଶ୍ରୀକୃଷ୍ଣ ଆଗୋ ଗୋପୀମାନେ ଏବେ ଆମ୍ଭର ବୋଲ କର ।

କଲ ଯେ ଜଳ ଦେବତାରେ ଅପ୍ରାଧ ଶିରରେ ଦିଅ ବେନିକର । କେ ବୋଲେ ।

ଆମ୍ଭେ କି ଜାଣୁ ଦେବତାଙ୍କୁ ।

କେବଳ ମନ ବଚନ କର୍ତ୍ତବ୍ୟରେ ଏକା ଜାଣୁ ଜଗଜ୍ଜିତାଙ୍କୁ ।୩୬।

 

କରୁଛୁଁ ତାହାଙ୍କୁ ନମସ୍କାର ବୋଲି ଶିରରେ ଦେଲେ ବେନିକର ।

କାଇଞ୍ଚମାଳିୟା ଘନଶ୍ୟାମାଳିୟା ହସରେ ହୁଅନ୍ତି ଅସ୍ଥିର । କହିଲେ ।

କୁଚଶମ୍ଭୁକୁ ଜଳଶାୟୀ। କରିବାରୁ ଏହି ବରକୁ ପାଇଲ ରହିଲ ଦିଗମ୍ବରୀ ହୋଇ ।୩୭।

 

କରୁଣା କର ନାଗର ଶିରୀଧର ଦେଲେ ଯେ ଯାହା ଅମ୍ବରକୁ କନକ –

ଦର୍ପଣ ବଦନ ମଣ୍ଡଳ ଗଲା ପ୍ରସାଦ ଡମ୍ୱରକୁ।

କୁରଙ୍ଗ । ତରଙ୍ଗ ନୟନ ନଚାଇ,

କଲେ ହରଷେ ଗୋକୁଳକୁ ଗମନ ଉଚ୍ଚକୁଟ ବାସେ ଲୁଚାଇ ।୩୮।

 

କାଳନ୍ଦୀକୁଳୀୟା କଦମ୍ବମୂଳିୟା କେକୀପୁଚ୍ଛଚାରୁ ଚୂଳୀୟା ।

କଜ୍ଜ୍ୱଳକାଳୀୟା କାଇଞ୍ଚମାଳୀୟା ମଣିମକରକୁଣ୍ଡଳୀୟା । କଳିତ ।

ଲଳିତ ପୀତଦୁକୁଳୀୟା ।

କଳିତ। ଲଳିତ ପୀତଦୁକୁଳୀୟା।

କଳଙ୍କ ରହିତ କଳାକରଜିତ ସୁନ୍ଦର ମୁଖ ମଣ୍ଡଳିଆ ।୩୯।

 

କୁଟିଳ ନୀଳ ଅଳକାଆବଳୀୟା ନବଲବଣୀକବଳୀୟା ।

କେତେ କେତେ କଉତୁକ କରୁଥାନ୍ତି ବ୍ରଜସୁତ ସଙ୍ଗମେଳୀୟା । କଦମ୍ୱ ।

ବୃକ୍ଷରୁ ଓହ୍ଲାଇ ବିଜୟେ ।

କୃଷ୍ଣ ଦାସ ମନ ପଛେ ଗୋଡ଼ାଇଛି ସେହି ରୂପକୁ କରି ଲୟେ ।୪୦।

 

ଷୋଡ଼ଶ ଛାନ୍ଦ

ବର୍ଷାଋତୁ ହେତୁ ମନୋଭାବ ବର୍ଣ୍ଣନା

ରାଗ - ପାହାଡ଼ିଆ କେଦାର

 

କ୍ରମେ ଗ୍ରୀଷ୍ମ ହୋଇଲା ଶେଷ,ପ୍ରବେଶ ହେଲା ଆଶାଢ ମାସ,କାଳ-

କରାଳକାଳିକା ଉଦେ ହେଲେ ଆକାଶ ହେ କଲା ନିବିଡ଼ କରି ନିର୍ଘୋଷ,

ଗିଳିଲା ଗିରିବରଶିରୀଷ,ମହାପ୍ରବଳ ଅନ୍ଧାରେ ନ ଦେଖାଇଲା ଦିଶ ସେ ।

କରାଇଲା ଆପଣା ବଲ୍ଲୀ ପ୍ରକାଶ ସେ ।

କ୍ରମେ ସଜଳ କଲା ଅବନୀଦେଶ ସେ ।

କୃଷି କାରକେ ହୋଇ ହରଷ, କଲେ ଯେ ଯାହା ଇଚ୍ଛାରେ ଚାଷ,

କେଦାର ମାନଙ୍କରେ ପୁରିଲା ଗୀତ ଅଶେଷ ସେ ।୧।

 

କୁଳଟା ପ୍ରାୟ କୁଳ ବୁଢାଇ, ବଢିଲେ ନଦୀ ପ୍ରବଳ ହୋଇ;

ପାଶେ କାହାକୁ ନ ଦେଲେ ଥୋଇ ଚଞ୍ଚଳ ହୋଇ ସେ ।

କୁଳପାଳିକା ପ୍ରାୟେ ଦୀର୍ଘିକା କୂଳକୁ ରଖି ରହିଲେ ଏକା, କୋକମିଥୁନ ଉରଜ ଘନ – ରସକୁ ପାଇ ସେ ।

କମଳରେ ବୁଡ଼ିଲେ କମଳବଂଶ ଯେ ।

କଲେ ଗମନ ମାନସରକୁ ହଂସ ଯେ ।

କଚ୍ଛପ, ମତ୍ସ୍ୟ ମଣ୍ଡୁଳ, ମତ୍ତ, ହୋଇ ରଚିଲେ ସୁଖରେ ରତ,

କୌଞ୍ଚ ସାରସ ବଳାବଂଶ ହେଲେ ଉଲ୍ଲାସ ସେ ।୨।

 

କୁଧର ବନ ଦିଶିଲେ ଶୋଭା, ଲିଭିଲା ବନ ଅନଳ ପ୍ରଭା,

କଲା ଜଗତ ଜନମାନଙ୍କ ନୟନଲୋଭା ଯେ ।

କଦମ୍ବ, ଜାଈ, ମଲ୍ଲୀ, ମାତୀ, କେତକୀ, ଚମ୍ପା,

କୁଟକ ଯୁଥୀ କୁସୁମ ବେଶ ବଶ କରେ ଓ ମଧୁପସଭା ଯେ ।

କୁସୁମରୁ ସୁବାସ ଘେନି ପବନ ଯେ କଲେ ସଧୀରେ ସବୁଦିଗେ ଗମନ ଯେ ।

କଲା ସଂଯୋଗୀ ଜନେ ଶୀତଳ, ବିଯୋଗୀ ଜନେ ହେଲେ ବିକଳ,

ଜ୍ୱର ନିର୍ଜର ଦେହକୁ ଯେଉଁ ପ୍ରକାରେ ବନ ହେ ।୩।

 

କଲେ ତାଣ୍ଡବ ମଧ୍ୟ ପାଣ୍ଡବ – ବିଟପଶିରେ ମାର୍ଜାର ରବ, କାଳକଣ୍ଟକ ଡାକ ବଢିଲା

କାମଉତ୍ସବ ଯେ, କୁଳିଶପଡ଼େ ଅଳି ନିବିଡ଼େ ପର୍ବତୁଁ ଖଣ୍ଡଶଇଳ

ଝଡ଼େ କାମୀ କାମିନୀ ଲଗାଇ କ୍ରୋଡ଼େ, କରନ୍ତି ଭାବ ଯେ ।

କଉଁ ବିଦେଶୀ ବିଦେଶରୁ ବାହୁଡ଼େ ଯେ ।

କାମେ କାତର ହୋଇ ନିଃଶ୍ୱାସ ଛାଡ଼େ ଯେ ।

କରି ପୁଣି ମନେ ବିଚାର, କି କରୁଥିବ ବାନ୍ଧବୀ ମୋର,

କର୍ମଅବଳେ ପଡ଼ିଲା ହେଳେ କାମ ହାବୋଡ଼େ ସେ ।୪।

 

କେ କେକୀ କେକା ଶୁଣି ତାଟକା, ହୋଇ ପଥରେ ଗମନ୍ତେ ଏକା,

ବୋଲଇ ଡକା ଉପରେ ମୋତେ ହୋଇଲା ଡକାରେ ।

କାମଝଟକ ମେଘମଦକ, ମଣ୍ଡୁକ ମହାଡ଼ାକ ଚମକ ଏକେଁ ଏକେଁ ଏ ପ୍ରିୟାହୃଦୟ ଚମକ ଟେକାରେ ।

କିଆଁ ଅନାଇଁ ହିୟା କିମ୍ପା ପୁଣି ସେ ।

କ୍ରୋଧ କରି କପାଳେ ମାରଇ ପାଣିରେ ।

କଷ୍ଟେ ଚାଲଇ ବସି ପୁଣି ଚିନ୍ତାକରଇ ମୁରଲୀପାଣି,

କଚାଡ଼ି ହୋଇ ଦଣ୍ଡ ଦଣ୍ଡକେ ପଡ଼େ ଧରଣୀ ଯେ ।୪।

 

କେ ବୋଲେ ଘନାଘନକୁ ଚାହିଁ, ଏ ଘନାଘନ ରଖିବ ନାହିଁ,

କାନ୍ଧରେ ଘନାଘନ- ଅନୁଜସୁତକୁ ବହିରେ ।

କି କରି କରୁଅଛି ଗମନ କି କି ଦିଶୁଛି ବକ ଦଶନ,

ଝର ପରାୟ ସଲିଳମୟ ପଡ଼ୁଛି ବହିରେ ।

କି କରିବି ଏବେ ମୁଁ ପଶିବି କାହିଁରେ ।୫।

 

କାନ୍ତାକୁଚ ପର୍ବତ କନ୍ଦରେ ନାହିଁରେ ।

କଳିତ କରି ଇନ୍ଦ୍ର କୋଦଣ୍ଡ କରକାବଳୀ ହାବୋଡ଼ା କାଣ୍ଡ

ସନ୍ଧି ଯେ ବିନ୍ଧି ଆସୁଛି ମାର ଉପ୍ରୋଧ ନାହିଁରେ

କେ ବୋଲେ କାଳି କୁଣ୍ଡଳୀ ପ୍ରାୟେ କଳାନାଗକୁ

କରୁଛି ଭୟେ ବିଜୁଳୀ କପଟରେ ଅନାଅ ରସନା ଚାଳେ ୟେ ।୬।

 

କାମଜାଙ୍ଗଳୀ ଦେବାରୁ ଚାଳି ଆସୁଛି ମହାପ୍ରଖରେ

ଖେଳି ବିଷ ଦୃଷ୍ଟିରେ ଦେଉଛି ଜାଳି ଅତି ପ୍ରବଳେ ୟେ ।

କେ ବୋଲଇ ଏ କାଳ କାଳ ପରାୟେ ହେ ।

କାଳ କାଳିକା ଅଙ୍ଗେ କରାଇ ଭୟ ହେ ।

କରିବ ବୋଲି ବିଯୋଗୀ ଅନ୍ତ ଗର୍ଜ୍ଜନ କରି ଚୋବାଇ ଦନ୍ତ,

ସସ୍ୱନ ବକପନ୍ତି କପଟେ କରାଳମୟେ ହେ ।୭।

 

କେ ବୋଲେ ରାହୁ ପରାୟେ ଚାହୁଁ ଚାହୁଁ ଗିଳିଲା

ସୂର୍ଯ୍ୟଙ୍କୁ ଯହୁଁ- ଚିନ୍ତାଜଳରେ ବୁଡ଼ିଲେ ତହୁଁ ବିରାଗେ ଜନେ ହେ ।

କାମ ବ୍ରାହ୍ମଣ କରରେ ଦାନ ଦେବାକୁ ହେଳେ ଜୀବନଧନ

କେକୀ ଡ଼ାହୁକ ଦ୍ୱିଜଙ୍କ ଡାକ ପୁରେ ଭୁବନେ ହେ ।

କେ ବୋଲେ ଏ ବନମାଳୀ ପରାୟ ଯେ ।

କଳାକଳେବରରେ କି ଶୋଭା ପାଏ ଯେ ।

କେକୀକଳାପ ମଘବା ଚାପ ଜନନୟନ ଆନନ୍ଦରୂପ

ଶ୍ରୀବୃନ୍ଦାବନରେ ଗମନ କରେ ଉଦୟେ ହେ ।୮।

 

କଟି ହରିତବାସ ବିଜୁଳି ମୁକୁତା ମାଳି ବକମଣ୍ଡଳୀ

ମନ୍ଦ ମୁରଲୀଧ୍ୱନିକୁ କଳି ମଧୁର ଘୋଷେ ହେ ।

କରି କରୁଣା ଅମୃତ ବୃଷ୍ଟରକ୍ଷା କରଇ ସକଳଦୃଷ୍ଟି କଉଁ

ଭକତ ଚାତକ ଚିତ୍ତ ନକଲେ ତୋଷ ହେ ।

କଉଁ ବିଦେଶୀଜନ କରି ଏ ଧ୍ୟାନହେ ।

କଲା ହରଷେ ମନ୍ଦରକୁ ଗମନ ହେ ।

କାମିନୀ କୋଳ କରି ଭରସା ବଞ୍ଚିଲେ ମହାସୁଖେ

ବରଷା ବିବିଧ ବନ୍ଧେ ଆରମ୍ଭି ନିଧୁବନ ବିଧାନ ସେ ।୯।

 

କମଳଦଳ ନୟନ କରି ବରଷା ଅବଲଷାକନ କରି

ଅନେକ ରୂପେ ଗୋପସୁନ୍ଦରୀମାନଙ୍କୁ ହରି ସେ ।

କାହା ଅଙ୍ଗରେ ଅଙ୍ଗ ଲଗାଇ ବିଜୁଳିଘନପରାୟ ହୋଇ

ନିବିଡ଼ ଘନରସ ପ୍ରକାଶ ଅନେକ କରି ଯେ ।

କେକୀ ପରାୟେ ନାଚେ ଶିଖିଶିଖଣ୍ଡ ସେ ।

କଣ୍ଟକିତ ରୋମାଳି କଦମ୍ବକାଣ୍ଡ ସେ ।

କେତେ ଶୁଭଇ ଚାତକ ରବ ପରାୟେ ମନମମ

ବିରସ କଟିକିଙ୍କିଣୀଘୋଷ ନିର୍ଘୋଷ ସମ ପ୍ରଚଣ୍ଡ ସେ ।୧୦।

 

କ୍ରମଶେ ବଢି ପ୍ରେମତଟିନୀ ସୁଖସାଗରେ ମିଶିବା

ଘେନି ଜ୍ଞାନକମଳ ବୁଡ଼ି ନ ରହେ ଧଇର୍ଯ୍ୟ ତଟ ହେ ।

କାନ୍ତା ଅଙ୍ଗରେ କରଜ କ୍ଷତ ସୁବର୍ଣ୍ଣ ଧରଣୀରେ ଯେମନ୍ତ

ନବୀନ ଇନ୍ଦ୍ର ଗୋପ କଦମ୍ବ ହୋଏ ପ୍ରକଟ ଯେ ।

କାନ୍ତା ଦଇତ ବେନି ରତି ପଣ୍ଡିତ ଯେ ।

କଲେ କନ୍ଦର୍ପ ମହାତାପ ଖଣ୍ଡିତ ଯେ ।

କେତେ କହିବି ଏହି ପ୍ରକାରେ ସମସ୍ତ ଗୋପନାରୀଙ୍କ ପୁରେ

ମନମୋହନ ମେଘବରନ କୃଷ୍ଣ ମଣ୍ଡିତ ସେ ।୧୧।

 

କରନ୍ତେ ଦିନେ ଦିନେ ଦୁର୍ଦ୍ଦିନ କଳି ନୋହଇ

ରଜନୀ ଦିନ କୁସୁମଗନ୍ଧ ଘେନି ବହଇ ମନ୍ଦପବନ ହେ ।

କୁଧର ଶିରୁଁ ନିର୍ଝର ଝରେ ମହୀମଣ୍ଡଳ କର୍ଦ୍ଦମ କରେ

ଚାଲନ୍ତି ନାହିଁ ଅତି ପ୍ରଖରେ ପଥିକ ଜନ ହେ ।

କାହା ଚରଣ ଖସେ କେ ଦେଖି ହସେ ଯେ ।

କଉଁ ପଥିକ ନଦୀତଟରେ ବସେ ଯେ ।

କରଇ ଚିନ୍ତା ତରଣୀ ପାଇଁ କୁଉଁ ତରୁଣୀ ପଚାରେ

ପାଇ କେମନ୍ତ ହୋଇଯିବ ପୁରିଛି ଏ ଘନରସେ ଯେ ।୧୨।

 

କୁମ୍ଭ ଭେଳାରେ ହୁଅଇ ପାରି ତାହି ତ ଏଥି ନାହାନ୍ତି

କରି ମୋହନାୟକ ନାହାନ୍ତି ପାଇଚନ୍ତି ସେ ପାରି ଯେ ।

କରନ୍ତେ ଅବା ଥିଲେ ଉପାୟେ ଏବେ ଯାଅ ଯା ନଗର

ଯାଏ ଦେଖୁଛ ଅଛ ଆସୁଛି ଅନ୍ଧକାର ଶର୍ବରୀ ଯେ ।

କହେ ଚତୁର ବର ପ୍ରତି ଉତ୍ତର ଯେ ।

କଲ ମୋଠାରେ ତୁମ୍ଭେ କି ଉପକାର ଗୋ ।

କହିଲ ଯଇଁ କୋମଳ ବାଣୀ, କୃତାର୍ଥ ହେଲି କର୍ଣ୍ଣରେ ଶୁଣି,

କେବଳ ଆଝୁଁ କିଣିଲା ପ୍ରାଣୀ ହେଲି ତୁମ୍ଭର ହେ ।୧୩।

 

କଥା କହନ୍ତେ ବଢିଲା ସୁଖ କାମ ବିନ୍ଧିଲା

ପଞ୍ଚବିଶିଖ କଢାଇ ନେଲା ଚତୁର ମୁଖ ରହ ସ୍ଥଳକୁ ଯେ ।

କଲେ ବିବିଧ ବନ୍ଧରେ ରତି ମଦନ ମହାମଦରେ

ମାତି କୁମୁଦ ଭୃଙ୍ଗ ପ୍ରାୟ ସେ ହେଲେ ପ୍ରାତ କାଳକୁ ଯେ ।

କଉଁ କାମିନୀ କାମା ଅନାଇ କରି ଯେ ।

କହେ ସଖି ଆଗରେ ବାକଚାତୁରୀ ସେ ।

କି ହୃଦ ସଖି ପୁରୁଷଙ୍କର, ଦେଖା ଦେଖିଲେ ଏ ପୟୋଧର,

କରନ୍ତି ପରିଚାର ପୟର କେମନ୍ତ କରି ଗୋ ।୧୪।

 

କହେ ସଜନୀ ଏଡ଼େ ଗୁଆଁର, ଏହା ଦେଖିଲେ କରେ ପ୍ରଚାର

ତୋହରି କାନ୍ତଠାରୁ ବିଚାର ନ କରୁ କିମ୍ପା ଗୋ ।

କାଳ ଯାକ ତ ତାର ତୋହର ଦେଖି ଆସୁଚି ନେତ୍ର

ମୋହର ସେ ମଧୁକର ପରାୟେ ସଖି ତୁ ହେଲୁ ଚମ୍ପା ଗୋ ।

କଉଁ ରସିକ ଅଛି ଏମନ୍ତ ହୋଇ ଯେ ।

କଉତୁକେ ହୃଦରେ ଧରିବି ନେଇ ଯେ ।

କାହିଁ ଏମନ୍ତ ଦେଖିତ ନାହିଁ ବାହାର ତୋରା କାହିଁ

ଶୁଣ ଚତୁର ନ ଯାଇ ରହିଗଲା ଅନାଇଁ ଯେ ।୧୫।

 

ଲାଳସୀ କୁରଙ୍ଗଦୃଶୀ ପଦ୍ମ-ସୁବାସୀ ପୀୟୁସହାସୀ ରେ ।

କୁଳ ପାଳିକା ମୋର କଣ୍ଠମାଳିକା ରେ ।

କଲି କାଳିକା କାଳେ ତୋତେ ମୁଁ ଏକାରେ ।

କରି ପାଞ୍ଚିଲି ମନରେ ଦକା, ତାହା ଶୁଣିଲେ ମନ୍ଦର

ଟେକା କାମ ଜୀବନ ନ ନେଲା ଯାହା କରି କଡ଼କା ରେ ।୧୬।

 

କାମିନୀ ଛଡ଼ା ବଦନପୋଡ଼ା କରିଥିଲି ମୁଁ କି ଘରବୁଡ଼ା

ପ୍ରାଣ ତୁ ମୋର କଲି ତୋତେ ମୋ ଅଙ୍ଗରୁ ଛଡ଼ାରେ ।

କେ ଅବା ମୋତେ କରନ୍ତା ଲୋଡ଼ା କାହା ଆଗରେ ହୁଅନ୍ତି ଛିଡ଼ା,

କୃପାଣ ହୋଇ ମୋତେ କାଟନ୍ତା ମୋହରି ବ୍ରୀଡ଼ା ରେ ।

କାହା ସଙ୍ଗତେ ଆଉ କରନ୍ତି କ୍ରୀଡ଼ାରେ ।

କେ ଅବା ଛାଡ଼ନ୍ତା ମୋ କନ୍ଦର୍ପ ପୀଡ଼ାରେ ।

କରୁଣା କଲେ କାଳ ଘଉଡ଼ା ଯାମଳାର୍ଜ୍ଜନ ଗଛ ଉପୁଡ଼ା

ଭଲା ଭଲା ସେ ଅଘା ଅସୁର ମସ୍ତକ ଫୋଡ଼ାରେ ।୧୭।

 

କେତେ କହିବି ତାଙ୍କ ମହିମା ମହାପ୍ରଭୁ ସେ ବିଚିତ୍ରକର୍ମା,

କାହାକୁ କଉଁ କଷ୍ଟରୁ ରଖି ନାହାନ୍ତି ଅବା ସେ ।

କୃପାସାଗର ଭକତପ୍ରିୟ, ନୁହନ୍ତି କାହାଠାରେ ନିର୍ଦ୍ଦୟ,

କଉଁ କଥାରେ କାହାକୁ ଲକ୍ଷ୍ୟ ତାହାକୁ ଦେବା ଯେ ।

କୃପା ନ କଲେ କୃପାସରିତପତି ଯେ ।

କୃପା କଟାକ୍ଷୀ ଆଉ ଥିଲା କି ଗତି ଯେ ।

କାମ ନଦୀରେ ଯାଆନ୍ତି ଭାସି କାହା କୋଳରେ ବସନ୍ତୁ ଆସି,

ଶୁଣି ରମଣୀମଣି କ୍ରୋଧରେ ବଦନ ପୋତି ଯେ ।୧୮।

 

କରକମଳେ ଚିବୁକ ଧରି କହେ ନାୟକ ବିନୟ

କରି ନବକିଶୋରୀ ଚମ୍ପକଗୋରୀ ବିମ୍ବଅଧରୀରେ ।

କୁଞ୍ଜବିହାରୀ କୃପାରୁ କରି କିଛି ବିଚାର ନାହିଁ ।

ସୁନ୍ଦରୀ ତୋ ଅଧର ଅମୃତପାନ ଥିଲି ଯେ କରି ରେ ।

କରୀଗମନା କଳକଣ୍ଠ ବଚନାରେ ।

କାମକଷ୍ଟ- ମୋଚନା ମଅଗଲୋଚନାରେ ।

କେଳିକଳାପ – ସୁଖ ରଚନା କିମ୍ପାଇଁ କରୁଥାଉ ଶୋଚନା ସ୍ନେହ ଧନରେ ସହଜେ କିଣିଅଛୁ ତୁ ସିନା ରେ । ୧୯।

 

କହି ଅନେକ ସ୍ନେହ ବଚନ ପ୍ରସନ୍ନ କରି ରମାରତନ

ଆରମ୍ଭ କଲେ ଚୁମ୍ବାଲିଙ୍ଗନ ରତି ବିଧାନ ଯେ ।

କେତେ କହିବି ଏହି ପ୍ରକାରେ ମାତି ଯେ ଯାହାମତେ

କ୍ରୀଡ଼ାରେ ବରଷା ଋତୁ ସୁଖେ ବଞ୍ଚିଲେ ଉତ୍ତମ ଜନ ଯେ ।

କହୁଅଛି ସୁଜନମାନଙ୍କୁ ଏତେ ଯେ ।

କୃପା କରିବ ମୋତେ ପ୍ରସନ୍ନ ଚିତ୍ତେ ହେ ।

କି ଅକ୍ଷରେ କଲି ଯେ ଗୀତ କେବେହେଁ ଏଥି ନ ଦେବ

ଘାତ କବି ହେଲେ ତ ଜାଣିବ ଏଥି ଶ୍ରମହିଁ ଯେତେ ହେ ।୨୦।

 

କଲେ ଏଥିରେ କୁଟିଳ ବୁଦ୍ଧି ଦଣ୍ଡ ଦେବେ ଶ୍ରୀକୃଷ୍ଣ ଅବଧି ଯେବେ ତାହାଙ୍କ ଲୀଳା ପ୍ରସିଦ୍ଧି ବୃନ୍ଦାବନରେ ହେ ।

କୁଜ୍‌ଝଟି ପଦ୍ମ ପ୍ରାୟେ ତା ବଂଶ ଅବଶ୍ୟ ହୋଇଯିବେ

ନିର୍ବଂଶ କପଟ ବୁଦ୍ଧି କରି ଯେ ନ ଘେନିବ ମନରେ ହେ ।

କୃଷ୍ଣକଥା ଏ ରସ ମଧ୍ୟେ ପୀୟୂଷ ହେ ।

କାଳସର୍ପ ବିଷକୁ କରେ ବିନାଶ ହେ ।

କୂଟ ବଚନ ଏଥି ନ ଭାଷ କେବେହେଁ ନ ପାଇବଟି ଯଶ

କୃଷ୍ଣ ଭାଗତ ଲୋକ ମୁଖରେ ଦେବେ ହୁତାଶ ଯେ ।୨୧।

 

କୃପଣ ଚିତ୍ତ ନୋହେ ଚକିତ,

ଦେଖିଲେ ନାନାରୂପେ ଅଦ୍ଭୁତ ବାଳିଶ ମନ

ଦ୍ରବଇ ନାହିଁ ଶୁଣିଲେ ଗୀତ ଯେ ।

କେବଳ ଖଳହଳ ଅନଳ ସନ୍ତାପକୁ ଏ କ୍ଷମାଣ୍ଡଳ

ମଣ୍ଡନମାନଙ୍କର ଏ ଘେନ ନୁହନ୍ତି ହିତ ଯେ ।

କଲେ ନିନ୍ଦା ଏ ଘେନ ନାସ୍ତିକ ଜନ ଯେ ।

କାହିଁ ପାଇଁକି ହେବ ବିମନ ହେ ।

କରିଛି ତାଙ୍କୁ ବିହି ବିଧାନ, ପର ନିନ୍ଦାରେ ନେବାକୁ ଦିନ,

ମୋହୋ କହିଲେ ସେ କଥେ ନିକି ହୋଇବ ଆନ ହେ ।୨୨।

 

କେବେହେଁ ନିମ୍ବ ନୋହେ ମଧୁର ସଂଯୋକ

କଲେ ନେଇ ଶାକର କଳାକୁ ନ ଛାଡ଼ଇ

ଅଙ୍ଗାର ଦୁଧେ ଧୋଇଲେ ଯେ ।

କର୍ପୁର ଗନ୍ଧ ଚନ୍ଦନ ଦେଇ ରସୁନ ଗନ୍ଧ ନୋହେ ଚଡ଼ାଇ

କୁବୁଦ୍ଧି ନୋହେ ସୁବୁଦ୍ଧି ଯେତେରୂପେ କହିଲେ ଯେ ।

କଥା ଏତେହେଁ ଯେବେ ଧାତା କରନ୍ତା ଯେ ।

କସ୍ତୁରୀକି ଖଳଙ୍କ ଜିଭେ ରଖନ୍ତା ଯେ ।

କଟାଯାଆନ୍ତା ସମୂଳ ହୋଇ, କାହାକୁ କିଛି କହନ୍ତେ ନାହିଁ,

ଉତ୍ତମକଥାମାନ କେବେହେଁ ନିନ୍ଦା ନୁହନ୍ତା ଯେ ।୨୩।

 

କେ ବୋଲେ କ୍ଷ୍ୱେଡ଼ ଅଛି ଗରୁଡ଼ – ବଇରୀଠାବେ

ବିଶେଷ ବଡ଼ କେ ବୋଲେ ଲେମ୍ୱୁଚନ୍ଦ୍ର ପିଡ଼ ସଙ୍ଗ ସଙ୍ଗମେ ଅଛି କେ ।

ବୋଲେ ଖଳ ରସନା ପୁଟେ, କେ ବୋଲେ ନାରୀ ନେତ୍ର ପ୍ରକଟେ

ଯେ ଯେଡ଼େ ସେ ତ ସଂସାର ବାଟେ ପଡ଼ିଛି ହେ ।

କରିବାକୁ ସମସ୍ତ ବିଷ ବିନାଶ ହେ ।

କଲି ଶ୍ରୀକୃଷ୍ଣ ନାମ ଅମୃତ ଗ୍ରାସ ହେ ।

କମଳଧର ଚଞ୍ଚଳାପଦ କାମୀଜନଙ୍କ ସନ୍ତାପଚ୍ଛେଦ

ହରିତାମ୍ବରମଣ୍ଡନ ମନବାତକ ତୋଷ ହେ ।୨୪।

 

କରି ଅମୃତ ଦାନ ଅନେକ ରକ୍ଷା କରିଛି ସକଳ ଲୋକ

କାମନା-ରୂପା ନୀଳକଣ୍ଠଙ୍କ ନାଟକା କହେ ।

କାନନ ଧନଞ୍ଜୟ ନାଶକ ଅନନ୍ତ ଗତି ହଳିତୋଷକ ଅର୍ଜ୍ଜୁନ

ସୁମନସ ବିକାଶ କରଣେ ଏକ ହେ ।

କୁବଳୟ ସୁନ୍ଦର ଭୁବନାନନ୍ଦ ହେ । କାହିଁପାଇଁ ମୋଠାରେ ଏ କଲ ଛନ୍ଦ ହେ ।

କରରେ ଦେଇ ଚିନ୍ତାମଣିକି ବିନାଶ କଲ ସବୁ

ଆଣିକି ପ୍ରଭୁ ଲକ୍ଷଣ ଏମନ୍ତ ନିକି ଆନନ୍ଦ-କନ୍ଦ ହେ ।୨୫।

 

କାହିଁକି ମୋତେ ସଂସାରଲଟ ମଧ୍ୟରେ ପ୍ରଭୁ

କଲ ସଂଘଟ କିମ୍ପା ନ କଲ ଚରଣପଦ୍ମ କୁସୁମ-ଲିଟ ହେ ।

କିମ୍ପା ଛାଡ଼ନ୍ତି ଭକତି ବାଟ ଆନନ୍ଦ ହୋଇ କରନ୍ତି

ନାଟ ଏବେ ଅନେକ ରୂପ କଲାଣି ଏ ପୋଡ଼ା ପେଟ ହେ ।

କେତେବେଳେ ବୋଇତେ ଗଲା କରଟ ହେ ।

କେତେବେଳରେ ମୁର୍ଖ ନାୟକ ଚାଟ ହେ ।

କେତେବେଳରେ ଅଦୃଶ୍ୟ ନଟ, କେତେବେଳରେ ବଧୀର ଭାଟ,

କେତେବେଳରେ ପଇଡ଼ଖୋଳା ମୁଠ ମର୍କଟ ହେ ।୨୬।

 

କଲି ଯେ ତୁମ୍ଭ ନାସ କୁସୁମ, ଯତନ କରି ମାଳା

ସୁଷମ ତାହା ମୁଲାଲ ନେବାକୁ କେହି ନୋହିଲେ କ୍ଷମ ହେ ।

କେବଳ ମାଳାକର ପରାୟେ ମୁହିଁ ତ ନ ଘେନିଲି ଥୋକାଏ

କେ ଅଛି ନେବ ତାହା କରମ ସତେ ଉତ୍ତମ ହେ କେହି

ନାହିଁ ବେଷ୍ଟିତ ଧମ୍ମିଲ୍ଲବନ୍ତ ହେ ।

କରିବାକୁ ଏ ମାଳ କଣ୍ଠେ ଲମ୍ବିତ ହେ ।

କରୁଛି ମନେ ବିଚାର ଏତେ, ଜଗତଯାକ ଅଛନ୍ତି ଯେତେ

ସାମବେଦୀଙ୍କ ବ୍ରତବେଶ ଏ ହେଲେ ସନ୍ତତ ହେ ।୨୭।

 

କଲେ ତୁମ୍ଭର ରସରେ ଗୀତ ରସଇ ନାହିଁ କାହାର ଚିତ୍ତ

କର୍ଣ୍ଣରେ ଶୁଣି ବୋଲନ୍ତି ରସବିଶେଷ ନୋହେ ତ ଯେ ।

କରିତ ଥାନ୍ତି ଜ୍ଞାନକୁ ହତ ମୋହମଦରେ ହୋଇ ସଞ୍ଚିତ ମୁଁ

ତାଙ୍କୁ କି ବୋଲିବି ଆହାର ନଥାଇ କୃତ୍ୟ ଯେ ।

କିଛି କିଛି ଅଛନ୍ତି ଯେତେକ ଗୁଣୀ ଯେ ।

କେତେ କହିବି ତାଙ୍କ ଚରିତ୍ର ପୁଣି ହେ ।

କେ ଶିଶୁ ପଶୁ କେ ମହାଫଣୀ ବୋଧ ନୁହନ୍ତି କର୍ଣ୍ଣରେ ଶୁଣି

କେ ତୂଷ୍ଣୀଭୂତ ହୋଇ ରହେ କେ ପଶନ୍ତି ହାଣି ହେ ।୨୮।

 

କାହାରି ହୃଦ କ୍ରବଇ ନାହିଁ ଜଳ ଉତ୍ପଳ ପରାୟେ ହୋଇ

କେବଳ ବାହାରକୁ ତିନ୍ତିଲା ପରାୟେ ଦିଶେ ଯେ ।

କରନ୍ତି ଅଙ୍ଗେ ଅନେକ ଛାପ, କେହି ନ ଜାଣେ ଭିତର ପାପଚିତ୍ର

କାରକ ପଟ ପରାୟେ ପ୍ରତ୍ୟକ୍ଷେ ଦିଶେ ହେ ।

କଥା କଥାକେ କହିବାକୁ ଏ ଶଲ ଯେ ।

କିମ୍ପା ଦୀନକୃଷ୍ଣକୁ ଏମନ୍ତ କଲ ହେ ।

କବି ଯା କରେ ମୁଖକୁ ସ୍ତୁତି ଏଥିରୁ ବଡ଼ ନାହିଁ ବିପତ୍ତି

ଏଥିକି ପ୍ରତି ଛାତିରେ କାତି ମରିବା ଭଲ ହେ ।୨୯।

 

Unknown

ସପ୍ତଦଶ ଛାନ୍ଦ

ଶରତ୍‌ ଋତୁରେ କୃଷ୍ଣ ଓ ଗୋପୀଙ୍କର ରସଲୀଳା ଆରମ୍ଭ

ରାଗ - କଲ୍ୟାଣ, ପଡ଼ିତାଳ

 

କ୍ରମେ ପ୍ରବେଶ ହୋଇଲା ଶରଦ

କମଳଧରେ ଦିଶିଲେ ବିଶଦ

କୃପଣ ହୋଇଲେ ଅମୃତ ଦାନେ

କେବଳ ଭୟଦ ହେଲେ ଗର୍ଜ୍ଜନେ

କକୁଭ ନଭ ଦିଶିଲେ ଶୋଭା

କଲେ ପ୍ରକାଶ ପୁଷ୍ପବନ୍ତେ ପ୍ରଭା ୧।

 

କଳୁଷ ନଦୀ ଜଳରୁ ତୁଟିଲେ

କମଳ କୁମୁଦମାନେ ଫୁଟିଲେ

କେଳି କଲେ ହଂସ କୋକ ସାରସ

କାମିନୀମାନଙ୍କ ସଙ୍ଗେ ବିଶେଷ

କମଳା ନେତ୍ର ଛଟକ ପ୍ରାୟେ

କ୍ରୀଡ଼ନ୍ତି ଶଫରୀ କମ୍ପାଇ କାୟେ ୨।

 

କମନୀୟ ଦିଶେ ପୁଳିନ କୂଳ

କଠିନ ହୋଇଲେ ମହୀ ଜମ୍ୱାଳ

କୃଷ୍ଣ ଅଙ୍ଗରେ ପୀତବାସ ପ୍ରାୟେ

କେଦାରେ ପକ୍ୱଶାଳୀ ଶୋଭାପାଏ

କୁମାରୀ ଗୀତ ଶୁଭେ ବହୁତ

କରଇ ହରଷ ଜନଙ୍କ ଚିତ୍ତ ୩।

 

କଉଁଠାରେ ଶ୍ୱେତଛଦ୍ର ଆକୃତି

କମନୀୟ ଦିଶେ ଶିଳୀନ୍ଧ୍ର ପନ୍ତି

କାମଦେବ ଶ୍ୱେତ ଚାମର ପ୍ରାୟେ

କାଶତଣ୍ଡି ଫୁଲ ଚଳନ୍ତି ବାୟେ

କୁସୁମବନ୍ତ ବନ୍ଧୁକ ଫୁଲ

କାନ୍ତ କାନ୍ତ- ଦନ୍ତ ବସନ ତୁଲ ୪।

 

କାନ୍ତରହିତ କାନ୍ତା ପ୍ରାୟେ ହୋଇ

କଳାପି କଳାପ ଅଙ୍ଗୁ ପକାଇ

କେକା ଛାଡ଼ି ହେଲେ ମଉନ ବ୍ରତ

କଲେ ହଂସ ମାନସର ତ୍ୟକତ

କଣ୍ଠକୁ ତାର ଗ୍ରାମରେ ଯନ୍ତ୍ରୀ

କଧୀରେ ଗଗନେ ଗମନ କରନ୍ତି ୫।

 

କପବ୍ଦୀ ଯାନମାନେ ହେଲେ ମତ୍ତ

କଲେ ଲୋଧ୍ର ତରୁ କୁସୁମ ଜାତ

କୋରଜିତ ହେଲେ ଅଗସ୍ତି ଦ୍ରୂମ

କଳାକାର ଖଣ୍ଡ ପ୍ରାୟେ ସୁସମ

କୃପଣ ଲୋକ ଲୋକ ପରାୟେ

କଷ୍ଟ ପାଇଲେ ଚାତକ ପକ୍ଷୀଏ ୬।

 

କମଳ ମୋଦକ କମାର ଦିଶେ

କୁମ୍ଭମୁନିସୁତ ରାତ୍ରରେ ଦଂଶେ

କେତେ କହିବି ଶରଦ ବର୍ଣ୍ଣନା

କହିଲେ ଅନେକ ହୋଇବ ସିନା

କରିଅଛି ସବୁ ଦିଗ ଧବଳ

କମନୀୟ ଦିଶେ ମହୀମଙ୍ଗଳ

କର୍ପୂର ମୋତି ବିଞ୍ଚିଲା ପରାୟେ

କି ଅବା କ୍ଷିତି ହେଲା କ୍ଷୀରମୟେ

କାହାର ଯଶ ପ୍ରକାଶ ହୋଇ

କେତେ ଶୁକଳକୁ ଦେଲା ଲୁଚାଇ ୮।

 

କାଦମ୍ବକୁଳ ନୋହି ଦେଖା ଦେଖି

କବରବ କରି ହୁଅନ୍ତି ଦୁଃଖୀ

କୁଞ୍ଜର କୁଞ୍ଜ ନଥିଲା ପରାୟେ

କରାଇ ଜନମନକୁ ସଂଶୟେ

କେ ବୋଲେ କାହା ହୃଦକୁ ଚାହିଁ

କୁବଳୟ ଫଳମାନ ତୋ କାହିଁ ୯।

 

କେ କାହା ପାଶକୁ ଏହି ସମୟେ

କରନ୍ତେ ଗତି ବେଶକରି କାୟେ

କରାଇଲା ପ୍ରତିବିମ୍ୱ ବାରଣ

କରେ ବାରଣକୁ ଯେହ୍ନେ ଆରଣ

କାହାର ପୁର ସନ୍ଧ୍ୟା ଲେପରୁ

କରାଇନାହିଁ ପରତେ ଦୂରରୁ ୧୦।

 

କେ କହିବ ଚନ୍ଦ୍ର ରଜନୀ ଶୋଭା

କରେ ଯେ ଉଗ୍ର ମନମଥପ୍ରଭା

କୃଷ୍ଣ ଦେଖି ହେଲେ ତାହାର ବଶ

କଲେ ବିଚାର କରିବାକୁ ରାସ

କମଳ ନେତ୍ର ସୁବେଶ ହୋଇ

କଦମ୍ବ ତଳେ ବିଜେ କଲେ ଯାଇଁ ୧୧।

 

କରେ ବାଣୁ ଧରି ବାଦନ୍ତି ଧୀରେ

କର୍ଣ୍ଣେ ଗୋପୀ ଶୁଣି ଧାମନ୍ତି ଖରେ

କେ କେତେ ରୂପରେ ହୋଇଲେ ଭ୍ରମ

କହିବାକୁ ତାହା କେ ଅବା କ୍ଷମ

କେ ବସି ବେଶ ହେଉ ଯେ ଥିଲା

କେ ବନ ଆଭୋଗ ଯାଏ ନ ଗଲା ୧୨।

 

କାହା କବରୀ ନୋହିଥିଲା ବନ୍ଧା

କଲା ମୁରଲୀଧ୍ୱନି ତାକୁ ଧନ୍ଦା

କଜ୍ଜ୍ୱଳ ବୋଲି କେ କସ୍ତୁରୀ ନେଇ

କମଳଦଳ ନୟନେ ରଞ୍ଜଇ

କଜ୍ଜ୍ୱଳ କଳା କପାଳେ ଚିତା

କଲା ଉଚ୍ଛାଟ ତାକୁ ହତଚେତା ୧୩।

 

କେ କଟୀ ଭୂଷଣ କଣ୍ଠକୁ ଦେଲା

କଣ୍ଠ ଭୂଷଣ ଚରଣେ ଖଞ୍ଜିଲା

କାହାର ଏ ନୟନେ ଅଞ୍ଜନ

କେ ଧାଇଁଲା କରେ ଧରି ଚନ୍ଦନ

କେ ରସବତୀ କର୍ମ ଛାଡ଼ିଲା

କର୍ମ କରି କୃଷ୍ଣଶର୍ମ ଲୋଡ଼ିଲା ୧୪।

 

କାହା କଟିତଟେ କିଙ୍କିଣୀ ମାଳ

କରନ୍ତେ ଗମନ ଶୁଭେ ମଞ୍ଜୁଳ

କନ୍ଦର୍ପକାରୀ ଚାଲିବାରୁ ଖରେ

କନକ ଘଣ୍ଟି ଚଳିଲେ କି ମୁଖରେ

କାହାର ଉଡ଼େ ବାସ ଅଞ୍ଚଳ

କାମପତାକା ପରାୟେ ଚଞ୍ଚଳ ୧୫।

 

କାହା ହୃଦୟେ ମୋତିମାଳ ଲମ୍ବେ

କନକକୁମ୍ଭ ଉଚ୍ଚ କୁଚ ଚୁମ୍ବେ

କାମ ମାଳାକାର ଶଙ୍ଖପୟରେ

କଲେ କି ଅଭିଷେକ ଶମ୍ଭୁଶିରେ

କାହାର ଝିଲିମିଲି ଝଲକେ

କାମଝମକ ନ ରହେ ପଲକେ ୧୬।

 

କାହାର ଘାମୁଡ଼ି, ବଳା, ନୂପୁର

କରନ୍ତେ ଗତି ହୋଇଛି ମୁଖର

କାମକଉତୁକୀ ଗୋଡ଼ାଇବାରେ

କଦମ୍ବ ନାଦ କି କରଇ ଖରେ

କାହାର ମଣିମୟ କୁଣ୍ଡଳ

କମ୍ପିବାରେ ଶୋଭା ମୁଖମଣ୍ଡଳ ୧୭।

 

କାମିନୀମାନେ ହୋଇ ଯୂଥଯୂଥ

କରନ୍ତେ ଗମନ ନ ପାନ୍ତି ପଥ

କୃଷ୍ଣପାଇଁ ଏତେ ସୁବର୍ଣ୍ଣ ରଥ

କରିଛି ଭିଆଣ କି ମନରଥ

କରିବ ନାନା ବନ୍ଧେ ସମର

କରେ ପ୍ରୀତି ରହୁବରେ ସଞ୍ଚାର ୧୮

 

କୁବଳୟ ସଙ୍ଗ ପାଇବା ପାଇଁ

କେତେ ମାର୍ଗରେ ନଦୀମାନ ଯାଇଁ

କରନ୍ତି ଯେମନ୍ତ ଅଙ୍ଗକୁ ସ୍ଥିର

କୃଷ୍ଣ ଭେଟେ ଗୋପୀ ସେହି ପ୍ରକାର

କଙ୍କଣାକୃତି ହୋଇ ରହିଲେ

କିପରି ବେଶ ଚନ୍ଦ୍ରଙ୍କୁ ଶୋହିଲେ ୧୯।

 

କୋଟି ମଦନ ମନୋହର ବେଶ

କରି ଦର୍ଶନ ହୋଇଲେ ହରଷ

କେବଳ ଚିତ୍ରନାରୀ ପ୍ରାୟ ହୋଇ

କାହାରି ପଲକ ପଡ଼ିଲା ନାହିଁ

କେ ମହାମତ୍ତ ମୟୂରୀ ପ୍ରାୟେ

କୃଷ୍ଣ ମେଘ ଦେଖି ଆନନ୍ଦ ହୋଏ ୨୦।

 

କାହା ନୟନ ତୁଷିତ ଚକୋରୀ

କାନ୍ତାମୁଖ ଚନ୍ଦ୍ରେ ନିବେଶ କରି

କରଇ କିରଣ ଅମୃତପାନ

କେବେହେଁ ମନ ନ କରଇ ଆନ

କେ ଚନ୍ଦ୍ରକାନ୍ତ ପରାୟେ ହେଲା

କହୁଁ କହୁଁ ଅଙ୍ଗ ତରଳିଗଲା ୨୧।

 

କାହାମନ ଚନ୍ଦ୍ରକାନ୍ତି ପ୍ରକାଶ

କାହା ତାରକା ତାରକା ସନ୍ତୋଷ

କାହା ଆନନ୍ଦ ସିନ୍ଧୁ ଉଛୁଳିଲା

କହୁଁ କହୁଁ ନେତ୍ରତଟ ବଳିଲା

କାହାର ତାପ ହୋଇଲା ଶାନ୍ତି

କେ ନିଶା ପ୍ରାୟେ ବଢାଇଲା କାନ୍ତି ୨୨।

 

କେ ଅଙ୍ଗ ଭଙ୍ଗୀ କରି ହାଇମାରେ

କର୍ଣ୍ଣକଣ୍ଡୁ କରଶାଖାରେ ବାରେ

କେ କଟାକ୍ଷ ଚାହିଁ ଅଳପ ହସି

କବରୀଭାର ଆନକରି ଖୋସି

କରଇ କୁଚମୂଳ ପ୍ରକାଶ

କୃଷ୍ଣ ମାନସ କରିବାକୁ ବଶ ୨୩।

 

କଉତୁକେ କୃଷ୍ଣ ବୋଲନ୍ତି ହସି

କି ଗୋ ଗୋପୀ ତୁମ୍ଭେ ଏଡ଼େ ସାହସୀ

କାହିଁପାଇଁ ଏତେ ରାତ୍ରେ ଅଇଲ

କୁଳଶୀଳ ଲାଜ କାହିଁ ଥୋଇଲ

କେ ବୋଲେ ତୁମ୍ଭମାନଙ୍କୁ ଭୀରୁ

କରିଛି ବିଚାର ଅନାଇ ଦୂରୁ ୨୪।

 

କେ କଲା ତୁମ୍ଭଙ୍କୁ ଏଡ଼େ ଅଜ୍ଞାନ

କହନ୍ତି ଗୋପୀ ତୁମ୍ଭ ବେଣୁସ୍ୱନ

କରନ୍ତା ନାହିଁ ସେ ଯେବେ ଉଚ୍ଚାଟ

କିମ୍ପା କରନ୍ତୁ ଅବାଟକୁ ବାଟ

କାହିଁକି ଗୃହପତି ଛାଡ଼ନ୍ତୁ

କାମ କୃତାନ୍ତ ମୁଖରେ ପଡ଼ନ୍ତୁ ୨୫।

 

କର୍ଣ୍ଣେ ଶୁଣିମାରୁ ମୁରଲୀ ଗୀତ

କରଙ୍ଗୀ ପରାୟେ ହେଲୁ ମୋହିତ

କେଶବାସ ନ ସମ୍ଭାଳି ଧାଇଁଲୁ

କୃଷିକ ପରାୟେ ଶ୍ରମ ପାଇଲୁ

କଲୁ ସେ ଆସି ଦଶନ ଅଙ୍ଗ

କ୍ରମେ ହୋଇଛୁ ଅନଳ ପତଙ୍ଗ ୨୬।

 

କିମ୍ପା ଡ଼ାକିଲ ଗୋପୀ ଆସ ଆସ

କରୁଛ ଏବେ କାହିଁକି ନିରାଶ

କଲ ଆମ୍ଭଙ୍କୁ ସବୁ ରୂପେ ନାଶ

କୃପାଳୁ ହୋଇ ଦୟାନାହିଁ ଲେଶ

କାହିଁକି ଏବେ ଯିବୁ ତା କହ

କିଣିଛି ଆମ୍ଭଙ୍କୁ ତୁମ୍ଭେ ସେନେହ ୨୭।

 

କୃଷ୍ଣ ହସି ଅନୁରାଗ ବିସ୍ତାରି

କହିଲେ ତୁମ୍ଭେ ମୋ ପ୍ରାଣଈଶ୍ୱରୀ

କଣ୍ଠରେ ଅମୂଲ୍ୟ ରତନ ମାଳୀ

କରିବ ଏବେ ଆସ ରସକେଳି

କାମିନୀମାନେ ଶୁଣି ଅସନ୍ତୋଷ

କଲେ ଆରମ୍ଭ ରାସରଙ୍ଗ ବେଶ ୨୮।

 

କେ ଧରେ ବୀଣା କେ ଧରେ ମର୍ଦ୍ଦଳ

କେ ଧରେ ରବା କାହା କରେ ତାଳ

କେ ଧରେ ଉପାଙ୍ଗ କେ ଧରେ ବଂଶୀ

କେ ସୁରମଣ୍ଡଳ ଘେନିଲା ହସି

କାହାର କରେ ଦିବ୍ୟ ଚାମର

କେ ଆଲଟ ଖଦୀ ଘେନି ବାହାର ୨୯।

 

କହି ନୋହଇ ସକାଳେ ସମ୍ପତ୍ତି

କୋଟି ବ୍ରହ୍ମାଣ୍ଡ ନାଥ ଯହିଁଛନ୍ତି

କଉଁ କଥା ଅବା ଅପୂର୍ବ ତହିଁ

କଟାକ୍ଷେ କୋଟି ଲକ୍ଷ୍ମୀ ଯହିଁ

କୁବେର ଆଜ୍ଞାକାରୀ ଯାହାର

କରନ୍ତି ସେ ପ୍ରଭୁ ବସେ ବିହାର ୩୦।

 

କାନନ ମଧ୍ୟେ ହୋଇଲେ ପ୍ରବେଶ

କାହାରି ମନରେ ନାହିଁ ବିରସ

କଳେବର କାନ୍ତି ଚନ୍ଦ୍ରକୁ ବଳି

କଳାକର କରେ ଉଠୁଛି ଝଳି

କହିବ କଉଁ କବି ସେ ଶୋଭା

କାମବ୍ରହ୍ମ ଯହିଁ ପ୍ରତ୍ୟକ୍ଷେ ଉଭା ୩୧।

 

କରମ୍ବିତ ହୋଇ ଗୋପିକାପନ୍ତି

କୃଷ୍ଣଙ୍କୁ ବେଢି ସୁନ୍ଦର ଦିଶନ୍ତି

କାନସ୍କନ୍ଧେ କି ସ୍ୱର୍ଣ ଆଳବାଳ

କଳାକାରେ ଅବା ତାର ମଣ୍ଡଳ

କାମକଶକ୍ତି ମର୍କତ ଲିଙ୍ଗ

କରିବାକୁ ଲକ୍ଷ୍ୟ ବଚନ ଭୃଙ୍ଗ ୩୨।

 

କରନ୍ତି ରାସ ଅତି ଅନୁରାଗେ

କର୍ଣ୍ଣପ୍ରିୟ ହୋଏ ଗ୍ରାମ ବିଭାଗେ

କଳକଣ୍ଠ – କଣ୍ଠୀ ଗାବନ୍ତି ଗୀତ

କରେ ଅର୍ଥ ଅଭିନୟ ଉଦିତ

କରନ୍ତି ତାଳପାତ ଘାତରେ

କେହି ଊଣାନୋହେ ଲୟଭେଦରେ ୩୩।

 

କମଳଦଳ ନେତ୍ର ତାଳମୟ

କ୍ରୀଡ଼ା ହେତୁ ରସ ଭକ୍ତି ଉଦୟ

କଣ୍ଠେ ମୁକ୍ତାବଳି କୋକିଳ ରବ

କରେ କଙ୍କଣ ମୁଖ ଚନ୍ଦ୍ରବିମ୍ବ

କନ୍ଦର୍ପ ରୂପ ବସନ୍ତ ବାସ

କରେ ଦୀନକୃଷ୍ଣ ତାହାଙ୍କୁ ଆଶ ୩୪।

 

ଅଷ୍ଟାଦଶ ଛାନ୍ଦ

ରାସ ଅଭିସାରୀ ଗୋପୀଙ୍କ ଅପରୂପ ବେଶ ଓ ନୃତ୍ୟ

ରାଗ - ମୁଖାରୀ, ପଡ଼ିତାଳ

 

କହିଛନ୍ତି ଦେବେ ଏକଦୃଷ୍ଟି

କରି ସୁବାସ କୁସୁମ ବୃଷ୍ଟି

କେ କହିବ ତାଙ୍କ ତପବଳ

କାଳେ ଅପଲକ ହେଲା ଫଳ ୧।

 

କୃଷ୍ଣ ଗୋପଯୁବତୀଙ୍କ ରାସ

କରିଅଛି ସମସ୍ତଙ୍କୁ ବଶ

କଥନୀୟ ନୋହଇ ସେ ଶୋଭା

କରିଅଛି ଯେ ଦାବଙ୍କୁ ଉଭା ୨।

 

କଳାକର କିରଣ ପ୍ରକାଶ

କୁସୁମରୁ ପ୍ରକଟେ ସୁବାସ

କାଳିନ୍ଦୀରେ ପଡ଼ି ଗନ୍ଧବହ

କରେ ଗତି ହୋଇ ରହ ରହ ୩।

 

କରମ୍ବିତ ହୋଇ ଚାରୁବାଦ୍ୟ

କାଳକ୍ରିୟାରେ ହୋଇଛି ଭେଦ

କଟି କିଙ୍କିଣୀ ନୂପୁର ନାଦ

କରେ ମାନସ ମହାପ୍ରମୋଦ ୪।

 

କାହା କଣ୍ଠ ନିନ୍ଦେ ବ୍ରହ୍ମବୀଣା

କାହା ସ୍ୱର କୋକିଳକୁ ଜିଣା

କେହି ନୋହେ ଲୟମାନେ ଊଣା

କେଉଁ ଗୁଣେ କେ ନୋହେ ପ୍ରବୀଣା ୫।

 

କେହି ନୋହେ ଉଚ୍ଚ ନୀଚ କୃଶ

କେହି ନୋହେ ପୃଥୁଳ ବିଶେଷ

କେହି ନୋହେ ବୟସରେ ଭାରୀ

କେ ନୋହନ୍ତି କୃଷ୍ଣ ମନୋହାରୀ ୬।

 

କାନ୍ତି କାନ୍ତେ ସମସ୍ତେ ମଣ୍ଡିତା

କାମଶାସ୍ତ୍ରେ କୁଶଳ ପଣ୍ଡିତା

କୃଷ୍ଣେ ସମସ୍ତେ ହେଁ ଅନୁରାଗୀ

କୃଷ୍ଣ ଅଭାବେ ବିଷୟ ତ୍ୟାଗୀ ୭।

 

କେତେରୂପେ କେ ହୋଇଛି ବେଶ

କହିବାକୁ ସେ ଛବି ଅଶେଷ

କୃଷ୍ଣ ମାନସ ମାନସ ହଂସ

କଉଁ ଲୋକ ବା ନୋହିବ ବଶ ୮।

 

କାହା କୁଟିଳ କୁନ୍ତଳ ବେଣୀ

କାମ କର ଗୁପତିକି ଜିଣି

କେ କରଇ ଲୋକ ପ୍ରାଣ ନାଶ

କେ କରଇ ମଧୁ ଏକା ଗ୍ରାସ

କାହାଠାରେ ନାହିଁ ସୁଖ ଲେଶ

କେହି ନ କରେ ମନ ଉଲ୍ଲାସ ୧୦।

 

କବି ନ ପାଇ ଉପମାମାନ

କରୁଥାନ୍ତି ଏହାକୁ ସମାନ

କାହାଠାରେ କଉଁ ସନମାନ

କରି ନ କରନ୍ତି ଅଭିମାନ ୧୧।

 

କୁସୁମରେ ଦିଶେ ମହାଶୋଭା

କରେ ମୁନିଜନ ମନ ଲୋଭା

କଳଧଉତ ପତ୍ରକୁ ଘେନି

କୋଟିଝୁମ୍ପା ମହା ସୁଖଦାନୀ ୧୨।

 

କଳିନ୍ଦ କନ୍ୟା ଲହରୀ ବଳି

କପାଳ ତଟେ ଅଳକାବଳୀ

କୁରୁଳିରେ ଯାଇଅଛି ଝଳୀ

କମ୍ପେ ସୁବର୍ଣ୍ଣ ଝଲକମାଳୀ ୧୩।

 

କଉଁ କାମିନୀ ଲୋଟଣୀ ଜୁଡ଼ା

କଟାକ୍ଷରେ କରେ ଘରବୁଡ଼ା

କରି କେତକୀ ପାଖୁଡ଼ା ତୋରା

କୃଷ୍ଣ ମନ କାମେ କରେ ତୋରା ୧୪।

 

କି ଚାତୁରୀରେ ବାନ୍ଧିଛି ଗଭା

କହି ନୋହେ ବଚନେ ସେ ଶୋଭା

କୃଷ୍ଣ ମନ ଯାଇଅଛି ବନ୍ଧା

କାମେ କେ ଅବା ନ ଯିବ ବିନ୍ଧା ୧୫।

 

କାହା କପାଳେ ଗନ୍ଧ ତିଳକ

କରେ କନ୍ଦର୍ପେ ଅନ୍ଧ ତ୍ରିଲୋକ

କାମ କରବାଳ ପ୍ରାୟେ ଯେଣୁ

କାହ୍ନୁ ମନ ତରଳାଇ ତେଣୁ ୧୬।

 

କଉଁ ସୁନ୍ଦରୀ ସୁନ୍ଦୁର ଚିତା

କରେ ଉର୍ଦ୍ଧ୍ୱରେତା ହତ ଚେତା

କୁସୁମେ ସୁରକ୍ତ କରି ବାଳା

କାମୀରକ୍ତେ ହୋଇଛି ପ୍ରବଳା ୧୭।

 

କାହା ନେତ୍ର ଖଞ୍ଜନ ଗଞ୍ଜନ

କଜ୍ଜ୍ୱଳରେ ହୋଇଛି ରଞ୍ଜନ

କି କି କରି ନୟନରେ ଚାଳେ

କୃଷ୍ଣ ଧୈର୍ଯ୍ୟ ନ ରଖି ଢାଳେ ୧୮।

 

କାହା ଭ୍ରୁଲତା ଭଙ୍ଗିମା ଛବି

କହିବାକୁ ଅଛି କଉଁ କବି

କମ୍ପେ ଅଙ୍ଗ ଯାହା ଭାବ ଭାବି

କାମଇନ୍ଦ୍ର କରେ ଧରେ ପବି ୧୯।

 

କାହା କର୍ଣ୍ଣେ ଦର୍ପଣ ଝଲକ

କଳେବର ବଢାଇ ପୁଲକ

କରେ ସ୍ଥକିତ ନେତ୍ର ପଲକ

କିଣିପାରେ ତିନିଲୋକ ଲୋକ ୨୦।

 

କାହା ନାସେ କାବ୍ୟତାର ମୋତି

କୁନ୍ଦନକୁ ବଳି ଦିଶେ ଜ୍ୟୋତି

କାନ୍ତି ଦନ୍ତବାସ ପ୍ରତିବିମ୍ୱ

କରିଅଛି ଯହିଁ ଅବଲମ୍ୱ ୨୧।

 

କାହା ହସ୍ତକ ହସ୍ତୀ ବଲ୍ଲରୀ

କରମଣ୍ଡନମାନଙ୍କୁ ଧରି

କାମକର ପାଶ ପ୍ରାୟେ ହୋଇ

କାହା ମନ ବନ୍ଦୀ କରି ନାହିଁ ୨୨।

 

କାହା ରଙ୍ଗ କିତପା କଞ୍ଚୁଲି

କୁଚଭରେ ଉଠିଅଛି ଫୁଲ

କାମରଙ୍ଗଶାଢୀ ଘର ପ୍ରାୟେ

କଳ୍ପିବାରେ ଆସଇ ଥୋକାଏ ୨୩।

 

କଣ୍ଠେ ଲମ୍ବେ ଗଜମୋତି ହାର

କହିବାକୁ ଅତି ଅଗୋଚର

କି ଲୋହିତ ମେଘ ତାର ବାର

କଲା ଉଦେ ନାଭି ଅବତାର ୨୪।

 

କାହା କଟିରେ କିଙ୍କିଣୀ ଚଳେ

କହୁଅଛି କେ ଅତି ବିକଳେ

କୁଚ ପର୍ବତ ଅଛି ମୁଁ ବହି

କରୁ କି ନା ନୃତ୍ୟ ରହି ରହି ୨୫

 

କରିଅଛି ବିହି ମୋତେ ସରୁ

କିମ୍ପା ମୋଠାରେ କୃପା ନ କରୁ

କହିଲେତ ବୋଲ ପରିହରୁ

କାହିଁପାଇଁ ବୋଲାଉ ତୁ ଭୀରୁ ୨୬।

 

କାହା ଘାଗୁଡ଼ି କଳା ହଂସକ

କଳହଂସ ପ୍ରାୟେ କରେ ଡାକ

କି ସେ ପାଦ ଅରବିନ୍ଦ ମିଳି

କରେ ଝଙ୍କାର ଭୃଙ୍ଗ ମଣ୍ଡଳୀ ୨୭।

 

କେତେ କହିବି ଏହି ପ୍ରକାରେ

କମନୀୟ ବେଶ ନୃତ୍ୟ କରେ

କେତେବେଳେ ପ୍ରବନ୍ଧ ଗାବନ୍ତି

କେତେବେଳେ ଛାୟା ଲାଗେ ପ୍ରତି ୨୮

 

କେତେବେଳେ ଚିତ୍ରପଦ ଆଦି

କେତେ କହିବି ତାହା ସମ୍ପାଦି

କୁଞ୍ଜବିହାରୀ ରସିକ ଯହିଁ

କଉଁ କଥା ଅବା ନାହିଁ ତହିଁ ୨୯।

 

କଉଁ ନାଦ କଉଁ ଶ୍ରୁତି ସ୍ୱର

କଉଁ ମୂର୍ଚ୍ଛନା ତାନ ନିଜର

କଉଁ ଜାତି ଗ୍ରାମ ରାଗ ରାଗି

କୃଷ୍ଣ ଆଜ୍ଞାକୁ ନାହାନ୍ତି ଜଗି ୩୦

 

କଉଁ ତାଳ ଗ୍ରହଲୟ ମାନ

କଳା ମାତ୍ର ହୋଇଅଛି ଶୂନ୍ୟ

କୁନ୍ଦ କୁମୁନ୍ଦ ବନ ଭାରତୀ

କରେ ଯଉଁ ପ୍ରଭୁ ସେବା ନିତି ୩୧।

 

କହି ହୋଏ କି ସେ ପ୍ରଭୁ ଲୀଳା

କୃପା ନ କଲେ ସେ ପଦ୍ମ ଡୋଳା

କେତେକେତେ ପଙ୍ଗୁ ଲଙ୍ଘେ ଗିରି

କୁବଳୟ ହୁଅଇ ପହଁରି ୩୨

 

କଳାନିଧି କରେ ହୋଏ ଧରି

କଇବଲ୍ୟ କି ଆୟତ୍ତ କରି

କୋଳ କରି ନିକି ବସୁନ୍ଧରୀ

କନ୍ଦର୍ପକୁ ନେତ୍ରେ ଦେଖି ପାରି ୩୩।

 

କୋଟି କୋଟି କଳ୍ପ କ୍ଷୟ ଗଲେ

କ୍ରୀଡ଼ାରଙ୍ଗ ଭଙ୍ଗ ନୋହେ ଭଲେ

କବି ମାନବ – ଶରୀର ଧରି

କେତେ କହିବ ଅବା ବିସ୍ତାରି ୩୪।

 

କିଛି ପୂର୍ଣ୍ଣ କରି ମନୋରଥ

କଲେ ଗୋପୀ କଦମ୍ବ ନେପଥ୍ୟ

କର୍ଣ୍ଣେ ଶୁଣି ଦୀନକୃଷ୍ଣ ଦାସ

କଲା ରସକଲ୍ଲୋଳ ପ୍ରକାଶ ୩୫।

 

ଊନବିଂଶ ଛାନ୍ଦ

କୃଷ୍ଣ ଗୋପୀଙ୍କ ରାସ - ବିହାର । ରାଗ-କେଦାର

 

କ୍ରୀଡ଼ା ଶେଷେ ଗୋପନାରୀ ।

କରମ୍ବିତ ହୋଇକରି ।

କଳାକର କରେ କୋମଳ ସମୀରେ ଅଙ୍ଗ ପରିଶ୍ରମ ହରି ।୧।

 

କାହା ମୁଖେ ସ୍ୱେଦଧାର ।

କେ କରଇ ଆଧ୍ୟହାର ।

କେଶ ରାହୁ ଦନ୍ତଘାତେ କି ଅମୃତ କରୁ ଅମୃତ ବାହାର ।୨।

 

କାହା କତୁରା କୁରୁଳୀ ।

କପାଳେ ଯାଇଛି ଝଳି ।

କିଞ୍ଚିତ କରି କି ପୂର୍ଣ୍ଣମୀ ହରିକି କେତୁ ମୁଣ୍ଡ ଅଛି ଗିଳି ।୩।

 

କାହା ମୁଖ ସୁବାସରେ ।

କାନ୍ତି ଚନ୍ଦ୍ରମା ଆଶରେ ।

କଳି କରି ଚୂର୍ଣ୍ଣକୁନ୍ତଳ ଭ୍ରମର ଚକୋର ରହେ ପାଶରେ ।୪।

 

କେ ବାସ ମୁଖେ ସମୀର ।

କରଇ ମୁଖେ ସଞ୍ଚାର ।

କୁଣ୍ଡଳୀ ପରାୟେ କେ ନିଜ ଇଚ୍ଛାଏ କଞ୍ଚୁଲୀ କରେ ବାହାର ।୫।

 

କେ ରଙ୍ଗରେ ଶ୍ରମ ପାଇ ।

ବରତଳେ କର୍ଣ୍ଣ ଦେଇ ।

କାଞ୍ଚି କଟକ ଆଗରେ ଥୋଇ କରି ହୋଇଅଛି ଅର୍ଦ୍ଧଶାୟୀ ।୬।

 

କୁବଳୟଦଳ ରାମ ।

କଲେ କଉତୁକ କାମ ।

କାହାର କି ଭାବ କରିବାକୁ ଠାବ କାନନେ ହୋଇଲେ ବାମ ।୭।

 

କରେ ଧରି ଗୋପୀ କର ।

କରନ୍ତି ବନ ବିହାର ।

କହନ୍ତି ସଖୀ ଦେଖ ଦେଖ ସୁମୁଖୀ କୁଞ୍ଜବନ ମନୋହର ।୮।

 

କଉଁ ମହୀରୁହ ଶିରେ ।

କପିବର ବସିବାରେ ।

କୃଷ୍ଣରଥ ପ୍ରାୟେ ଶୋଭା ପାଉଅଛି ଚାହାଁ ଚନ୍ଦ୍ରମୁଖୀ ଧୀରେ ।୯।

 

କାହିଁ ଦ୍ୱିଜରାଜେ ବସେ ।

କଳ୍ପନା କରି ମାନସେ ।

କରୁଣା ସାଗର କମ୍ବୁଚକ୍ରଧର ପଦ୍ମ ପରା ପରକାଶେ ।୧୦।

 

କରୁଛି ତୋତେ ପ୍ରସନ୍ନ ।

କହ କହ ପ୍ରାଣଧନ ।

କେତେ ସୁମନେ, କୁଞ୍ଜ ଦିଶୁଅଛି କହେ ସୁନ୍ଦରୀ ଗମନ ।୧୧।

 

କୁସୁମ କାଣ୍ଡରୁ ଧରି ।

କେମନ୍ତେ ଏ ନଗ୍ର ଶିରୀ ।

କହଇ ଚତୁରୀ ଅନୁମାନ କରି କପାଳ କର ବଇରୀ । ୧୨।

 

କଉଁ କୁଞ୍ଜଯାକ ପୁରି ।

କେତେ ବସିଛନ୍ତି ସାରୀ।

କହେ ହେମଗିରୀ ତ୍ରିପୁର ସୁନ୍ଦରୀ ସାରୀଫଳ ନାମ ଧରି । ୧୩।

 

କୃଷ୍ଣକାଣ୍ଡ ଶୟନରେ ।

କେମନ୍ତେ ଶୋଭା ଏ ଧରେ ।

କହେ ରସବତୀ ମହା ବ୍ରତମତି ସାଧବ ହସନ୍ତି ଧୀରେ ।୧୪।

 

କେକୀ ଉପରେ ସୁନ୍ଦର ।

କାହା ପରା ଅନୁସର ।

କହେ ମତିବତୀ ଗଜପତି ଗତି ସୁଦତୀ ଏ ଶକ୍ତିଧର ।୧୫।

 

କହିବାରୁ ଗୋପୀ ଛଳ ।

କୃଷ୍ଣ ହସି କଲେ କୋଳ ।

କୁନ୍ଦନପତ୍ରେ ମରକତ ଜଡ଼ିଲା ପ୍ରାୟେ ଦିଶିଲା ମଞ୍ଜୁଳ ।୧୬।

 

କେଉଁ କୁଞ୍ଜେ ଅନ୍ଧକାର ।

କରିଛି ଦେଖ ମନ୍ଦିର ।

କାହା ଭୟପାଇ ବାହାର ନୋହଇ କହେ ରାମା ଶଶଧର ।୧୭।

 

କହିଲ ଭଲ ସମ୍ପାଦି ।

କିମ୍ପା ଏଥି କଉମୁଦୀ ।

କର ବଢାଇ ପ୍ରହରଣ କରଇ କିଶଳୟ ସନ୍ଧି ଭେଦି ।୧୮।

 

କହିଲେ ହେ ପ୍ରିୟତମା ।

କେ ଅଛି ତୋତେ ଉପମା ।

କରିବୁ ତୁ ବେଦପତିକି ନିର୍ବେଦ ଗୁଣମଣି ସୁଖସୀମା ।୧୯।

 

କଲେ ସେଠାରୁ ବିଜୟେ ।

କାମିନୀମୋହନ ରାୟେ ।

କେ କହିବ ଶୋଭା ସୁରମୁନିଲୋଭା କାମଦେବ ରତି ପ୍ରାୟେ ।୨୦।

 

କହନ୍ତି ଦେଖ ତମାଳ ।

କୁନ୍ତଳ ସମ ମଞ୍ଜୁଳ ।

କରୁଣା ଅପାର ଏହାଠାରେ ମୋର ମିତ୍ର ପଣେ ଯହୁଁ ତୁଲେ ।୨୧।

 

କି କହିବି ସଖୀ ତୋତେ ।

କହିଲେ ନ ଯିବୁ ପ୍ରତେ ।

କଳେବର ଯାକ ସମାନ ଯେତେକ ପ୍ରିୟରୁ ପ୍ରିୟ ସେ ମୋତେ ।୨୨।

 

କାଳିନ୍ଦୀରେ ଏହି ଘେନି ।

କରଇ ସ୍ନେହ ମୋହିନୀ ।

କାଳିକାକଜ୍ଜ୍ୱଳ ଭୃଙ୍ଗ ସଖି !

କଳକଣ୍ଠ ମୋର ସୁଖଦାନୀ ।୨୩।

 

କେତକୀ ତୋ ଦେହ ପରା ।

କରଇ ମସ୍ତକେ ତୋରା ।

କଳାକର କହାହାସ ସଦୃଶରୁ କୁସୁମ ମୋହର ହାରା ।୨୪।

 

କାଇଁଚ ଠାରେ ମୋ ପ୍ରୀତି ।

କାହିଁପାଇଁ କୁନ୍ଦଦନ୍ତୀ ।

କେତୋଟି ତୋହର ସୁରଙ୍ଗ ଅଧର ଛବିକି ବହି ଅଚନ୍ତି ।୨୫।

 

କର ପାଦ ରଙ୍ଗ କିଛି ।

କିଶଳୟଠାରେ ଅଛି ।

କରି ଅବତଂସ ହୋଇଥାଇ ତୋଷ ମଦକଳା ମଦିରାକ୍ଷୀ ।୨୬।

 

କେତେହେଁ କହିବି ଏହା ।

କମଳା ତୁ ମୋର ଯାହା ।

କେ ଅଛି କାହାକୁ ଉପମା ଦେବାକୁ ।

ମନ ଖୋଜୁଅଛି ତାହା।୨୭।

 

କହି ଏମନ୍ତ ବଚନ ।

କରି ଧୀରେ ଆଲିଙ୍ଗନ ।

କନକ ଦର୍ପନ ଖଣ୍ଡ ଗଣ୍ଡଦେଶେ ହସି ଦିଅନ୍ତି ଚୁମ୍ବନ ।୨୮।

 

କଉଁ ତରୁତଳେ ବସି ।

କବରୀରେ ଫୁଲଖୋସି ।

କୁସୁମେଷୁ – ବେଶ କୁସୁମେ ସୁବେଶ କରନ୍ତି ଖଞ୍ଜନ ଦୃଶୀ ।୨୯।

 

କର୍ପୂର ଚନ୍ଦନ ବୋଳି।

କୁଚେ ଲେଖି ପତ୍ରାବଳୀ ।

କୁରଙ୍ଗମଦ ମକରୀ ଗଣ୍ଡେ ଚାହାଁନ୍ତି ନୟନ ଢାଳି ।୩୦।

 

କଉତୁକେ ବକ୍ର କରି ।

କହନ୍ତି ଚିବୁକ ଧରି ।

କୁରଙ୍ଗ ଲକ୍ଷଣ ଦେଖି ଏ ଲକ୍ଷଣ ଆନନ୍ଦ ହେବେ ସୁନ୍ଦରୀ ।୩୧।

 

କଜ୍ଜ୍ୱଳ ନୟନ ଦେଇ ।

କହନ୍ତି ବିନୟ ହୋଇ ।

କଲି ଯା ଏହାକୁ ସମଖଞ୍ଜନକୁ ମୋ ନୟନ ସୁଖପାଇଁ ।୩୨।

 

କୁଶକେତୁ ଯେଉଁକାଳେ ।

କଲା ଏହା କୁତୁହଳେ ।

କର ଅମଳ ଥୋଇଲା ନେଇ ଖରେ ଶୀତଳ ପାତାଳ ଟଳେ ।୩୩।

 

କାଳେ ସେ ହୋଇଲା ବୀଜ ।

କରିବାକୁ ସୁଖକାର୍ଯ୍ୟ ।

କଳାଧଳା ରଙ୍ଗ ତିନିରୂପେ, ଅଙ୍ଗ ଧଇଲେ ତିନି ଅମ୍ବୁଜ ।୩୪।

 

କଲେ ନେତ୍ର ଦେଖି ଲୋଭ ।

କଞ୍ଜ ଶମ୍ବୁ ପଦନାଭ ।

କାମସୃଷ୍ଟି ଜାତ ପାଳିବାର ହିତ ଅର୍ଥେ ରଖିଲେ ପ୍ରତିଭ ।୩୫।

 

କୁସୁମରଶର ବିଜୟୀ ।

କରିବାକୁ ହେଲୁ ଦାୟୀ ।

କାହିଁପାଇଁ ଧନୁଶର ଧରିବ ସେ ତୋହପରା ସାହା ପାଇ ।୩୬।

 

କନ୍ଦର୍ପହିଁ ବଡ଼ କ୍ଷତ୍ରୀ ।

କରି ଯାଞ୍ଚ ଫୁଲଦାତ୍ରୀ ।

କୀଟୁଁ ବ୍ରହ୍ମଯାଏ କରିପାରେ ଜୟେ ତୋହ ଘେନି ବାମନେତ୍ରୀ ।୩୭।

 

କୁମ୍ଭକାର କୀଟପ୍ରାୟେ ।

କି ଚିତ୍ର ଅଛି ତୋଠାୟେ ।

କଟାକ୍ଷମାତ୍ରକେ ମାରିତାରି ପାରୁ କରାଉ ଜୟେ ଅଜୟେ ।୩୮।

 

କେତେବେଳେ ତା ବଡ଼ାଇ ।

କିଞ୍ଚିତେ ପାରୁ ଛଡ଼ାଇ ।

କରୀନ୍ଦ୍ର ଗମନା ଏହିଘେନି ସିନା ତୋ ପଛେ ଥାଇ ଗୋଡ଼ାଇ ।୩୯।

 

କରି ତୋ ନାମ ଅଗ୍ରଣୀ ।

କହୁଥାନ୍ତି ଯାହା ପ୍ରାଣୀ ।

କର୍ଣ୍ଣେ ତାହା ଶୁଣି ହୃଦେ ଗୁଣି ଗୁଣି ପୁଲକଇ ପ୍ରାଣମଣି ।୪୦।

 

କହି ରସଗର୍ଭ ବାଣୀ ।

କରେ କର ଧରି ଆଣି ।

କନ୍ଧରେ ପକାଇ ମୁଖେ ମୁଖେ ଦେଇ ଚୁମ୍ବନ୍ତି ରସିକମଣି ।୪୧।

 

କଉଁଠାରେ ଫୁଲ ଶେଯ ।

କରି ନିଜ କରେ ଉଜ ।

କାମିନୀକି କୋଳେ ଧରି କାମ ଭୋଳେ ପହୁଡ଼ନ୍ତି ଦେବରାଜ ।୪୨।

 

କହେ ଦୀନକୃଷ୍ଣ କବି ।

କୃଷ୍ଣ ପାଦପଦ୍ମ ସେବି ।

କଳୁଷଅନ୍ଧାର ଅଳପକେ ଦୂର କରେ ଯାହା ନାମ ରବି ।୪୩।

 

ବିଂଶ ଛାନ୍ଦ - ରାଧା କୃଷ୍ଣଙ୍କ କୁଞ୍ଜକେଳି

ରାଗ - କେଦାର କାମୋଦୀ

 

କୁଞ୍ଜକୁଟୀରେ ଫୁଲ ଶେଯ ଉପରେ ।

କେଳି କରନ୍ତି କାନ୍ତା କାନ୍ତ ସଙ୍ଗରେ ଯେ ।

କହି ନୋହେ ବଚନ ସେ କାଳ ଶୋଭା ।

କେତେ ଅବା କନ୍ଦର୍ପ କେଳତି ପ୍ରଭା ଯେ ।୧।

 

କନକ ଲତା ନବ ତମାଳେ ଜଡ଼ି ।

କାମ-ପବନ ଘାତେ ଯାଇଛି ଉଡ଼ି କି ।

କି ଅବା ରାଜପଟେ କୁନ୍ଦନରେଖା ।

କଳାମେଘେ ବବିଜୁଳି ଦେିଛି ଦେଖା କି ।୨।

 

କି ଚନ୍ଦ୍ରକର ଅର୍ଦ୍ଧ ଅର୍ଦ୍ଧକ ଛାଇ ।

କୁଞ୍ଜମନ୍ଦିରେ ଅଛି ଶୋଭାକୁ ପାଇ ଯେ ।

କି ଅବା ମରକତ ପଞ୍ଜରୀ ଅନ୍ତେ ।

କୀର ବସନ୍ତପକ୍ଷୀ ରହେ ସନ୍ତତେ ଯେ ।୩।

 

କନ୍ଦର୍ପ କଉତୁକୀ ରଖିଛି ନେଇ ।

କେହି କାହିଁକି ଆଉ ନ ପାରେ ପାଇ ଯେ ।

କ୍ରୀଡ଼ନ୍ତି ନିରନ୍ତର ସମ୍ମତ ହୋଇ ।

କାହିଁ ଏ ଅପୁରୁବ ଦେଖିଲା ନାହିଁ ଯେ ।୪।

 

କରରେ କର ଉରେ ଉର ଲଗାଇ ।

କାନ୍ତା ଅଙ୍ଗରେ ମନମଥ ଜଗାଇ ଯେ ।

କୃପାଲୋକ ଲୋଚନେ ।

ଦେଇ ଲୋଚନ ।

କହନ୍ତି କ୍ରୌଞ୍ଚସ୍ୱରେ ଚାଟୁବଚନ ଯେ ।୫।

 

କୁଟିଳ କେଶୀ କଳାକର ସୁହାସୀ ।

କି ବୋଲେ ତୋତେ ମୁଁ ଡାକିବି ପ୍ରେୟସିରେ ।

କୁସୁମ ଗଭା ବୋଲି ଡାକନ୍ତି ଅବା ।

କରିଛି ବିହି ତାକୁ ପକାଇ ଦେବାରେ । ୬।

 

କପାଳତିଳକ ତ ବୋଲିବି ନାହିଁ ।

କାଳ ଯାକତ ସେହି ନ ଥାଏ ରହିରେ ।

କଳାଡ଼ୋଳା ପ୍ରତିମା ନ ଦେଖି ଯହୁଁ ।

କଣ୍ଠୁକଣ୍ଠ ବାହାର ନୋହଇ ତହୁଁରେ ।୭।

 

କଣ୍ଠଭୂଷଣ ହାରମାନ ନ ଥିଲେ ।

କଣ୍ଠମଣ୍ଡନା ବୋଲି ବୋଲନ୍ତି ଭଲେ ଗୋ ।

କର୍ପୂର ଚନ୍ଦନ ତ ଶୁଖିଲେ ଝଡ଼େ ।

କି ବୋଲି ବୋଲିବି ତା ହୃଦୟ ପୋଡ଼େ ଗୋ ।୮।

 

କିବା ବୋଲିବି କାମତଟିନୀ ଭେଳା ।

କେ କରିନାହିଁ ନଦୀ ତରିଲେ ହେଳାରେ ।

କଅତ୍ୟ ନ ଥିଲେ ବିକେ ନିର୍ଦ୍ଧନଧନ ।

କି କରି ଏହା ମୁଁ ବୋଲିବି ବଚନରେ ।୯।

 

କୁମୁଦଚନ୍ଦ୍ର ପ୍ରୀତି ଥୟ ନୋହଇ ।

କାହିଁ ପୁଷ୍କର କାହିଁ ପୁଷ୍କର ଯାଇରେ ।

କ୍ରୀଡ଼ା କରଇ ତହିଁ ଘେନିଣ ଋକ୍ଷ ।

କି କରି ଲକ୍ଷିବି ଦେଖୁଛି ପ୍ରତ୍ୟକ୍ଷରେ ।୧୦।

 

କମଳ ସୂର୍ଯ୍ୟ ପ୍ରୀତିନୋହଇ କହି ।

କମଳକୁ ଛାଡ଼ିଲେ ପକାଇ ଦହିରେ ।

କୁକର୍ମ କରିବାରେ ଏହି କୁଶଳ ।

କାନ୍ତ ଆଗେ ମାତଇ ଘେନି ଭ୍ରମରରେ ।୧୧।

 

କୁସୁମ ଚୁମ୍ବି ମଧୁକର ଛାଡ଼ଇ ।

କଳା ମାତ୍ରକେ ଆନ ଫୁଲ ଲୋଡ଼ଇ ଗୋ ।

କରଇ ନାହିଁ ଆଉ ଲେଉଟି ପ୍ରୀତି ।

କମଳ କୁଟଜରେ ସମାନ ମତି ଗୋ ।୧୨।

 

କୋଟି କୋଟି କଳ୍ପାନ୍ତେ ତୋ ଅଙ୍ଗସଙ୍ଗ ।

କେତେବେଳେହେଁ ହୋଇନାହିଁ ବିଭଙ୍ଗରେ ।

କାମ ଆତୁରେ କାମୀ କାମିନୀ ଆଗେ ।

କହୁଥାନ୍ତି ଏମନ୍ତ ସୁଅନୁରାଗେ ରେ । ୧୩।

 

କେ ବୋଲେ ତୁ ମୋର ପ୍ରାଣୁ ଅଧିକ ।

କେ ବୋଲେ ତୁ ମୋହର କଣ୍ଠଗ୍ରୀବକରେ ।

କେତେ ପ୍ରକାରେ କେତେ କହନ୍ତି ଲୋକ ।

କେହିନାହିଁ ସଂସାର ମଧ୍ୟେ ବିବେକରେ । ୧୪।

 

କେତେ କହିବି ଏହି ପ୍ରକାରେ ଯେତେ ।

କୋଟି ବ୍ରହ୍ମାଣ୍ଡେ ସମ ନାହାନ୍ତି ତୋତେ ଯେ ।

କବି ସେ ସତ ମିଛ କରି କହନ୍ତି ।

କବିତ୍ୱ ଚାତୁରୀରେ ମନ ମୋହନ୍ତି ଯେ । ୧୫।

 

କଲି ଏବେ ତୋତେ ମୁଁ ବିଚିତ୍ର ବୀଣା ।

କୁଚକନକ ତୁମ୍ବୀ ସୁକଣ୍ଠ ଗୁଣାରେ ।

କରଜଘାତେ କରେ ଯେଉଁ ଶବଦ ।

କର୍ଣ୍ଣେ ଶୁଣିଲେ ମନ ହୋଇ ପ୍ରମୋଦରେ ।୧୬।

 

କେତେ ରାଗ କରଇ ହୃଦେ ପକାଇ ।

କାମ ନୃପତି ମନ ତୋଷ କରାଇ ଯେ ।

କାମ ପୂର୍ଣ୍ଣ କରଇ ରତି ଦାନରେ ।

କୃତଯନ୍ତ୍ର ନୋହଇ ତୋ ସମାନରେ ଯେ । ୧୭।

 

କହନ୍ତି ରାଧା ଶୁଣି ଶ୍ରୀକୃଷ୍ଣ ବାଣୀ ।

କୃପାସିନ୍ଧୁ ନାମରେ ଏଡ଼ିକି ଆଣି ହେ ।

କିମ୍ପା ନୋହିଲଷ ଦାସବତ୍ସଳ ବାନା ।

କରେ ପରଶମଣି ଲୁହାକୁ ସୁନା ଯେ ।୧୮।

 

କୁସୁମ ପରଶରେ ପଟନିସ୍ତରେ କଉଁ ବଡ଼

ଲୋକର ନ ବସେ ଶିରେ ହେ ।

କଉଁ ମହତ ଗୁଣ ଅଛି ଭସ୍କର କି ନ କରନ୍ତି

ତାକୁ ପାର୍ବତୀବର ହେ ।୧୯।

 

କଳାନିଧି ଅମୃତ ଶରୀର ହୋଇ ।

କଳଙ୍କରୁ କୋଳରେ ସ୍ନେହେ ବସାଇ ଯେ ।

କରନ୍ତି ନାହିଁ ଆନ ହେଲେ ଲକ୍ଷଣ ।

କହି ନୋହଇ ପ୍ରଭୁମାନଙ୍କ ଗୁଣ ଯେ ।୨୦।

 

କେତେ କୁମୁଦ କେତେ ତାରକାପନ୍ତି ।

କଳାକେ ଥିଲେ ଚକୋରକୁ ତୋଷନ୍ତି ଯେ ।

କଉଁ ଲୋକର ନାହିଁ ମେଘକୁ ଆଶ ।

କିଞ୍ଚିତେ ଚାତକରେ ଲଭଇ ଯଶ ସେ । ୨୧।

 

କୃଷ୍ଣ କହନ୍ତି ଆରେ ଚନ୍ଦ୍ରମାମୁଖି !

କାହିଁ କାହାକୁ ଲକ୍ଷ୍ୟ ଜୀବନ ସଖୀରେ ।

କଲେ ଅସ୍ତ୍ର ଉପରେ ରତନ ଉଭା ।

କି ଶୋଭା ନୋହେ ନ ଟେକଇ କି ପ୍ରଭାରେ ।୨୨।

 

କରି ତୋ ନାମ ଆଗେ ମୋ ନାମ ପଛେ ।

କହୁ ଅଛନ୍ତି ଯେଉଁ ଲୋକେ ପ୍ରତ୍ୟକ୍ଷେ ଗୋ ।

କଳି କଳୁଷ ଭବ ଭୟକୁ ହରି ।

କୃତାର୍ଥ ହୋଇ ଯାଉଅଛନ୍ତି ତରି ଗୋ । ୨୩।

 

କହି ଅନେକ ଅନୁରାଗ ବଚନ ।

କୋଳଧରି ସଧୀରେ ଦେଇ ଚୁମ୍ୱନ ଯେ ।

କଉତୁକେ ସେଠାରୁ କଲେ ଗମନ ।

କନ୍ଦର୍ପରେ ପ୍ରସନ୍ନ ହୋଇଛି ମନ ଯେ ।୨୪।

 

କନକଲତା ନବତମାଳ ସଙ୍ଗେ ।

କାମମନ୍ତ୍ର ବଳରେ ଚଳି ରଙ୍ଗେ କି ।

କଳାମେଘ ଆଗରେ ଉଦେ ବିଜୁଳି ।

କାନନ ଗଗନରେ ଯାଉଛି ଖେଳି କି । ୨୫।

 

କିବା ଅନଙ୍ଗ ନବ ଅଙ୍ଗକୁ ପାଇ ।

କୁରୁ କୁସୁମ –ଧନୁ ଶର ପକାଇ ଯେ ।

କପର୍ଦ୍ଦୀ ଯୋଗଭଙ୍ଗ କରିବା ପାଇଁ ।

କେଳତିକି ଆଗରେ କରି ଚଳଇ ଯେ ।୨୬।

 

କମଳକୁ କମଳ ବିଞ୍ଚିଲା ପ୍ରାୟେ ।

କାନ୍ତ କାନ୍ତା ଚରଣ ଶୋଭାକୁ ପାଏ ଯେ ।

କି ତପ କଲା ମହୀକି ଭାଗ୍ୟବଳେ ।

କମଳ ପ୍ରଫୁଲ୍ଲିତ ହେଉଛି ସ୍ଥଳେ କି ।୨୭।

 

କୁସୁମିତ ବଳ୍ଲରୀ ପବନେ ଚଳେ ।

କିଶୋର କିଶୋରୀଙ୍କି ଚାମର ଢାଳେ କି ।

କଉଁ ଲତାରୁ ଫୁଲ ପାଖୁଡ଼ା ଖସେ ।

କୁସୁମ ବରଷିଲା ପରାୟେ ଦିଶେ ସେ । ୨୮।

 

କଉଁ ବଲ୍ଳରୀଫଳେ ନମ୍ରତାହୋଇ ।

କୃଷ୍ଣଗୋପୀଙ୍କି ନମସ୍କାର କରଇ ଯେ ।

କେ ଚାଲନ୍ତେ ସଧୀରେ ତୀର୍ଯ୍ୟକ ହୋଇ ।

କଳ୍ପି ମନରେ କି ପହଣ୍ଡି ମଣାଇ ଯେ । ୨୯।

 

କହନ୍ତି କୃଷ୍ଣ ଦେଖ ସଖି ଏ ଲତା ।

କୁସୁମ ଭରେ ହୋଇ ମହାଶୋଭିତା ଯେ ।

କମନୀୟ ଦିଶଇ ତରୁ ଉପରେ ।

କାନ୍ତା ସୁବେଶ ଯେହ୍ନେ କାନ୍ତ ଅଙ୍ଗରେ ଯେ ।୩୦।

 

କଉତୁକେ ଏମନ୍ତେ ବନେ ଭ୍ରମନ୍ତେ ।

କହେ ଗୋପିକା କୃଷ୍ଣ ଆଗରେ ଶ୍ରୀନ୍ତେ ଯେ ।

କେମନ୍ତେ ହୋଇଯିବି ନଚଳେ ପାଦ ।

କୃଷ୍ଣ ହସିକହନ୍ତି ନପାଅ ଖେଦ ଗୋ ।୩୨।

 

କଳକଣ୍ଠବଚନ ! କୁନ୍ଦଦଶନି ।

କନ୍ଧେ ମୋହର ବସ ମନମୋହିନି ଗୋ ।

କହି ଏମନ୍ତ ଧୀରେ ବସାଇ କନ୍ଧେ ।

କିଙ୍କର ପ୍ରାୟେ ହେଲେ ମଦନଅନ୍ଧେ ସେ ।୩୨।

 

କେମନ୍ତେ ଦିଶିଲା ସେ ବେନି ଶ୍ରୀଅଙ୍ଗ ।

କଳାପର୍ବତେ ଯେହ୍ନେ କନକଶୃଙ୍ଗ କି ।

କି ଅବା ନୀଳମଣି ପ୍ରସାଦ ରାଜେ ।

କଳଧଉତ ନିକେତନ ବିରାଜେ ଯେ ।୩୩।

 

କହଇ ଦୀନକୃଷ୍ଣ କନ୍ଦର୍ପରସ ।

କରିପାରଇ ସେ କି ଏମନ୍ତ ବଶ ହେ ।

କର ହେ ସାଧୁଜନେ ମନେ ବିଚାର ।

କାମବ୍ରହ୍ମ ସଂସାରେ କେମନ୍ତ ସାର ହେ ।୩୪।

 

ଏକବିଂଶ ଛାନ୍ଦ - ଶ୍ରୀରାଧାଙ୍କ ଗର୍ବ ମୋଚନ

(ରାଗ - କନଡ଼ା)

 

କେଶବ ଅଂଶରେ ବସି ମାନସରେ ବିଚାରେ ବରଜରମଣୀ ।

କଲେ କି ସ୍ନେହ ମୋତେ ବେଣୁପାଣି ।

କଲି ଦକ୍ଷିଣନାୟକ ଅନୁକୂଳ ଧନ୍ୟ ଧନ୍ୟ ମୋର ଆଣି ମୁଁ । ଏମନ୍ତ ।

କେତେ ନାହାନ୍ତି ବା ପ୍ରିୟତମା ।

କେହି ନୋହିଲେ କୃଷ୍ଣ ମନୋରମା ।

କଲେ ଫୁଲଗଭା ପ୍ରାୟେ ମୋତେ ଶୋଭା, ସୁରସିକ ସୁଖସୀମା ଏ ମୋହନ ।୧।

 

କୃଷ୍ଣ ଗୋପୀଗର୍ବ ଜାଣି ତାହା ଖର୍ବ କରିବାକୁ କଲେ ଉପାୟେ ।

କନ୍ଧୁ ଓହ୍ଲାଇ ପ୍ରଭୁ ଦେବରାୟେ ।

କହିଲେ ବିଜୟେକର ମହିଠାଏ ମାନବତି ପ୍ରାଣପ୍ରିୟେ ଗୋ । ସୁନ୍ଦରି ।

କିଛି କରିବି ନାହିଁ ମନେ ଭୟ ।

କରଇ ମୁଁ କୁସୁମ ଅବଚୟ ।

କହି ଏ ବଚନ ହେଲେ ଅନ୍ତର୍ଦ୍ଧାନ ଅନ୍ତର୍ଯ୍ୟାମୀ ମାୟାମୟ ସେ ମୋହନ। ।୨।

 

କୃପଣ ସାମନ୍ତ ବୋଲକୁ ଯେମନ୍ତ ଆଶାକରି ଲୋଭୀ ବଞ୍ଚଇ ।

କାଳେ କଷ୍ଟକୁ ହୃଦରେ ସଞ୍ଚଇ ।

କୃଷ୍ଣ ଆଶାରେ ଗୋପୀ ସେହିପ୍ରକାରେ ନିଃଶ୍ୱାସ ଦୀର୍ଘେମୁଞ୍ଚଇ ସେ । ସୁନ୍ଦରୀ ।

କହୁ କହୁ କ୍ରୋଧ ହୋଏ ପ୍ରବଳ ।

କମ୍ପେ ସୁରଙ୍ଗବିମ୍ବ ଦନ୍ତଚେଳ।

କୋକନଦଜିତ ନୟନୁ ଗଳିତ ଶୋକଭରେ ଅଶ୍ରୁଜଳ ସେ ।୩।

 

ସୁନ୍ଦରୀ । କୁରରୀ ସମାନ ବଢାଇ ରୋଦନ ବୋଲେ ହେ କରୁଣା ସଦନ ।

କିମ୍ପା ଦେଲ ମୋତେ କାମକଦନ ।

କି କହି କି କଲ ସୁଧାସମ ବୋଲ ପ୍ରଫୁଲ୍ଲ ପଦ୍ମବଦନ ହେ ।

ମୋହନ। କରିଥିଲି ମୁଁ ବହୁତ ଭରସା ।

କାଳେ ନାଶକଲ ସେ ପ୍ରତିଆଶା ।

କରୁଣାବୃକ୍ଷେ ଫଳାଇଲା ପ୍ରତ୍ୟକ୍ଷେ ନିରାଶ କଉଁ ଦୁର୍ଦ୍ଦଶା ହେ । ମୋହନ ।୪।

 

କରୁଣାସମୁଦ୍ର ପରାୟେ କୂଳରେ କିମ୍ପା କଚାଡ଼ିଲୁ ।

କୋଳ କ୍ରାୟେ କାମଲତା ତାଡ଼ିଲ ।

କୁସୁମ ତୁମ୍ବିଲା ଭୃଙ୍ଗ ପ୍ରାୟେ ଭଲା ଚୁମ୍ବିଲା ମାତ୍ରେ ଛାଡ଼ିଲ ହେ । ମୋହନ ।

କରିଥାଇ ଯାହାକୁ ସ୍ନେହପାତ୍ର ।

କାମିଅନଳେ ଦହି ତାର ଗାତ୍ର ।

କେବଳ ଅବିଧି ପ୍ରଭୁ କଲେ ବିଧି ଭ୍ରମହେବା କେତେ ମାତ୍ର ହେ ମୋହନ ।୫।

 

କାହାକୁ କହିବି କେମନ୍ତ ସହିବି ମଦନ ନୃପତି ଅତୀତି ।

କୃଷ୍ଣବର୍ଣ୍ଣ ପ୍ରାୟଟି ଯାହା ରୀତି ।

କରଇ ଯାହାକୁ ଆଶ୍ରେ ହରି ତାକୁ ସେହି ହୁଏ ସେହିମତି ହେ । ମୋହନ ।

କଳେବର ଜାଳିଦେଲେ କପାଳୀ ।

କି କି ପ୍ରକାରେ ହୋଏ ଭୂତାବଳୀ ।

କାମା କାମିନୀ ବିଚ୍ଛେଦରେ ରଜନୀ ଦିବସ ହୁଅଇ ସରି ହେ । ମୋହନ ।୬।

 

କିଣିଲ ବେଳକୁ ଏମନ୍ତ ଶୋକକୁ ଦେବାରତ ନୋହେ ବେଭାର ।

କଲ ପ୍ରଭୁ ହୋଇତ ଅବେଭାର ।

କିଞ୍ଚିତସେବା ତ ଘେନିବା ଉଚିତ ଗୁଣଗ୍ରାହୀମାନଙ୍କର ହେ ।

ମୋହନ କାହିଁ ଯିବି ଏ ଘୋର ବନସ୍ତରେ ।

କେହି ନାହାନ୍ତି ମୋର ସଙ୍ଗତରେ କପାଳରେ କର ମାରି ଚକ୍ରଧର ଚିନ୍ତା କରଇ କାତରେ ସେ । ସୁନ୍ଦରୀ ।୭।

 

କୃଷ୍ଣଙ୍କୁ ନଦେଖି କଳାକରମୁଖୀ ଗୋପୀ କଦମ୍ୱ ହୋଇ ଦୁଃଖୀ ।

କୁଞ୍ଜେକୁଞ୍ଜେ ପ୍ରବେଶ ହୋଇ ଦେଖି ।

କରନ୍ତି ରୋଦନ ହେ ପଦ୍ମବଦନ କାହିଁକି ଗଲ ଉପେକ୍ଷି ହେ । ମୋହନ ।

କରି ନାହୁଁ ତ ଆମ୍ଭେ କିଛି ଦୋଷ ।

କାହିଁପାଇଁ କଲ ଏଡ଼େ ନିରାଶ ।

କରୁଣା କୃପଣ ହେଲେ ପ୍ରଭୁ ପଣ ଲକ୍ଷଣର କଉଁ ଯଶ ହେ । ମୋହନ ।୮।

 

କଳାବନ୍ତ ଲୋକ ସହଜେ ହେ ଶୋକ ଦେବା କଥାରେ କୃତମୁଖ ।

କୁସୁମକୁ ଚୁମ୍ୱଇ ଶିଳୀମୁଖ ।

କି କି କରି ରସ କଲାମାତ୍ରେ ଗ୍ରାସ ନ ମାଡ଼ଇ ଆଉ ପାଖ ସେ । ମଧୁପ ।

କାଳ କାଳକ ପୋଷଇ ପିକକୁ ।

କାଳେ ଅନୁଭବ କରେ ଶୋକକୁ ।

କାମ ମନୁଁ ଜାତ ହୋଇ କଉଁ ଘାତ ନ କରେ ଅବା ମନକୁ ଗୋ । ସଜନୀ ।୯।

 

କଳା-ନାଗ ରୀତି ଅତିହିଁ ଅନୀତି ପୟ ଦେଲେ ହୋୟେ ପ୍ରବଳ ।

କେତେ ନ ଛାଡ଼ଇ ଅବା ଗରଳ ।

କୁଟିଳବଶହିଁ ପୁଣି ହେଲେ ସେହି ଲୋକଙ୍କୁ କରେ ତରଳ ଗୋ । ସଜନୀ ।

କୃଷ୍ଣ ନାଗରନାଗ ସେହି ମତି ।

କରେ ବିକଳ ଜାଳି ଦେଇ ଛାତି ।

କାନନ ମଧ୍ୟରେ ରଜନୀ ଅର୍ଦ୍ଧରେ କେ କାହାକୁ ମାରେ କାତି ଗୋ । ସଜନୀ ।୧୦।

 

କହି କହି ପଚାରନ୍ତି ଧୀରେ ବୃକ୍ଷକୁ ।

କହ ଦେଖିଲ ପଦ୍ମପତ୍ରାକ୍ଷଙ୍କୁ ।

କୁଳିଶ ହୃଦୟ କାହିଁ ଗଲେ ଭୟ କୁନ୍ତ ପ୍ରହାରି ବକ୍ଷକୁ ହେ । ପାଦପେ ।

କୁଳଶୀଳ ଲାଜ ଭୟ ଛାଡ଼ିଲୁ, କପଟ କପଟିଆ କପଟରେ ପଡ଼ିଲୁଁ ।

କୁଳଛଡ଼ା ବଂଶୀ ଶବାଦରେ ରସି କାମ ସମୁଦ୍ରେ ବୁଡ଼ିଲୁ ହେ । ପାଦପେ ।୧୧।

 

କହ ହେ କଦମ୍ବ ନ କରି ବିଳମ୍ବ କାହିଁ ତୁମ୍ଭ ଫୁଲମାଳୀୟା ।

କଳଧଉତ କାନ୍ତି ଦୁକୁଳୀୟା ।

କାଳିନ୍ଦୀକୂଳିୟା କଦମ୍ବମୂଳୀୟା ବରଜସଙ୍ଗେମେଳିୟା ସେ ।

ମୋହର କେକୀକଳାପ କଳାପଚୂଳୀୟା ।

କମନୀୟ ମକକୁଣ୍ଡଳୀୟା ।

କଲେ କି ପ୍ରମାଦ ଛାଡ଼ି ଅପବାଦ ମୁଖଚନ୍ଦ୍ର ମଣ୍ଡଳୀୟା ସେ ମୋହନ ।୧୨।

 

କହ ହେ ତମାଳ କୁବଲୟଦଳନେତ୍ର ଗଲେ କିଏ ବାଟରେ ।

କାନ୍ତା ସଙ୍ଗତେ କାମ ଉଚାଟରେ କି ।

ବୋଲିବୁଟି ତାଙ୍କୁ କେବଳ ଆମ୍ଭଙ୍କୁ ନାଶକରେ କପଟରେ ହେ । ତମାଳ ।

କୋକ୍ଷ ନ ପାଳଇ ଯେହ୍ନେ କମଳ ।

କଲେ ସେହି ପ୍ରକାରେ କଇକୁଣ୍ଠ ।

କେବେ ହେ ଦକ୍ଷିଣ ନୋହେ ଅଦକ୍ଷିଣ ଏବେ ଜାଣିଲୁ ସେ ଶଠ ହେ । ତମାଳ । ୧୩।

 

କରୁଥାଅ ନିକି ସନ୍ତାପ ଏଇକି ତୁମ୍ଭେ ଯେ ତାଙ୍କ ମିତପ୍ରାୟେ ।

କଳାରେତ ସହଜେ ସରି କାୟେ ।

କର ଦ୍ୱିଜ ପଦ ନିଜ ହୃଦଦେଶରେ ଏକା ଉଦୟ ହେ । ତମାଳ ।

କାହା ହୃଦୟତ ନୋହେ କୋମଳ ।

କେହୁ ଘେନୁ ନାହିଁ ଆମ୍ଭ ବିକଳ ।

କର୍ମ ଅବେଳକୁ ବିରହ ବେଳକୁ ଅମୃତ ହୋଏ ଗରଳ ହେ । ତମାଳ ।୧୪।

 

କରି ଅବଲୋକ ବୋଲନ୍ତି ଅଶୋକ ଛଡ଼ାଅ କିନା ଆମ୍ଭ ଶୋକ ।

କଥା ନ କହି କିମ୍ପା ହୋଏ ମୁକ ।

କି ପୁନ୍ୟଜନଙ୍କ ମହୀନନ୍ଦନଙ୍କ ପ୍ରାୟେ ତୁମ୍ଭ ନାମ ଟେକ ହେ । ଅଶୋକ ।

କି ବୋଲିବା ଅବିବେକୀ ବହିକି ।

କରାଇଲା ଯେ ଶୋକ ବିରହୀଙ୍କି ।

କି ବିଚାର କରି ଅକାରଣେ ହରିନାମ ସେ ଦେଲା କାହିଁ ହେ । ଅଶୋକ ।୧୫।

 

କଷ୍ଟେ କଷ୍ଟେ ଯାଇ କ୍ରୋଧଭର ହୋଇ ବୋଇଲେ ଶୁଣ ହେ କରୁଣା ।

କୃପାସିନ୍ଧୁ ଛାଡ଼ିଲେଟି କରୁଣା ।

କରିନାହୁଁ ଦୋଷ କରି ସେ ନିରାଶ ଭାଙ୍ଗିଲେ ସବୁ ଫୁରୁଣା ହେ । କରୁଣା ।

କିଣାଦାସୀସିନା ଆମ୍ଭେ ତାଙ୍କର ।

କଲେ କିମ୍ପାଇଁ ଏଡ଼େ ଅହଙ୍କାର ।

କଲେ ସୂର୍ଯ୍ୟ ନିଜମଣିକି ଦହିକ ନ ବୋଲାଇ ସୂର୍ଯ୍ୟଙ୍କର ହେ । କରୁଣା ।୧୬।

 

କହି କୃଷ୍ଣକଥା ମନୋଭାବ ବ୍ୟଥା ଚଡ଼ାଇ ନ ପାରିଲେ କେହି ।

କାହାରି ତ ତୁମ୍ଭର ଦୟା ନାହିଁ ।

କଠୋର ହୃଦୟ ହେଲେହେଁ ନିର୍ଦ୍ଦୟ ଏଥି ଅବା କି କାର୍ଯ୍ୟ ହେ। କରୁଣା ।

କେ ବୋଲଇ ତୁମ୍ଭଙ୍କୁ ଉପକାରୀ ।

କଣ୍ଠ ଶୁଖିଲାଣି ବାର୍ତ୍ତା ପଚାରି ।

କଥାପ୍ରସଙ୍ଗ ପ୍ରାୟେ କରି ଶ୍ରୀଅଙ୍ଗ କରିବାର ଏତେ ସରି ହେ । କରୁଣା ।୧୭।

 

କ୍ରୋଧେ ଗଦଗଦ ନ ଚଳଇ ପଦ କାତରେ କମ୍ପେ ବଳେବର ।

କେତେବେଳେ ବହଇ ସ୍ୱେଦନୀର ।

କେତେବେଳେ ସ୍ୱର ନୋହଇ ବାହାର କଣ୍ଟକେ ରୋମନିକର ହେ । ସୁଜନେ ।

କେତେବେଳେ କେ ମହୀରେ ପଡ଼ଇ ।

କୃଷ୍ଣନାମ ଧରି ଉଚ୍ଚେ ଗଡ଼ଇ ।

କେଶବ ସେନେହେ ଘେନିବାରୁ କାମ ଦେବ ଅଧିକେ ପୋଡ଼ଇ ହେ । ସୁଜନେ ।୧୮।

 

କେ ବୋଇଲେ ପୁତନା କେଶୀ ପ୍ରାଣଘେନା କେ ବୋଲେ ହେ ଗଛଉପୁଡ଼ା ।

କେ ବୋଲଇ ଆହେ କାଳୀ ଘଉଡ଼ା ।

କିମ୍ପା ଏଡ଼େ ଦୁଃଖ ଦେଉଅଛ ଦୁଃଖହରା ଅଘାସୁରଫୋଡ଼ା ହେ । ମୋହନ ।

କେ ବୋଲଇ ହେ ତୃଣାତୋଟି ଚିପା ।

କାହିଁ ରହିଲା ତୁମ୍ଭ ଅନୁକମ୍ପା ।

କଷ୍ଟକାଳେ ଆମ୍ଭପାଶକୁ ନଇଲା ତାହାକୁ ବର୍ଜିଲ କିମ୍ପା ହେ । ମୋହନ ।୧୯।

 

କେ ବୋଲେ ମନ୍ଦରଧର ପୁରନ୍ଦର- ଗର୍ବଗଞ୍ଜନ ହେ ବିକାରି କାମିନୀଙ୍କି କାନନମଧ୍ୟେ ମାରି ।

କମଳପତ୍ରାକ୍ଷ ଏତେକେ ଲଭୁଛ କେତେବଡ଼ ଯଶ ଶିରୀ ହେ । ମୋହନ ।

କେତେବେଳେ କଷ୍ଟରୁ ଉଦ୍ଧରିଲ ।

କଥାକେ ହେ ସବୁ ଟେକ ହରିଲ ।

କରୀବର ସ୍ନାନ କୃପଣଙ୍କ ଧନ ପ୍ରାୟେ ପ୍ରଂଶସା ବାରିଲ ହେ ମୋହନ ।୨୦।

 

କରାଅ ପ୍ରସନ୍ନ ଏବେହେଁ ଦର୍ଶନ ଦେଇ ପୂର୍ଣ୍ଣଚନ୍ଦ୍ର ବଦନ ।

କାଳପ୍ରାୟେ ଘୋଟିଅଛି ମଦନ ।

କରିମର୍ଦ୍ଦ ପ୍ରାୟେ କରି ଆମ୍ଭ କାୟେ କରିବ ସୁଖ ସଦନ ହେ ମୋହନ ।

କଥା ପ୍ରସଙ୍ଗ କରେ ଶାସ୍ତ୍ର ଦେଇ ।

କଉଁ ଲୋକ ଯଶକୁ ଅଛି ପାଇ ।

କନ୍ଦର୍ପ ବଡ଼ାଇ ଦେବାରୁ ଛଡ଼ାଇ କେବେହେଁ ଭଲ ନୋହଇ । ହେ ମୋହନ ।୨୧।

 

କିମ୍ପା କାମତରୁ କୁସୁମ ନ ଧରୁଁ ନିରାଶ କୁଠାରେ କାଟିଲା କୀର୍ତ୍ତି ପ୍ରୀତିକି କାହିଁକି ତୁଟିଲା ।

କଉଁ ଗୋପୀ ହେତୁ ଅପବାଦ କେତୁ ପ୍ରକଟ ପାଇ ହଟିଲ ହେ । ମୋହନ ।

କମଳରେ ତଇଳବିନ୍ଦୁ ପଡ଼ି ।

କହୁ ଯେମନ୍ତ ଯାଇ ମାଡ଼ି ।

କରି ସେହିମତି ପହିଲୁ ପୀରତି ସେହିରୂପେ ଗଲ ଛାଡ଼ି ହେ ମୋହନ ।୨୨।

 

କେ ବୋଲେ କରୁଣାକର ନାମ ଜଣାଗଲା ଏହିଠାରେ ଗୋସାଇଁ ।

କଷ୍ଟଜଳେ ଯାହା ଦେଲ ଭସାଇ ।

କେକୀପୁଚ୍ଛ ଖୋସା କଲ ଲୋକହସା କାମବଇରୀ ବସାଇ ହେ । ମୋହନ ।

କିମ୍ପା ବୋଲାଅ ସେବକ ବତ୍ସଳ ।

କିଛି ଘେନିଲ ନାହିଁ ମନେ ଛଳ ।

କାମିନୀ ବିକଳ ନ ସହଇ କଳକଣ୍ଠ ଥିଲେ ଖମଣ୍ଡଳ ହେ । ୨୩।

 

କଉଁ ଗୋପୀ କାମ ସ୍ନେହ ଆଶୀ ସମ କୃଷ୍ଣ ସ୍ନେହ ଘେନି ଚଳଇ ।

କଉଁ ଗୋପୀ ତାହା ଦେଖି ଭାଳଇ ।

କୋମଳ ପଲାଶ କରେ ଧରି ନାଶଅର୍ଥେ ଅଳପ ଚାଳଇ ସେ ସୁନ୍ଦରୀ ।

କଉଁ ଗୋପିକା କୀର ପ୍ରାୟ ହୋଇ ।

କୃଷ୍ଣ ନାମ ସେ ଧରି ନ ଛାଡ଼ଇ ।

କାମବ୍ୟାଧ କରେ ପଡ଼ି ନିରନ୍ତରେ କାତରତର ହୁଅଇ ସେ । ସୁନ୍ଦରୀ ।୨୪।

 

କେ ବୋଲଇ ମନମୋହନକୁ ମନଦେବାରୁ ମାରୁଛି ମଦନ ।

କାହିଁପାଇଁ ନୋହିଲେ ଏ ନନ୍ଦନ ।

କରତ ପରାୟେ କର ତୁଛି କାୟେ ନ ପାଇବାରୁ ସଦନ ଗୋ । ସଜନୀ !

କମ୍ବୁରିପୁ କରପତ୍ର ଯେମନ୍ତ କାମକଥାହିଁ ଆମ୍ଭଙ୍କୁ ଯେମନ୍ତ ।

କୃଷ୍ଣ ମନୋହର ମୂର୍ତ୍ତିକି ତାହାର ବିଚାରି ହୋଏ ସନ୍ତତ ଗୋ । ସଜନୀ ।୨୫।

 

କେ ବୋଲେ ଅନଙ୍ଗ କଲେ ଯା ଅନଙ୍ଗ ହର୍ଷେ ହୋଇଲା ପ୍ରମୋଦ ।

କଲେ ଅଦୃଶ୍ୟ ହୋଇକରି ବାଦ ।

କୃଷ୍ଣ ସଙ୍ଗ ମନ୍ତ୍ରବିନୁ ଆନ ମନ୍ତ୍ର କଲେ ଏ ନୋହଇ ଚ୍ଛେଦ ଗୋ । ସଜନୀ ।

କଇରବ ବାନ୍ଧବ ସଖାପଣେ ।

କି ନ କରଇ ଅବା ତାକୁ ରଣେ ।

କଳେବରପୋଡ଼ା ମହା ଘରବୁଡ଼ା ପଣରେ ଏ ଲେଖା ଜଣେ ଗୋ ।୨୬।

 

କପର୍ଦ୍ଦୀ ଦହନ ନୟନେ ଦହନ କରି ନ କଲେ ଭଲ କରି ।

କଷ୍ଟେ ରହିଲା ପ୍ରେତ ରୂପ ଧରି ।

କୃତଘ୍ନ ଏମନ୍ତ ଯହୁଁ ହୋଏ ଜାତ ତାହାକୁ ଦିଅଇ ସାରି ଗୋ ସଜନୀ ।

କେ କହିବ ତାହାର ଗୁଣଗ୍ରାମ ।

କାନ୍ତା ନାମ ଧଇଲେ ହୋଏ ବାମ ।

କାହାରି ଭୋଗହିଁ ନ ପାରଇ ସହି ମହାପ୍ରସାଦ ବିଷମ ଗୋ ।୨୭।

 

କେ ଉନମାଦକ କେ ଖେଦ ଦାୟକ କେ ଦାହକ କେହୁ ଶୋଷଣ ।

ଦାହକ କେହୁ ଶୋଷଣ ।

କେ ଉଦ୍ଦୀପନ କରଣେ ନିପୁଣ ।

କୁସୁମ ହେଲେହେଁ ଏ ପଞ୍ଚବାଣହେଁ ଘେନନ୍ତି ପଞ୍ଚପରାଣ ଗୋ । ସଜନୀ ।

କାହିଁ ଧରିଥାଇ ସଖି ?

ଏମାନ କରି ନୋହଇ ମନେ ଅନୁମାନ ।

କ୍ରିୟାସିଦ୍ଧିପଣ ଜଗତେ ଭୂଷଣ କରାଇ ଚାରିବଦନ ଗୋ ।୨୮।

 

କଲେ ମାନହୀନ ଅମର ରାଜନ, ଚନ୍ଦ୍ର , ସୂର୍ଯ୍ୟ, କୁଶକେତୁକୁ କେହି କି କରିପାରିଲେ ତାହାକୁ ।

କାତ୍ୟାୟିନୀ କାନ୍ତ କରି ନେତ୍ର ଅନ୍ତ ଡରନ୍ତି ଏବେ ଯାହାକୁ ଗୋ । ସଜନି ।

କାମିନୀଙ୍କି ବହିଛନ୍ତି ଅଙ୍ଗରେ ।

କାମବଶ ନୋହିଛି କେ ରଙ୍ଗରେ ।

କଉତୁକ ଛଡ଼ା କାନ୍ତ କୁଳବୁଡ଼ା ଘେନିବୁଲନ୍ତି ସଙ୍ଗରେ ଗୋ ।୨୯।

 

କହୁଁ କହୁଁ ଏହା ହୋଇଲେ ଉତ୍ସାହା କୀଚକ ଧୀରନାଦ ଶୁଣି ।

କୃଷ୍ଣ ମୂରଲୀ ଧ୍ୱନି ପ୍ରୟେ ମଣି ।

କୋଦଣ୍ଡକାଣ୍ଡ ବାହାର ହେଲା ପ୍ରାୟେ ଧାଇଁଲେ ଗୋପତରୁଣୀ ହେ । ସୁଜନେ ।

କୁଚ ନିତମ୍ବ ଯାହାର ବିପୁଳ ।

କରାଇଲା ତାହାଙ୍କୁ ସେ ବିକଳ ।

କହେ ଦୀନକୃଷ୍ଣ ରସିକ ଅଭାବେ ଯେମନ୍ତେ ଗୁଣି ପଟଳ ହେ ସୁଜନେ ।୩୪।

 

ଦ୍ୱାବିଂଶ ଛାନ୍ଦ

ଗୋପୀମାନଙ୍କ ସହିତ ଶ୍ରୀକୃଷ୍ଣଙ୍କ ମିଳନ

ରାଗ - ମୁଖାରୀ

 

କଲେ ଯାଇ ଅବଲୋକ ।

କେ ବୋଲେ ଏ ତ କୀଚକ ।

କଲା ଆମ୍ଭଙ୍କୁ ଉତ୍ସୁକ ।

ବଂଶୀ ପ୍ରାୟେକ । ସଜନୀ ଗୋ ।୧।

 

କେ ବୋଲେ ଏହି ସେ ବଂଶ ।

କେବଳ ସେ ପୀତବାସ ।

କୃପାରୁ କରି ବିଶେଷ ।

କରେ ଉଲ୍ଲାସ । ସଜନି ଗୋ ।୨

 

କେ କାହାର କରଦେଶେ ।

କରତାଳିମାରି ହସେ ।

କେ ଶୋକେ ଆକୁଳେ ବସେ ।

ମନ ବିରସେ । ବିରହେ ।୩।

 

କୃଷ୍ଣ ସଙ୍ଗେ ଯେଉଁବାଳା ।

କୁଞ୍ଜେ କରୁଥିଲା ଲୀଳା ।

କୀଚକନାଦେ ସେ ଭୋଳା ।

ହୋଇ ମିଳିଲା । ସେଠାରେ ।୪।

 

କରି ତାକୁ ବିଲୋକନ ।

କେ ବୋଲେରେ ପ୍ରାଣଧନ ।

କାହିଁ ରଖିଚୁ ମୋହନ ।

କହ ବହନ । ସଜନି ।୫।

 

କହ ତୁ କି ମନ୍ତ୍ରକଲୁ ।

ମୋହନକୁ ମୋହକଲୁ ।

କି ତପସ୍ୟା କରିଥିଲୁ କି ସୁଖୀ

ହେଲୁ । ସଜନି ।୬।

 

କେ ବୋଲେ ଆରେ ସଜନି ।

କୃଷ୍ଣଙ୍କୁ ସଙ୍ଗତେ ଘେନି ।

କଳାକରେ ଏ ରଜନୀ ।

ବଞ୍ଚିଲ ଧନି । ସଜନି ।୭।

 

କହଇ ସେ ଚନ୍ଦ୍ରମୁଖୀ କରି

ମୋତେ ମହାଦୁଃଖୀ ।

କାହିଁଗଲେ ସେ ଉପେକ୍ଷି ।

କୁଞ୍ଜରେ ରଖି । ସଜନି ।୮।

 

କେ ବୋଲେ ଆମ୍ଭକୁ ଛାଡ଼ି ।

କେଶବ ସଙ୍ଗତେ ପଡ଼ି ।

ଗଲୁ ଯେ ସୁଖକୁ ଲୋଡ଼ି ।

ଭୋଳରେ ହୁଡ଼ି । ସଜନି ।୯।

 

କଲା ବିହି ତହିଁ ଫଳ ।

କଲ ଯା ଗୋପୀ ବିକଳ ।

ପାଇଲୁ ଆମ୍ଭର ମେଳ ।

ଏହି ମଙ୍ଗଳ । ସଜନି ।୧୦।

 

କେ ବୋଲେ ପୁରୁଷ ପ୍ରୀତି ।

କେବେହେଁ ନୋହଇ ସ୍ଥିତି ।

କେତୋଟି ରଖିଛନ୍ତି ।

ପାୟବତୀପତି । ସଜନି । ୧୧।

 

କେ ବୋଲେ କ୍ଷୀରସାଗର ।

କରାୟେ ପୁରୁଷଙ୍କର ।

ହୃଦୟ ଅତି ଗଭୀର

ନୋହଇ ସ୍ଥିର ସଜନି ।୧୨।

 

କପର୍ଦ୍ଦୀ ଯେମନ୍ତ ଜୂତେ ।

ଥିର ନୋହେ କଦାଚିତେ ।

କରାନ୍ତି ହରଷ କେତେ ।

ବିରସ କେତେ ସଜନି ।୧୩।

 

କେ ବୋଲେ ଭାଗ୍ୟ ନଥିଲେ ।

କି ରହଇ ଭାବ କଲେ ।

କି ହେବ ସୁବର୍ଣ୍ଣଫୁଲେ ।

ବାସ ନଥିଲେ । ସଜନି ।୧୪।

 

କୁସୁମକୀଟ ନ ରସେ ।

କିଂଶୁକ କଟୁଜେ ବସେ ।

କେଉଁ ବିବେକ ପଣ ସେ ।

କଥାକୁ ଆସେ । ସଜନି ।୧୫

 

କନକକୁମ୍ଭ ସମାନ ।

କୁଚରୁ କି ପ୍ରୟୋଜନ ।

ନହରିଲା ଯେବେ ମନ

ମୋହନ ମନ । ସଜନି ।୧୬।

 

କନ୍ଦର୍ପକାଣ୍ଡକୁ ଳକ୍ଷ୍ୟ ।

କିମ୍ପା କରନ୍ତି କଟାକ୍ଷ ।

କଲା ନାହିଁତ ଶ୍ରୀବତ୍ସ ।

ବଶ ପ୍ରତ୍ୟକ୍ଷ । ସଜନି ।୧୭

 

କନକକୁସୁମ ହେବ ।

କିଛି ସୁବାସ ନଥିବ ।

କି ସୁଖ ଅବା ସେ ଦେବ ।

ତହିଁକି ଭାବ । ସଜନି ।୧୮।

 

କାନନ କଲ୍ଲିକା ହୋଇ ।

କାନନ ମଧ୍ୟରେ ଥାଇ ।

କଇଁ ସୁଖ ନ ଦିଶଇ ।

ସୁବାସ ପାଇ । ସଜନି ।୧୯।

 

କେ ବୋଲେ କି ବୋଲେ ସଖି ।

କର୍ମଠାରେ ସବୁ ଲେଖି ।

କୃଷ୍ଣ ମସ୍ତକରେ ଦେଖି ।

ମୟୂରପକ୍ଷୀ । ସଜନି ।୨୦।

 

କାଇଁଚ କଙ୍କଣ କରେ ।

କାଇଁଚମାଳା କଣ୍ଠରେ ।

କିଶଳୟ କର୍ଣ୍ଣ ଶିରେ ।

କେତେ ଆଦରେ । ସଜନି ।୨୧।

 

କଲେ ଏମାନ ମଣ୍ଡନ ।

କି ଦିଶନ୍ତି ଶୋଭାବକନ ।

କନ୍ଦର୍ପ ଛବି ମଣ୍ଡନ ।

ଜୀବଜୀବନ । ସଜନି ।୨୨।

 

କରନ୍ତେ କୃଷ୍ଣ ଭାବନା ।

କଲା ସାତ୍ତ୍ୱିକ ବେଦନା

କହୁଁ କହୁଁ ଗୋପାଙ୍ଗନା ।

ହେଲେ ବିମନା । ବିରହେ ।୨୩

 

କେତକୀଦଳ ପରାୟେ ।

କାହାର ଦିଶିଲା କାୟେ ।

କେ ନେତ୍ରୁ ଲୁହ ପକାଏ ।

କେ ସ୍ତମ୍ଭୀ ହୋଏ । ବିରହେ ।୨୪।

 

କମ୍ପେ କାହା ଜଳେବର ।

କେ ଛାଡ଼ିଲା କହିବାର

କାହା ଅଙ୍ଗ ସ୍ୱେଦନୀର ।

ବହେ ପ୍ରଖର ବିରହେ ।୨୫।

 

କଦମ୍ବଫୁଲ ଆକାର ।

ଦିଶିଲା କାହା ଶରୀର ।

କେ ଚେଷ୍ଟାକରି ଅନ୍ତର ।

ହୋଇଲା ସ୍ଥିର । ବିରହେ ।୨୬।

 

କେ ତପନ ଭାବ ପାଇ

କହେ ସଖି କାହିଁ ପାଇଁ ।

ପ୍ରାଣ ରହିଛି ନ ଯାଇ ।

କଦର୍ଯ୍ୟ ହୋଇ ସଜନୀ ।୨୭।

 

କେ ବୋଲଇ ଚକ୍ରବାକୀ ।

କଷ୍ଟ ଆମ୍ଭ ପାଇ ନିକି ।

କରିଥିଲା ଅବିବେକୀ ।

ବିହି ରାତ୍ରିକି । ସଜନି ।୨୮।

 

କେ ବୋଲେ ଏ କଳାକର ।

କିମ୍ପା ଦହୁଛି ଶରୀର ।

କି ଶତ୍ରୁ ଆମ୍ଭେ ଏହାର ।

ଥରେ ପଚାର । ସଜନି ।୨୯।

 

କେ ବୋଲେ ଗରଳ ଖାଇ ।

କିମ୍ପା ପ୍ରାଣ ନେବନାହିଁ ।

କେ ଚାଡ଼େ । ବଡ଼ାଇ ।

କୁଟିଳ ହୋଇ । ସଜନି । ୩୦।

 

କାହିଁକି ଔଷଧିଶ ।

ନାମ ବିହିଲେ ଲୋକେଶ ।

ବିରହ ବ୍ୟାଧିବିନାଶ

ନ କଲେ ଲେଶ । ସଜନି ।୩୧।

 

କଳଙ୍କୀ ହେଲେ ବେଭାର ।

କେବେହେଁ ନୋହଇ ସାର ।

କେଡ଼େ ଲୋକର କୁମାର ।

କି ଅବେଭାର ।

କେବେହେଁ ନୋହଇ ସାର ।

କେଡ଼େ ଲୋକର କୁମାର ।

କି ଅବେଭାର ।୩୨।

 

କରେ ପଦ୍ମିନୀଦହିଜ ।

କରେ ବାରୁଣୀ ଗ୍ରାହିକ ।

କୁହାନ୍ତି ଏ ଦ୍ୱିଜରାଜ ।

ନପାଇ ଲାଭ । ସଜନି ।୩୩।

 

କେ ବୋଲେ ଅମୃତକର ।

କର୍ମକୁ ଅବା ଆମ୍ଭର ।

କଲା ବିଧାତା ଆକାର ।

ବର୍ଣ୍ଣ ବାହାର । ସଜନି ।୩୪।

 

କରବାଳକୁତ୍ରୀ ପ୍ରାୟେ ।

କରରେ କାଟୁଛି କାୟେ ।

କେମନ୍ତେ ଯିବ ଏ ଭୟେ ।

କହ ଉପାୟେ । ସଜନି ।୩୫।

 

କେ ବୋଲାଉ ଋକ୍ଷପତି ।

କେତେ ଋକ୍ଷ ବରଷନ୍ତି ।

କପଟେ ସିନା ବୋଲନ୍ତି ।

ହିମବିଧୀତି । ସଜନି ।୩୬।

 

କନ୍ଦର୍ପରେ ହୋଇ ବଶ ।

କଲେ ଗୁରୁପତ୍ନୀ ନାଶ

କହି କେ ପାରିବ ଶେଷ ।

ଏହାଙ୍କ ଦୋଷ । ସଜନୀ ।୩୭।

 

କେ ବୋଲଇ ଦୋଷାକର ।

ନାମ ପ୍ରସିଦ୍ଧ ଯାହାର ।

କଉଁ କଥାକୁ ବିଚାର ।

ହେବ ତାହାର । ସଜନୀ ।୩୮।

 

କେ ବୋଲେ କି ଭାଗ୍ୟବଳେ ।

ରାହୁ କବଳରୁ ଗଳେ ।

କେତୁ ଥିଲେ ଗର୍ଭନଳେ ।

କରନ୍ତେ ହେଳେ । ସଜନୀ ।୩୯।

 

କେ ବୋଲେ ଜନକ କୋଳେ ।

ରହିଥିଲେ ଯଉଁକାଳେ ।

କର୍ମବଳେ ନ ଜଳିଲେ ।

ବଡ଼ବାନଳେ । ସଜନୀ ।୪୦।

 

କୁମ୍ଭୀରେ ହେ ନ ଗିଳିଲେ ।

ମକର ମୁଖୁ ବଳିଲେ ।

କି ହେବ ବସି ଭାଳିଲେ ।

ଯେତେ ଜାଳିଲେ । ସଜନୀ ।୪୧।

 

କୁମ୍ଭସୁତ ଯେଉଁକାଳେ ।

କଲେ ଜଳନିଧି ଚଳେଁ ।

କହୁଁ କହୁଁ ଯୋଗବଳେ ଗଲେ

ମଙ୍ଗଳେ । ସଜନୀ ।୪୨।

 

କୋଟି କୋଟି ଦେବତାଏ ।

କଲେ ଗ୍ରାସ ନୋହେ କ୍ଷୟେ ।

କି କି ହୋଇ ଉଦେହୁଏ

ନିଶା ସମୟେ । ସଜନୀ ।୪୩।

 

କୀମାଙ୍ଗନାଶନ ଭୋଳ।

ହୋଇ ଶିରେ କଲେ ଚୂଳ ।

କେତେ ହୋଇଲା ଗରଳ ।

ତେଜ ଶୀତଳ । ସଜନୀ ।୪୪।

 

କେ ବୋଲେ ପ୍ରଥମରାଟ ।

ମସ୍ତକେ କଲେ ସଂଘଟ ।

କଲେ ତ ନାହିଁ ପ୍ରକଟ ।

ଉତ୍ତମ ବାଟ । ସଜନୀ ।୪୫।

 

କୃଷ୍ଣ ଅଭିସାରୀକୁଳ ।

କରାନ୍ତି କେତେ ବିକଳ ।

କୋକ ମିଥୁନ କମଳ ।

ପ୍ରମୋଦ କାଳ । ସଜନୀ ୪୬

 

କଉଶିକ ସୁଖକର ।

କାମକାର୍ଯ୍ୟେ ତତପର ।

କଇରବ ବନ୍ଧୁଙ୍କର ।

ଗୁଣଅପାର । ସଜନୀ।୪୭।

 

କେ ବୋଲେ ଆମ୍ଭ ଗୋବିନ୍ଦ ।

କଲେ ଆମ୍ଭଠାରେ ଛନ୍ଦ ।

କାହିଁକି ଏହାକୁ ନିନ୍ଦ ।

ଏକଥା ମନ୍ଦ । ସଜନୀ ।୪୮।

 

କହି ଏମନ୍ତ ଚଳିଲେ ।

କାଳିନ୍ଦୀ କୂଳେ ମିଳିଲେ ।

କେ ଯାଇ ପଶିଲେ ଜଳେ ।

କାମ ବିକଳେ । ସଜନୀ ।୪୯।

 

କେ ବୋଲେ ଆଗୋ ଯମୁନା ।

କହ ହେଲେ ତୁମ୍ଭେ କିନା ।

କହିଁଛନ୍ତି ଗୋପାଙ୍ଗନା ।

ଜୀବନ ଘେନା । ସଜନୀ ।୫୦।

 

କୃଷ୍ଣର ତୁମ୍ଭେ ସୁଭଗା ।

କେବଳ ଆମ୍ଭେ ଦୁର୍ଭାଗା ।

କଲେ ଏ ଘେନି ଅଲଗା ।

ସୁରଭୀ ଜଗା । ସଜନୀ ।୫୧।

 

କଷ୍ଟ ତରୁ ପ୍ରଭଞ୍ଜନ ।

କୋଟି କନ୍ଦର୍ପ ଗଞ୍ଜନ ।

କାମିନୀ ନେତ୍ର ଅଞ୍ଜନ ।

ମନରଞ୍ଜନ । ମୋହନ ।୫୨।

 

କରନ୍ତି ଗୋପୀ କାରୁଣ୍ୟ ।

କୃପାକଲେ ନାରାୟଣ ।

ଭକ୍ତମାନ ଉଦ୍ଧାରଣ ଭତିକାରଣ ।

ମୋହନ ।୫୩।

 

କାନନ ମଧ୍ୟୁ ବାହାର ।

ହୋଇଲେ ନାଗରବର ।

କରି ମନ୍ଦହାସ ଧୀର ରଙ୍ଗ ଅଧର ।

ମୋହନ ।୫୪।

 

କହିଲେ ହେ ଗୋପୀମାନେ ।

ବଣା ହେଲେ ବୃନ୍ଦାବନେ ।

କି ବିଚାରିଥିଲ ମନେ ।

ଆମ୍ଭ ବିହୀନେ । ସମସ୍ତେ ।୫୫।

 

କହେ ଦୀନକୃଷ୍ଣ ଦାସ ।

ଆହେ ପ୍ରଭୁ ପୀତବାସ ।

ତୁମ୍ଭେ ସେ ଜାଣ ଏ ରସ ।

ସୁଖ ନିବାସ । ମୋହନ ।୫୬।

 

ତ୍ରୟୋବିଂଶ ଛାନ୍ଦ - ମହାରାସ

ରାଗ - ଆନନ୍ଦଭୈରବ, ପଡ଼ିତାଳ

 

କୃଷ୍ଣଙ୍କୁ ଦେଖି ଗୋପୀ ହେଲେ ଯାହା ।

କେ କହିବ ଅବା ବଚନେ ତାହା ।

କଳାକର ଦର୍ଶନ । କଲେ କୁମୁଦ ବନ ।

କୋଟିନିଧି ପାଇଲା ମହା ଦରିଦ୍ରଜନ ।୧।

 

କମଳ ଦେଖିଲା ରବି ମଣ୍ଡଳ ।

କୋକିଳ ପାଇଲା ବସନ୍ତକାଳ ।

କୃଷ୍ଣ ଚାହିଁ ଗୋପୀଏ ସେହି ପ୍ରକାରେ । ହୋଏ ।୨।

 

କେ ବୋଲଇ ଆହେ ପଙ୍କଜମୁଖ ।

କେତେ ଦେଲ ଆମ୍ଭମାନଙ୍କୁ ଦୁଃଖ ।

କୃପାସାଗର ହେଲେ । କର ଏକଥା ଭଲେ ।

କୋଟି ବ୍ରହ୍ମାଣ୍ଡ ନାଥ କାହିଁପାଇଁ ନୋହିଲେ ।୩।

 

କଲେ ଦାସୀଙ୍କଠାରେ ଏ ନିରାଶ ।

କଉଁ ପ୍ରକାରେ ନ ରହଇ ଯଶ ।

କୃପାବନ୍ତ ହୃଦୟ । କଲେ ଏଡ଼େ ନିର୍ଦ୍ଦୟ ।

କରାଇଲ ଏ ଭୟ । କରାଇଲ ଜୟ ।୪।

 

କେଶବ ବୋଇଲେ ତୁମ୍ଭ ନିମନ୍ତେ ।

କୁଞ୍ଜବନଯାକ ବୁଲିଲି କେତେ ।

କରିବାକୁ ସୁବେଶ । କଲି କୁସୁମେ ଆଶ ।

କିମ୍ପା କରିଛ ରୋଷ । କିଛିନାହିଁ ମୋ ଦୋଷ ।୫।

 

କହନ୍ତି ଗୋପୀ ତୁମ୍ଭେ ହେଲ ବାମ ।

କାମ ଏଣେ ପୂର୍ଣ୍ଣକଲା ତା କାମ ।

କଲା ରୋମକେ କାଣ୍ଡେ ।

କେ ରଖିବ ବ୍ରହ୍ମାଣ୍ଡେ ।

କାନ୍ତଥାଉଁ କାନ୍ତାକୁ କେହି ଦେଇଛି ଦଣ୍ଡେ ।୬।

 

କୃଷ୍ଣ ବୋଇଲେ କିଛି ନ ବିଚାର ।

କରବା ତାହା ସଙ୍ଗତେ ସମର ।

କହିକରି ଏମନ୍ତ । କାୟା କଲେ ବହୁତ ।

କାମ କରେ କଳିତ । କଲା ଧନୁ ତୁରିତ ।୭।

 

କନକ ଗୋରୀ ଗୋପୀଙ୍କ ଶ୍ରୀଅଙ୍ଗ ।

କଲେ ବିଚିତ୍ର ସୁବର୍ଣ୍ଣ ଶତାଙ୍ଗ ।

କୃଷ୍ଣ ବୋଇଲେ କିଛି ନ ବିଚାର ।

କରବା ତାହା ସଙ୍ଗତେ ସମର ।

କହିକରି ଏମନ୍ତ । କାୟା କଲେ ବହୁତ ।

କାମ କରେ କଳିତ । କଲା ଧନୁ ତୁରିତ ।୭।

 

କନକ ଗୋରୀ ଗୋପୀଙ୍କ ଶ୍ରୀଅଙ୍ଗ ।

କଲେ ବିଚିତ୍ର ସୁବର୍ଣ୍ଣ ଶତାଙ୍ଗ ।

କୃଷ୍ଣ ହୋଇଲେ ରଥି ।

କଉଁ ଉପମା ତଥି କହିବସିଲେ ଏଥି ।

କଥା ହୋଇବ ପୋଥି ।୮।

 

କୃଷ୍ଣମେଘରେ ସ୍ଥକିତ ଚଞ୍ଚଳା ।

କଳାଧଉତେ କି ଖଞ୍ଜିତ ନୀଳା ।

କି କନକ କମଳେ । କାମୀ ଭ୍ରମର ଖେଳେ ।

କଳକଣ୍ଠେ କ୍ରୀଡ଼ନ୍ତି ହେମ ବଲ୍ଲରୀ ମାଳେ ।୯।

 

କାମ ସମର ପ୍ରବଳ ହୋଇଲା ।

କୂଜିତ ବୀର ଡ଼ାକହିଁ ଶୁଭିଲା ।

କାଟି କିଙ୍କିଣୀନାଦ ।

କିବା ସମର ବାଦ୍ୟ । କରରୁହ – ବିଶିଖଘାତେ ଅଙ୍ଗବିଭାଦ ।୧୦।

 

କ୍ରମରେ ହେଲେ ରତି ଗଣେ ମତ୍ତା ।

କାମଶିଖାଇଲା ନିଜ ଯୋଗ୍ୟତା ।

କାଣ୍ଡ କାଣ୍ଡକେ ଜ୍ଞାନ । କରାଇଲା ନିଧନ ।

କେତେବେଳେ ଚେତନା ତାହା କରଇ ଆନ ।୧୧।

 

କେତେବେଳେ ମୁଖ ଘଣ୍ଟ ଶବଦ ।

କେତେବେଳେ ଶୁଭେ କପୋତ ନାଦ ।

କେତେବେଳେ ଭିଡ଼ନ୍ତି । ମାଲ ପ୍ରାୟେ ଜଡ଼ନ୍ତି ।୧୨।

 

କୁତୁହଳରେ ରସନା ଚାଳନ୍ତି ।

କେତେବେଳେ ଦଶନ ।

ବାସେ ଚୁମ୍ବନ ଦାନ ।

କେତେବେଳେ କର୍ଦ୍ଦନ । କମ୍ପହୋଏ ଜଘନ ।୧୩।

 

କେତେବେଳେ ସାହୁ ଖାତକ ପ୍ରାୟେ ।

କେ ଗୁଣେ ଦେଲେ ଦୁଇଗୁଣେ ପାଏ ।

କାମ ଶାସ୍ତ୍ରେ କୁଶାଳ ।

କୃଷ୍ଣ ଗୋପୀ ପଟଳ ।

କେ କାହାକୁ ଉଜ୍ଜ୍ୱଳ । ରସେ ନୋହେ ଅତୁଳ । ।୧୪।

 

କି ସେ ନିଧୁବନ ବରଷା କାଳ ।

କୃଷ୍ଣ ମେଘ ଗୋପୀ ତଡ଼ିତମାଳ ।

କଣ୍ଠ ମୁକୁତା ହାର କିବା ସଲିଳ ଧାର ।

କଟି କିଙ୍କିଣୀ ତାର । ଧ୍ୱଜ ଗର୍ଜନଘୋର ।୧୫।

 

କେକୀ କଳାପ ଇନ୍ଦ୍ର ଶରାଶନ ।

କାନନ ଗଗନ ମଧ୍ୟେ ଶୋଭନ ।

କାମ କୃଷିକ ଦେଖି । କଲା ମନକୁ ସୁଖୀ ।

କାଣ୍ଡ ଫାଳକୁ ଦେଲା ଧନୁ ଲାଙ୍ଗୁଳେ ଯୋଖି ।୧୬।

 

କହୁଁ କହୁଁ ସୁଖ ନଦୀ ବଢିଲା ।

କ୍ରମେ ସେ ସ୍ନେହ ସିନ୍ଧୁରେ ପଡ଼ିଲା ।

କୃଷ୍ଣ କୁସୁମଶର । କଲେ ଯେଉଁ ସମର ।

କହି ପାଇବ ପାର । କଉଁ କବି ଈଶ୍ୱର ।୧୭।

 

କରି ଅଷ୍ଟବିଧି କରଜକ୍ଷତ ।

କଲେ ଦ୍ୱାଦଶ ଆଲିଙ୍ଗନେ ଜାତ ।

କେତେ ରୂପେ ଚୁମ୍ୱନ ।

କେତେ ସ୍ଥାନେ ପ୍ରଦାନ ।

କହିବାକୁ ସେମାନ କଲିନାହିଁ ମୁଁ ମନ ।୧୮।

 

କେଶବ କାମଶାସ୍ତ୍ରରେ କୋବିଦ ।

କହି କେ ବଚନେ କରିବ ଭେଦ ।

କଲେ ଯେତେକ ବନ୍ଧ ।

କାମଦେବକୁ ଧନ୍ଦ । କଉଁ ରସିକତା କରିବ ନିର୍ବନ୍ଧ ।୧୯।

 

କାମସଖା ରଣେ ପଡ଼ିବା ଦେଖି ।

କେତେ ରହିଲା ସମର ଉପେକ୍ଷି ।

କଲା ଲେୁଟି ଯୁଦ୍ଧ ।

କରିବାକୁ ସଂଶ୍ରଦ୍ଧ ।

କରେ କଳିତ କରି ଆପଣାର ଆୟୁଧ ।୨୦।

 

କୃଷ୍ଣଙ୍କୁ ରଥୁ କରି ଅବରୋହୀ ।

କୋପଭରେ ସେ ଚକ୍ରିଣୀ ଆରୋହୀ ।

କଲାବିଚିତ୍ର ଗତି । କରି ବିଜୟେ ମତି ।

କୃଷ୍ଣ ହେଲେ ତୃପତି ଦେଖି କରି ସେ ରୀତି ।୨୧।

 

କଳାକର କରେ ଝଲକେ ରଥ ।

କୃତାର୍ଥ କରଇ ନୟନ ପଥ ।

କଳା କୁଟୀଳବେଣୀ ।

କୃଷ୍ଣ ପତାକା ଜିଣି ।

କଟି କିଙ୍କିଣୀ ଶ୍ରେଣୀ ନିରନ୍ତରେ ବାଜେଣୀ ।୨୨।

 

କପୋଳେ ଝଲକ ମାଳୀ ଝଲକେ ।

କଟାକ୍ଷ ମାତ୍ରକେ ଅଙ୍ଗ ପୁଲକେ ।

କର୍ଣ୍ଣେ କୁଣ୍ଡଳ ଚଳେ ।

କଣ୍ଠେ ଭୂଷଣ ଦୋଳେ ।

କାମ ନାଶକୁ ହେଳେ । ଉତ୍‌ପାତ ତହିଁ ମିଳେ । ୨୩।

 

କନକ ଗିରି ଅଧୋମୁଖହୋଇ ।

କମ୍ପେ କି ସୁବର୍ଣ୍ଣ ଲତାରେ ଥାଇ ।

କର୍ଣ୍ଣେ ଶୁଣିଲା ନାହିଁ ।

କେବା ଦେଖିବ କାହିଁ ।

କବି ହେଲେ ସେ ଏହି କଥା ପାରଇ କହି । ୨୪।

 

କହୁଁ କହୁଁ କାମ ହୋଇଲା ଝାମ ।

କୃଷ୍ଣ ହୋଇଲେ ଅତି ପୂର୍ଣ୍ଣକାମ ।

କରି ଗୋପୀଙ୍କି ବେଶ । କଲେ ମନକୁ ତୋଷ ।

କହିକରି ସେ ଯଶ ।

କେ ତା କରିବ ଶେଷ । ।୨୫।

 

କରୁଥିଲେ ସେ ସମର ସଞ୍ଚାର ।

କେତେ ତାହାଙ୍କୁ ଦେଲେ ଅଳଙ୍କାର ।

କୁଚ ପାଇଲା ହାର ।

କଟୀନେଲା ଅମ୍ବର ।

କରିଥିଲା ଅପାର । ରତି ରଣେ ପ୍ରଚାର ।୨୬।

 

କର୍ଣ୍ଣ ଉତ୍ତମ କୁଣ୍ଡଳ ପାଇଲା ।

କର୍ପୂର ତାମ୍ବୁଳ ଅଧର ନେଲା ।

କେଶ ପଛରେ ଥିଲା । କିଛି ନିନ୍ଦା ପାଇଲା ।

କର ଦେଶରେ ଭଲା । କ୍ରମେ ବନ୍ଧନ ଗଲା ସେ ।୨୭।

 

କାହା ଶ୍ରୀମୁଖରେ ଦେଇ ଚୁମ୍ୱନ ।

କାହାକୁ ଧୀରେ କରି ଆଲିଙ୍ଗନ ।

କାହା ଚିବୁକ ଧରି କଉତୁକ ବିସ୍ତାରି ।

କ୍ରୌଞ୍ଚସ୍ୱରରେ କରି । କହି କୋମଳ କରି । ।୨୮।

 

କୁଞ୍ଜବନକୁ ଆସୁଥିବୁ ନିତି ।

କରୁଥିବା ତୋର ମୋର ସୁରତି ।

କର୍ଣ୍ଣେ ଶୁଣି ଏ ବାଣୀ । କାନ୍ତ- କଦମ୍ବ ମଣି ।

କଳେବର କମ୍ପାଇ ଦେଲା ଚକ୍ରଚାହାଁଣୀ ।୨୯।

 

କାହା କରକରେ ଧରି ମୋହନ ।

କହନ୍ତି ଶୁଣରେ ପରାଣଧନ ।

କରୁଅଛି ଗଗନ । କୁଚେ ରଖି ମୋ ମନ ।

କରିଥିବୁ ଯତନ । କୃପା ନରକି ଆନ ।୩୦।

କୁସୁମଶର ମୋହ ତେଜି ବସି ।

କୃଷ୍ଣ ଗୋପୀଙ୍କ ସ୍ନେହ ଦେଖି ହସି ।

କାଣ୍ଡ କୋଦଣ୍ଡ କରେ ।

କର ଦେଇ ନିଶରେ ।

କରେ ଇଚ୍ଛା ମନରେ । କଟାଳିବାକୁ ଥରେ ।୩୧।

କୁରଙ୍ଗ ଯେହ୍ନେ ମୃଗତୃଷ୍ଣା ଚାହିଁ ।

କନକରେ ତାକୁ ପଙ୍ଗତ ପାଇ ।

କାଳେ ହୋଏ ଯେମନ୍ତ । କାମକଥା ତେମନ୍ତ ।

କରେ ପ୍ରାଣ ଯେ ହତ । କରେ ତହିଁ ମନତ ।୩୨।

କ୍ରମେ ଦିନ ମୁଖେ ଶୋଭାକୁ ଘେନି ।

କଲେ ଗମନ ବରଜ କାମିନୀ ।

କଳାକର ଆନନ । କାନ୍ତି ଦିଶେ ନିଉନ ।

କିଛି ଦୃଶ୍ୟ ହୁଅଇ ତା’ର ତାରକାମାନ ।୩୩।

କେଳି ସୁମରି ହୃଦୟ ପଦ୍ମ ହସେ ।

କୁଙ୍କୁମ ବର୍ଣ୍ଣ ଅମ୍ବର ପ୍ରକାଶେ ।

କୁଚଚକ୍ର ଉଲ୍ଲାସ ।

କାମ ତମ ବିନାଶ। କହେ କୃଷ୍ଣ ଏ ରସ କହିଥିଲେ ଅଶେଷ ।୩୪।

 

ଚତୁର୍ବିଂଶ ଛାନ୍ଦ

ନିଶି ଶେଷରେ କୃଷ୍ଣ ଗୋପୀଙ୍କ ଗୃହ ଗମନ

ରାଗ - ବଙ୍ଗଳାଶ୍ରୀ

 

କରୀବର କର ମର୍ଦ୍ଦନୁଅନ୍ତର ହେଲା ପଦ୍ମଲତା ପ୍ରାୟେ ।

କାମସିନ୍ଧୁ ଲାଗି ନିଧୂବନ ଲାଗି ଦିଶେ କଉଁ ବଧୂକାୟେ ।୧।

 

କେଶରୀ ମୁଖରୁ ପଳାଇ ଚମୁରୁ ହୁଅଇ ଯେହ୍ନେ ତରଙ୍ଗ ।

କଟାକ୍ଷ ଖେଳାଇ ଗମନ ବଳାଇ କଉଁଗୋପୀ ଛାଡ଼ି ସଙ୍ଗ ।୨।

 

କେତୁ ମୁଣ୍ଡ ତୁଚ୍ଛ ଗ୍ରାସୁ ସୁଧା ପିଣ୍ଡ ବାହାର ହେଲା ପରାୟେ ।

କାନ୍ତିରୁ ବାହାର ହେବାରୁ କାହାର ମୁଖ ନୀରସକୁ ପାଏ ।୩।

 

କୁବଳୟଦଳ ସିନ୍ଦୂରେ ମେଳ ହେଲା ପ୍ରାୟେ କାହା ନେତ୍ର ।

କୀର ଚକ୍ଷୁଘାତ ବିମ୍ୱଫଳ ଖ୍ୟାତ ସୁରଙ୍ଗ ଦଶନପତ୍ର ।୪।

 

କରୀକୁମ୍ଭ ମନ ଅଙ୍କୁଶର ମୁନ ଲାଗିଲେ ଯେମନ୍ତ ଦିଶେ ।

କାହାର ଉରଜଯୁଗଳ କରଜ ଘାତରେ ଶୋଭା ପ୍ରକାଶେ ।୫।

 

କାହା ଗଣ୍ଡସ୍ଥଳ ଚୁମ୍ବନେ ତାମ୍ବୁଳ ବୋଳା ହୋଇଛି ପ୍ରଅକଟ ।

କନକ ମହୀରେ ରହିଲେ ସଧୀରେ ଶୋଭା ଯେହ୍ନେ ତାମ୍ର କୁଟ ।୬।

 

କାହାର ଅମ୍ବର ନୋହେଆଡ଼ମ୍ବର ଡ଼ମ୍ବରୁ ମଧ୍ୟ ଦେଶରେ ।

କିଶଳୟ ପଦ ନ ଧରଇ ପଦ ମାରମଦ ଅବଶରେ ।୭।

 

କନକ ବଲ୍ଲରୀ ମନ୍ଦବାତେ କରି ଢଳିଲାପରାୟେ ହୋଇ ।

କଳହଂସୀପ୍ରାୟେ ଚରଣ ପକାଏ ଶ୍ରୀଅଙ୍ଗକୁ ଦୋହଲାଇ ।୮।

 

କାହା ଇସିଇସି ଶ୍ରୀମୁଖକୁ ଶଶି କଳା ହାରି ପଳାଇଲା ।

କୂଧର ନରେନ୍ଦ୍ର-ଶିଖରେ ପାରୀନ୍ଦ୍ର ଶିରେକାନ୍ତି ଖେଳାଇଲା ।୯।

 

କାହା କଣ୍ଠହାର ସୂତ୍ରରୁ ବାହାର ହୋଇ ଗୋଟି ଗୋଟି ଖସେ ।

କୃତ୍ତିବାସ ଶିର ବସୁନ୍ଧରା ନୀର ମଣ୍ଡିଲା ପରାୟେ ଦିଶେ ।୧୦।

 

କଷ୍ଟେକଷ୍ଟେ ଯାଇ କୃଷ୍ଣ ସୁଖଦାୟୀ ଗୋପେ ପ୍ରବେଶ ହୋଇଲେ

କମଳ ହରଷ ଘେନି ବାସରେଶ ଉଦୟ ମୁର୍ଦ୍ଦା ଛୁଇଁଲେ ।୧୧।

 

କଉତୁକ ପଣେ କିରଣ ସଞ୍ଚାଣେ ମିଳିଲେ ଗଗନପଥେ ।

କି ଛଟକେ ପ୍ରାଣ ବିକଳେ ପ୍ରୟାଣ କଲେ ଉଡୁପତ୍ର ରଥେ ।୧୨।

 

କୃକବାକ କାକ ଚକ୍ରବାକ ଡାକ ଶୁଭିଲା ସବୁ ଆଡ଼ରେ ।

କଉଁ ରସନିଧି ବିରହେ ଅବଧି ଗାର କାଟିଲା ବାଡ଼ରେ ।୧୩।

 

କମ୍ଭୁ କଟକରେ ନୀଳାଦ୍ରି ନଗ୍ରରେ ପାହାନ୍ତି ଶଙ୍ଖ ବାଜିଲା ।

କମ୍ବୁ ଚକ୍ରଧର ଦେବରାଜଙ୍କର ନିଦ୍ରା ତୁରିତେ ଭାଜିଲା ।୧୪।

 

କନକ ପଲ୍ୟଙ୍କ କମଳାଙ୍କ ଅଙ୍କ ତେଜି ସଂହାସନ ବିଜେ ।

କବାଟ ଫିଟାଇ ତୋରା ହୋଇଯାଇ ଖଟିଲେ ସେବକ ଦ୍ୱିଜେ ।୧୫।

 

କୁସୁମ ମାଳକୁ ପକାଇ ତଳକୁ ତପଡ଼ ଲାଗି ହୋଇଲେ ।

କାଠି ଲାଗିଯାଇ ଚଉକିରେ ଯାଇ ସଧୀରେ ବିଜୟେ କଲେ ।୧୬।

 

କରି ତ୍ରିଫଳଜଳେ ମୁଖ ପଖାଳି କାଠି ଲାଗି ସ୍ନାନ ସାରି ।

କମନୀୟ ବାସ ଲାଗି ହୋଇ ବେଶ ହେଲେ ନୀଳାଦ୍ରି କେଶରୀ ।୧୭।

 

କରେ କଚଟି ବାହୁଟି ମଧ୍ୟଦେଶ ରତ୍ନ ଓଢିଆଣୀ ଶୋହେ ।

କଣ୍ଠରେ ଶାର୍ଦ୍ଦୁଳ ନଖ – କଣ୍ଠିମାଳ ଜଗଜନ ମନ ମୋହେ ।୧୮।

 

କର୍ଣ୍ଣରେ କୁଣ୍ଡଳ ଶିରେ ଦିବ୍ୟଚୂଳ ହୃଦରେ କୁସୁମମାଳ ।

କରିଛି ଦର୍ଶନ ତାହା ଯେଉଁଜନ ଜନ୍ମ ତାହାର ସଫଳ ।୧୯।

 

କୋଟି ବ୍ରହ୍ମାଣ୍ଡରେ ଏମନ୍ତ ଠାକୁର ଥିବାର ଶୁଣିଛ କାହିଁ ।

କୁଚ୍ଛିତ ଲୋକହିଁ ପରମ ପଦହିଁ ଲଭନ୍ତି ଯାହାକୁ ଚାହିଁ ।୨୦।

 

କଳା ପର୍ବତରେ ବିଜୟ ସଧୀରେ କରୁଣା ହୃଦୟ ହୋଇ ।

କଳ୍ମଷୀ ଲୋକଙ୍କୁ କଳମକ୍ଷପଙ୍କୁ ଉଦ୍ଧାର କରିବା ପାଇଁ ।୨୧।

 

କଥା ନ କହନ୍ତି ଜଗତ ମୋହନ୍ତି ବାହା ।୨୨।

 

କରନ୍ତି ମଣୋହି ଯଉଁ ଦ୍ରବ୍ୟ ତହିଁ ମହିମା ଅତି ବିଚିତ୍ର ।

କୁଶକେତୁ ନେଇ ଆନନ୍ଦେ ଭକ୍ଷଇ ଥିଲେ ନୀଚେ କର ପତ୍ର ।୨୩।

 

କରୁଥିଲେ ଗତି ପରିକ୍ରମା ମତି ସ୍ତୁତି କଳହ ପରାଏ ।

କରନ୍ତେ ଆମିଷ ଆଦି ଦ୍ରବ୍ୟନାଶ ହବିଷ୍ୟ କର୍ମକୁ ପାଏ ।୨୪।

 

କଲେ ନିଦ୍ରା ଯହିଁ ଦଣ୍ଡ ପ୍ରଣାମହିଁ ଫଳ ହୁଅଇ ପ୍ରାପତ ।

କଳାତ୍ରାଦି ସୁତ ଘେନିକରି ଭୃତ୍ୟମାନେ ଭୀବନ ମୁକତ ।୨୫।

 

କରିଥିଲା ଆଶା ସେ କ୍ଷେତ୍ରେ ନିବାସ କରିବାକୁ ।

ଦୀନକୃଷ୍ଣ କି ଅଭାଗ୍ୟୁ ତହିଁ ନ ପାରିଲା ରହି ପ୍ରଭୁ ନୋହିଲେ ସତୃଷ୍ଣ ।୨୬।

 

କର୍ମେ ଥିଲେ ଯାହା ଭୋଗକଲା ତାହା କେ ତାହା କରିବ ଆନ ।

କରମ କରତା କଇବଲ୍ୟ ଦାତା ଯେବେ ନୋହିଲେ ପ୍ରସନ୍ନ ।୧୭।

 

କଣ୍ଠରେ ଭୂଷଣ କରି ତାଙ୍କ ଗୁଣ ଗାଉଥାଇଁ ନାମମାନ ।

କୃପଣ ଗୁଆଁର କୁବୁଦ୍ଧିକି ଜ୍ଞାନ ମାଗିପାଉଥାଇ ମାନ । ୨୮।

 

କରେ ଚିନ୍ତାମଣି ପାଇଁ କରି ଆଣି ନ ରହିଲା ମୋର କିଛି ।

କରି ବିଚାର କେତେବେଳେ ଛାର ଜୀବନ କାହିଁକି ଅଛି ।୨୯।

 

କୃଷ୍ଣ ଆଶ୍ରେ କରି ସୁବିଦ୍ୟା ଆଚରି ପାଷାଣ୍ଡକୁ ଯାହା ସ୍ତୁତି ।

କୃଷ୍ଣଦାସ କହେ କିଛି ଭଲ ନୋହେ କେବଳ ଛାତିକି କାତି ।୩୦।

 

ପଞ୍ଚବିଂଶ ଛାନ୍ଦ

କୃଷ୍ଣ ବଳରାମଙ୍କ ମଥୁରା ଯାତ୍ରା

ରାଗ - କାମୋଦୀ, ଋକ୍ମିଣୀ ଚଉତିଶା ବାଣୀ

 

କର ସାଧୁବିବେକ ଜନେ ମନକୁ ଏକ କୃଷ୍ଣ କଥାକୁ ମନ ଦେଇ ।

କଂସ-ତମକୁ ହଂସ ଦେବ ଯେ – ହୃଷିକେଶ ସେ କଥା କିଛି କହିବଇଁ ହେ ।

ଆହେ ଜନେ । କୁଞ୍ଜବିହାରୀ ସାରି ରାସ ।

କେତେଦିନ ଗୋପେ ରହିଲେ ପୀତବାସ ।

କଂସ ନୃପତି ଭୟ କେବେ ନୋହିଲେ କ୍ଷୟ ଭାଳଇ ରଜନୀ ଦିବସ ହେ ।୧।

 

କରାଇଲା ହକରା ସସସ୍ତ ସଭା ତାରାମାନଙ୍କୁ ଅତି ଉତ୍ସାହରେ ।

କହ ତୁମ୍ଭେ ବିଚାର କାଳ ନନ୍ଦ କୁମର କେମନ୍ତେ ପଡ଼ିବ ମୋ କରେ ହେ । କୋବିଦେ ହେ ।

କଲତ ଶ୍ରବଣ । ସଭିଏଁ ।

କଲେ ଯେତେ ଯେତେ ଶ୍ରୀରାମ କୃଷ୍ଣ ଦୁହେଁ କେଶୀ ଆଦି ମୋହର ମାରି ସମସ୍ତ ବୀର ନିଶ୍ଚିନ୍ତ ହୋଇ ଗୋପେ ରହେ ହେ ।୨।

 

କରିବି ପ୍ରାଣନାଶ ଅଇଲେ ମୋର ପ୍ରାଣ କେ ରକ୍ଷା କରିବ ଜାଣିମା ।

କେ ତହିଁ ପ୍ରଭୁ କେ ଅଛି ବଡ଼ ।

କେ ବୋଲଇ ଯେତେ ହୋଇଲେ ସେ ଗଉଡ଼ ।

କର ଆଜ୍ଞା ତୁରିତ ଛାମୁରୁ ଯାଇ ଦୂତ ଘେନିଆସୁ ସେ ତଡ଼ବଡ଼ ସେ ।୩।

 

କହେ ଯଉଁ ପଣ୍ଡିତ ସଭାରେ ପକ୍ଷପାତ ପ୍ରଭୁ ଆଶକୁ ଅନୁସରି ।

କରେ ତହିଁକି ପ୍ରତେ ଯଉଁ ନୃପତି ଚିତ୍ତେ ସେଇଟି ଅବିବେକୀପୁରୀ ହେ । ଆହେ ଜନେ ।

କାଳେ ସେ ଦେଖନ୍ତି ସଂଘାତ ।

କାଳଦଣ୍ଡ ଅବଶ୍ୟ ହୁଅନ୍ତି ସଂଘାତ ।

କଟୁତିକ୍ତ ମଧୁର ଦ୍ରବ୍ୟ ଠାରୁ ବିଚାର ଆଦ୍ୟ ପ୍ରାନ୍ତେ ହିତ ଅହିତ ହେ ।୪।

 

କର୍ପୂର ନାରିକେଳ ଳେମ୍ବୁ କେଡ଼େ ଶୀତଳ ପାନକୁ ମହାସୁଖକର ।

କହୁଁ କହୁଁ ଯେମନ୍ତ କରଇ ପ୍ରାଣ ଅନ୍ତ ସେହି ରୂପେଟି ଖଳ ଗୀର ହେ ।

ଆହେ ଜନେ । କଲା ନାହିଁ ବିଚାର ଚିତ୍ତେ ।

କ୍ରୋଧ ସିନା ପ୍ରାଣୀକି ନାଶୁଛି ସନ୍ତତେ ।

କେବଳ ଜ୍ଞାନଶୂନ୍ୟ ଲୋକଙ୍କର ଏମାନ ମରଣ ଚଳାଇ ଆଗତେ ହେ ।୫।

 

କେଶରୀ ଦେଖିକରି ଗ୍ରାମ ସିଂହ ଫୁକାରି ହେଳେ ସେ ନିକି ବଡ଼ ହୁଏ ।

କେବେହେଁ ଦିନମଣି ଆଗେ ଖଦ୍ୟୋତଶ୍ରେଣୀ ଜ୍ୟୋତି ଦେଖାଇ ଯଶପାଏ ହେ ।

ଆହେଜନ । କରିଛି ଶ୍ରବଣ ମହିମା ।

କହୁଅଛି କେମନ୍ତ ପ୍ରକାରେ ଗାରିମା ।

କାଳ ଗ୍ରାସିଲେ ପ୍ରାଣି କହେ ବିକୃତ ବାଣୀ ସହଜେ ତ ଏ ଦୁଷ୍ଟ ସୀମା ହେ ।୬।

 

କହିଲା ବିଚକ୍ଷଣ ମାନେ ମୋଠାରୁ ଶୁଣ ବିଦ୍ଧିଏ ଦିଶୁଅଛି ମୋତେ ।

କରିବି ଧନୁଯାତ ଆଣିବି ନନ୍ଦସୁତ ଜନକଜନନୀ ସୁଚିତେ ହେ ।

କୋବିଦେ ହେ । କରି ତ ଥିବି ରଙ୍ଗସଭା ।

କାମପାଳ କୃଷ୍ଣ ଦେଖି ହୋଇବେ ଲୋଭା ।

କପଟ ବୁଦ୍ଧି କରି କରେ ଆୟୁଧ ଧରି ଯୋଦ୍ଧାଏ ହୋଇଥିବେ ଉଭା ହେ ।୭।

 

କୁବଳୟା ଆରୋହି ମାହୁନ୍ତ ଥିବ ରହି ସିଂହଦୁଆର ଆଶ୍ରେ କରି ।

କୁଳିଶ – ହୃଦ ମାଲେ ଉଭାରି ଥିବେ ଭଲେ କାହା ମୁଖୁ ବଞ୍ଚିବେ ହରି ସେ ।

କହି ଏହା ମନ୍ତ୍ରୀକି ଚାହିଁ ହସ ହସ ।

କରନିଶେ ପକାଇ ଛାଡ଼ଇ ନିଃଶ୍ୱାସ କଲା ଶୁଣି ଆଦେଶ ଅକ୍ରୂରେ ରାଇ ପାଶ ରାମ କୃଷ୍ଣଙ୍କୁ ଘେନି ଆସ ହେ ।୮।

 

କର ଯୋଡ଼ି ଅକ୍ରୂର କରି ଶିରେ ଉପରବାହାର ହେଲେ ରଥେ ବସି ।

କେତେ ରୂପେ ମଙ୍ଗଳ ହୋଇଲେ ଆସି ମେଳ କେତେ ତା କହିବି ବିଶେଷି ହେ ।ଆହେଜନେ ।

କେଶବ ଶ୍ରବଣ ମଙ୍ଗଳ । କାଟି ଯାହା ନାମ ଧଇଲେ ଅମଙ୍ଗଳ ।

କଲେ ଗମନକରି ବାକ ତାଙ୍କୁ ଦର୍ଶନ ତହିଁ ନୋହିବ କଉଁ ଫଳ ।୯।

 

କର୍ମେ ଦକ୍ଷିଣ ନେତ୍ର ଆଦି ଦକ୍ଷିଣ ଗାତ୍ର କେତେ ଆନନ୍ଦ ହୋଏ ଜାତ ।

କଲି କି ତପ କାହିଁ କଳିତ ପାରୁ ନାହିଁ ।

କୃଷ୍ଣଙ୍କୁ ଦେଖିବି ସାକ୍ଷାତ ସେ । କଳ୍ପାନ୍ତରେ ।

ଯୋଗିଶ ଜଗି ଯୋଗବାଟ ।

କେହି ପାଇ ନାହାନ୍ତି ଆଜିଯାଏ ଭେଟ ।

କଉ ସୁକୃତ ବଳେ ତାଙ୍କୁ ଦେଖିବି ଡ଼ୋଳେ ବୋଲି ଆନନ୍ଦେ କରେ ନାଟ ସେ ।୧୦।

 

କନକଗିରିଚରମାନଙ୍କ ମସ୍ତକର – ମୁକୁଟ ମର୍କତ ମଣି ଏ ।

କମ୍ବୁ ଚକ୍ରାଦିଧର ପାଦପଦ୍ମେ ଯାହାର ଦିଶନ୍ତି ମଧୁକର ପ୍ରାୟେ ସେ ।

କଇଳାସ । ଶିଖରବାସୀ ପଞ୍ଚାନନ ।

କରୁଚନ୍ତି ଯାହାପାଦ ଜଳରେ ସ୍ନାନ ।

କରିବାକୁ ଅପାର ଭବସାଗରୁ ପାର ଯାହା ନାମ ନଉକାଯାନ ସେ ।୧୧।

 

କଳେବର ଫୁଲଇ ନେତ୍ରୁ ନୀର ଚଳଇ ଭାବି ଶ୍ରୀକୃଷ୍ଣ କଥାମାନ ।

କଣ୍ଠ ହୋଏ ଗଦ୍‌ଗଦ୍‌ ଉଚ୍ଚାରି କୃଷ୍ଣପଦ ପ୍ରବେଶ ହେଲେ ବୃନ୍ଦବନ ସେ ।

କଲେ ଅବୋକନ ପାଦପଦ୍ମ ଚିହ୍ନ ।

କମ୍ବୁଚକ୍ର, ପଦ୍ମରେ ହୋଇଛି ଶୋଭନ ।

କୁଳିଶ, ଅଷ୍ଟକୋଣ, ଊର୍ଦ୍ଧ୍ୱରେଖା, ତ୍ରିକୋଣ, ଧନୁଧ୍ୱଜ, ସ୍ୱସ୍ତିକ, ମାନ ସେ ।୧୨।

 

କଳଶ ଯବବିନ୍ଦୁ ଅଙ୍କୁଶ ଅର୍ଦ୍ଧଇନ୍ଦୁ ଗୋଷ୍ପଦ ଅମ୍ବର ନିରେଖି ।

କୁସୁମଲିଟ ପ୍ରାୟେପକାଇ ତହିଁ କାୟେ ଭାବରେ ନପାରେ ଉପେକ୍ଷି ସେ ।

କଷ୍ଟେ କଷ୍ଟେ । ଉଠି କିଛିଦୂରକୁ ଯାଇ ।

କଳେବର ରେଣୁରେ ହୋଇଅଛି ଛାଇ ।

କଲେ ଅବଳୋକନ ଜଗଜ୍ଜନ ଜୀବନ ଶ୍ରୀରାମ କୃଷ୍ଣ ବେନିଭାଇ ସେ ।୧୩।

 

କୁନ୍ଦଇନ୍ଦ କର୍ପୂର କଇରବ, ଗୋକ୍ଷୀର କମ୍ବୁ ଶମ୍ଭ ପର୍ବତ ପର୍ବ ।

କାଶ, ସାଗର ଫେନ, କଳଧଉତ ବର୍ଣ୍ଣ ଶ୍ରୀରାମ ଛବିଙ୍କି ଏ ଖର୍ବ ସେ ।

କଟିତଟେ । ନୀଳପତନୀ କାଚ ଶୋହେ ।

କଇଳାସେ ନୀଳମେଘ ଯେମନ୍ତ ରହେ ।

କମନୀୟ ଉଷ୍ଣୀଷ ଗୋଧନ ଦୁହାଁ ବେଶ ସୁର ନର କିନ୍ନର ମୋହେ ଯେ ।୧୪।

 

କୋକନଦ ଆକୃତି ଦିଶେ ନୟନ ଜ୍ୟୋତି ଶ୍ରୀମୁଖ ପୂର୍ଣ୍ଣଚନ୍ଦ୍ର ଜିଣି ।

ଚତୁର୍ଭୁଜ ସରିତ କଳିନ୍ଦକନ୍ୟା ଯୁତ ପରାୟେ ପାଶେ ବେଣୁପାଣି ସେ ।

କି ଉପମା ଦେବା ସେ ଶ୍ରୀଅଙ୍ଗଛଟାକୁ ।

କଳାମଧ୍ୟେ ମନ ନ ବଳଇ ଗୋଟାକୁ ।

କାଳିନ୍ଦୀ ଜଳପାନ କରି ଅଇଲେ ମନ ନ ଯିବ ଜଳଦ-ଘଟାକୁ ।୧୫।

 

କେଶରୀ କଟିତଟେ ପୀତପତନୀ ଘଟେତଥି ମୋହନବେଣୁ ଖୋସି ।

କୋମଳଗୀତ ପଦେ ପଦେ ଗାଇ ପ୍ରମୋଦ ଗାଈଙ୍କି ଡ଼ାକନ୍ତି ଆଶ୍ୱାସି ସେ ।

କଉଁ ଧେନୁ । ଚରଣେ ଛନ୍ଦନ୍ତି ଛନ୍ଦଣୀ ।

କରି ଜାନୁ ଯୁଗଳେ ସଂଯୋଗ ଦୁହଣୀ ।

କାମୀ କାମଦୋହନ କରନ୍ତି ଗୋଦହନେ କଳଶେ ରଖି ପୁଣି ପୁଣି ସେ ।୧୬।

 

କଳା ଶ୍ରୀଅଙ୍ଗ କ୍ଷୀରବିନ୍ଦୁ ପଡ଼ି ସୁନ୍ଦର ଦିଶେ ଗଗନ ତାରାପ୍ରାୟେ ।

କରେ କଳିତ ବସନମୟେ ପାଶ ରତ୍ନପାଦୁକା ପଦ୍ମପ୍ରାୟେ ସେ ।

କଲ ଏହି ସମୟେ । ଅକ୍ରୂର ଦର୍ଶନ ।

କୃପାସିନ୍ଧୁ ଅନାଇଁ ହୋଇଲେ ପ୍ରସନ୍ନ ।

କରଯୁଗଳ ବେଗେ ଅତ୍ୟନ୍ତ ଅନୁରାଗେ କୋମଳେ କଲେ ଆଲିଙ୍ଗନ ସେ ।୧୭।

 

କଉତୁକେ କହନ୍ତି, କୁଶଳ ପଚାରନ୍ତି କି କାର୍ଯ୍ୟେ ଅଇଲ ଏଥିକି ।

କରଯୋଡ଼ି ଅକ୍ରୂର ବୋଲଇ ମୋହ ଛାର କି କହିବି ଅନ୍ତର୍ଯ୍ୟାମିଙ୍କି ସେ ।

କଂସ ପେଷିଅଛି ତୁମ୍ଭଙ୍କୁ ନେବାପାଇଁ ।

କରିଛ ସେ ଧନୁ ଉତ୍ସବ ସୁଖଦାୟୀ ।

କୁଟ କରିଛି ଯେତେ ତାହା କରିବି କେତେ ସେତ ମନକୁ ଥିବ ଯାଇ ସେ ।୧୮।

 

କେଶବ ହସି ଧରେ ବୋଇଲେ ଯିବା ଥରେ ଦେଖିବା ମାମୁଁ ଧନୁଯାତ ।

କଇତକ କଥାକୁ ମାମୁଁ ମନ ବ୍ୟଥାକୁ ସବୁ ରୂପରେ ସନମତ ସେ ।

କାହାପାଇଁ । ଗୋପରେ ତୁମ୍ଭେ ଏ ବାରତା ।

କି ବୋଲନ୍ତି ଜନକ ଜନନୀ ଶୁଣି ତା ।

କେବେହେଁ ରାଜା ଆଜ୍ଞା ନକରିବ ଅବଜ୍ଞା କରିବ ନାହିଁ ନିଉନତା ସେ ।୧୯।

 

କେଶୀଜୀବନହର ଆଜ୍ଞା ପାଇ ଅକ୍ରୂର ଗୋପରେ ପ୍ରବେଶ ହୋଇଲେ ।

କଂସଉଲୁରୀ ନେଇ ନନ୍ଦଙ୍କ କରେ ଦେଇ ସକଳ ସନ୍ଦେଶ କହିଲେ ସେ ।

କେ କହିବ । ଶୁଣି ତା ହୋଇଲେ ସେ ଯାହା ।

କହିବାକୁ ବଚନେ ଆସୁନାହିଁ ତାହା ।

କହୁ କହୁ ଗୋକୁଳଯାକ ଶୁଭିଲା ଗୋଳ ମଥୁରାଯିବେ ବ୍ରଜନାହା ସେ ।୨୦।

 

କେ ବୋଲେ କି କରିବା କାଳ କେମନ୍ତେ ନେବା ଶ୍ରୀକୃଷ୍ଣ ଗଲେ ମଥୁରାକୁ ।

କୁଟିଳ ଦୁଷ୍ଟ କାମ ପୂର୍ଣ୍ଣ କରିବ କାମ ଫୁଲଶରେ ବିଦାରି ବୁକୁ ଯେ ।

ଆଗୋ ସଖି । କଳାକର ବରିବଯାହା ।

କହି ଶେଷେ କରିବେ ନାହିଁ ଶେଷ ତାହା ।

କୋକିଳ କଳଡାକେ ରହି ନୋହିବ ଲୋକ କାଳ କରିବ ପୁଣି ଏହା ଗୋ ।୨୧।

 

କଉତୁକେ ସମ୍ପାଦି କର୍ପୂର ଚନ୍ଦନାଦି କେହି ନୋହିବେ ସୁଖକର ।

କଳେବର ବସନ ଆଶୀବିଷ ସମାନ ହୋଇବ ମହାଭୟଙ୍କର ସେ ।

ଆଗୋ ସଖି ! କ୍ରୀଡ଼ାମନ୍ଦିର ହେବ କାରା ।

କଣ୍ଠ ମୋତିହାର ହୋଇବ ମହାଭାରା ।

କାମ ଦଶମ ଦଶା ଭାଙ୍ଗିବ ସବୁ ଆଶା ବୋଲି ଛାଡ଼ିଲେ ଅଶ୍ରୁଧାରା ସେ ।୨୨।

 

କେ କରେ ମହାଶୋକ କେ ହୋଏ ଦକଦକ କେ ଦୀର୍ଘେ ଛାଡ଼ଇ ନିଃଶ୍ୱାସ ।

କେ ଘନଋତୁ ପିକପ୍ରାୟ ମୁକ କେ ବୋଲେ ଛାଡ଼ି ପ୍ରତିଆଶ ସେ ।

କେ ବୋଲଇ । କୃଷ୍ଣ ସଙ୍ଗତେ ଆମ୍ଭେ ଯିବା ।

କଉଁସୁଖ ପାଇବା ପାଇଁ ଗୋପେ ଥିବା ।

କୁମୁଦ – ଶଶଧର ପ୍ରାୟେ ଭୋଗ ଅନ୍ତର ହେଲେ ଶ୍ରୀମୁଖ ଚାହୁଁଥିବା ।୨୩।

 

କୃପଣ ଜନ ଧନ ଭୋଗ ମୋ ତୁଲେ ମନ ହୁଅଇ ଦୁଃଖୀ ସେ ।

ଆଗୋ ସଖି ! କେଶବ ରସିକଶେଖର ।

କରୁଛନ୍ତି ଆମ୍ଭମାନଙ୍କୁ ଏତେ ଦୂର ।

କଉଁ ଗୁଆର ସଙ୍ଗେ ଦିନ ବଞ୍ଚିବା ରଙ୍ଗେ ଏକଥା କରତ ବିଚାର ମୋ ।୨୪।

 

କହୁ କହୁ ଏମନ୍ତ ଛାୟାଦେବୀଙ୍କ କାନ୍ତ ଅସ୍ତାଚଳରେ ଅସ୍ତହେଲେ ।

କାମପାଳଙ୍କ ସଙ୍ଗେ ସୁରତି ଘେନି ରଙ୍ଗେ ଶ୍ରୀକୃଷ୍ଣ ଗୋପକୁ ଅଇଲେ ସେ ।

କ୍ରମଶରେ । ମାଜଣାବିଧି କରି ଣେଷ ।

କୁତୁକେ କଲେ ମଣୋହି ପୀତବାସ କଥା ପ୍ରସଙ୍ଗେ ବସି ଅକ୍ରୂର ସଙ୍ଗେ ନିଶି ଥୋକାଏ କଲେ ଅବଶେଷ ସେ ।୨୫।

 

କମନୀୟ ପଲ୍ୟଙ୍କ ହଂସୁଲିତୁଳୀ ଅଙ୍କ ଦେଶରେ ଯାଇଁ ପହୁଡ଼ିଲେ ।

କ୍ରମେ ରଜନୀ ଶେଷ ହୁଅନ୍ତେ ଆତ୍ମଲୋଷ ଚରଣାୟୁଧେ ରତିଦେଲେ ସେ ।

କୃପାସିନ୍ଧୁ । ନିଦ୍ରାକାମିନୀଙ୍କି ଛାଡ଼ିଲେ ।

କଂସଦୂତ ଅକ୍ରୂର ରଥ ସଜାଡ଼ିଲେ ।

କି ସେ ଗୁଣ୍ଡିଚାଯାତ ପ୍ରାୟେ ଲୋକ ବହୁତ ଦେଖୁ ଦେଖୁ ମାଡ଼ି ପଡ଼ିଲେ ସେ ।୨୬।

 

କାମପାଳ ଶ୍ରୀହରି ପ୍ରାତଃ ପ୍ରକାଶ ହୁଅଇ ମାଳମାଳ ସେ ।

ମଣୋହି ସାରି ରଥରେ ଯାଇଁ ବିଜେକଲେ ।।

କାନ୍ତ ଯୁବତୀମାନେ କାନ୍ତଆନନ୍ଦମନେ ଉଚ୍ଚରେ ହୁଳହୁଳି ଦେଲେ ସେ ।

କଲେ ନନ୍ଦ, ଅନେକ ସମ୍ଭାର ଭିଆଣ ।

କେତେ ରୂପେ ସଜ ହୋଇଲେ ଗୋପପଣ ।

କାହାକୁ ଦେବା ସମ ସହଜେ ନିରୂପମ କମଳ ନୟନ ଗହଣ ଦସେ ।୨୭।

 

କୃଷ୍ଣଦାସ ମାନସ ହୋଏ ଅତି ବିରସ ହରଷ କେତେବେଳେ ହୋଏ ।

କିଶୋରୀ ଗୋପୀଙ୍କର କଂସ ଦୁଷ୍ଟ ପାମର କଥା ମନରେ ଚିନ୍ତିବା ଭୟେ ସେ ।

କି ନିଷ୍ଠୁର, ପ୍ରଭୁମାନଙ୍କର ହୃଦୟ ।

କରିଥିଲେ କେତେ ପ୍ରକାରେ ସେ ଅଭୟ ।

କହୁଁ କହୁଁ ସେ ଏବେ ମଧୁପୁରକୁ ଯିବେ ପ୍ରୀତିଠାରେ କରି ନିର୍ଭୟ ସେ ।୨୮।

 

Unknown

ଷଡ଼ବିଂଶ ଛାନ୍ଦ

କୃଷ୍ଣଙ୍କ ମଥୁରା ଯିବା ଶୁଣି ଗୋପୀଙ୍କ ଆକୁଳତା

ରାଗ - କାମୋଦୀ

 

କୃଷ୍ଣ କଂସନଗର ଯିବା ଶୁଣି କାତର ସକଳକଳାକରମୁଖୀ ।

କାକୁସ୍ଥହୋଇ ଧୀରେ କହନ୍ତି କୋମଳରେ କଙ୍କଣ ନୟନରେ ରଖି ହେ । କୃପାନିଧି ।

କେମନ୍ତ ମୂର୍ଚ୍ଛବୁଁ ତୁମ୍ଭଙ୍କୁ ।

କହ ଏ ବିଚାର ଆମ୍ଭଙ୍କୁ ।

କଉଁ ମନ୍ତ୍ରବଳରେ ହୃଦୟ କମଳରେ ଧଇଲ ଏମନ୍ତ ଦମ୍ଭକୁ ହେ ।୧।

 

କ୍ରୂର କୁସୁମ ଧନୁ କୃଶ କରଇ ତନୁ କାନକୁ ଆସିବା ସରିକି ।

କେମନ୍ତ କରି ଦେହ କରିବ ସେ ଅଦେହ ଗଲେ ମଥୁରାନଗରୀକି ହେ କୃପାନିଧି ।

କଲ ଯେତେ ରୂପରେ ପ୍ରୀତି ।

କରୁଛ ତେତିକି ଅନୀତି ।

କମଠ ପୃଷ୍ଠପ୍ରାୟ ନ କର କୃପାମୟ କୋମଳନିକେତନ ଛାତି ହେ ।୨।

 

କାନ୍ତ କାନ୍ତ ଅଭାବେ କନ୍ଦର୍ପ ପରାଭବେ କୃଶକୁ ଭଜଇ ବିକଳେ ।

କେବା ତାହା ନ ସହେ କଳେବରକୁ ଦହେ ପ୍ରବଳ ଜଳନ୍ତା ଅନଳେ ହେ । କୃପାନିଧି ।

କାହାକୁ କହିବୁ ଏ କଥା ।

କେବା ଖଣ୍ଡିବ ମନବ୍ୟଥା ।

କୃପାଳୁ ହୋଇ ଯେବେ କୃପା ଛାଡ଼ି ଅଭାବେ ତୁମ୍ଭେହେଁ ପୋତିଲନି ମଥା ହେ ।୩।

 

କଲୁ ହତ ଆଦର କୁଳଶୀଳ ବେଭାରଠାରେ ତୁମ୍ଭଙ୍କୁ ମନ ଦେଇ ।

କାଳ ହୋଇଲୁ ଏବେ ଚରଣ ବେନି ନାବେ ଦେଲା ଲୋକ ପରାୟେ ହୋଇ ହେ । କୃପାନିଧି ।

କୁଳିଶ ହୃଦୟ ତୁମ୍ଭର ।

କର୍କଶ ଉରଜ ଆମ୍ଭର ।

କେ କାହା ପରଶରେ କଠୋର ଭାବ ଧରେ ଏକଥା ନୋହୁଛି ଗୋଚର ହେ ।୪।

 

କରୁଛ ତୁମ୍ଭେ ଗତି ରହିଛି ଆମ୍ଭ ଛାତି କେହି କାହାକୁ ନୋହେ ଊଣା ।

କାକ ପୋଷିଲା ପିକ ପ୍ରାୟେ ଏକଥା ଲୋକ ମଧ୍ୟରେ ଯାଉଅଛି ଜଣା ହେ । କୃପାନିଧି ।

କାହାଗେ କରିବୁ ଗୁହାରି ।

କଂସ ତ ଆମ୍ଭର ବଇରୀ ।

କି କହିବା ଅନୀତି, କୃଷି ରଖିବା ଭିତ୍ତି କୃଷି ଯାଉଛି ଯେବେ ଚରି ହେ ।୫।

 

କଣ୍ଠରେ ଥିବା ମାଳା କାଟି ଦେଉଛି ଗଳା କହିବାକୁ ଏକଥା ଲାଜ ।

କେତେ ସଂକଟ ରଖି ଏବେ ତାହା ଉପେକ୍ଷି ଯିବାକୁ ହେଉଅଛ ସଜ ହେ । କୃପାନିଧି ।

କରେ ଲଗାଇ ବିଷବୃଷ ।

କାଟିବା କଥା ନୋହେ ମୁଖ୍ୟ ।

କଉଁ ନୀତି ନ ଜାଣେ ବୋଲି ଏତେ ଦୂଷଣ କଥାହିଁ ଭୂଷଣ କରୁଛ ହେ ।୬।

 

କି କରିଥିଲା ବିହି କି କରୁଅଛି ସେହି କି କରୁଛ ତୁମ୍ଭେ ପ୍ରତ୍ୟକ୍ଷେ ।

କର୍ମ ବାମ ବେଳକୁ ବିଧାତା ଅବଳକୁ ବିଷ ଉପୁଜେ ସୁଧା ବୃକ୍ଷେ ହେ । କୃପାନିଧି ।

କୃପଣ ଜନେ ଲୋଭୀ କହି ।

କେବେହେଁ କାର୍ଯ୍ୟ ପାଇନାହିଁ ।

କେବଳ ମାତ୍ର ଯାହା ହୁଅଇ ଅନ୍ତର୍ଦାହା ତେତେବେଳର ଫଳ ସେହି ହେ ।୭।

 

କେତେବେଳରେ ଆଖି ପିଛାଡ଼ିବା ଉପେକ୍ଷି କରୁଣା ବିଲୋକନ କର ।

କେତେବେଳରେ କରଯୋଡ଼ି କହିଲେ ଶିର ନୁଆଇଁ ନଦିଅ ଉତ୍ତର ହେ । କୃପାନିଧି ।

କରନ୍ତି ପ୍ରଭୁମାନେ ଯାହା ।

କରି ନ ପାରେ ଆନ ତାହା ।

କେତେ ରୂପେ ମଣ୍ଡନ୍ତି କିଞ୍ଚିତରେ ଦିଶନ୍ତି କହିବାକୁ ନ ଥାଇ ସାହା ହେ ।୮।

 

କରିଥିଲୁ କାମନା ସକଳ ଗୋପାଙ୍ଗନା ତୁମ୍ଭେ ଗୋପରେ ଶୁଭେ ଥିବ ।

କୁତୁକ ହରଷେ ରସେ ପାଦସାରସ ସେମାରେ ଆମ୍ଭଦିନ ଯିବ ହେ । କୃପାନିଧି ।

କଲାସେ କଥା ଆନ ବିଧି ।

କରୁଛ ତୁମ୍ଭେ ଏ ଅବଧି ।

କଳାନିଧିକି କରେ ଧରିବାକୁ ମନରେ ବିଚାରିଲେ କି ହୋଏ ସିଦ୍ଧ ହେ ।୯।

 

କେତେ କେତେ ବିପତ୍ତିମାନଙ୍କୁ କରି ଗତି ଯଶଚନ୍ଦ୍ର ଉଦେ କରିଛ ।

କିମ୍ପା ନିରାଶ ଅସ୍ତ – ଗିରିରେ ତାହାଅସ୍ତ କରିବା ବିଚାର କରୁଚ ହେ । କୃପାନିଧି ।

କାମ ଅନ୍ଧକାରେ ପକାଇ ।

କୁକୀର୍ତ୍ତି ପତାକା ଟେକାଇ ।

କଇତବ ଅକ୍ରୂର ସଙ୍ଗତରେ ବାହାର ହୋଇଛ କଉଁ ସୁଖ ପାଇଁ ହେ ।୧୦।

 

କରୀ ଭକ୍ଷିଲା ଦଧିଫଳ ପରାୟେ ବିଧି ଆମ୍ଭର ଆକାର ରଖିବ ।

କମଠ ନିଜ ଦୋଷ କଲାପ୍ରାୟେ ସେ ବା କେବଳ ତୁମ୍ଭେ ନ ଦେଖିବ ହେ। କୃପାନିଧି ।

କର୍ମରେ ଅଛି ଏତେ ଯୋଗ ।

କରିବୁ କେତେ ଦଶା ଭୋଗ ।

କରୁରୀ ପକ୍ଷୀ ପ୍ରାୟେ ଝୁରିବାରୁ, କାୟେ କରାଇବ ତୁମ୍ଭ ବିଯୋଗ ହେ ।୧୧।

 

କଷ୍ଟୁ ତରିବା ପାଇଁ ପ୍ରୀତିବୋଇତ ନେଇ ତୁମ୍ଭ ସଙ୍ଗ ସିନ୍ଧୁରେ ମେଲି ।

କୁଳଶୀଳ ବେଭାର ସବୁ ଏକ ପ୍ରକାର ଅମ୍ବର କରିଣ ଅଝାଲି ହେ । କୃପାନିଧି ।

କିଛିକାଳ ବାଣିଜ୍ୟ କଲୁ କେତେ ସୁଖରେ ଦିନ ନେଲୁଁ ।

କଂସଦୂତ ବତାସ କଲା ତ ଏବେ ନାଶ ଦେଖୁ ଦେଖୁ ଦୁଃଖକୁ ଗଲୁ ହେ ।୧୨।

 

କାହା ପାଶେ ରହିବୁ କାହାକୁ କି କହିବୁ କେ ଜାଣିବ ଆମ୍ଭର ମନ ।

କି କି ହୋଇ ପ୍ରମାଦ ପଡ଼ିଗଲେ ବିଷାଦ ହରି କେ ରଖିବ ଜୀବନ ହେ କୃପାନିଧି ।

କହିବାର ଅଧିକ ସିନା ।

କାହିଁ କେତେ ନୋହଛି ସେହ୍ନା ।

କର୍ମ ଫାଟିଲାବେଳେ କଳ୍ପତରୁ ନ ଫଳେ ସବୁ ତୁମ୍ଭ ଭିଆଣ ସିନା ହେ ।୧୩।

 

କର୍କଟ ବେଣୁନଳ କଦଳୀ ଆଦି ଫଳ ବେଳକୁ ନାଶନ୍ତି ଭଜନ୍ତି ।

କୁଟିଳ ହେଲେ ବିହି ମହତ ପଣ୍ଡିତ ହିଁ ବିବେକ ପଣକୁ ତେଜନ୍ତି ହେ । କୃପାନିଧି ।

କାଳ ଘୋଟାଇ ଯେତେବେଳେ ।

କାହାର କୃତ୍ୟ ତେତେବେଳେ ।

କଲେ ଗତି ଆକାଶମଣ୍ଡଳ ବିହାୟସ ପାଶେ ପଡ଼ନ୍ତି ମହୀତଳେ ହେ ।୧୪।

 

କରି ଯାହା ଉପାୟେ ମାୟାରେ ପଡ଼ିବା ୟେ କେବଳ ଶ୍ରମମାତ୍ର ସାର ।

କାଳ କରଇ ଯାହା ଆନ ନୋହଇ ତାହା ସମସ୍ତ ଆୟତ୍ତ ତାହାର ହେ । କୃପାନିଧି।

କରିଛି ତୁମ୍ଭଙ୍କୁ ଉଚ୍ଚାଟ କରାଇବ କଂସକୁ ଭେଟ ।

କାହାର କି ହୋଇବ କଉଁ ଲୋକ କହିବ ସେ ହୋଇବ ପ୍ରକଟ ହେ ।୧୫।

 

କେବେହେଁ ତରଙ୍ଗିଣୀ, ନରପତି ଶୃଙ୍ଗିଣୀ, ଖଳକୁ ନଯାଇ ବିଶ୍ୱାସ ।

କି ସୁଖ ପାଇବାକୁ କାଳସର୍ପ ମୁଖକୁ କରୁଛ ଏମନ୍ତ ସାହସ ହେ । କୃପାନିଧି ।

କର ନିଶ୍ଚେ ଆମ୍ଭର ବୋଲ ।

କହୁଛ ସିନା ତୁମ୍ଭ ଭଲ ।

କଳା ହେଲେ କୋକିଳ ସରସ୍ୱତୀ ମଞ୍ଜୁଳ କେବଳ ବିରହିଣୀ ଶଲ ହେ ।୧୬।

 

କୃଷ୍ଣ କହନ୍ତି ହସି, ଶୁଣ ପ୍ରାଣ ପ୍ରେୟସି, କହିଲ ଯେତେରୂପେ ନୀତି ।

କଲୁ ସେ କଥା ହିତ ବଡ଼କରି ସମ୍ମତ ତୁମ୍ଭ ଆମ୍ଭର ସେହିମତି ଗୋ ।

ଗୋପୀମାନେ । କିଛି ନ ବିଚାର ମାନସେ କରୁଛୁ ଯାତ୍ରା ବିଧିବଶେ ।

କଉତୁକ ଦେଖିବୁଁ ରାଜା ଆଜ୍ଞା ରଖିବୁଁ ପ୍ରବେଶ ହେବୁ ତୁମ୍ଭ ପାଶେ ଗୋ ।୧୭।

 

କାଳିକା କଳାକର ବିନୁ ସ୍ତୋକ ଚକୋର କେତୋଟି ଜୀବନ ସଞ୍ଚନ୍ତି ।

କେତେବେଳେହେଁ ମୀନ ନ ପାଇଲେ ଜୀବନ ଜାଣ କି ମୂହୂର୍ତ୍ତେ ବଞ୍ଚନ୍ତି ଗୋ । ଗୋପୀମାନେ ।

କିଣିଛ ଭାବରେ ଆମ୍ଭଙ୍କୁ ।

କରିବ ଅନ୍ତର ତୁମ୍ଭଙ୍କୁ ।

କୃତ୍ତିବାସ, ପାର୍ବତୀ, ନ ଛାଡ଼ନ୍ତି ପାର୍ବତୀ, ଛାଡ଼ନ୍ତି କେବେହେଁ ଶମ୍ଭୁଙ୍କୁ ଗୋ ।୧୮।

 

କର ମୁଖ ପ୍ରସନ୍ନ କରୁ ଆମ୍ଭେ ଦର୍ଶନ

ହସି ବୋଇଲେ ସିନା ସବୁ କରୁଣା ଅପାଙ୍ଗରେ

ନ ଚାହିଁଲେ ରଙ୍ଗରେ ଏହି ରଥରେ ବସିଥିବୁଁ ଗୋ । କଉଁ ଗୋପୀ ।

କହିଲ ଆହେ ବନମାଳୀ ।

କୁମ୍ଭକାରକ ଉହା ଜାଳି ।

କରଇ କି ଶୀତଳ ଦେଇ ତିଥି ଜମ୍ବାଳ ଏକଥା ନ କହତ ଭାଳି ହେ ।୧୯।

 

କେତେ ନୂଆ ଅପାଙ୍ଗ ମଣ୍ଡି ହୋଇବ ଅଙ୍ଗ କେତେ ଶୁଣିବ ନୂଆବାଣୀ ।

କେତେ କୁଚ କଳାଶ, ଲାଗିବ ହୃଦଦେଶ, କେତେ ସୁଖ ପାଇବ ପୁଣି ହେ । କୃପାନିଧି ।

କିମ୍ପା ନୋହିଲେ ଏ ଉତ୍ସାହା ।

କହୁଚ ଆମ୍ଭଙ୍କୁ ତ ଏହା ।

କରଇ କି କରୁଣା ପ୍ରୀତି ମନ ପୁରୁଣା ହୋଇଲେ ଅତ୍ୟନ୍ତ ସୋରେହା ହେ ।୨୦।

 

କୁଞ୍ଜବନବିହାରୀ ମୋହନ ବେଣୁଧାରୀ କଞ୍ଜରଗମନୀଙ୍କି ଚାହିଁ ।

କହିଲେ କୁପୁରୁଷ – ମାନଙ୍କର ସେ ଦୋଷ ଗୁଣ ଯହୁଁ ଜାଣନ୍ତି ନାହିଁ ଗୋ । ଗୋପୀମାନେ ।

କେଡ଼େ ମଧୁର ନବଗୁଡ଼ ।

କରଇ ଅବିଗୁଣ ବଡ଼ ।

କାଳଦୀର୍ଘକୁ ପାଇ କେତେ ଗୁଣକରଇ ଏଡାରେ ପିତାଭାବ ଛାଡ଼ ଗୋ । ୨୧।

 

କେତେବେଳରେ ଗୁଣ ଦ୍ରବ୍ୟର ଅବିଗୁଣ ଥିଲେ ହେଁ ନୋହଇ ଦୂଷଣ ।

କଳଙ୍କ ଥିଲେ ଶୀତକର ସବୁରି ହିତ କପର୍ଦ୍ଦିମସ୍ତକ ଭୂଷଣ ଗୋ।

ଗୋପୀମାନେ କଳା ହେଲେ କୋକିଳ ବାଣୀ ।

କେତେ ଆଦରେ କାହା ଶୁଣି ।

କୁଣ୍ଡଳୀ ପ୍ରାଣହର ହେଲେ ତା ତିଳକ ଗ୍ରହଣ କରିଛନ୍ତି ପ୍ରାଣୀ ଗୋ । ୨୨।

 

କୁଟଜ ନିମ୍ବ ପିତା ଚନ୍ଦନ ହୋଇଲେ ତା ତିଳକ କରି ହୃଷଦ ବୋଳି ।

କୁବଳୟ ଫଳତ ଶାମୁକାରୁ ସମ୍ଭବ ହେଲେ କଣ୍ଠରେ କରି ମାଳୀ ଗୋ । ଗୋପୀମାନେ ।

କେତେ କହିବା ତାହା ବସି ।

କେବଳ ଗୁଣ ଥିଲେ ରସି ।

କେହି କେହି ଆପଣା ସୁଖ ନିନିତ୍ତେ ଊଣା ଦ୍ରବ୍ୟ ହୁଅନ୍ତି ଅଭିଳାଷୀ ଗୋ ।୨୩।

 

କରି ମନ ଫୁରୁଣା କର ଏବେ କରୁଣା ଅନାଅ ସରାଗ ନୟନେ ।

କର ଧରି ଯେତେହେଁ କହୁଅଛି ସେନେହେ ଅବଶ୍ୟ ପଡ଼ୁଥିବ ମନ ଗୋ । ଗୋପୀମାନେ ।

କଲୁ ଗମନ ପିଠିଥାଇଁ ।

କରେଯେ ଯାହା କର୍ମ ଯାଇ ।

କନକ ମହୀଧର କମଳନାଥଙ୍କର ପ୍ରାୟେ ତୁମ୍ଭଙ୍କୁ ମନଦେଇ ଗୋ ।୨୪।

 

କଣଟେ ଚାଟୁହରି ଏମନ୍ତ କହିକରି ଯେତେବେଳେ ବାହାର ହେଲେ ।

କନ୍ୟାଖମ୍ୱ ପରାୟେ ହୋଇ ସବୁ ଗୋପୀଏ ଅପଲକରେ ଚାହୁଁଥିଲେ ସେ । କୃଶୋଦରୀ !

ଅଦୃଶ୍ୟ ହେଲା ମାତ୍ରେ ରଥ ।

କପାଳରେ ମାରିଲେ ହାତ ।

କେ ବୋଲେ ଆହେ ନାଥ କରିଗଲ ଅନାଥ ହରି ସକଳ ମନୋରଥ ସେ ।୨୫।

 

କଷ୍ଟ କଷ୍ଟରେ ଗୋପୀ ହୋଇ ମହା ସନ୍ତାପି ଯେ ଯାହା ମନ୍ଦିରେ ପ୍ରବେଶ ।

କେ ହୁଅଇ ବିକଳ କେ ଚାଡ଼େ ଅଶ୍ରୁଜଳ କେ ଦୀର୍ଘେ ପକାଇ ନିଃଶ୍ୱାସ ସେ ।

କେଉଁ ଗୋପୀ । କୃଷ୍ଣର ରୂପ ପଟେ ଲେଖି ।

କେତେ ହୋଇଲା ମନେ ଖୁସି ।

କେ ସଙ୍ଗେ ଘେନି ସଖି କହିଲା ଆରେ ସଖି କାମ ନ ଦେବ ଆଉ ରଖି ସେ ।୨୬।

 

କାଳୀ-ଶିର ମର୍ଦ୍ଦନ ରଥ ପଛରେ ଦୀନକୃଷ୍ଣ ମାନସ ଗୋଡ଼ାଇଲା ।

କହିଥିଲ ଯେତେକ ଜନ୍ମକାଳୁ ପାତକ କିଞ୍ଚିତ ମାତ୍ରେ ଛଡ଼ାଇଲା ସେ ।

କଲା ପୁଣି । ମନରେ ଶରଧା ଅନେକ ।

କରିବେ କେତେ କଉତୁକ ।

କରେ ହାଣି ରଜକ ମସ୍ତକ ତୋଷି ଲୋକ ଜୁର କରିବେ ବସ୍ତ୍ରଯାକ ସେ ।୨୭।

 

କୁବୁଜା କୁଜ ହରି କୁବଳୟ ସଂହାରି ମାହୁନ୍ତମାନଙ୍କୁ ମାରିବେ ।

କଂସ ଜୀବନ ହରି ମାଇଁଙ୍କି ବୋଧକରି ଜନକଜନନୀ ତାରିବେ ସେ । କୃପାନିଧି ।

କରାଇ ଅଜାଙ୍କୁ ରାଜନ ।

କରିବେ ତୋଷ ଦେବଗଣ ।

କାଳ ମୁଖରେ ନେଇ କାଳଦମନ ଦେଇ କୁମୁଦ କରିବେ ଜୃମ୍ଭଣ ସେ ।୨୮।

 

କୁବଳୟ ମଧ୍ୟରେ କନକାମୟ ପୁରେ ଦ୍ୱରକା ନାମରେ କରିବେ ।

କୁଣ୍ଡି ନୃପତି ସୁତା ଆଦି ରାଜ ଦୁହିତାମାନଙ୍କ ବିହରିବେ ସେ । କୃପାନିଧି !

କୁରୁକୁଳକୁ ସଂହାରିବେ । କଷ୍ଟୁଁ ପାଣ୍ଡବଙ୍କୁ ତାରିବେ ।

କଉଶପ ରମଣୀମାନଙ୍କ କରମଣି କଙ୍କଣ ଅବଶ୍ୟ ହରିବେ ସେ । ୨୯।

 

କଉତୁକରେ ଆସି ଅକ୍ରୂର ରଥେ ବସି ମଥୁରା ତୋଟାରେ ରହିଲେ ।

କଂସ ନୃପତି ଆଗେ ଅକ୍ରୂର ସେହି ଲାଗେ ପ୍ରଭୁଙ୍କ ବିଜୟ କହିଲେ ସେ । କୃପାନିଧି ।

କମଳଚରଣକୁ ଆଶ ।

କରିଛି ଦୀନକୃଷ୍ଣ ଦାସ ।

କୃତାନ୍ତ ଦଣ୍ଡ ଭୟ ହେଳାରେ କରି କ୍ଷୟ କାଟିବ ଭବ ତମ ପାଶେ ସେ ।୩୦।

 

ସପ୍ତବିଂଶ ଛାନ୍ଦ

ରାମ ଓ କୃଷ୍ଣଙ୍କ ମଥୁରା ପ୍ରବେଶ

ରାଗ - ଗୁଜ୍ଜରୀ

 

କର୍ଣ୍ଣ ଦେଇ କୃଷ୍ଣ କଥା ଶୁଣ ସୁଜନେ ।

କେବଳ ମନକୁ ସ୍ଥାପି ସ୍ଥିର ଆସନେ ।

କଳାକର କରେ ଚନ୍ଦ୍ରମଣି ପରାୟେ ।

କଳେବର ଦ୍ରବି ଯାଉ କଳୁଷ କ୍ଷୟେ ।

କ୍ରୋଧମାନ ଛାଡ଼ି ଭାବ ଭବତି ଘେନ ।

କଇବଲ୍ୟଦାନୀ ଦେବେ କୈବଲ୍ୟ ଦାନ ।୧।

 

କଂସ କଟକରେ ରାମକୃଷ୍ଣ ପ୍ରବେଶ ।

କରନ୍ତି ଦର୍ଶନ ଲୋକେ ହୋଇ ହରଷ ।

କେ ବୋଲେ କାହିଁ ଥିଲେ ଏ ଅପୂର୍ବ ରୂପ ।

କାନ୍ତି ନିନ୍ଦୁଅଛି କୋଟି କୁସୁମଚାପ ।

କଉଁ ବିହି କେତେକାଳେ ଗଢିଲା ଏହା ।

କି କରିବା ଦେଖି ମନ ଯେଉଛି ଯାହା ।୨।

 

କି ଅପୂର୍ବ ଏ କରୁଣ କଳପ – ତରୁ ।

କାମପୂର୍ଣ୍ଣ କରିବାକୁ ଆସେ ସ୍ୱର୍ଗରୁ ।

କିବା ଇନ୍ଦ୍ରଧନୁ ମହୀଗତ ହୋଇଛି ।

କି ଶରଦ ମେଘ ପାଶେ ଶୋଭା ପାଉଛି ।

କାହିଁ ବିଶ୍ରାମ କରିବ ଏ ଉତପାତ ।

କେ ବୋଲେ ସେ ଏହିଠାରେ ହେବ ବିଦିତ ।୩।

 

କେ ବୋଲେ ଗଙ୍ଗା ଯମୁନା ଯୂଗଳ ତୀର୍ଥ ।

କରିବାକୁ ମଥୁରା ଲୋକଙ୍କୁ କୃତାର୍ଥ ।

କଂସରାଜା ଘଣ୍ଟା ପଥେ ଆସନ୍ତି ବହି ।

କଉତୁକ ପାଇ ଲୋକେ ଦେଖନ୍ତି ରହି ।

କି ଅବା କନ୍ଦର୍ପ ଏହା ଲୋକେ ପଡ଼ିଲେ ମାଡ଼ି ।

କାମିନୀ ଧାଇଁଲେ ଗୃହକର୍ମକୁ ଛାଡ଼ି ।୪

 

କେଶ ବାସ ଅସମ୍ଭାଳ ପଡ଼ିଛି ଖସି ।

କେ କରଳେ ଧରି କରେ ଦେଉଛି ଖୋସି ।

କାମ ବାଇକଲା କାହା ମନକୁ ତହିଁ

କରୁଁ କରୁଁ ଗତି ବୋଲେ ଶ୍ରୀକୃଷ୍ଣ କାହିଁ । ।୫।

 

କାହା ଉରରୁ ଅନ୍ତର ହୋଇ ସୁବାସ ।

କମ୍ପମାନ କୁଚକୁମ୍ଭ ହୋଏ ପ୍ରକାଶ ।

କରେ ଧରି ଆଚ୍ଛାଦିତ କରନ୍ତେ ନେଇ ।

କି କି ହୋଇ ତ୍ୱରା ଗମନେ ସେ ଖସଇ ।

କବି ମନେ ଅନୁମାନ ହୁଅଇ ଏହି ।

କକୁଭବାସ ଆମ୍ଭର ଘେନନ୍ତି ନାହିଁ ।୬।

 

କାବ୍ୟତାର ମୋତିହାର ଚଞ୍ଚଳ ଛଳେ ।

କର ଗଙ୍ଗାଧର ଅତିଶୟ ଉଛୁଳେ ।

କଲା ଦରଶନ ଯେଉଁ ପୁରୁଷ ଆଖି ।

କି କହିବା ଆଖି ମଧ୍ୟେ ତାହାକୁ ଲେଖି ?

କି ତପସ୍ୟା କରିଥିଲା କଉଁ କାଳରେ ।

କଲା ସେ ଶୋଭାସଦନ ତାହା ଡ଼ୋଳାରେ

 

କନ୍ଦର୍ପ କାଣ୍ଡକୁ ଲାଖ ଦେଲା ତା ଅଙ୍ଗ ।

କି କରିବ ନ ପାଇଲେ ତାହାର ସଙ୍ଗ ।

କୁହୁକ ପରାୟେ ସବୁ ଆଡ଼େ ଦିଶିଲା ।

କାଳୀ ପ୍ରାୟ ଅଙ୍ଗରୁ ଶୋଷିଲା ।

କୁରଙ୍ଗ ଯେମନ୍ତ ମୃଗତୃଷ୍ଣାରେ ମଲା ।

କମଳକୁମାର ତାକୁ ସେ ରୂପେ କଲା ।୮।

 

କାମ ପ୍ରଥମ ଦଶାରୁ ହେଲା ସେ ଯେତେ ।

କି ହୋଇବ ନବମକୁ କହ ପଣ୍ଡିତେ ।

କ୍ରମଶରେ ଯେବେ ହେବ ଦଶମ ଦଶା।

କପର୍ଦ୍ଦୀ ରଖିବୁ ବୋଇଲେ କି ଭରସା ।

କୁସୁମ ଶରକୁ ନେତ୍ରେ ଦେଲେ ସେ ଜାଳି ।

କଳେବର ଏବେ ବହି ଅଛନ୍ତି ବାଳୀ ।୯।

 

କାହା କୁଚ ରଇବତ ନନ୍ଦିନୀ ପ୍ରାୟେ ।

କୃଷ୍ଣ ବାସେ ମଣ୍ଡି ହୋଇ ଶୋଭାକୁ ପାଏ ।

କାହାକୁଚ ପୁଲୋମତନୟା ସଦୃଶ ।

କରୁବାରୁ ସହସ୍ର ନୟନକୁ ବଶ ।୧୦।

 

କୁଳବଧୂମାନେ ଥାଇ ବଡ଼ଭୀପୁରେ ।

କରନ୍ତି ଅବଲୋକନ ଜଳ ବିବରେ ।

କନକ କାନ୍ତି ଦେହରେ ରତନ ବେଶ ।

କିଞ୍ଚିତ ଝଲକି ହୋଏ ଦୃଶ୍ୟ ଅଦୃଶ୍ୟ ।

କହିବାକୁ ଏତେ ଆସେ ସେ ବେଳ ରୂପ

କାର୍ତ୍ତିକ ମାସରେ ଯେହ୍ନେ ଆକାଶ ଦୀ । ୧୧।

 

କେ ମେଲା ଗବାଷେ ଦେଇ ସୁନ୍ଦର ମୁଖ ।

କରିଛି ଦତ୍ତ ହୃଦୟମାନଙ୍କ ସୁଖ ।

କଳାନିଧି ଶ୍ୱେତ ମେଘୁ ବାହାର ପ୍ରାୟେ ।

କଲାଇଁ ଉପମା ସୁଧାପୁରେ ଥିବାଏ ।

କୃଷ୍ଣ ବିରହରଜନୀ କରିଛି ଏହା ।

କାମୀନେତ୍ର ଚକୋର ହୋଇଛି ଉତ୍ସାହା ।୧୨।

 

କାହା ନେତ୍ର ଜଳାକବାଟିରେ ଚଞ୍ଚଳ ।

କବିଙ୍କି ବଣା କରାଏ ଶୋଭା ଅଞ୍ଚଳ ।

କରିବଦନେ । ଯାହାର ଭଗତି ଥିଲା ।

କୁତୁହୁଳ କରି ସେ ଏମନ୍ତ ବୋଇଲା ।

କାମ କଉତୁକୀ ବେନିଖଞ୍ଜନ ନେଇ ।

କରିଛି କି ବନ୍ଦି ପଞ୍ଜରୀରେ ପୁରାଇ ।୧୩।

 

କେତେହେଁ କହିବି ଏହି ପ୍ରକାରେ ଯେତେ ।

କେତେରୂପେ ଦେଖୁଛନ୍ତି ଯେ ଯାହା ମତେ ।

କେ ବୋଲେ ଧନ୍ୟ ଏ କଳା ମୂରତି ।

କରି ମନ୍ଦଗତି ମଣ୍ଡୁଅଛନ୍ତି କ୍ଷିତି ।

କୋଟି ବ୍ରହ୍ମାଣ୍ଡେ ଉପମା ଏହାଙ୍କ ନାହିଁ ।

କେ ହସି ବୋଲେ ଏହାଙ୍କ ପରାୟେ ଏହି । ।୧୪।

 

କଉଁ ରୁଦ୍ର ଇନ୍ଦ୍ର ଚନ୍ଦ୍ର ଏହାଙ୍କୁ ସରି

କେତେ ଲୋଚନ କଳଙ୍କଭସ୍ମରୁ କରି ।

କଳ୍ପତରୁ ଚିନ୍ତାମଣି କାଷ୍ଠ ପାଷାଣ ।

କୁସୁମ ମାର୍ଗଣ ଦହନରୁ ଦୂଷଣ ।

କବି ଭ୍ରମ ହୋଇ ଯାହା କରନ୍ତି ଲକ୍ଷ୍ୟ ।

କଲେ ଆଜି ପୋଏ ତାଙ୍କ ବଚନ ମିଛ । ୧୫।

 

କହି ବସିଲେ ନଖରୁ ନଖ ସରିକି ।

କେ କେତେ ନିନ୍ଦା ପାଇଲେ ଜାଣି ପାରିକି ।

କାମିନୀମାନଙ୍କ ମନୁ ଲାଜ ଛଡ଼ାଇ ।

କରାଇଛି ଉଭା ଯାହା ଶୋଭା ବଢାଇ ।

କଟାକ୍ଷରୁ ଜନମିଛି କୋଟି ଅନଙ୍ଗ ।

କଉଁ ସତୀ ପବିତ୍ରତା ନୋହିବ ଭଙ୍ଗ ।୧୬।

 

କି ତପସ୍ୟା କରିଥିଲେ ଗୋପଯୁବତୀ ।

କରୁଥିଲେ ଦରଶନ ଏରୂପ ନିତି ।

କାଖେ କୋଳ କରି ନେଲେ ବାଳକ ଭାବ ।

କିଶୋର ବେଳେ ବିଚ୍ଛେଦ କଲା ଦଇବ ।

କେମନ୍ତ କରି ସେମାନେ ଧରିବେ ଧୃତି ।

କୋଟିଯୁଗ କଥାମାନ ହେବ ରାତି ।୧୭।

 

କାମକାଣ୍ଡେ ଜରଜର ହୋଇବ ଛାତି ।

କଉତୁକ କଥାମାନ ହେବ ଅରାତି ।।

କର୍ପୂର ଚନ୍ଦଦନ ବିଷ ସମ ମଣିବେ ।

କୋକିଳ ବଚନ ବଜ୍ରଘାତ ଗଣିବେ ।

କମଳ ନୟନ ବିଚ୍ଛେଦକୁ ଏ କେତେ ।

କଟାକ୍ଷେ ଆମ୍ଭ ହୃଦୟ ହେଲାଣି ଯେତେ ।୧୮।

 

କହୁଁ କହୁଁ ଏହା ମଧୁପୁର ତରୁଣୀ ।

କରନ୍ତି ଗମନ ପ୍ରଭୁ ମୁରଲୀପାଣି ।

କମ୍ବୁଘୋଷ ଶୁଣି ରଜକକୁ ଅନାଇଁ ।

କହିଲେ ଅମ୍ବର କିଛି ଦେବୁ କି ଭାଇ ।

କଲେ ଏତେକ ତୋହର ଆମ୍ଭର ହୋଇ ।

କଂସରାଜ ରଙ୍ଗ –ସଭା ଦେଖନ୍ତୁ ଯାଇ ।୧୯।

 

କହଇ ରଜକ ଜାତି ଗଉଡ଼ ହେଲେ

କହ ଏତେ ଅପାଟକଦେଶେ ବଢିଲେ ।

କଂସରାଜା ଅମ୍ବରକୁ କରିଛି ମନ ।

କିରେ କେଳିଆଏ ଅରଜିଲ କି ଧନ ।

କର ଯେଉଁ ରୂପ ଡ଼କା ଗୋପ ନଗରେ ।

କରୁଅଛ ତାହା ଏବେ ମଥୁରାପୁରେ ।୨୦।

 

କଣ୍ଠୀରବ ପୁରେ ଏବେ କୁରଙ୍ଗ ନାଟ ।

କାହା ବଳ ପାଇ ଏଡ଼େ କରିଛ ଆଣ୍ଟ ।

କହୁଛି ଏବେହେଁ ବେଳାବେଳି ଲେଉଟ ।

କେଳଦେବତା ସଙ୍ଗରେ ହେବଟି ଭେଟ ।

କାଳଯାକ ଦୁଧଦଧିଖାଅ ଚଡ଼ାଅ ।

କଯକେ କରିଛ ଆସି ସେହି ବଡ଼ାଇ ।୨୧।

 

କେଶବ ବୋଇଲେ ଆମ୍ଭେ ରାଜା ଭୀଜା ।

କରୁଅଛୁ ଆମ୍ଭଆଗେ ଏଡ଼େ ତରଜା ।

କୋପେ ଚାପୋଡ଼େ ମାଇଲା ଛାଡ଼ିଲା ପ୍ରାଣ ।

କଳୁଷ ପକାଇ ପାଇଗଲା ନିର୍ବାଣ ।

କୃପାନିଧି କୋପ ଏକ ପ୍ରକାରେ ।

କରୁଥାଇ ଅନୁମାନ ମୁକତି ଦ୍ୱାରେ ।୨୨

 

କେ ଚକିତ ହୋଇ ବୋଲେ କି କଲେ ପୋଏ ।

କରେ ମୁଣ୍ଡ କାଟିଲେ ତ ଦେଖୁଁ ଦେଖୁଁ ଏ ।

କେ ବୋଲେ ଶୁଣି ନାହ କି ଏହାଙ୍କ ଗୁଣ ।

କବଳ କଲେ ଯେ ପୁତନାର ପରାଣ ।

କଣ୍ଠ ଚାପି ତୃଣାବର୍ତ୍ତ କଲେ ବିନାଶ ।

କୁମାର ବୟସକାଳୁ ଏଡ଼େ ସାହାସ ।୨୩

 

କଚାଡ଼ି ବତ୍ସାସୁରକୁ ମାଇଲେ ବୃକ୍ଷେ ।

କାଳୀ ଶିରେ ତାଣ୍ଡବ ତ କଲେ ପ୍ରତ୍ୟକ୍ଷେ ।

କେଶୀ ତୁଣ୍ଡେ କର ଦେଇ ମନ୍ଥିଲେ ପିଣ୍ଡ ।

କପଟୀ ଅଘାସୁରର ମୋଡ଼ିଲେ ମୁଣ୍ଡ ।୨୪

କାନନ ବହନ ପାନ କଲେ କି କରି ।

କୁବେରପୁଅଙ୍କୁ ଦେଲେ ଶାପୁ ଉଦ୍ଧାରି ।୨୫

 

କଅପାରେ ଅନ୍ଧକୁ ଦେଲେ ଲୋଚନ ଦାନ ।

କେ କହିବ ଏହାଙ୍କର ଚରିତ ମାନ ।

କେହି ନାହିଁ ସଂସାରକୁ ବିବେକୀ ସଖି ।

କଅଁଳାପୁଅ କରି କି ଏହାଙ୍କୁ ଲେଖି ।

କାରଣ ଯାହାର ଧରଣୀରେ ଏମନ୍ତ ।

କରୁଛନ୍ତି କୂଟ ତାଙ୍କୁ କରିବେ ଅକହୁ

ନାହାନ୍ତି ଉତ୍ତମ ଲୋକ ଏତେକ ।୨୬

 

କହିଲେ କି ହେବ ଯହିଁ ନାହିଁ ସିଦ୍ଧି ।

କଲେ ରଜକ ବିନାଶ ବସନ ଜୂର ।

କୃଷ୍ଣ ରାମ ନେଲେ ପୀତ ନୀଳ ଅମ୍ବର ।

କଂସ ଗନ୍ତାଇତ ଦେଖି ସଖୀ ହୋଇଲା ।

କମନୀୟକରି ବସ୍ତ୍ର ପିନ୍ଧାଇ ଦେଲା ।

କଲେ ଆନନ୍ଦେ ବିଜୟ ତ୍ରୈଲୋକ୍ୟ ଶୋଭା ।୨୭

 

କଲା ନେଇ ମାଳାକାର କୁସୁମଗଭା ।

କେଶବେଶ କରି ରାମଗୋବିନ୍ଦ ଗଲେ ।

କୁବୁଜା ନାଗରୀ ଆସୁଅଛି ଦେଖିଲେ ।

କାଖେ ଗନ୍ଧପାଟୀ କୂଜ ଚରମଦେଶେ ।

କମଳ ନୟନ ପଚାରିଲେ ହରଷେ ।

କହ କହ କୁବୁଜା ତୁ କାହା ଭାରିଯା ।୨୮

 

କରିବା ତୋତେ ନାଗରୀ ନାରୀଙ୍କ ଧ୍ୱଜା ।

କହଇ କୁବୁଜା ରାଜାନିଯୋଗୀ ମୁହିଁ ।

କର୍ପୂରଚନ୍ଦନ ଦେଇ ନିତି ସେବଇ ।

କୁଳକଳଙ୍କରୁ ରି ହେଲି ଅଶୋଭା ।

କେହି ଏହି ଘେନି କରି ନୋହିଲେ ବିଭା ।

କୃତାର୍ଥ ହୋଇଲି ଆଜ ତୁମ୍ଭଙ୍କୁ ଦେଖି ।୨୯

 

କେହି ନାହିଁ ଆଉ ମୋହ ପରାୟେ ଦୁଃଖୀ ।

କେବଳ ଏତେ ଶରଧା ହେଉଛି ମନେ ।

କଳାଶ୍ରୀମୁଖ ମଣ୍ଡିବି ଚୁଆଚନ୍ଦନେ ।

କୃଷ୍ଣ ବୋଇଲେ କୁବୁଜା ତୋହର ଇଚ୍ଛା ।

କରିଅଛି ଏହି ଘେନି ଦେହକୁ ତୁଚ୍ଛା ।

କହିବାରୁ ସ୍ନେହବାଣୀ ବରଜ ରାଜ ।୩୦

 

କୁବୁଜା ଅଙ୍ଗରେ ପୀଡ଼ା କଲା ମନୋଜ । ।

କାଖରୁ ସୁଗନ୍ଧପେଟୀ ବାହାର କରି ।

କେ ବଡ଼ କେ ସାନ ହୃଦୟରେ ବିଚାରି ।

କାମପାଳ ଭାଲେ ଗନ୍ଧ ତିଳକ ଦେଲା ।

କାମ କର କୃପାଣ କି ଚନ୍ଦ୍ର ପାଇଲା ।

କେଶବ କପାଳେ ଦେଲା ଚନ୍ଦନ ଚିତା ।୩୧

 

କଳାମେଘୁଁ ବାହାର ଇନ୍ଦ୍ର ଦେବତା ।

କର୍ପୂର ଚନ୍ଦନ ଗନ୍ଧ କୁଙ୍କୁମ ଗୋଳି ।

କୃଷ୍ଣ ରାମ ଶ୍ରୀଅଙ୍ଗରେ ସଧୀରେ ବୋଳି ।

କୃପାସିନ୍ଧୁ ହୋଇ ଫୁରୁଣା ।

କୁବୁଜା ଭକତି ଦେଖି କଲେ କରୁଣା ।

କମଳ ଚରଣ ଚରମ ଦେଲେ ।୩୨

 

କର ଚିବୁକରେ ଦେଇ ଟେକିଲେ କରେ ।

କାହିଁଗଲା କୁଜ ଲୋକେ ଦେଖି ଚକିତ ।

କରିଥିଲା କଉଁ କାଳେ କେତେ ସୁକୃତ ।

କାମିନୀ କୁଳମଣ୍ଡନି କୁବୁଜା ହେଲା ।

କରେ ପୀତାମ୍ୱର ପୀତାମ୍ୱର ଧଇଲା ।

କହିଲା ମୋ ପୁରକୁ ବିଜୟ କରିବ ।୩୩

 

କାମ ପୂର୍ଣ୍ଣକରି ଭବ କଷ୍ଟୁ ତାରିବ । ।

କମଳନୟନ ମନ୍ଦେ ହସିଲା ହୋଇ ।

କହିଲେ ଯିବୁଁ ରାଜାଙ୍କ ଭେଟ ବଢାଇ ।

କୁବୁଜାକୁ ବୋଧକରି ବିଦାୟ କଲେ ।

କର୍ମୁକ ମନ୍ଦିରେ ଯାଇ ପ୍ରବେଶ ହେଲେ ।

କରି ଅବଲୋକନ ଧନୁକୁ ବୋଇଲେ ।୩୪

 

କେତେ ବଳ ଅଛି ବୋଲି କରେ ଧଇଲେ ।

କରୀ କରେ ଇକ୍ଷୁ ଦଣ୍ଡ ପଡ଼ିଲା ପ୍ରାୟେ ।

କିଞ୍ଚିତେ ଭାଙ୍ଗିଲେ କରେ ଓଟାରିବାଏ ।

କରି ଶୁଭକାର୍ଯ୍ୟ ବିଜେ ବରଜକାଟ ।

କଲେ ଆନନ୍ଦେ ଗୋପାଳେ ଗଉଡ଼ ନାଟ କେ

ବେଣୁ ଶୃଙ୍ଗେ କେ ମୁଖେ ବଂଶୀବଜାଏ ।

କେ ଖେମଟା ବନ୍ଧେ ଗୀତ ସୁସ୍ୱରେ ଗାଏ ।୩୫

 

କୃତ୍ରିମ ବନରେ ଯାଇଁ ପ୍ରବେଶ ହେଲେ ।

କରି ଶୀତଳ ମଣୋହି ସୁଖେ ଶୋଇଲେ ।

କୁକୁଟେ ଡ଼ାକିଲେ ରାତି ହେଲା ନାହାନ୍ତି ।

କାତରେ ଜାରପୁରୁଷମାନେ ପଳାନ୍ତି ।

କୁଙ୍କୁମବର୍ଣ୍ଣ ଦିଶିଲା ବାସବ ଦିଗ ।

କରିବାକୁ ସ୍ନାନ ବିପ୍ରେ ହେଲେ ଉଦ୍‌ବେଗ ।୩୬

 

କାକ କୋକିଳ ପତଙ୍ଗମାନଙ୍କ ଡାକ ।

କହୁ କହୁ ପ୍ରବଳ ହୋଇଲା ଅନେକ ।

କମ୍ଭୁ ଶବଦ ଶୁଭିଲା ଦେବଙ୍କ ପୁରେ ।

କହେ କେ ଜାରକୁ ଯିବା ପାଇଁ ସତରେ ।

କଇରବେ ଶୋଇଲେ କମଳ ହସିଲେ ।

କୋକ ମିଥୁନ ବିଯୋଗ ଦୁଃଖ ନାଶିଲେ ।୩୭

 

କଟୁଆଳ ତସକର ପ୍ରଭାନିଊନ ।

କଳାକରପ୍ରିୟ ଚରେ ହେଲେ ସଉନ ।

କବାଟ ଉଲାଗି କଲେ ନୀଳାଦ୍ରି ପୁରେ ।

କୃପାସିନ୍ଧୁ ଅପହୁଡ଼ ହେଲେ ସତ୍ୱରେ ।।

କରି ନିତ୍ୟକୃତ୍ୟ ଶେଷ ଗୋପବଲ୍ଲଭ ।

କଉତୁକେ ସାରିଲେ ଗୋପାଳବଲ୍ଲଭ ।୩୮

 

କର ଦେଇ ସୁବଳ ସୁଦାମ ସ୍କନ୍ଧରେ ।

କ୍ରୀଡ଼ନ୍ତି ଉପବନରେ ନାନାରଙ୍ଗରେ ।

କେ ବୋଲେ ଆରାମ ରାମ ସୈନ୍ୟ ପରାୟେ ।

କଞ୍ଚନ ଡାଳିମ୍ୱ ସୁଷେଣାଦି ଥିବାଏ ।

କେତେରୂପେ କେତେ ପନ୍ତି ଅଛନ୍ତି ଦେଖ ।

କାହାରି ଆହାବ ନାହିଁ ପ୍ରସନ୍ନମୁଖ ।୩୯

 

କହି ଏମନ୍ତ ବାହାର ହେଲେ ସମସ୍ତେ ।

କାହା କରେ ବେଣୁ ଶିଙ୍ଗା କାହାର ହସ୍ତେ ।

କଳାନିଧିକି ନକ୍ଷତ୍ର ବେଢିଲା ପ୍ରାୟେ ।

କେ ଆଗେ କେ ପଛେ ମଧ୍ୟେ କୃଷ୍ଣ ବିଜୟେ ।

କଟକେ ଛଟକେ ଠାଣିମାନ କରନ୍ତି ।

କୃଷ୍ଣଦାସ ମନ ଅପଲକେ ହରନ୍ତି ।୪୦।

 

ଅଷ୍ଟବିଂଶ ଛାନ୍ଦ - କଂସ ବଧ

ରାଗ - ଭାଟିଆରୀ

 

କୃଷ୍ଣ ବିଜୟ ମଥୁରା ଦାଣ୍ଡେ ।

କାନ୍ତି କୋଟିକାମ ଛବି ଖଣ୍ଡେ ।

ମେଘେ ଛନ୍ଦ୍ର କୋଦଣ୍ଡ ପରାୟେ

କଳାପି କଳାପ ମୁଣ୍ଡେ । ହେ ଜନେ ।୧।

 

କପାଳରେ ଗୋରୋଚନା ଚିତା ।

କରେ ଊର୍ଦ୍ଧ୍ୱରେତା ହତଚେତା ।

କଉଁ ପତିବ୍ରତା ରଖି ବିବେକିତା

ନୋହିବ ମଦନେମତ୍ତା । ହେ ଜନେ ।୨।

 

କାବ୍ୟତାର ତୋତିବର ନାସେ ।

କବି ଉପମାକୁ ଏହି ଆସେ ।

କଳାକର କୋଳେ ମହାସୁଖଭୋଳେ ରୋହିଣୀ ରାମା କି ବସେ । ହେ ଜନେ ।୩।

 

କର୍ଣ୍ଣେ ମଣି ମକର କୁଣ୍ଡଳ ।

କରେ ନିନ୍ଦଇ ରବିମଣ୍ଡଳ ।

କଲେ ଅବଲୋକ ବଳେ ହେବେ ଲୋକ ସୁରମୁନି ଆଖଣ୍ଡଳ ହେ ଜନେ ।୪।

 

କଣ୍ଠେ ଲଳିତ ନକ୍ଷତ୍ରମାଳ ।

କଉସ୍ତୁଭ ଶୋହେ ବକ୍ଷସ୍ଥଳ ।

କିବା ନୀଳମଣି ସ୍ଥଳେ ନିଶାମଣି ରମଣୀଙ୍କ ସଙ୍ଗେ ମେଳ । ହେ ଜନେ ।୫।

 

କରେ କଙ୍କଣ ବୋହେ ବାହୁଟି ।

କାଞ୍ଚିମାଳା ମଧ୍ୟେ ଅଛି ଘଟି ।

କନକନିଭ ପତନୀ ପାଗଲାଞ୍ଜି ମହୀରେ ଯାଉଛି ଲୋଟି । ହେ ଜନେ ।୬।

 

କଟାକ୍ଷରେ କରି ସୁଧା ବୃଷ୍ଟି ।

କରୁଅଛନ୍ତି କୃତାର୍ଥ ସୃଷ୍ଟି ।

କି ସୁଖ ସଂସାର ଅବତାର କର ଅଭିନବ ପରମେଷ୍ଠୀ । ହେ ଜନେ ।୭।

 

କାମ ସବ୍ୟସାଚୀ ଶିକ୍ଷାଗୁରୁ ।

କରିଥିଲା ସେ ନେତ୍ର ପୂର୍ବରୁ ।

କରି ଅନୁମାନ ଏଥୁ ନୋହେ ଆଉ ବାମ ଦକ୍ଷିଣ ଗତିରୁ । ହେ ଜନେ ।୮।

 

କିବା ସ୍ତମ୍ଭନ ମୋହନ ବଶ ।

କରିଛନ୍ତି ଏ ନେତ୍ରେ ନିବାସ ।

କାମଜୟ ପାଶ କରିଛି ପ୍ରକାଶ ମୋହ କରିବ ମହେଶ । ହେ ଜନେ ।୯।

 

କହୁଁ କହୁଁ ଏହା ନରନାରୀ ।

କଂସ ସିଂହଦ୍ୱାରେ ବିଜେ କରି ।

କୁବଳୟ କରୀବର ଦେଖିକରି ରହିଲେ ଆଗେ ଉଭାରି । ହେ ଜନେ ।୧୦।

 

କୋମଳରେ କହିଲେ ହେ ଯନ୍ତା ।

କୁବଳୟ ବଡ଼ବଳବନ୍ତା ।

କଲେ ଆଡ଼ ଥରେ ପଶନ୍ତୁ ଭିତରେ ତୋ ଉପକାର ଦିଶନ୍ତା ।୧୧।

 

କହେ କର୍କଶ କରି ମାହୁନ୍ତ ।

କହାଉ ଯେ ଥାଅ ବଳବନ୍ତ ।

କେଶୀ ଅଘା ବକା ନାଶକଲେ ଏକା ଏବେ ତ କହ ଏମନ୍ତ ।୧୨।

 

କୃଷ୍ଣ କହିଲେ ହସ୍ତୀପାଳକ ।

କଥା ବହୁତ କରି ଚାଳକ ।

କାଳଯାକ ଦେଶେ ରହିଲୁ ବିଦେଶେ ଭୟାଳୁ ବଜ୍ରବାଳକ ।୧୩।

 

କରୀବର କନ୍ଧେ ଅଛୁ ଚଢି ।

କହୁଅଛୁ ଏହି ଘେନ ବଢି ।

କରି ଅବଲମ୍ବ କରିବାକୁ ଲମ୍ବ ହେଲେ ଉଡ଼ନ୍ତା ଦି ଦାଢି ।୧୪।

 

କର୍ଣ୍ଣେ ଯଦୁ ଏମନ୍ତ ଶୁଣିଲା ।

କୋପଭରେ ମାହୁନ୍ତ କମ୍ପିଲା ।

କରାଳ ବଦନ ବୁଲାଇ ନୟନ ଗଜ ଆଗଭର କଲା ।୧୫।

 

କ୍ରୋଧେ ମାଇଲା ମାତଙ୍ଗ ଦନ୍ତ ।

କଳେ ବିଚିତ୍ର ଗତି ଅନନ୍ତ ।

କୁଣ୍ଡଳୀ ପ୍ରବଳ ଘାତରେ ନକୁଳ ବଞ୍ଚାଇ ରହେ ଯେମନ୍ତ ହେ ।୧୬।

 

କଣ୍ଠୀରବ ପ୍ରାୟେ ଗତି କରି ।

ଓଟାରି ଚାପୋଡ଼େ ମାଇଲେ ହରି ।

କରୀବର ଲଞ୍ଜଧରି ଦେବରାଜ ପଚକୁ ନେଲେ କରେ ସେ ।୧୭।

 

କି କହିବା ସେ ସମୟ ଶୋଭା ।

କରେ ଜନ ମନ ଅତିଲୋଭା ।

କଶ୍ୟପତନୟ ମହା ତିଳେଶୟ ଧଇଲେ ଯେମନ୍ତେ ପ୍ରଭା ।୧୮।

 

କୁମ୍ଭକାରଚକ୍ର ପ୍ରାୟେ ହୋଇ ।

କଣ୍ଠୀରବ – ବଇରୀ ବୁଲାଇ ।

କୁମାର କରେ ବନ୍ଧାହୋଇ ସୂତ୍ରରେ ଗୁଞ୍ଜରା ଯେହ୍ନେ ଭ୍ରମଇ ।୧୯।

 

କଲେ ସମର ନାନା ପ୍ରକାରେ କଉତୁକେ ଦେଖନ୍ତି ଅମରେ ।

କରି ଅଦଭୂତ ବିରହ ସଂଜାତ ହୋଇଛନ୍ତି ଚିରନ୍ତରେ ହେ ।୨୦।

 

କେଶହସ୍ତ ବେଗେ ଦେଲେ ଛାଡ଼ି କ୍ରୋଧଭରେ ଦଶନ ଉପାଡ଼ି ।

କୁଧରେ କୁଳିଶ ପ୍ରାୟେ ଶିରଦେଶ ଉପରେ ଶୀଘ୍ର କଚାଡ଼ି । ୨୧।

 

କରି ହତକୁମ୍ଭୀ ହସ୍ତୀପକା ।

କଲେ ପ୍ରକାଶ ଜୟପତାକା ।

କରି ଅବଲୋକ ସ୍ୱର୍ଗ ମର୍ତ୍ତ୍ୟ ଲୋକମାନେ ହୋଇଲେ ତାଟକା ।୨୨।

 

କରେ ଦଶନ ଧରି ଗୋବିନ୍ଦ ।

କଉତୁକେ ବିଜେ ମନ୍ଦ ମନ୍ଦ ।

କୁସୁମ ବରଷି ଜୟ ଜୟ ଭାଷି ଆନନ୍ଦ ଅମରବୃନ୍ଦ ହେ ।୨୩।

 

କ୍ରମେ ରଙ୍ଗସଭାରେ ପ୍ରବେଶ କୋଟି କନ୍ଦର୍ପ ଲାବଣ୍ୟ ବେଶ ।

କୁଟିଳ ନିର୍ଦ୍ଦୟ ସରଳ ହୃଦୟ ମନ ଅନୁରୂପେ ଦୃଶ । ୨୪।

 

କାମୀ- କାମିନୀଙ୍କ କାମଦାତା ।

କଂସ ନୃପକୁ କାଳଦେବତା ।

କୁଳିଶ ପରାୟେ ମାଲଙ୍କ ହଅଦୟେ ପ୍ରକାଶନ୍ତି ଜଗଜ୍ଜତା ।୨୫।

 

କେ ବୋଲଇ ଏଠାରେ ନଥିବା ।

କିଆଁ ବାଳକ ବଧ ଦେଖିବା ।

କାହାରି ତ ଧର୍ମ ନାହିଁ ଏ ଅଧର୍ମ ସଭା ବେଗେ ।

ଉପେକ୍ଷିବା ହେ ।୨୬।

 

କ୍ରୋଧ କରି ଜନକ ଜନନୀ ।

କଷ୍ଟ ଦଶତ ଅଛନ୍ତି ଘେନି ।

କରନ୍ତି ଚିନ୍ତା ନିଜ ଇଷ୍ଟ ଦେବତା ଆନନ କରି ଅବନୀ ହେ ।୨୭।

 

କହେ ମାଲ ବାହାସ୍ଫୋଟ ମାରି ।

କାହିଁ ଯିବ ଆଜି ହଳୀ ହରି କେଶରୀ ପରାୟେ କରୀବର ରାୟେ ମାଇଲ ବିଚିତ୍ର କରି ।୨୮।

 

କର ଆମ୍ଭ ସଙ୍ଗତେ ସମର ।

କୃଷ୍ଣ ବୋଇଲେ ଆରେ ମୁରୁଖ ।

କାଳଦେବତାକୁ ବାର୍ତ୍ତା କରିବାକୁ ତୋତେହେଁ କରିବା ଚାର ।୨୯।

 

କହୁଁ କହୁଁ ଏମନ୍ତ ଚାଣୁର ।

କଲା କୃଷ୍ଣଙ୍କୁ ମୁଥ ପ୍ରହାର ।

କରି ତାହା ଶୂନ୍ୟ କଲେ ପ୍ରତିଦାନ ବ୍ରଜସିଂହବୀରବର ।

କାମପଳ ମୁଷ୍ଟିକର ଯୁଦ୍ଧ ।

କଉତୁକେ ଦେଖନ୍ତି ବିବୁଧ ।

କୃପାଣ ତୋମର କିଛି ନାହିଁ କର ମାତ୍ର କେବଳ ଆୟୁଧ ।୩୧।

 

କୃଷ୍ଣ କୃଷ୍ଣ ଅଗ୍ରଜ ସିହାଣ ।

କଲେ ବିଚିତ୍ର ମାଲ ବିନ୍ଧାଣ ।

କଷ୍ଟ ନିବାରଣ ମାଲଙ୍କ ପରାଣ ଘେନିଲେ ଦେଇ ନିର୍ବାଣ ।୩୨।

 

କଂସ ନୃପତି ତାହା ଦେଖିଲା ।

କମ୍ପି କାତରେ କଣ୍ଠ ଶୁଖିଲା ।

କଳେବର ଛାଡ଼ି ପ୍ରାଣ ଗଲା ଉଡି ଭବଭୟ ଉପେକ୍ଷିଲା ।୩୩।

 

କେଶ କେଶବ ଧଇଲେ ଯାଇଁ ।

କଚାଡ଼ିଲେ ମହୀତଳେ ନେଇ ।

କୁମ୍ଭକାର କୀଟ ପ୍ରାୟେ ନନ୍ଦଚାଟ ମାରଇ ସେହି ତରାଇ ।୩୪।

 

କୃପାସାଗର ସେ ଜଗଜ୍ଜ୍ୟୋତି । କଲେ ଉଗ୍ରସେନ ମହୀପତି ।

କହେ ଦୀନକୃଷ୍ଣ ଦାସ ସେ ଶ୍ରୀକୃଷ୍ଣ ଅଗତି ଲୋକର ଗତି । ହେ ଜନେ ।୩୫।

 

ଊନତ୍ରିଂଶ ଛାନ୍ଦ

କୁବୁଜା ସଙ୍ଗେ ବିହାର (ରାଗ - ଦେଶାକ୍ଷ)

 

କରି ଦେବତାଙ୍କ କାର୍ଯ୍ୟ କରୁଣା ନିଧି ।

କରତବେ ମାଇଁକି କହିଲେ ପ୍ରବୋଧି ।୧

 

କି କହିବି ମାଇଁ ମୋର କର୍ମ ଅଭାଗ୍ୟ ।

କରାଇଲ ନାହିଁ ମାମୁଁ ସଙ୍ଗତେ ଯୋଗ ।୨

 

କରି ବଡ଼ ପ୍ରତିଆଶା ଅଇଲି ଧାଇଁ ।

କଉତୁକେ ମାମୁଁ ମୁଖ ଦେଖିବା ପାଇଁ ।୩।

 

କରିଥାଇ ମାମୁଁ ମୋତେ କେଡ଼େ ସେନେହ ।

କରି ତା ଭାବନା ଦହି ଦେଉଛି ଦେହ ।୪

 

କାହାର କି ଗଲା ମାଇଁ ମୋହ ବାହାରେ ।

କର୍ମ ଅବଳକୁ ମୁଁ ନୋହିଲି କାହାରେ ।୫

 

କାହିଁଥିଲା ଅକାଳ ଚଡ଼କ ମାମୁଁକୁ ।

କି ହେଉଛି ଏତେବେଳେ ସୁମରି ବୁକୁ । ୬।

 

କରିଥିଲି ମନରେ ମୁଁ କି ମନୋରଥ ।

କୁଶକେତୁ ବଳେ ସବୁ ହେଲା ବିଅର୍ଥ ।୭।

 

କି ଅପୂର୍ବ ଆଦର ସେ କରଇ ମୋତେ ।

କେତେରୂପେ କେତେ ଚାର ପେଶେ ଗୁପତେ ।୮।

 

କାଳଯାକ ଚିନ୍ତଇ ମୋ ଅପୂର୍ବ ଶୁଭ ।

କିଛି ନ ପାଇଲା ମୋହଠାରୁ ସେ ଳାଭ ।୯।

 

କର୍ମରେ ତାହାର ନାହିଁ ନାହିଁ ମୋ ଯଶ ।

କହି ଏମନ୍ତ ମାଇଁକି କଲେ ସନ୍ତୋଷ ।୧୦।

 

କପଟକୁଶଳ କୃଷ୍ଣ ସେଠାରୁ ଚଳି ।

କଟାଇଲେ ନନ୍ଦକୁ ଜନନୀ ଶାଙ୍କୋଳି ।୧୧।

 

କରାଇ ପରମାନନ୍ଦ ଆନନ୍ଦକନ୍ଦ ।

କହିଲେ ନନ୍ଦକୁ ବୋଧକରି ଗୋବିନ୍ଦ ।୧୨।

 

କହିବ ଅମ୍ବାଙ୍କୁ ମୋର ଦଣ୍ଡପ୍ରଣାମ ।

କରୁଥିବେ ଚିନ୍ତା ଏକା ମୋହର ନାମ ।୧୩।

 

କୋଳକରି ସୁଦାମ ସୁବଳ ସଖାଙ୍କୁ ।

କୋମଳ କହିଲେ ତୁମ୍ଭେ ଯାଅ ଗୋପକୁ ।୧୫।

 

କରୁଥିବ ଯତ୍ନ ମୋର କଦମ୍ବମୂଳ ।

କ୍ରୀଡ଼ାକୁଞ୍ଜ ନିକେତନ ଯେତକ ସ୍ଥଳ ।୧୬।

 

କମଳୀଧବଳୀ ହଂସୀ ବଂଶୀପ୍ରିୟାକୁ।

କରିବ ନାହିଁଟି ଅଯତନ ଏହାଙ୍କୁ ।୧୭।

 

କ୍ରୋଧେ କଉଁ ସଖା ବୋଲେ ହେ ପଦ୍ମଡ଼ୋଳା ।

କାଟିଦେଲ ସବୁରିଗଳା ।୧୮।

 

କଉଁ ବଳେ ପ୍ରାଣ ଅଛି ନ ଜାଣୁ ତାହା ।

କୁଶକେତୁ ହଟ ଅବା କରିଛି ଏହା ।୧୯।

 

କେଶବ ବୋଇଲେ ଚିନ୍ତା କିଛି ନ କର ।

କେବେହେଁ ତୁମକୁ ନ କରିବି ଅନ୍ତର ।୨୦।

 

କରି ରାଜଧାନୀ ଥୟ ଯିବି ଅବଶ୍ୟ ।

କୃଷ୍ଣ ବୋଲେ ବୋଧହେଲେ କରଜବଂଶ ।୨୧

 

କଷ୍ଟ କଷ୍ଟ ହୋଇ ଗୋପପୁରକୁ ଗଲେ ।

କଂସ ତମହଂସ ମଧୁପୁରେ ରହିଲେ ।୨୨।

 

କାମପାଳ ସଙ୍ଗତେ ରହିଲେ ତାଙ୍କର ।

କେତେଦିନ ଏମନ୍ତେ ହୋଇଲା ଅନ୍ତର ।୨୩।

 

କୁବୁଜା ଯେ ହୋଇଥିଲା ବସକସଜା ।

କଲେ ତହିଁକି ବିଜୟରସିକ ରାଜା ।୨୪।

 

କର ପଇଠ ଉଦ୍ଧବ କରରେ ଦେଇ ।

କୁବୁଜାପୁରେ ପ୍ରବେଶ ହୋଇଲେ ଯାଇଁ ।୨୫।

 

କୁବେର ଅଳକାପୁର ଶୋଭାକୁ ଜିଣି ।

କରିଛି ମନ୍ଦିର ଅତିଶୟ ମଣ୍ଡଣି ।୨୬।

 

କମନୀୟ ଚନ୍ଦ୍ରାତପ ପାଟପତନୀ ।

କି ଶୋଭା ଦିଶନ୍ତି ଫୁଲ ଚାମର ଘେନି ।୨୭

 

କାନ୍ଥମାନଙ୍କରେ ନାନା ଚିତ୍ରପ୍ରତିମା ।

କଥା ନ କହି ହସନ୍ତି ଯେମନ୍ତ ବାମା ।୨୮।

 

କର୍ପୂର ଚନ୍ଦନ ଛରା ବିଜେ ବାଟରେ ।

କରିଛି ପାଏଡ଼ା ସବୁ ରଙ୍ଗପାଟରେ ।୨୯।

 

କନକପାତ୍ରମାନଙ୍କେ ଅଗୁରୁ ଧୂପ ।

କେତେ କେତେ ଜଳୁଛନ୍ତି ସୁବର୍ଣ୍ଣ ଦୀପ ୩୦

 

କରୀଦନ୍ତ ପଲ୍ୟଙ୍କରେ ହଂସୁଲୀ ତୁଳୀ ।

କିତପାମାନଙ୍କେ ମନୋହର ମୁଚୁଳୀ ।୩୧।

 

କୁସୁମ ପାଖୁଡ଼ା ବିଞ୍ଚି ଝୋଲା ପକାଇ ।

କର୍ପୂର ତାମ୍ବୁଳ ରତ୍ନବଟାରେ ଥୋଇ ।୩୨।

 

କରରେ ସଜାଡ଼ି ଦିବ୍ୟ ଚତୁଃସମକୁ ।

କୁତୁକେ ଥୋଇଛି ପୂରାଇ ପ୍ରେମକୁ ।୩୩।

 

କୁଞ୍ଜବିହାରୀଙ୍କ ଅଙ୍ଗେ ବୋଳିବା ପାଇଁ ।

କୁଜକଳଙ୍କ ଯାଇଛି ଯାହା ଲଗାଇ ।୩୪।

 

କେଉଁକାଳେ କି ତପସ୍ୟା କରି ସେ ଥିଲା ।

କୋଟି ବ୍ରହ୍ମାଣ୍ଡନାଥଙ୍କୁ ପୁରକୁ ନେଲା ।୩୫।

 

କମଳଦଳ ଲୋଚନ ପ୍ରବେଶ ମାତ୍ରେ ।

କଦମ୍ବ ପରାୟେ ରୋମ ଦିଶିଲା ଗାତ୍ରେ ।୩୬।

 

କରି ଦଣ୍ଡ ପ୍ରଣାମ ସତ୍ୱରେ ଉଠିଲା ।

କରଯୁଗ ଯୋଡ଼ି ବେଗେ ଶିରରେ ଦେଲା ।୩୭।

 

କଣ୍ଠ ଗଦ୍‌ ଗଦରୁ ବାଣୀ ନ ପାରେ କହି ।

କଙ୍କଣ ବେନି ନୟନୁ ଯାଉଛି ବହି । ୩୮

 

କଳାକରେ କଳାକର ମଣି ପରାୟେ ।

କଳେବର ଦ୍ରବିଯାଇ ହେଲା ଅଥୟେ ।୩୯।

 

କୋଟିକାମ ମନୋରଥ ଯେଉଁ ମୁରତି ।

କଉଁ କାମିନୀ ଦେଖିଲେ ଧରିବ ଧୃତି ।୪୦

 

କଳାକର କରେ ଯେହ୍ନେ ରଜନୀ ହଂସ ।

କୁବୁଜା ପୁରରେ କୃଷ୍ଣ ସେହି ସଦୃଶ ।୪୧।

 

କମଳ ହରଷ ଯେହ୍ନେ ହଂସ ସମ୍ମୁଖେ ।

କୁବୁଜା ହୃଦୟ ତେହ୍ନେ ପରମସୁଖେ ।୪୨

 

କମଳେ କମଳ ପଦ ଧଉତ କରି ।

କରାଇଲା ପଲ୍ୟଙ୍କରେ ବଜୟ ହରି ।୪୩।

 

କୁଶକେତୁ ଯଉଁ ପଦ ଧୋଇଲେ କରେ ।

କପର୍ଦ୍ଦୀ ଧଇଲେ ଯେଉଁ ଜଳ ଶିରେ ।୪୪।

 

କରେ ଯେଉଁ ଜଳ ତିନି ଲୋକ ପବିତ୍ର ।

କୃତାର୍ଥ କଲା ସଗର ପୁଅଙ୍କ ଗାତ୍ର ।୪୫

 

କମଳ ନୟନ କୃଷ୍ଣ କରୁଣା ବଳେ ।

କୁବୁଜା ସେ ପାଦଜଳ ପାଇଲା ହେଳେ ।୪୬

 

କମଳବସନେ ପୋଛି ହୋଇଲି ଉଭା ।

କେ କହିବ କୁବୁଜାଙ୍କ ସେକାଳ ଶୋଭା ।୪୭

 

କଲା ମଦନ ମୋହନ ମନ ମୋହିତ ।

କେତେ ଜନ୍ମେ କରିଥିଲା କେତେ ସୁକୃତ ।୪୮

 

କମଳନୟନ ମନ ଚଞ୍ଚଳ ଜାଣି ।

କହି କରି ଉଦ୍ଧବ ହୋଇଲା ମେଲାଣି ।୪୯।

 

କହୁଁ କହୁଁ ଜନମ ହୋଇଲା ଅନଙ୍ଗ ।

କୁବୁଜାସଙ୍ଗରେ ରଙ୍ଗକଲେ ଶ୍ରୀରଙ୍ଗ ।

 

କିଛି ଦିନ ତାହାର ପୁରରେ ରହିଲେ ।

କାମନା ସମ୍ପୂର୍ଣ୍ଣ କରି ବିଜୟ କଲେ ।୫୧।

 

କାମୀଜନମାନଙ୍କର କଳପତରୁ ।

ମହିଁମା ସାଗର ପ୍ରଭୁ ମହିମା ମେରୁ ।୫୨।

 

କେତେବେଳେ ସୁମରନ୍ତି ଗୋପୀଙ୍କ ଭାବ ।

କୁଞ୍ଜକାନନରେ ଯେତେ ବିନୋଦ ଠାବ ।୫୩।

 

କାଳିନ୍ଦୀ କୂଳ କଦମ୍ବ ତଳ ବିହାର ।

କେତେବେଳେ ହୃଦୟରୁ ନୋହେ ବାହାର ।୫୪।

 

କେତେବେଳେ ରାସକେଳି ମନରେ ପଡ଼ି ।

କୋଟିଏ ଗୁଣେ ସନ୍ତାପ ପଡ଼ଇ ମାଡ଼ି ୫୫

 

କୁମୁଦ ନନ୍ଦିନୀ ଭାବ କରଇ ଯାହା ।

କବି ହୋଇକରି କହିପାରିବ ତାହା ।୫୬।

 

କିଶୋର ବୟସ କାଳ କାନ୍ତା ବିଚ୍ଛେଦ ।

କରାଏ ଯେମନ୍ତ କରି ମନକୁ ଖେଦ ।୫୭।

 

କୁସୁମକାଣ୍ଡ କେମନ୍ତ କରି ହାଣଇ ।

କେ କହିବ ବଚନେ ତା ସେହି ଜାଣଇ ।୫୮।

 

କେବେହେଁ ଏ ଗୁଣବନ୍ତ ଲୋକକୁ ନୋହୁ ।

କୃତାନ୍ତ ପାଶରେ ପଛେ ଜୀବନ ଯାଉ ।୫୯।

 

କହେ ଦୀନକୃଷ୍ଣ ଆହେ ରସିକ ରାୟେ ।

କୋଟିକେ ଗୋଟିଏ ନାହିଁ ତୁମ୍ଭ ପରାୟେ ।୬୦।

 

ତ୍ରିଂଶଛାନ୍ଦ - କୃଷ୍ଣଙ୍କ ଅନୁଶୋଚନା

ରାଗ - କାଫି

 

କମଳନେତ୍ର କଂସକଟକେ ଥାଇ ।

କରନ୍ତି ଚିନ୍ତା କାନ୍ତକଥା ଚିତ୍ତୋଇ ।

ଆହା କୁଦଶନା । କମନୀୟ ବଧୁଲୀ – ବିମ୍ବ ଦନ୍ତବସନା ।

କାମକାଣ୍ଡ ଧାଡ଼ି ଘାତରେ ହୋଇ ବିମନା ।

କଉଁରୂପେ ବଞ୍ଚୁଥିବେ ସେ ମୋ ସାଙ୍ଗବିନା ।୧।

 

କି କଲା ବିହି ମୋତେ ତାକୁ କି କଲା ।

କପାଳେ ଏହି ଦଶା ଲେଖି ସେ ଥିଲା ।

ଆହେ କନକ ଗୋରୀ ।

କରୀବର ଗମନୀ ମୋର ପ୍ରାଣଈଶ୍ୱରୀ ।

କଷ୍ଟ ଅନୁବାଦ ଯେ କରି ନାହିଁ କିଶୋରୀ ।

କିମ୍ପା ଅଇଲି ତାକୁ ଛାଡ଼ି ବିଦେଶ କରି ।୨।

 

କାଳ କି ନ କରଇ କି ନୋହେ ଦେହ ।

କଉଁ ଦଇବ କରାଇଲା ବିରହ ।

ଆହା କୁଟିଳକେଶୀ କରକମଳେ ଗଣ୍ଡ ଦେଇଥିବ ଯେ ବସି ।

କି ବିଚାରୁଥିବ ମୋହର ପ୍ରାଣପେୟସୀ କର୍ମେ ଥିଲା କାମ ଅନଳେ ହେବାକୁ ଝାସି ।୩।

 

କରୁ ମୁଁ ଅଛି ଯେତେବେଳେ ଗଗନ ।

କି ବିକଳ ହୋଇଲା ପରାଣଧନ ।

ଆହା କାନ୍ତା ରତନ । କଲା ଲୋତକେ ପଦ୍ମଦଳ ନେତ୍ର ଆଚ୍ଛନ୍ନ ।

କରଧରି ବୋଇଲା ଆହେ ବନ୍ଧୁ ଅଭିନ୍ନ ।

କି କହିବି ମୁଁ ତୁମ୍ଭେ କରୁଅଛଟି ଭିନ୍ନ ।୪।

 

କାହିଁପାଇଁ ରହିଛି ପାପିଷ୍ଠ ପ୍ରାଣ ।

କଠିନ ହୃଦେ ଗୁଣ ସୁମୁଖୀଗଣ ।

ଆହା କୋମଳ ଅଙ୍ଗୀ ।

କୃଶଦଶକୁ ପାଇଥିବ ରଙ୍ଗ ଅପାଙ୍ଗୀ ।

କାହିଁପାଇଁ ଥିବ ମନୋହର ଭ୍ର ଭଙ୍ଗୀ ।

କାମବ୍ୟାଧ କରକୁହେଲା କ୍ରୀଡ଼ାକୁରଙ୍ଗୀ ।୫।

 

କଳାନିଧିକି ହସେ ଯେଉଁ ବଦନ ।

କରୁଥିବ ଲୋତକ ଜଳେ ମଳିନ ।

ଆହା କୁଟିଳକେଶ

କେଶଗର୍ଭକୁ ବିନୁ ନୋହିବ ସୁବେଶ ।

କେଶ ପଡ଼ିଥିବ ତାହାର ଚରମଦେଶ ।

କାହିଁପାଇଁ ତହିଁରେ ଥିବ କୁସୁମ ବାସ ।୬।

 

କମ୍ପୁ ଯେ ଥିବ କେତେବେଳେ ତା ଅଙ୍ଗ ।

କେତେବେଳେ ରୋମାଞ୍ଚ ବଚନଭଙ୍ଗ ।

କେତେବେଳେ ରୋଦନ ।

କେତେବେଳେ ଝାଳରେ ହେଉଥିବ କର୍ଦ୍ଦନ ।

କେତେବେଳେ ନ ରୁଚୁଥିବ ନିଜ ସଦନ ।

କଥା ଗୋଟିକେ ନାଶକଲା ଚାରିବଦନ ।୭।

 

କରନ୍ତନାହିଁ ଯେବେ ଦୁହିଁଙ୍କି ଭିନ୍ନ ।

କାହିଁକି ପ୍ରାଣବନ୍ଧୁ ହୁଅନ୍ତ ଦୀନ ।

କିମ୍ପା କାମ ହସନ୍ତା ।

କୋଦଣ୍ଡରେ କାହିଁକି ଫୁଲଶର ବସନ୍ତା ।

କଳକଣ୍ଠକଣ୍ଠୀ ଅଙ୍ଗକୁ କିମ୍ପା ପେଶନ୍ତା ।

କଷ୍ଟ ସାଗରେ ଶଶିମୁଖୀ କିମ୍ପା ଭାସନ୍ତା ।୮।

 

କର୍ପୂର ଚନ୍ଦନାହିଁ ନୁହନ୍ତା ବିଷ ।

କୋକିଳରବ ଅବା କରନ୍ତାକିସ ।

କିକରନ୍ତା ଚନ୍ଦ୍ରମା ।

କୋଳାଗତେ ଥାଆନ୍ତା ଯେବେ ମୋ ପ୍ରିୟତମା ।

କାହା ଛାର ଦେଖନା ଅବା କଉଁ ଗାରିମା ।

କରିଛନ୍ତି ସବୁଟି ଏହା ବିଚିତ୍ରକର୍ମା ।୯।

 

କଳାନିଧାନୀ ନାନା ସୁବେଶ ହୋଇ ।

କଉତୁକେ ଯେତେବେଳେ ଆସଇ ।

କାମଥାଇ ଗୋଡ଼ାଇ ।

କିଣାଲୋକ ପରାୟେ ଅନୁଗତକୁ ଯାଇ ।

କାନ୍ତା ନୂପୁର ନାଦେ ପହଣ୍ଡକୁ ମଣାଇ ।

କାହାରି ତ ନଥାଇ ସେହି କାଳରେ ବଡ଼ାଇ ।୧୦।

 

କୁଟିଳକୁନ୍ତଳରେ ଲୋଟଣୀଜୁଡ଼ା । କରଇ ସବୁରୂପେ ଧଇର୍ଯ୍ୟବୁଡ଼ା ।

ଆହା କାମଦୀୟିନୀ କଲା କଉଁ ଦଇବ ମୋର ସେ ସୁଖ ହାନି ।

କାମଦେବ କେବଳ ହେଲା ବିଜୟମାନୀ ।

କଷ୍ଟ ଦେଇ ଯାଉଛି ଏବେ ଜୀବନ ଘେନି ।୧୧।

 

କରୁବକ କୁସୁମ ଗଭାରେ କରି । କି ଶୋଭା

ଦିଶୁଥାଇ କେତକୀଗୋରୀ । ଆହା କମଳମୁଖୀ ।

କେତେ ପ୍ରକାରେ ନ କରଇ ମନକୁ ସୁଖୀ ।

କଉଁ ଅଭାଗ୍ୟରୁ ଅଇଲି ତାକୁ ଉପେକ୍ଷି ।

କାମ ହସ୍ତରେ ପଡ଼ି ଏବେ ହେଉଛି ଦୁଃଖୀ ।

କରି ସେ ଥାଇ ଊର୍ଦ୍ଧ୍ୱେ ଗନ୍ଧ ତିଳକ ।୧୨।

 

କଲେ ଦର୍ଶନ ରହଇ ବିବେକ ।

ଆହା କୁରଙ୍ଗ ନେତ୍ରୀ ।

କୃଶଉଦରୀ ମୋର କାମକଳାପଗୋତ୍ରୀ ।

କୃପାନିଧି ମୋହର ସେ ପରମ ପବତ୍ରୀ ।

କ୍ଲେଶ ପାଇଲା ମୋହଲାଗି କୋମଳଗାତ୍ରୀ ।୧୩।

 

କେତେ ଜାଣଇ ହାବ ଭାବ ଚାତୁରୀ ।

କଟାକ୍ଷେ ଚାହୁଁଥାଇ କେମନ୍ତ କରି ।

ଆହା କେଳୀ ଲାଳସୀ ।

କାମଶର ଆଶେ ମୋହର ପାଶରେ ବସି ।

କହେ ବକ୍ର ବଚନ ମନ୍ଦମପୁର –ହାସୀ ।

କଉତୁକ ଉପରେ ସ୍ନେହ ସୁଧା ବରଷି ।୧୪।

 

କୃତାର୍ଥ ହେଲା ପ୍ରାୟେ ହୋଏ ମୋ ମନ ।

କୋଳେ ଧରି ଚୁମ୍ୱଇ ଚନ୍ଦ୍ର ବଦନ ।

ଆହା କ୍ରୀଡ଼ା କୁଶଳୀ ।

କ୍ରୀଡ଼ା କଲେ କ୍ରୀଡ଼ା ନ ରଖି କରଇ ଲୀଳା ।

କରରୁହ ଲାଗନ୍ତେ କମ୍ପା ହୁଅଇ ଭୋଳା ।

କୁଟ୍ଟମିତ କରି ଖେଳାଇ କି କରି ଡ଼ୋଳା ।୧୫।

 

କୁଚ ମର୍ଦ୍ଦନ ଦନ୍ତଘାତକୁ ପାଇ।

କେଶରୀମଧ୍ୟା ମାଲ ପରାୟେ ହୋଇ ।

ସେ ଯେ କରେ ଆଶ୍ଳେଷ ।

କେତେବେଳେ ପ୍ରକାଶେ ବୀର କରୁଣ ରସ ।

କେତେବେଳେ କର୍ଣ୍ଣ ଜପରେ ହୋଏ ପ୍ରବେଶ ।

କପୋତକୁ ଜିଣି କରଇ ହୁଁ କାର ଘୋଷ ।୧୬।

 

କେତେବେଳେ ସୁରତି ସମ୍ପତ୍ତି ପାଇ ।

କାତେ ପ୍ରକାରେ ଚୁମ୍ବଦାନ ଦିଅଇ ।

କେତେବେଳେ ରୋଦଇ ।

କେତେବେଳେ କଟିଦେଶରେ ଜାନୁ ଛାନ୍ଦଇ ।

କେତେବେଳେ କରୀ-ରମଣୀ ପରାଏ ହୋଇ ।

କରପଦ୍ମ ନେଇ ମୋହର ଅଙ୍ଗେ ମାରି । ।୧୭।

 

କେତେବେଳେ କୃଷିକପରାୟେ ହୋଇ ।

କରଜ-ସୀରେ ତନୁଭୂମି ଚିରଇ ।

କେତେବେଳେ କମ୍ପଇ ।

କେତେବେଳରେ ସୀତ୍କାରରେ କରଇ ନାହିଁ ।

କେତେବେଳେ ସାହୁ ଖାତକ ପରାୟେ ହୋଇ ।

କଲେ ଗୁଣେ ସେ ଦୁଇଗୁଣ କରି ଦିଅଇ ।୧୮।

 

କରଇ ଏହି ରୂପେ ଯେତେ ସେ ଭାବ ।

କହିଲେ ନିକି ବଚନରେ ସରିବ ।

କାମକଳା କୁଶଳା କରିଥିଲା ପୂର୍ବରେ ଯେତେ ଯେତେ ସେ ଲୀଳା ।

କାତି ହେଲା ସେ ଏବେ କାଟି ଦେବାକୁ ଗଳା ।

କହୁଁ କହୁଁ ପଡ଼ିଲା ନେତ୍ରୁ ଲୋତକମାଳା ।

କହଇ ଦୀନକୃଷ୍ଣ କାନ୍ତା ବିଚ୍ଛେଦ ।୧୯।

 

କରଇ ଯେତେରୂପେ ମନକୁ ଖେଦ ।

କେ ବା କହିବ ତାହା କୁଞ୍ଜବିହାରୀଙ୍କି ପ୍ରତ୍ୟକ୍ଷେ କରିଛି ଯାହା ।

କଉଁ କାମୀପୁରୁଷ ସହିପାରିବ ଏହା ।

କେତେ ସହିଥିଲେ ଏ କଷ୍ଟ ଜାନକୀନାହା ।୨୦।

 

ଏକତ୍ରିଂଶ ଛାନ୍ଦ

କୃଷ୍ଣ ରାଧା ବିରହବ୍ୟଥା ଓ ଉଦ୍ଧବର ଗୋପପୁର ଗମନ

ରାଗ - ବରାଡ଼ୀ

 

କିଶୋରୀ ରତନ ରାଧା ବିରହେ କନ୍ଦର୍ପ ବାଧା ପାଇବାରୁ ଅତିଶୟ କରି ।

କଳାକର କଳାପ୍ରାୟେ କୃଶକୁ ଭଜିଲା କାୟେ କୀରପୀଠ ପ୍ରାୟେ କାନ୍ତାନାମଧରି ।

୧-୨୦। ଶ୍ରୀକୃଷ୍ଣ କିଶୋରୀ ରାଧା ବିରହରେ ଅତ୍ୟନ୍ତ କାମପୀଡ଼ା ପାଇବାରୁ କୃଷ୍ଣପକ୍ଷ ଚନ୍ଦ୍ରପରି କ୍ଷୀଣ ହେଲେ ।

ଶୁଆପରି ସର୍ବଦା କାନ୍ତାନାମ ଘୋଷନ୍ତି, ଘରକୁ ସେ ।

କଞ୍ଜନେତ୍ର । କାରା ସମ ସଦନ ମଣନ୍ତି ।

କେଳି କୁତୁକ ଖେଳରେ ଗରନ୍ତିୁ ।୧।

 

କାମ ଅନଳ ପ୍ରବଳ କରେ ମଳୟ ଅନିଳ କଲେ ଶୀତ ଉପଚାର ତହିଁ ।

କୋଟିଏ ଗୁଣ ତପତ କହୁଁ କହୁଁ ହୋଏ ଜାତ ଜଳ ଦେଲେ ଯେହ୍ନେ ଶାମୁକକୁ ଦହି ସେ । କଞ୍ଜନେତ୍ର ।

କଷ୍ଟେ କଷ୍ଟେ ସହନ୍ତି ସେ ବାଧା ।

କ୍ରୋଧ କରି ବୋଲନ୍ତି ଉଦ୍ଧର ରାଧା ସେ ।୨।

 

କମନୀୟ ଫୁଲମାଳ ନ ବହନ୍ତି ବକ୍ଷସ୍ଥଳ ଫଣିମଣି ସମାନରେ ଗଣ ।

କଳକଣ୍ଠକଣ୍ଠ ଶୁଣି କର୍ଣ୍ଣରେ ଦିଅନ୍ତି ପାଣି କାମକୁଳିଶଘାତ ପରାୟେ ମଣି ସେ । କଞ୍ଜନେତ୍ର ।

କଳକଣ୍ଠ ଡ଼ାକିଲେ ବିଟଙ୍କେ ।

କାନ୍ତାମଣି ମଣିତ ଚେତି ଚମକେ ସେ ।୩।

 

କେତେବେଳେ ଅଭିଳାଷ କରନ୍ତି ସୁନ୍ଦରୀ ପାଶ,

କେତେବେଳେ ଉଦ୍‌ବେଗ ବିଭ୍ରମ ଚିତ୍ତ ସେ । କଞ୍ଜନେତ୍ର ।

କେତେବେଳେ କରନ୍ତି ବିଳାପ ।

କେତେବେଳେ ବ୍ୟାଧି ହୁଅଇ ଅମାପ ସେ ।୪।

 

କଉଁ ଲୋକ କହିବ ତା, କାନ୍ତ କାନ୍ତ ବିରହିତା, କେବଳ ଜାଣଇ ଏକା ମନ ।

କୁମତିଗୁଆର ଜନ, ତହିଁକି ନୋହେ ଭାଜନ ଭତ

ହୋଇଛି ଯାହାର ଯଉବନ ହେ କବିମାନେ ।

କମଳନେତ୍ର ନାଗରବର ।

କିମ୍ପା ନୋହିବେ ବିରହେ କାତର ସେ ।୫।

 

କୁଣ୍ଡଳୀଯେମନ୍ତଥାଇ ନିଃଶ୍ୱାସପକାଇ ସେହି ସେହି ରୂପେ ପକାନ୍ତି ନିଃଶ୍ୱାସ ।

କରନ୍ତି ବିଚାର ମନେ କି କାର୍ଯ୍ୟ ଛାରଜୀବନେ ପ୍ରାଣବଲ୍ଲଭୀ ଯେ ବହେ ନାହିଁ ପାଶ ସେ ।

କଞ୍ଜ ଋତୁକେ ଲଭନ୍ତି ଯେତେ ।

କବି କହିବା ତ ବଚନରେ କେତେ ସେ ।୬।

 

କାନ୍ତ କାନ୍ତାଗୁଣ ଗୁଣି ବୋଲନ୍ତି ରମଣୀମଣି କେତେ ସୁଖ ଦିଅଇ ଋତୁକେ ।

କାହିଁ ଯାଏ ନିଶିଦିନ କିଛି ନ ଜାଣଇ ମନ ଏବେ କ୍ଷଣକହିଁ ନ ସରେ ସାତ୍ୱିକେ ।

ସେ କୃଶୋଦରୀ । କାମକେଳି କଳ୍ପଲତା ଗୋରୀ ।

କଉଁ କଥାରେ କେ ତାକୁ ଅବା ସରି ସେ ।୭।

 

କାକର ସମୟେ ମୋର ଅଙ୍ଗକୁ ଅଙ୍ଗ ତାହାର କରିଥାଇଁ ଉତ୍ତମ ନିଶାର ।

କିଛି ନ ବାଧଇ ଶୀତ କରଇ ସେ ବଡ଼ ହିତ

କହୁଁ କହୁଁ ସେ ସୁଖହେଲା ଅନ୍ତର ସେ । କୃଶୋଦରୀ ।

ଅଗୁରୁ ଧୂପ ପୁରରେ ସୁବାସ ।

କୁଚକୁମ୍ଭ ଥାଇ ମୋ ଅଙ୍ଗେ ନିବେଶ ସେ ।୮।

 

କୋକିଳ ବଚନ ତାର ମୁଖ ଚନ୍ଦ୍ରମା ଆକାର ମଳୟ ପବନ ଶ୍ୱାସ ବାତ ।

କାମ ପ୍ରବଳ ମୋ ଅଙ୍ଗେ କରିବାରୁ ନାନାରଙ୍ଗେ ପିକବଚନୀ ମୋ ବସନ୍ତ ସାକ୍ଷାତ ସେ ।

କୃଶୋଦରୀ । ଗ୍ରୀଷମକୁ ଅତ୍ୟନ୍ତ ଶୀତଳ।

କଉଁ ଗୁଣରେ ଲକ୍ଷ ମୁକୁତାମାଳ ସେ ।୯।

 

କର୍ପୂର ଚନ୍ଦନନ ଅବା କାହିଁକି ଲକ୍ଷ୍ୟ କରିବା ଏହି ଘେନି ନ ଘେନଇ ଅଙ୍ଗେ ।

କାଳିକା କାଳ ଚରିତ କହିଲେ ହେବ ବହୁତ

କେହି ନ ବାଧଇ ଥିଲେ ତାର ସଙ୍ଗେ ସେ । କୃଶୋଦରୀ ।

ଅମର ନଗର ପରା ହୋଇ କଉଶିକ ମୁଖକୁ ମୋତେ ଦିଅଇ ସେ ।୧୦।

 

କେଶେ ସୁମନସ ଶୋଭା କରେ ମୁନି- ମନ ଲୋଭା କମନୀୟ ମୁଖଦ୍ୱିଜରାଜ ।

କୁଚ ଅମୃତ କଲଶ କରଇ ମୋ ମନ ତୋଷ

ପାରିଜାତକ କୁସୁମମାଳା ଭୁଜ ସେ । କୃଶୋଦରୀ ।

ଗତିତ ସହଜେ ଗଜଗତି ।

କହିବାର ଆଡ଼ମ୍ୱର ବୃହସ୍ପତି ସେ ।୧୧।

 

କଟାକ୍ଷ ଉଚ୍ଚୈଶ୍ରବଣ, ଅଧର ଓଷ୍ଠ ଅରୁଣ, ନଖଶ୍ରେଣୀ ତାରାଗଣ ପ୍ରାୟେ ।

କଳେବର ଶୀତଳତା, ଚନ୍ଦ୍ର ଚନ୍ଦନସମତା ଜାନୁ ପାଇଅଛି ରମ୍ଭା ଉପମାଏ ସେ ।

କୃଶୋଦରୀ । କାମବ୍ୟଧି କରିବାରୁ ନାଶ ।

କଲି ଅଶ୍ୱିନୀକୁମାରଙ୍କ ସଦୃଶ ସେ ।୧୨।

 

କେତେ ଅବା ସ୍ୱର୍ଗପୁର କୋଟି ବ୍ରହ୍ମାଣ୍ଡେ ଯାହାର କଳେବର କାନ୍ତି ଅଛି ପୁରି ।

କବି ତା ଜାଣି ନପାରି ତହିଁକି ଉପମା କରି ରଖିବାକୁ ନିଜ ବଚନ ଚାତୁରୀ ସେ ।

କୃଶୋଦରୀ । କଥା କଥାକେ ନିରୂପମ ।

କଉଁ ଗୁଣେ କଉଁ ନାରୀ ହେବ ସମସେ ।୧୩।

 

କମଳ ପଲ୍ଲବ ଶେଯେ ଶୋଇଥିବ ଏବେ

ସେ ଯେ କୃଶ କରି କୃଶୋଦରୀ କାୟେ ।

କରମାଳୀ ଅସ୍ତକାଳେ ତେମନ୍ତେ ନଭୋମଣ୍ଡଳେ ଶୁକ୍ଳ ଦ୍ୱିତୀୟ ଚନ୍ଦ୍ରମା ଶୋଭାପାଏ ସେ । କଅଶୋଦରୀ ।

ଚାରିପାଶେ ବେଢି ସଖିଗଣ ।

କରୁଥିବେ କେତେ ପ୍ରକାରେ କାରୁଣ୍ୟ ସେ ।୧୪।

 

କଇରବ- ନନ୍ଦନାକୁ ଜଗଜ୍ଜନ ବନ୍ଦନାକୁ କେତେବେଳେ ପକାଇ ଅଙ୍କରେ ।

କରି ଅପଲକ ଆଖି ଚାହୁଁଥିବେ ପ୍ରିୟସଖୀ କଉଁ

ସଖି ବସିଥିବ ଆତଙ୍କରେ ସେ । କଉଁଆଳି । କରତରେ ଦେଇ ଗଣ୍ଡପାଳି ।

କାଳ ନେଉଥିବ ଅହର୍ନିଶି ଭାଳି ସେ । ୨୫।

 

କେ ଉଶୀର ଖୋଳୁଥିବ କେ ପଲ୍ଲବ ତୋଳୁଥିବ

କେ ଚନ୍ଦନ ବୋଳୁଥିବ ନେଇ ।

କେ ଆଲଟେ ବିଞ୍ଚୁଥିବ କେ ନିର ସିଞ୍ଚୁଥିବ ଘେନି

ଶ୍ୱାସ ମୂଞ୍ଚୁଥିବ ଥାଇଁ ଥାଇଁ ସେ । କଉଁ ସଖୀ ।

ଡ଼ାକୁଥିବ ଶିବ ରକ୍ଷା କର ।

କୋଳାହର ନାଦେ ପୂରିଥିବ ପୂର ସେ ।୧୬।

 

କି କଲା କି କଲା ବିହି କର୍ମେ ଏହା ଥିଲା ଲିହି ପାପେ ପ୍ରତିଫଳ ହେଲା ଏହି ।

କୁମତି ଗୁଆଁର ଆଗେ ଗୁରବନ୍ତ ଅନୁରାଗେ ।

ପୁଣ ଦେଖାଇ ଯେମନ୍ତେ ହୋଏ ଦହି ସେ । କୃଶୋଦରୀ ।

କେତେ ଭାବେ କରି ମୋତେ ସୁଖୀ ।

କାଳେ ଦୁଃଖୀ ହେଲା ପୂର୍ଣ୍ଣ ଚନ୍ଦ୍ରମୁଖୀ ।୧୭।

 

କାମ କଳାବନ୍ତ ହୋଇ କାମିନୀଙ୍କି ଦୁଃଖ ଦେଇ ବୋଲାଇ ମୁଁ ପୁରୁଷ ଉତ୍ତମ ।

କରିବାକୁ ବଡ଼ ଲାଜ ଏଥୁ ଅବା କଉଁ କାର୍ଯ୍ୟ ଜଳେ ତିନ୍ତିଲା କି ତତ୍ପଳ କୁସୁମ ସେ । କୃପାନିଧି ।

କହି ଏକା ପକାଇନିଃଶ୍ୱାସ ।

କୃପାକରି ଉଦ୍ଧବକୁ ଡାକିପାଶ ସେ ।୧୮।

 

କହିଲେ ଗୋପକୁ ଯିବ ତାତ ମାତାଙ୍କୁ କହିବ ଆମ୍ଭର ଶୁଭ ସନ୍ଦେଶମାନ ।

କଳାବତୀ କଳାନିଧି କହିବ ଗୋପୀଙ୍କି ବୋଧି ତୁମ୍ଭ ଅଭାବେ ନସରେ ତାଙ୍କ ଦିନ ସେ । କୃଷ୍ଣ ବାଣୀ ।

ଶୁଣି ଉଦ୍ଧବ ଆରୋହି ରଥ ।

କଲେ ଗୋପୀଙ୍କ ଦର୍ଶନେ ମନୋରଥ ସେ ।୧୯।

 

କିଭାଗ୍ୟ ମୋହର ଆଜ କରିବି ପ୍ରଭୁଙ୍କ କାର୍ଯ୍ୟ ତେଣେ ହେବ ସାଧୁ ଦରଶନ ।

କୁଶକେତୁ ପରସନଦୋହିଲେ ନୋହେ ଏମାନ ସବୁଠାରୁ କର୍ତ୍ତା ପ୍ରଭୁ ଭଗବାନ ସେ । କୃଷ୍ଣଦୂତ ।

ଏହିକଥା ବିଚାର ମନରେ ।

କଲେ ଗୋପକୁ ଗମନ ଧୀରେ ଧୀରେ ସେ । ୨୦।

 

କଦମ୍ବଫୁଲ ପରାଏ କଳେବର ଣୋଭାପାଏ ନୟନୁ ଗଳଇ ଅଶ୍ରୁଜଳ ।

କୃଷ୍ଣକୀର୍ତ୍ତନରେ ଭୋଳ ନାନା ପ୍ରକାରେ ମଙ୍ଗଳ ଆଗେ ପ୍ରକାଶ ହୁଅଇ ମାମା ସେ । କୃଷ୍ଣଦୂତ ।

ପ୍ରବେଶ ହୋଇଲେ ଗୋପେ ଯାଇଁ । କଲେ ଉଭା ରଥ ନନ୍ଦଦ୍ୱାରେ ନେଇ ସେ ।୨୧।

 

କୋଟିଏ ସୁବର୍ଣ୍ଣ ପାଇ ଦରିଦ୍ର ଯେମନ୍ତ ହୋଇ ସେହିରୂପେ ହେଲେ ନନ୍ଦରାଣୀ ।

କଲେ ଆସନପ୍ରଦାନ ନାନା ରୂପେ ସନମାନ କଅେ୍ଣ ସମାନରେ ପୂଜାକଲେ ପୁଣି ସେ । କୃଷ୍ଣଦୂତ ।

କହି କୃଷ୍ଣ ସନ୍ଦେଶ ବଚନ ।

କଲେ ଶୟନରେ ନିଶି ଅବସାନ ସେ ।୨୨।

 

କେଶବ ନାମ ସୁମରି ଶୟନରୁ ଉଠିକରି ନତ୍ୟକର୍ମ ତୁରିତେ ସାରିଲେ ।

କିଶୋରୀ – ଗୋପୀଙ୍କ ପାଶେ ପ୍ରବେଶ ହୋଇ ହରଷେ କୃଷ୍ଣ ଉଦନ୍ତ କହିବା ବିଚାରିଲେ ସେ । କୃଷ୍ଣଦୂତ ।

ଉଦ୍ଧବଙ୍କୁ ଦେଖି ଗୋପବାଳୀ ।

କି ଆନନ୍ଦହେଲେ କେ କହିବ ଭାଳି ସେ ।୨୩।

 

କଲା ସନ୍ତାପ ଅନ୍ତର ଭକତ ଭେଟ ମନ୍ତର ଭୁକ୍ତ ଦର୍ଶନରେ ଯେହ୍ନେ ଭୋଖୀ ।

କାଳିକା ଉଦୟ ଦେଖି ଯେମନ୍ତ ଚାତକପକ୍ଷୀ ଯେହିମତି ହେଲେ ଗୋପୀ ପଦ୍ମମୁଖୀ ସେ । କୃଷ୍ଣଦୂତ ।

ଉଦ୍ଧବ ଗୋପୀଙ୍କ କଥା ଶୁଣି ।

କୃଷ୍ଣଦାସର ବଢିବ ସୁଖଶ୍ରେଣୀ ସେ ।୨୪।

 

ଦ୍ୱାତ୍ରିଂଶ ଛାନ୍ଦ - ଉଦ୍ଧବ ଗୋପୀ ସମ୍ବାଦ

ରାଗ - ଚିନ୍ତାଦେଶାକ୍ଷ

 

କୃଷ୍ଣଦୂତକୁ ବସାଇ ପାଶେ ।

କଉତୁକେ ପଚାରନ୍ତି ତୋଷେ ।

କୃଷ୍ଣ କାମପାଳ ସମସ୍ତ କୁଶଳ କହ କହ ଆମ୍ଭଙ୍କୁ ହରଷେ ହେ । ଉଦ୍ଧବ ।୧।

 

କହି କପଟୀ ଅକ୍ରୂର କଥା ।

କରାଇଲା ଯେ ଏତେ ଅବସ୍ଥା ।

କଂସ ମହୀପତି ଅତିହିଁ ଅନୀତିକର କରିଗଲା ଦେଇ ବ୍ୟଥା ହେ । ଉଦ୍ଧବ ।୨।

 

କହ କୁବୁଜାଙ୍କ ସର୍ବ ଶୁଭ । କର୍ଣ୍ଣେ ଶୁଣିବାକୁ ଯା ଦୁର୍ଲ୍ଲଭ ।

କଂସ କଟକରେ ପ୍ରବେଶ ହେବାରେ କୃଷ୍ଣ ପାଇଛନ୍ତି ଯାହା ଲାଭ ହେ । ଉଦ୍ଧବ ।୩।

 

କୋବଳରେ କହନ୍ତି ଉଦ୍ଧବ ।

କୁଶଳର ମନ୍ଧିର ମାଧବ ।

କେବଳ ତୁମ୍ଭର ବିରହେ ବିଧୂର ଭାବ କଥାହିଁ ତାଙ୍କୁ ଅଭାବ ଗୋ ସୁନ୍ଦରୀ ।୪।

 

କରି ଜପାମାଳୀ ତୁମ୍ଭ ଗୁଣ ।

କରିଅଛନ୍ତି ଶ୍ରୀଅଙ୍ଗ କ୍ଷୀଣ ।

କହିଲେ ପରତେ ନଯିବ ସେ ଯେତେ ପାଉଅଛନ୍ତି ମହା କଷଣ ଗୋ । ସୁନ୍ଦରୀ ।୫।

 

କାମ କାଣ୍ଡକୁ ଦେବାରୁ ଲାଖ ।

କଲେ ଅନ୍ତର ବିଷୟ ସୁଖ ।

କହିଲେତ ରୋମ ହେଉଛି ଉଦ୍‌ବେଗ ପ୍ରୀତି କଲେ ହୁଏ ଏନେ ଦୁଃଖ ଗୋ । ସୁନ୍ଦରୀ ।୬।

 

କର୍ଣ୍ଣେ ଉଦ୍ଧବ ବଚନ ଶୁଣି ।

କ୍ରୋଧ କରି ବରଜମଣୀ ।

କହିଲେ କେଶବ ବତ୍ସଳକୁ ଲୋକ ମଧ୍ୟେ ତାକୁ ସିନା ଗଣି ହେ । ଉଦ୍ଧବ ।୭।

 

କେତେ ବିପତ୍ତିରୁ ନ ରଖିଲେ ।

କେତେ କେତେ ସୁଖ ସେ ନ ଦେଲଷ ।

କର୍ମ ଅବଳକୁ କୁବୁଜା ଫଳକୁ କଂସ ନୃପତି ବଳକୁ ଗଲେ ହେ । ଉଦ୍ଧବ ।୮।

 

କଂସ ପାଇଲା ଦୀର୍ଘ ଶୟନ ।

କିମ୍ପା ନଇଲେ ପଦ୍ମନୟନ ।

କହିଥିବା କଥା କରିବା ଅନ୍ୟଥା ପ୍ରଭୁଙ୍କର ଏନୋହେ ଅୟନ ହେ ଉଦ୍ଧବ ।୯।

 

କଉଁ ଳୋକ ଆମ୍ଭେ ଗୋପ ନାରୀ ।

କଲେ ସେହିସିନା ଏତେସରି ।

କେବେହେଁ ବିନାଶ ନ କରି ଯେ ବିଷ-ବୃକ୍ଷ କରେ ଲଗାଇ କରି ହେ । ଉଦ୍ଧବ ।୧୦।

 

କୃଷ୍ଣ ନ ଜାଣନ୍ତି କଉଁ ନୀତି ।

କଲେ ଆମ୍ଭଠାରେ ତ ଅନୀତି ।

କୁଳରୁ ଛଡ଼ାଇ ଦୁଃଖରେ ବୁଡ଼ାଇ ଏଥୁ ପାଇଲେ କଉଁ କୀରତି ହେ । ଉଦ୍ଧବ ।୧୧।

 

କୃପାସିନ୍ଧୁ ନାମ ବହିକରି ।

କିଣା ଦାସୀଙ୍କ କୃପା ନକରି ।

କୁସୁମ ମାର୍ଗଣଠାରେ ଆମ୍ଭ ପ୍ରାଣଦେଇ ରହିଲେ ମଧୁରୀପୁରୀ ହେ । ଉଦ୍ଧବ ।୧୨।

 

କାର୍ଯ୍ୟ ପାଇଲେ ଯାଉଁ ପୁରୁଷ ।

କାମିନୀଙ୍କି କରନ୍ତି ନିରାଶ ।

କେବେହେଁ ବିଶ୍ୱାସ ନଯିବ ପୀୟୁଷ ବୋଲି ଦେଲେ ସେ ସାକ୍ଷାତେ ବିଷ ହେ । ଉଦ୍ଧବ ।୧୩।

 

କୋମଳରେ ସେ କହିଲେ ଯେତେ ।

କେତେବେଳେ ନଯିବ ପରତେ ।

କାଳେ ମନୋଭାବ କଷ୍ଟ ଅନୁଭବ କରି ଭାଳିବ ଅନବରତ ହେ । ଉଦ୍ଧବ ।୧୪।

 

କଥା ଅମୃତଠାରୁ ମଧୁର ।

କର୍ପୂରରୁ ଅତି ଶୀକର ।

କରୁଣା କପଟ କର୍କଶର କୂଟ ତାଙ୍କ ହୃଦୟକୁ ନମସ୍କାର ହେ । ଉଦ୍ଧବ ।୧୫।

 

କୁଜ କରରେ ଭାଙ୍ଗିଲା ଦିନୁ ।

କମ୍ପ ଚୁମ୍ବିଲା କି ଆମ୍ଭ ତନୁ ।

କୁଟିଳ ବଚନ ପ୍ରାୟେ ସେ ମୋହନ ଏତେବେଳେ ଯାଉ ନାହିଁ ମନୁ ହେ । ଉଦ୍ଧବ ।୧୬।

 

କି କରନ୍ତି ବଡ଼ ପ୍ରଭୁମାନେ ।

କିଛି ବିଚାରନ୍ତି ନାହିଁ ମନେ ।

କଲେ ଅବେଭାର କି ବୋଲିବେ ନର ନୀତିବନ୍ତ ବିଚକ୍ଷଣମାନେ ହେ । ଉଦ୍ଧବ ।୧୭।

 

କୟେବର କଲା ପ୍ରାୟେ ବନ୍ଦୀ ।

କେତେ କହି ପାରନ୍ତି ସେ ଛନ୍ଦି ।

କଉଁନାରୀ ଦେହ ନୋହିବ ଅଦେହ ମୋହ ଅମୋହ ପାଶରେ ବନ୍ଦୀ ହେ । ଉଦ୍ଧବ ।୧୮।

 

କାନନରୁ କୀର ଧରି ଆଣି ।

କହେ ଅନେକ ଯତନେ ବାଣୀ ।

କି କି ହୋଇଗଲେ ନ ଆସଇ ଭଲେ ସେହି ପ୍ରକାରେ ମୂରଲୀ ପାଣି ହେ । ଉଦ୍ଧବ ।୧୯।

 

କାକ କୋକିଳକୁ ପ୍ରତିପାଳି କାର୍ଯ୍ୟ ପାଇଛି କି କହ ଭାଳି ।

କୁସୁମକୁ ଅତିକଲା ପ୍ରାୟେ କେଳି ଗୋପବାଳୀଙ୍କ ଶ୍ରୀ ବନମାଳୀ ହେ । ଉଦ୍ଧବ ।୨୦।

 

କହିବାକୁ ଆଉକିଛି ନାହିଁ ।

କୁଜ ପିଠି ଅଛି ସବୁ କହି ।

କୁକର୍ମ କରିବା କେତେ ତାଙ୍କୁ ଅବା କହିବାକୁ ତହୁଁ ଆନନାହିଁ ହେ ଉଦ୍ଧବ । ୨୧।

 

କଳଧଉତ କୁଟିଳ ହେଲେ ।

କଉଁଠାରେ ନ ଚିକାଇ ଭଲେ ।

କି କହିବୁଁ ଆମ୍ଭେ କି ନ ଜାଣୁ ତାମ୍ଭେ ସବୁ ସୁନ୍ଦର ପ୍ରଭୁତ୍ୱ ଥିଲେ ହେ ଉଦ୍ଧବ ।୨୨।

 

କୃତ୍ତବାସ ହେଲେ ଦିଗବାସ ।

କେହି କରନ୍ତି କି ଉପହାସ ।

କମଳ ନୟନ କୁଣ୍ଡଳି ଶୟନ କଲେ ସମସ୍ତେ ତାହାଙ୍କ ଦାସ ହେ ଉଦ୍ଧବ ।

କଉଁ ଅସ୍ଥି ମାଳ ପକାଇ ସେ ଭୋଳ ହୋଇ ଆରୋହନ୍ତି ବୃଷଭକୁ ହେ । ଉଦ୍ଧବ ।୨୩।

 

କହିବ ଅବା ତୁମ୍ଭେ ଆଭୀରୀ ।

କଲେ ସେ ତୁମ୍ଭଙ୍କୁ ଏଡ଼େ କରି ।

କାଖେ କୋଳେ ଧରି ନାନା ସେବା କରି ତାହାଙ୍କର ଆମ୍ଭେ ପରିଚାରୀ ହେ । ଉଦ୍ଧବ ।୨୪।

 

କଥା ପ୍ରସଙ୍ଗେ କହିଲୁ ଏହା ।

କରନ୍ତୁ ସେ ଯାହା ଇଚ୍ଛା ତାହା ।

କୁମ୍ଭକାର ଉହା ପ୍ରାୟେ ଅନ୍ତର୍ଦାହା କଲେ କୁବୁଜାଙ୍କ କାମଦୁହା ହେ । ଉଦ୍ଧବ ।୨୫।

 

କୁଳଶୀଳ ଲାଜ ଭୟ ଛାଡ଼ି ।

କଇତବ ପୀରତିରେ ଜଡ଼ି ।

କୃପଣର ଲୋଭୀପ୍ରାୟେ ତାଙ୍କୁ ଲଭି ଆଶା ଅନଳେ ମରୁଛୁଁ ପୋଡ଼ି ହେ । ଉଦ୍ଧବ ।୨୬।

 

କପିଳ କୋପେ ସଗର ପୋଏ ।

କରିଥିଲେ ଯେଉଁ ରୂପେ କାୟେ ।

କାଳେ ସେହିରୂପେ ହେଲୁଁ କାମ କୋପେ ତୁମ୍ଭେ ହୁଅ ଭାଗୀରଥ ପ୍ରାୟେ ହେ । ଉଦ୍ଧବ ।୨୭।

 

କୃଷ୍ଣ ଗଙ୍ଗା ଆଣି ବେଗେ ଦିଅ ।

କୀର୍ତ୍ତି ସମସ୍ତ ଲୋକରେ ପାଅ ।

କରୁଛୁଁ ବିନତି ଗୋକୁଳ ଯୁବତୀ ଆମ୍ଭମାନଙ୍କୁ ପ୍ରସନ୍ନ ହୁଅ ହେ ଉଦ୍ଧବ ।୨୮।

 

କରେ ବିହି ଯାହାକୁ ବିବେକ ।

କହିବାର ତାହାକୁ ଅଧିକ ।

କି ନ ଜାଣ ତୁମ୍ଭେ କି କହିବୁ ଆମ୍ଭେ ପର ଉପକାରୀ ବଡ଼ଲୋକ ହେ । ଉଦ୍ଧବ ।୨୯।

 

କୃଷ୍ଣେ ଅଛି ତୁମ୍ଭର ଭକତି ।

କଉଁ ପ୍ରକାରେ ନ ଜାଣ ନୀତି ?

କଲେ ଧର୍ମ କର୍ମ ଲଭି ସ୍ୱର୍ଗାଶ୍ରମ ଶ୍ରୁତି କହିଅଛି ଏହିମତି ହେ । ଉଦ୍ଧବ ।୩୦।

 

କହିବାକୁ ଏତେକ ତୁମ୍ଭଙ୍କୁ ।

କୃପା କରିବ ବାରେ ଆମ୍ଭଙ୍କୁ ।

କୃଷ୍ଣ ସତ୍ୟବାଦୀ ହେଲେ ସତ୍ୟବାଦୀ ହୋଇ ନାଶିଲେ ଆମ୍ଭ ଦମ୍ଭକୁ ହେ । ଉଦ୍ଧବ ।୩୧।

 

କୃଷ୍ଣଦାସ ଏହି ଘେନି କରି ।

କୃଷ୍ଣ ପାଇଁ ମରୁଅଛି ଝୁରି ।

କେତେବେଳେ ଆଶା କରାଇ ନିରାଶ ନ କରିବ ଧର୍ମକୁ ବିଚାରି ହେ ସୁଜନେ ।୩୨।

 

ତ୍ରୟବିଂଶ ଛାନ୍ଦ

ବିରହ ବିଧୁରା ଗୋପୀ ଓ ଉଦ୍ଧବଙ୍କ ଉକ୍ତ ପ୍ରତ୍ୟୁକ୍ତି

ରାଗ - ପୁରବୀ

 

କହନ୍ତି ଉଦ୍ଧବ କେବେହେଁ ମାଧବ କରନ୍ତି ନାହିଁ ନିରାଶ ।

କଲେ ଶତ୍ରୁପଣ କରନ୍ତି ନିର୍ବାଣ ଏ ରୂପରେ ପୀତବାସ ସେ ।

କିମ୍ପା ତୁମ୍ଭଙ୍କୁ କରିବେ ଆନ ।

କାହିଁପାଇଁ କରୁଅଛ ମାନ ସେ ।୧।

 

କଂସ କେଶୀ ଆଦି ଆମର ବିବାଦୀ କାହାର କଉଁ ଭକତି ।

କପାଳୁ ଏମନ୍ତ କଳଷ ତାଙ୍କୁ ଅନ୍ତ କରନ୍ତି ପରମ ଗତି ସେ ।

କଲେ ସେବା ସେ କରନ୍ତି ଯାହା ।

କେତେ ବଚନେ କହିବି ତାହା ସେ ।୨।

 

କୁବୁଜା ଚନ୍ଦନ ଟୀକାକେ ବନ୍ଦନ କରି ପାଇଲା ସେ ସୁଖ ।

କର୍ତ୍ତବ୍ୟ, ମନ ବଚନ ଦେଲା ଲୋକ କଥା କାହିଁପାଇ ଲେଖ ସେ ।

କୃଷ୍ଣ ମହିମା ଅତି ଅପାର ।

କହି କେ ଅବା ପାଇବ ପାର ସେ ।୩।

 

କଳ୍ପେ କଳ୍ପେ ଯୋଗୀ ଯୋଗ ବାଟ ଜଗି ଦେଖନ୍ତି ନାହିଁ ଯାହାକୁ ।

କଉଁ ଭାଗ୍ୟବଳେ ଏତେକାଳ କୋଳେ ଘେନି ଖେଳିଲ ତାହାଙ୍କୁ ସେ ।

କୃଷ୍ଣ କଲେ ଏତିକି ସୁଦୟା ।

କହି କଲେ ଆମ୍ଭଙ୍କୁ ନିର୍ଦ୍ଦୟା ସେ ।୪।

 

କେଉଁ ଇନ୍ଦ୍ର, ଚନ୍ଦ୍ର, ଦେବତା, ନରେନ୍ଦ୍ର ତୁମ୍ଭଙ୍କୁ ହେବେ ସମାନ ।

କର୍ମ କରି କର୍ମ – କାଣ୍ଡ କରି ଚର୍ମ କିମ୍ପା କର ଅଭିମାନ ସେ ।

କୃଷ୍ଣ ତୁମ୍ଭଠାରେ କଲଷ ଯାହା ।

କଉଁ ଲୋକ ପାଇ ନାହିଁ ତାହା ସେ ।୫।

 

କହେ କଉଁ ଗୋପୀ ବିରହରେ ତାପୀ ହୋଇ ଉଦ୍ଧବଙ୍କୁ ଚାହିଁ ।

କେବଳ ଆମ୍ଭର ପରାଏ ତୁମ୍ଭର ଅନୁଭବ ନାହିଁ ସେ ।

କୃଷ୍ଣ କରନ୍ତି ନାହିଁ ନିରାଶ ।

କଲେ କରନ୍ତି ଏମନ୍ତ ବେଶ ସେ ।୬।

 

ଦେଶବାସ ଦେଖ ଦରିଦ୍ରାଣୀ ଭେକ ଆନକେ କରିବ ଏହା ।

କୁଳଶୀଳ ଲାଜ ତେଜି ଏହି କାର୍ଯ୍ୟ ପାଇଲୁ କହିଲ ଯାହା ସେ ।

କୃଷ୍ଣ ସଙ୍ଗେ କଲା ପ୍ରୀତି ଫଳ ।

କରୁଅଛି ଏ ଏବେ ବିକଳ ସେ ।୭।

 

କାମ ବାଇଭୂତ ଲାଗିବାରୁ ଚିତ୍ତ ଥୟ ହୋଇବାକୁ ନାହିଁ ।

କେତେ କେତେ ଉତପାତ କରି ଜାତ ପାକଉଅଛନ୍ତି ଦହି ସେ ।

କରିବାକୁ ନାଶ ଗୋପୀବଂଶ ।

କଲା ରାତ୍ରିରେ ଉଦୟ ହସେ ସେ ।୮।

 

କର୍ପୂରଚନ୍ଦନ କଶ୍ୟପ ନନ୍ଦନ ବଇରୀ –କ୍ଷ୍ୱେଡୁଁ ବଳିଲା ।

କାହୁଁ ଆସି ମନ୍ଦବାତ କରି ଦ୍ୱନ୍ଦ୍ୱ ଅନବରତେ ଜାଳିଲା ସେ ।

କଷ୍ଟ କହିଲେ ସରିବ ନାହିଁ । କହିବାକୁ ଆଉ ପ୍ରାଣ କାହିଁ ସେ ।୯।

 

କର୍ମ ଅବଳକୁ ଆଚମ୍ବିତ ସେ ।

କରିବାକୁ ସ୍ନାନେ ସନ୍ତାପତ ।

କହ ତୁମ୍ଭେ ବଡ଼ ଭାଗ୍ୟବନ୍ତ ସେ ।୧୦।

 

କିଶଳୟ ଶୂନ୍ୟକଲୁଁ ବୃନ୍ଦାବନ ସମ୍ପତ୍ତିକି ଶୂନ୍ୟସାର ।

କାକର ପଡ଼ିଲା ପଦ୍ମବନ ହେଲା ପାପୀ ଗୋପୀଙ୍କ ଶରୀର ସେ ।

କାକପ୍ରାୟେ ଯାହା କଲୁଁ କୁଳ ।

କରୁଅଛୁ ଭୋଗ ସେହି ଫଳ ସେ ।୧୧।

 

କୋକିଳ ପରାୟେ କୁଞ୍ଜବନରାୟେ କଲେ ଯେଉଁ ଆଚରଣ ।

କୃପଣ ସେବକ ପ୍ରାୟେ ମହାଶୋକ କଲୁହୃଦେ ଆଚରଣ ସେ ।

କୁଲକେତୁ ହେଲେ ପ୍ରତିକୂଳ ।

କଳ୍ପତରୁ ନ ଦିଅନ୍ତି ଫଳ ସେ ।୧୨।

 

କର ଚିନ୍ତାମଣି କରେ ଚିନ୍ତାମଣି କାମଧେନୁ ସେହିମତି ।

କଲେ ସୁବିଚାର ଏହା କରିବାକୁ ଏମାନଙ୍କର ଅନୀତି ସେ ।

କରି କବଳ ସୁଧା ମରିବା ।

କିମ୍ପା ଅମୃତ ତାକୁ ବୋଲିବା ସେ ।୧୩।

 

କରଇ ପରଶ ପଥର ପରଶ ମାତ୍ରକେ ଲୁହାକୁ ସୁନା ।

କର୍ମ ଆଦରଣା କରିବାରୁ ଊଣା ଏମାନଙ୍କଠାରେ ସିନା ସେ ।

କେତେ କେତେ ଯେ ଅଛନ୍ତି ତୀର୍ଥ ।

କେ ନ କରେ ପାପୀଙ୍କି କୃତାର୍ଥ ସେ ।୧୪।

 

କରିବା ହରିବା କୀର୍ତ୍ତି ବିସ୍ତାରିବା ଯାହାର ଯେଉଁ ଶକତି ।

କଲେ ଆନ ଆନ ଦିଶଇ ନିଉନ କହିଅଛି ଏହା ଶ୍ରୁତି ସେ ।

କୃଷ୍ଣ କରୁଣା ସମୁଦ୍ର ହୋଇ ।

କହିଁପାଇଁ କୃପା କଲେ ନାହିଁ ।୧୫।

 

କଇତବଧାଇ କାଳକୁଟ ଦେଇ ପାଇଲା ଅମୃତ ଦାନ ।

କଳେବର ଦେଇ କୃଶଦଶା ପାଇ ଆମ୍ଭେ ହେଲୁ ହୀନମାନ ସେ ।

କୃଷ୍ଣ କଲେ ଏମନ୍ତ ଅନୀତି କାହା ଆଗେ କହିବୁ ଏ ରୀତି ସେ ।୧୬।

 

କେଶୀ, ଅଘା, ବକା.ଶକଟା, ଧେନୁକା ପ୍ରାଣ ନେବାକୁ ଅଇଲେ ।

କୃପାଳୁ ଏମନ୍ତ କୁବୁଜାଙ୍କ କାନ୍ତ କୃତାର୍ଥ ତାହାଙ୍କୁ କଲେ ସେ ।

କରେ ଯେ ତାହାଙ୍କ ଅପକାର ।

କରନ୍ତି ସେ ତାକୁ ଉପକାର ସେ ।୧୭।

 

କଟିରେ ଦଉଡ଼ି ବାନ୍ଧିଥିଲେ ଭିଡ଼ି ଯାମଳାର୍ଜ୍ଜନ ବୃକ୍ଷେ ।

କିଞ୍ଚିତ କରଡ଼ି ପରାୟେ ଉପାଡ଼ି ଦେବତା କଲଷ ପ୍ରତ୍ୟକ୍ଷେ ।

କରୁଁ କରୁ ସେ ଅବଲୋକନ ।

କଲେ ସ୍ୱର୍ଗକୁ ଶୀଘ୍ର ଗମନ ସେ ।୧୮।

 

କାଳିନ୍ଦୀ ଜଳରେ ପାଦ କମଳେ କାଳୀ କୁଣ୍ଡଳୀ ଦଂଶିଲା ।

କି କି କରି ସ୍ତୁତିକରି ତା ଯୁବତୀ ଜଳ- ନିଧିରେ ପଶିଲା ସେ ।

କେତେ କହିବା ତାଙ୍କ ଚରିତ ।

କହି ବସିଲେ ହେବ ବହୁତ ସେ ।୧୯।

 

କାଖେ କୋଳେ ଧରେ କେତେ ସେବା କରି କାହିଁରେ ଆମ୍ଭ ନୋହିଲୁଁ ।

କୃଷିକାର ପ୍ରାୟେ କ୍ଲେଶ କରି କାୟେ ଶ୍ରମଲାଭକୁ ପାଇଲୁ ସେ ।

କଳନ୍ତର ଲୋଭେ ଗଲା ମୂଳ । କଲୁ ହୃଦୟମାତ୍ର ବିକଳ ସେ । ୨୦।

 

କେ ବୋଲଇ ଦେଇଥିଲା ଦ୍ରବ୍ୟପାଇ ତାଙ୍କୁ ଦେଲୁ ଆମ୍ଭେ ମନ ।

କମଳନୟନ କରୁଣାନିଧାନ କଷ୍ଟ କଲେ ଅବଧାନ ସେ । ୨୧।

 

କେତେ କଷ୍ଟ ମଧୁମାଛି ସଞ୍ଚେ ମଧୁ ଶ୍ରମପାଇଁ ନାନା ଦୁଃଖେ ।

କି କି କରି ଆନ ତାହାକରେ ପାନ ହୁତୀଶନ ଦେଇ ମୁଖେ ସେ ।

କାଳେ ଆମ୍ଭର ହେଲା ସେ ଫଳ କଲୁ ଳୋଭ କନ୍ଦର୍ପ ଅନଳ ସେ ।୨୨।

 

କୁମୁସୁଁ ମିଳିନ୍ଦ ହରି ମକରନ୍ଦ ନାମ ବହେ ମଧୁକର ।

କୃଷ୍ଣ ଗୋପୀନାଥ ବୋଲାନ୍ତି ଅନାଥ ହୋଇଲେ ଗୋପୀ ନିକର ସେ କାହିଁ ଶୁଣିଛ ଏ ବିରପୀତ ?

କେତେ କହିବା ଏଥି ଚରିତ ସେ । ୨୩।

 

କଇରବ କାନ୍ତ ବୋଲଇ ଯେମନ୍ତ ଚନ୍ଦ୍ର ତାରା କରେ ଭୋଗ କେଶବ ଆମ୍ଭର କୁବୁଜା ବେଭାର,

ସେହିରୂପେ କଲା ଯୋଗ ସେ ।

କଇରବଠାରୁ ଆମ୍ଭେ ଦୁଃଖୀ ।

କୃଷ୍ଣଚନ୍ଦ୍ର ନୟନେ ନ ଦେଖି ସେ ।୨୪।

 

ଲୋକ ମିଥୁନରୁ ବିଚ୍ଛେଦରୁ ଗୁରୁ କଲା ଆମ୍ଭଙ୍କୁ ଦଇବ ।

କାହା ଅଙ୍ଗସଙ୍ଗ କରିଥିଲୁ ଭଙ୍ଗ କହିଲେ ତାହା କି ହେବ ସେ ।

କଲା ନାହିଁ ତାଙ୍କ ପରା ବିହି । କାଳ ନିଅନ୍ତୁ ଦିବସେ ଚାହିଁ ସେ ।୨୫।

 

କାର୍ଯ୍ୟ ପ୍ରୀତି ଶକତି କୀରତି କେବେହେଁ ରହଇ ନାହିଁ ।

କରଗତ କୀର କହିବା ମଧୁର କାନନେ ପଶିଲେ କାହିଁ ସେ ।

କେତେ କହିବୁ ତୁମ୍ଭଙ୍କୁ ଏହା ।

କର୍ଣ୍ଣ ଶୁଣୁଥିବ ମାତ୍ର ଯାହା ସେ ।୨୬ ।

 

କୃପାକଲା ଲୋକ ନୋହିବ ବିବେକ ଆପଣା ଲୋକର ଯେବେ ।

କାକୁସ୍ତେ କହିବା ପରେ କୁହାଇବା କେଉଁ କାର୍ଯ୍ୟ ହେବ ତେବେ ସେ ।

କଥା କଡ଼ାକରେ ଲେଖା ନୋହେ ।

କେତେ ଅଧୈର୍ଯ୍ୟ ମାତ୍ରକେ ରହେ ସେ ।୨୭।

 

କଢି କୁସୁମକୁ ଫୁଟାଇ ବାସକୁ ପ୍ରବେଶ କରିଛି କେହି ।

କରତା ବିମନ ହେଲେ ଆନ କରିବା କଥାହିଁ ସେହି ସେ ।

କରି ଓଟାରି ଯଉଁ ପୀରତି ।

କଷ୍ଟ ତହୁଁ ବଡ଼ ନାହିଁ କ୍ଷିତି ସେ ।୨୮।

 

କୋଟି କୋଟି ଦଣ୍ଡବତ ପୁଣ୍ଡରୀକ ନେତ୍ରଙ୍କୁ ଆମ୍ଭ କହିବ ।

କୁବୁଜା ପାଶରେ ଥିବା ସମୟରେ ଦୁଃଖ ଏକା ନ କହିବ ସେ ।

କଟୁ ନୋହିଲେ ତାହାଙ୍କ ବୋଲ ।

କଲେ ଏହା ସେ ଆମ୍ଭଙ୍କୁ ଶଲ ସେ ।୨୯।

 

କିଶୋରୀରତନ ଗୋପୀଙ୍କ ବଚନ ଶୁଣି ଉଦ୍ଧବ ହରଷ ।

କଲେ ସେ ଗମନ । ତୋଷ କରି ମନ ମଥୁରା ହେଲେ ପ୍ରବେଶ ସେ ।

କୃଷ୍ଣ ଛାମୁରେ ପ୍ରବେଶ ହେଲେ । କୃଷ୍ଣ ଛାମୁରେ ପ୍ରବେଶ ହେଲେ ।

କୃଷ୍ଣଦାସଙ୍କୁ ଆନନ୍ଦ ଦେଲେ ସେ ।୩୦।

 

ଚତୁଃତ୍ରିଂଶ ଛାନ୍ଦ

ଉଦ୍ଧବର କୃଷ୍ଣଙ୍କ ନିକଟେ

ଗୋପୀମାନଙ୍କ ଦଶା ବର୍ଣ୍ଣନା

ରାଗ - ଆଶାଢଶୁକ୍ଲା

 

କଂସ-କରୀ କଣ୍ଠୀରବ କେଶବ ।

କହନ୍ତି ପ୍ରସନ୍ନ ହୋଇ ଉଦ୍ଧବ ।

କହ କହ ଗୋପପୁର ସନ୍ଦେଶ ।

କେମନ୍ତ ହୋଇଛନ୍ତି ଗୋପୀବଂଶ ।

କହନ୍ତି ଉଦ୍ଧବ, କର ଅବଧାନ ପ୍ରଭୁ ମାଧବ ।

କି କହିବି ଗୋପୀମାନଙ୍କ କଥା ।

କହିଲେ ଜାତିହେବ ମହା ବ୍ୟଥା ।।

କେଶବାସ ବେଶ ଅତି ମଳିନ ।

କୁଜ୍‌ଝଟୀ ସମୟେ ଯେହ୍ନେ ମଳିନ ।

କାହାର ଶରୀର, କୃଶ ବିଷାଦୁଁ ନୋହୁଛି ବାହାର ।୨।

 

କାହାର ବଦନେ ନାହିଁ ପ୍ରସନ୍ନ ।

କାହାରି ନାହିଁ ବିଷୟ ଦର୍ଶନ ।

କହିବାକୁ ଶକ୍ୟନାହିଁ କାହାର ।

କାହିଁକି ଥିବ ଆହାର ବିହାର ।

କେବଳ ବିରସ, କରିଛି ସବୁ ହୃଦୟରେ ବାସ ।୩।

 

କାହା କଙ୍କଣ ହୋଇଛି କେୟୁର ।

କେ ଉରେ କରିଛି କଙ୍କଣ ହାର ।

କେ କଣ୍ଠେ ବସାଇ ତୁମ୍ଭ ନାମକୁ ।

କଳେବର ଦେଇ କାମକାଣ୍ଡକୁ ।

କରିଛି ଶୟନ, କିଞ୍ଚିତ କରି ଫେଡ଼ିଛି ନୟନ ।୪।

 

କେ ପାଇ କନ୍ଦର୍ପ ପ୍ରଥମ ଦଶା ।

କରିଛି ତୁମ୍ଭ ଅଙ୍ଗସଙ୍ଗ ଆଶା ।

କେ ଅବା ଦ୍ୱିତୀୟ ଦଶାକୁ ପାଇ ।୫।

 

କେ କରେ ଚତୁର୍ଥେ ଗୁଣ କୀର୍ତ୍ତନ ।

କେ କରେ ପଞ୍ଚମେ ଉଦ୍‌ବେଗ ମନ ।

କେ ଷଷ୍ଠକୁ ପାଇ ବିଳାପ କରେ ।

କେହୁ ଉନ୍ମତ୍ତ ହୋଏ ସପ୍ତମରେ ।

କେହି ବ୍ୟାଧିବନ୍ତ, କରିଛି ଅଷ୍ଟମ ଦଶା ଏମନ୍ତ ।୬।

 

କେ ନବମରେ ଜଡତାକୁ ପାଇ ।

କେବଳ ଅଛି ଅବନୀରେ ଶୋଇ ।

କାହା ସାତ୍ତ୍ୱିକ ହିମଋତୁ ପ୍ରାୟେ ।

କମ୍ପାଉଛି ଏହି ଘେନି ତା କାୟେ ।

କା ରୋମ ଉଦ୍‌ଗମ, କାକିକାକଳ କଦମ୍ବ କୁସୁମ ।୭।

 

କାହାର ସ୍ୱର ହୋଇବାରୁ ହତ, କାଦମ୍ୱିନୀ କାଳ କୋକିଳ ମତ ।

କେ ତହିଁ ଶରଦ ଋତୁ ସମାନ ।

କେତକୀ ପରାୟେ ହେବାରୁ ବର୍ଣ୍ଣ ।

କେ ନିଦାଘ କାଳ, କେତେ ବହୁଛି କଳେବରୁଁ ଝାଳ ।୮।

 

କେ ତହିଁ ହୋଇଛି ବରଷେ ପ୍ରାୟେ ।

କମଳନେତ୍ରୁ ନୀର ବହିଯାଏ ।

କେତେ କହିବି ତାହାଙ୍କ ବେଦନା ।

କହିଲେ ଶୋକ ଜାତ ହେବ ସିନା ।

କେବଳ ଏ ଦେହ, କେତେ ଅବା ନ ସହଇ ଦୁଃସହ ।୯।

 

କାହା ବିରହ ନର୍ତ୍ତକୀ ଉତ୍କଟ ।

କୋକିଳ ଗୀତକୁ କରିଛି ନାଟ ।

କଳେବର ରଙ୍ଗଭୂମି ହୋଇଛି ।

କାମ ନୃପତି ସୁଖକୁ ପାଇଛି ।

କାହାର ବିରହ, କଳାକୁ କଳା କରାଉଛି ମୋହ ।୧୦।

 

କୋଳାହଳନାଦେ ପୁରିଛି ପୁର ।

କେ ଶିବଙ୍କୁ ଡାକେ ହୋଇ ଆତୁର ।

କେ ବୋଲେ ଆଗୋ ଜଳ ସିଞ୍ଚି ସିଞ୍ଚି ।

କେ ବୋଲେ ମନ୍ଦ ମନ୍ଦ କରି ବିଞ୍ଚି ।

କେ ହୋଇ ବିକଳ, କହେ ସଖୀ ଚନ୍ଦ୍ର ଚନ୍ଦନ ଗୋଳ ।୧୧।

 

କେ ବୋଲଇ ଆଉ ଉଶୀର ଖୋଳ ।

କେ ବୋଲେ ଅଇଲା କି ପଦ୍ମଦଳ ।

କେ ବୋଲେ ଆସିଛି କୁମୁଦ ନାଳ ।

କେ ବୋଲେ ନେଇ ଦିଅ ହୃଦ ସ୍ଥଳ ।

କରି ଏ ଯତନ, କଲେ ସଜନୀମାନେ ସଚେତନ ।୧୨।

 

କେ ବୋଳେ ଆରେ ପ୍ରିୟ ସହଚରୀ ।

କୃଷ୍ଣଚନ୍ଦ୍ର ସଙ୍ଗେ ପୀରତି କରି ।

କାଳରେ ଅରଜିଲୁ ଏହି ଶିରୀ ।

କାମଦେବଙ୍କ ହୋଇଲୁ ବଇରୀ ।

କେ ବୋଲେ କି କହ, କର୍ମରେ ଲେଖାଥିଲା ଏ ବିରହ ।୧୩।

 

କେତେ କହିବି ଏହିରୂପେ ଗୋଳ ।

କେତେ ପ୍ରକାରେ ପୂରିଛି ଗୋକୁଳ ।

କୋମଳପତ୍ର ହୋଇଛି କଉଡ଼ି ।

କେ କେତେ ଅବା ଆଣୁଛନ୍ତି ଲୋଡ଼ି ।

କାସାରମାନଙ୍କେ, କମଳପତ୍ର ଅବା ପାଇବ କେ ? ।୧୪।

 

କର୍ପୂର ଚନ୍ଦନକୁ ଆଗହୋଇ ।

କପର୍ଦ୍ଦିମାନ ପଡ଼ିଅଛି ଯାଇ ।

କୁତ୍ସିତ ଦ୍ରବ୍ୟଗନ୍ଧ ବେଣା ମୂଳ ।

କର୍ମକୁ ସେହି ହୋଇଛି ଦୁମଳ ।

କୁସୁମମାନଙ୍କୁ, କେହି ଆଣୁନାହିଁ ନେତ୍ରପଥକୁ ।୧୫।

 

କେତେରୂପେ ଫୁଟିଅଛନ୍ତି ଗଛେ ।

କେହି ତୋଳିବାକୁ ମନ ନଇଚ୍ଛେ ।

କାମଦୂତକୁ ଦେଖି ଘଉଡ଼ନ୍ତି ।

କଣ୍ଠ ଶୁଣି କର୍ଣ୍ଣେ କର ଦିଅନ୍ତି ।

କୁଞ୍ଜବନ ହରି, କହିଲି ଏହା ମୁଁ ଅଳପ କରି ।୧୬।

 

କେବଳ ତୁମ୍ଭ ଲୋକ ବୋଲି ମୋତେ ।

କହିଲେ ମଧ୍ୟସ୍ୱରେ ଯେତେ ଯେତେ ।

କିଛି ପ୍ରବେଶ ହୁଅଇ କର୍ଣ୍ଣରେ ।

କିଛି ରହଇ ତାହାଙ୍କ ଅଧରେ ।

କାମକରବୀଣା,କ୍ୱଣନ ସେ କାଳେହୋଇବ ଊଣା ।୧୭।

 

କହିଛନ୍ତି କୋଟି ଦଣ୍ଡ ପ୍ରଣାମ ।

କରି ତୁମ୍ଭ ଆଜ୍ଞା ଆଶା ବିଶ୍ରାମ ।

କଉଁ ଭାଗ୍ୟରୁ ରହିଅଛି ପ୍ରାଣ ।

କରୁଣା ସିନ୍ଧୁ ତୁମ୍ଭେ ତାହା ଜାଣ ।

କର୍ଣ୍ଣେ ଶୁଣି ହରି, କମଳନେତ୍ରୁ ପକାଇଲେ ବାରି ।୧୮।

 

କହିଲେ ଶ୍ୱାସ ପକାଇ ମାଧବ ।

କହିଲ ଯେଉଁ କଥା ହେ ଉଦ୍ଧବ ।

କିଞ୍ଚିତ ବିଚ୍ଛେଦ ଯୁଗ ଯାହାଙ୍କୁ ।

କାଳେ ହେଲା ଭେଟ ନାହିଁ ତାହାଙ୍କୁ ଅବା କେତେ,

କରତିହେଲେ ମୋ ଆଶା କରତେ ।୧୯।

 

କିରମାଳି ବିରସ ଯେମନ୍ତ ।

କେବେହେଁ ନ ଛାଡ଼େ ମେରୁ ପର୍ବତ ।

କିଶୋରୀ ଗୋପୀଙ୍କଠାରେ ମୋ ମନ ।

କରିଛି ସେହିରୂପେ ଅବଧାନ ।

କହୁଁ କହୁଁ ଏହା, କଲା ରାତି ଭୋଗ ରଜନୀ ନାହା ।୨୦।

 

କରୁଣାକର ଚାହିଁ ଉଦ୍ଧବକୁ କଲେ ମେଲାଣି ପୁରକୁ ଯିବାକୁ ।

କରି ମଣୋହି ପହୁଡ଼ିଲେ ଯାଇ ।

କଳାକର – ମୁଖୀ ଗୋପୀଙ୍କତ ଧ୍ୟାୟି ।

କ୍ରମେ ନିଶି ଶେଷ, କୁକ୍‌କୁଟଧ୍ୱନି ଶୁଭେ ଦଶଦିଗ ।୨୧।

 

କେଶୀମନ୍ଥନ ଅପହୁଡ଼ ହୋଇ ।

କର୍ମ ଧର୍ମ ବିଧିମତେ ବଢାଇ ।

କଲେ ବିଜୟ ବଡ଼ ଅବକାଶେ ।

କଲେ ଲୋକ ଦରଶନ ହରଷେ ।

କୃଷ୍ଣଦାସ କବି, କୃତାର୍ଥ ହେଲା ଏହି କାଳ ଭାବି ।୨୨।

 

କୋଟି ବ୍ରହ୍ମାଣ୍ଡ-ପ୍ରଭୁ ଜଗନ୍ନାଥ ।

କରନ୍ତି ପୂର୍ଣ୍ଣ ଜନ ମନୋରଥ ।

କଲି ମୁଁ ଏହି ଘେନି ଏହିମତ ।

କରିବାକୁ ରସକଲ୍ଲୋଳ ଗୀତ ।

କହିଲେ ସେ ଯେଣୁ, କରରେ ମାତ୍ର ଦେଖିଲି ମୁଁ ତେଣୁ ।୨୩।

 

‘କ’ ଅକ୍ଷରରେ ହୋଇଛି ନିୟମ ।

କଥା ନୋହେ ଦିବ୍ୟ ଅଦିବ୍ୟ ସମ ।

କେତେ କଉତୁକ ଅଛଇ ଏଥି ।

କେବଳ କ୍ଷୀରସିନ୍ଧୁ ପ୍ରାୟେ ମନ୍ଥି ।

କରି ରସ ଜାତ, କର ଧୀଷଣା ମନ୍ଦର ପର୍ବତ ।୨୪।

 

କୋବିଦ – ଦବମାନେ ଲଭ ସୁଖ ।

କରନ୍ତୁ ବାଳିଶ ଅସୁରେ ଦୁଃଖ ।

କୃଷ୍ଣ ସେବକ ଗୋପୀ ଭକ୍ତି ସାର ।

କରନ୍ତୁ ସେମାନେ କଣ୍ଠରେ ହାର ।

କଠୋର କୁଟିଳ , କପଟୀ ଲୋକଙ୍କୁ ଓ ଅମଙ୍ଗଳ ।୨୫।

 

କୁଟିଳ ବର୍ଣ୍ଣାବଳୀରେ ଅଦ୍ଭୁତ ।

କବିହୃଦ ଅବଲମ୍ୱନକୁ ଜାତ ।

କୋବିଦ ମନ ଘନାଘନ ବିନୁ ।

କେବେହେଁ ନ ଦିଶଇ ଇନ୍ଦ୍ରଧନୁ ।

କରି ସୁବିଚାର, କବିତ୍ୱ ଶାନ୍ତି ଜଳ ଏକ କାର ।୨୬।

 

କବିତ୍ୱ ବନିତା କବିତା ପିତା ।

କହିଲା ଲୋକ ତାର ଉପମାତା ।

କଲେ ତାକୁ ଭୋଗ ରସିକ ନେତା ।

କେବେହେଁ ଅବା ରହଇ ଯୋଗ୍ୟତା ।

କୁମତି ଗୁଆଁର କେବଳ ବଇମାତ୍ର ଭାଇ ତାର ।୨୭।

 

କବିତ୍ୱ ମଳୟ ପବନ ବାତ ।

କରେ ସିକ ତରୁ ପଲ୍ଲବିତ ।

କର୍କଶ ମୁର୍ଖ ଶୁଷ୍କତାରୁ ମାତ୍ର ।

କେତେବେଳେହେଁ ନ ଧରଇ ପତ୍ର ।

କାମିନୀ ବିଭାଗ କରଇ ନିଜ ନପୁଂସକ ଦ୍ରବ ।୨୮।

 

କବିତ୍ୱରସ ଉତ୍ତମ ଗୋକ୍ଷୀର ।

କରି ତହିଁ ସଙ୍ଗ ସ୍ନେହ ଶାକର ।

କର୍ଣ୍ଣ ତୁଣ୍ଡରେ ଯେ କରଇ ପାନ ।

କିଛିହିଁ ସ୍ୱାଦୁ ଜାଣଇ ସେ ଜନ ।

କୁତ୍ସିତ ଯା ବୁଦ୍ଧି, କରେ ତା ବଚନ ଆମ୍ବିଳ ଦଦ୍ ।୨୯।

 

କବିତ୍ୱ କୋଷେ ନାନା ଦ୍ରବ୍ୟଥାଇ ।

କିଛି ଯାର ଜ୍ଞାନ ଚକ୍ଷୁନଥାଇ ।

କରନ୍ତି କାଇ ତହିଁ ଅଧିକାର ।

କିଞ୍ଚିତେ ଲାଜ ନଥାଇ ତାଙ୍କର ।

କାର୍ଯ୍ୟ ପଡ଼ିଗଲେ, କେବଳ ବେଭାର ସରଇ ଭଲେ ।୩୦।

 

କର ଧରି କହୁଅଛି ହେ ଜନେ ।

କ୍ରୋଧ ଅଭିମାନ ନ ଧର ମନେ ।

କରୁଣାହୃଦୟ ନିରତେ ହୁଅ ।

କୃଷ୍ଣ କଥାରେ ଏକା ମନଦିଅ ।

କର ଦୀନେ ଦାନ, କହୁଁ କହୁଁ ଯିବଟି ଏ ଜୀବଟି । ୩୧।

 

କେବଳ ସାଧୁ ସଙ୍ଗେ ସଙ୍ଗ ହୁଅ ।

କୁଟିଳ ଲୋକ ପାଖକୁ ନ ଯାଅ ।

କୋମଳ କରି କଥାମାନ କହ ।

କୃଷ୍ଣ ଭଗତ ଜନ-ମନ ମୋହ ।

କୃଷ୍ଣ କର ଧ୍ୟାନ ।

କୃଷ୍ଣ ଚରିତମାନ କର ପାନ ।୩୨।

 

କାଳିନ୍ଦୀ –ଜଳକଲ୍ଲୋଳ – ରଙ୍ଗିଆ ।

କଦମ୍ବ ତରୁତଳ ତ୍ରିଭଙ୍ଗିଆ ।

କଳା କମଳକଜ୍ଜ୍ୱଳ କାଳିଆ ।

କେକୀ ବିରହ – କଳାପ- ଚଳିଆ ।

କାନ୍ତକୁଣ୍ଡଳିଆ, କୁମୁଦବନ୍ଧୁ – ମୁଖ- ମଣ୍ଡଳିଆ ।୩୩।

 

କୁଟିଳ ନୀଳ – ଅଳକାବଳିଆ ।

କମନୀୟ ବନଫୁଲ ମାଳିଆ ।

କଳଧୃତକାନ୍ତି ଦୁକୁଳିଆ ।

କିଶୋରୀ ବରଜ ସଙ୍ଗ –ମେଳିଆ ।

କୃଷ୍ଣଦାସ ମନ, କମଳ ଉନିଦ୍ରକର ତାପ ।୩୪।